ଉତ୍ତମ ଯୁଦ୍ଧରେ ପ୍ରାଣପଣ
ଆଜିର ଚିନ୍ତା
ପ୍ରେରିତ ୨୮:୧୭-୩୧
ଜଗତର ଏହି ଶେଷ ସମୟରେ ମୁଁ ଈଶ୍ୱରଙ୍କ ମନରମତ ଜୀବନ କାଟୁଛି କି ?
ବନ୍ଦୀ ଅବସ୍ଥାରେ, ଦୀର୍ଘ ଦୀନ ଜଳଯାତ୍ରା ପରେ ପାଉଲ ରୋମ ସାମ୍ରାଜ୍ୟର ପ୍ରମୁଖ ଶକ୍ତି କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ସ୍ମରଣୀୟ ଯାତ୍ରା ସମୟରେ ସେ ନିର୍ଭୟରେ ଈଶ୍ୱରଙ୍କ ରାଜ୍ୟ ଓ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଥିଲେ (୩୧ପଦ) । ପାଉଲଙ୍କ ମତରେ, ବାକ୍ୟ ପ୍ରଚାରରେ ବାଧା ଯେମିତି ନିଶ୍ଚିତ, ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଫଳତା ମଧ୍ୟ ସେତିକି ସୁୁନିଶ୍ଚିତ । ଏହି ପୁସ୍ତକଟିର ଅଦ୍ଭୁତ ଭାବେ ପରିସମାପ୍ତି ଘଟିଛି । କାଇସରଙ୍କ ସହ ଦୀର୍ଘ ସମୟ ବାକ୍ୟ ବିନିମୟ ପରେ ମଧ୍ୟ ସେପରି କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିବାର ଉଲ୍ଲେଖ ନାହିଁ । ଏପରିକି ପାଉଲଙ୍କ ଶେଷ ଦଶା କ'ଣ ହେଲା, ସେ ରୋମ୍ ରେ ମୃତ୍ୟୁବରଣ କଲେ ନା ତାଙ୍କୁ ମୁକ୍ତ କରାଗଲା; ସେ ବିଷୟ ମଧ୍ୟ ଅସ୍ପଷ୍ଟ ।
ଅସମ୍ପୂର୍ଣ୍ଣ ସେବାକାର୍ଯ୍ୟ :
ମନେ ହୁଏ ଲେଖକ ଲୁକଙ୍କର ଏହା ଏକ ଇଚ୍ଛାକୃତ ସର୍ଜନା ଅବା ସାହିତ୍ୟିକ ଶୈଳୀ । ସେ ବାସ୍ତବରେ କାହାଣୀର ଅନ୍ତ ନ ଆଣି କିଛିଟା ବିରାମ ଆଣିଛନ୍ତି । ମୂଳ ବିଷୟ ହେଲା, ସେତେବେଳେ ରୋମ ପୃଥିବୀର କେନ୍ଦ୍ରସ୍ଥଳ ଥିଲା, ପ୍ରାନ୍ତ ନୁହେଁ (ପ୍ରେରିତ ୧:୮) । ଏଣୁ ସେବାକାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇ ନାହିଁ ।
ଆମର ଦାୟିତ୍ବ :
ରିଲେ ବା ପାଳି ଦୌଡ଼ରେ ଜଣେ ଦୌଡ଼ଳି ତା' ନିମନ୍ତେ ନିର୍ଦ୍ଧାରିତ ସୀମାରେଖାରେ ତା'ର ପରବର୍ତ୍ତୀ ବ୍ୟକ୍ତିଙ୍କୁ ଯଷ୍ଟି ବଢ଼ାଇ ଏଥର ତୁମ ପାଳି ବୋଲି କହି ଦୌଡ଼ ଚାଲୁ ରଖିବାକୁ ଅନୁରୋଧ କରିଥାଏ । ଠିକ୍ ସେହିପରି ଏଠାରେ ଲେଖକଙ୍କର ମୁଖ୍ୟ ଅଭିପ୍ରାୟ ହେଲେ ପୃଥିବୀକୁ ସୁସମାଚାର ମାଧ୍ୟମରେ ପରିବର୍ତ୍ତିତ କରିବା ଓ ଅସାମାନ୍ୟ ଦାୟିତ୍ବ ଆମ୍ଭମାନଙ୍କ ଭଳି ପାଠକମାନଙ୍କ ଉପରେ ନ୍ୟସ୍ତ କରିବା ।
ସର୍ବୋକୃଷ୍ଟ ଆହ୍ଵାନ :
ଏହି ପୁସ୍ତକର ଅନ୍ତିମ ଅଂଶ କେବଳ ଆମର ଧ୍ୟାନ ଆକର୍ଷଣ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରତ୍ୟକ୍ଷଭାବେ ଆହ୍ଵାନ କରେ, ଯେପରି ପିତର ଓ ପାଉଲଙ୍କ ପଦାଙ୍କ ଅନୁସରଣ କରି, ଆମେ ସୁସମାଚାର ପ୍ରଚାର ଏବଂ ପ୍ରସାରରେ ନିଜ ନିଜକୁ ବିଶ୍ଵସ୍ତ ଭାବେ ନିୟୋଜନ କରିବା । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ, ତେଣୁ କାହାଣୀ ମଧ୍ୟ ଅସମ୍ପୂର୍ଣ୍ଣ । ସୁସମାଚାର ପ୍ରଚାର କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରଖିବା ବର୍ତ୍ତମାନ ଆମର ନିଜସ୍ଵ, ନିର୍ଦ୍ଦିଷ୍ଟ ତଥା ବ୍ୟକ୍ତିଗତ ଦାୟିତ୍ବ ।