ଧନ୍ୟବାଦ ଅର୍ପଣ
ଆଜିର ଚିନ୍ତା
ପ୍ରେରିତ ୨୭:୪୪
ଦୁଃଖ, ନିରାଶା, ବିଫଳତା ମଧ୍ୟରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ କି ?
ଧନ୍ୟବାଦ ଜ୍ଞାପନ ଏକ ଶକ୍ତିଶାଳୀ ସାକ୍ଷ୍ୟ :
ସମୁଦ୍ରରେ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ପ୍ରତିକୂଳ ପରିବେଶରେ ଦୀର୍ଘ ୧୪ ଦିନ ଧରି ଜାହାଜର ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଉପବାସ ରହିଥିଲେ । ସେହି ଦୁର୍ବିସହ ପରିସ୍ଥିତିରେ ପାଉଲ କିଛି ଖାଇବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ । ପୁଣି ରୋଟୀ ଘେନି ସର୍ବସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଭୋଜନ କରିବାକୁ ଲାଗିଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଉତ୍ସାହିତ ହୋଇ ଭୋଜନ କଲେ (୩୫,୩୬ ପଦ) । ତେବେ ସେହି ସମ୍ବେଦନଶୀଳ ପରିସ୍ଥିତିରେ, ସର୍ବ ସମକ୍ଷରେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଭୋଜନ ଗ୍ରହଣ, ନିଶ୍ଚିତ ଭାବେ ତାଙ୍କର ଈଶ୍ୱରଙ୍କ ଠାରେ ଅଗାଧ ଅସ୍ଥା, ବିଶ୍ବାସର ଦୃଢ଼ ନିଦର୍ଶନ ଥିଲା । ସେହିଭଳି ସମ୍ବେଦନଶୀଳ ମୁହୁର୍ତ୍ତରେ ପାଉଲଙ୍କ ଆଚରଣ, ତାଙ୍କ ସୁସମାଚାର ପ୍ରଚାରକ ଅନନ୍ୟ ଶୈଳୀ ଯଥାର୍ଥ ଭାବେ ପରିପ୍ରକାଶ କରେ । ଏହି ଦୃଷ୍ଟାନ୍ତ ତାଙ୍କ ଜୀବନର ମୂଳ ଲକ୍ଷ୍ୟ, ଆଦର୍ଶ ଓ ମହାନ ସେବା କାର୍ଯ୍ୟର ପରିଚାୟକ (ଲୁକ ୨୨-୧୯) ।
ଅନନ୍ୟ ସାକ୍ଷୀ:
ଦୂତଙ୍କ ପ୍ରଦତ୍ତ ପାଉଲଙ୍କ ବାର୍ତ୍ତା, "ଜାହାଜ କଠିଣ ଚଟାଣରେ ଲାଗି ନଷ୍ଟ ହେବ, ମାତ୍ର କାହାରି ହେଲେ ପ୍ରାଣନାଶ ହେବ ନାହିଁ," ଅବିକଳ ସାକାର ହେଲା । ପାଉଲ ଯେ ନିଶ୍ଚିତ ଭାବେ ଐଶ୍ୱରୀକ ଶକ୍ତି ଓ କ୍ଷମତାର ଅଧିକାରୀ ଏହା ସମସ୍ତଙ୍କର ଦୃଢ଼ ବୋଧ ହେଲା । ସର୍ବପ୍ରକାର ପ୍ରତିକୂଳ ପରିସ୍ଥିତିରେ, ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜଣେ ଆଦର୍ଶ ଦୁଃଖଭୋଗୀ ସାକ୍ଷୀ ରୂପେ ଅକୁଣ୍ଠିତ ଚିତ୍ତରେ କାର୍ଯ୍ୟ କରିଥିଲେ । ଜୀବନର ଦୁଃଖ, ଦୁର୍ଦ୍ଦଶା, ନିରାଶା ବିଫଳତା ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ଏକ ଶକ୍ତିଶାଳୀ ସାକ୍ଷ୍ୟ ଭାବେ ବିବେଚିତ ହୋଇଥାଏ ।
ଭରସାର ଉତ୍ସ :
ଆଜିର ଏହି କଳୁଷିତ, ନୈତିକତାଶୂନ୍ୟ, ଭୀତିପୂର୍ଣ୍ଣ ମହାମାରୀ ଜନିତ ଆଶାହୀନ ଜାଗତିକ ପରିବେଶ ମଧ୍ୟରେ ଆମେ କିପରି ପାଉଲଙ୍କ ଭଳି,ଖ୍ରୀଷ୍ଟଙ୍କ ରାଜ୍ୟର ଗୌରବ ନିମନ୍ତେ ଅନେକଙ୍କ ପାଇଁ ଆଶା, ଶାନ୍ତି, ସାନ୍ତ୍ଵନା ଓ ଭରସାର ଦୃଢ଼ ଉତ୍ସ ହୋଇପାରିବା ତାହା ଚିନ୍ତା କରୁ ।