ତାଡନାର ସମ୍ମୁଖୀନ
ଆଜିର ଚିନ୍ତା
ପ୍ରେରିତ ୧୯:୨୧-୪୧
ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ ଅଛି କି ?
ପ୍ରେରିତ ପାଉଲ ଯେଉଁ ସ୍ଥାନକୁ ପ୍ରଚାର କରିବାକୁ ଯାଉଥିଲେ, ସେଠାରେ ରୋମୀୟ ଶାସନର ପ୍ରଭାବକୁ ଦେଖୁଥିଲେ । ସେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ଯୀଶୁଙ୍କ ବିଷୟରେ ଅନ୍ୟମାନଙ୍କୁ କହିବାକୁ ଇଚ୍ଛା କରୁଥିବାରୁ ଶକ୍ତିଶାଳୀ ରୋମ୍ କୁ ଯିବାକୁ ଚାହୁଥିଲେ ।
ପ୍ରତିବାଧା ସୃଷ୍ଟି ହେଲା :
ପାଉଲ, ତିମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପ୍ରେରଣ କରି କିଛି ସମୟ ପାଇଁ ଆସିଆରେ ରହିଲେ । ସେ ଏଫୀସରେ ପ୍ରଚାର କରୁଥିବା ସମୟରେ ଦୀମୀତ୍ରିୟ ନାମକ ଜଣେ ସ୍ଵର୍ଣ୍ଣକାର ଆର୍ତ୍ତେମୀୟ ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲେ । ସେଥିରେ ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ ହେଉଥିଲା । ପାଉଲଙ୍କ ଶିକ୍ଷାରେ ଅନେକେ ଯୀଶୁଙ୍କୁ ଗ୍ରହଣ କରିବା ଦେଖି ସେମାନେ ଭୟଭୀତ ହେଉଥିଲେ ମଧ୍ୟ ସେମାନେ ପାଉଲଙ୍କ ଶିକ୍ଷାର ପ୍ରତିବାଧା କରିପାରୁ ନ ଥିଲେ । ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କଲେ ସେମାନଙ୍କର ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ରହିଛି ବୋଲି ମନେ କରି ସେମାନେ ଲୋକମାନଙ୍କୁ ମତାଇ ଗଣ୍ଡଗୋଳ ଆରମ୍ଭ କଲେ । ସେମାନେ କହିଲେ, ପାଉଲଙ୍କ ପ୍ରଚାର ହେତୁ ଆର୍ତ୍ତେମୀୟଙ୍କର ମହିମାର ଗ୍ଲାନି ଘଟିପାରେ । ନଗରଯାକ ଗଣ୍ଡଗୋଳରେ ପୂର୍ବ ହେଲା ।
ରକ୍ଷାର ପଥ ଖୋଲିଲା :
ତାଡ଼ନାରୁ ପଳାୟନ କରିବାକୁ ଯୀଶୁ କହିନାହାନ୍ତି, ମାତ୍ର ସେ ଉଦ୍ଧାରର ପଥ ଖୋଲିବେ ବୋଲି କହିଛନ୍ତି । ସେ ଏକୁଟିଆ କାମ କରିବାକୁ ଛାଡ଼ି ଦିଅନ୍ତି ନାହିଁ । ମାତ୍ର ସେ ସଙ୍ଗରେ ଥାଆନ୍ତି (ମାଥିଉ ୨୮:୨୦ ) । ଦୀମୀତ୍ରିୟ ନିଜର ସ୍ବାର୍ଥସିଦ୍ଧି ନିମନ୍ତେ ନିଜକୁ ଜଣେ ଦେଶପ୍ରେମୀ ଓ ଧର୍ମ ସୁରକ୍ଷାକାରୀ ନେତା ବୋଲି ପରିଚୟ ଦେଇ ମହା ଗଣ୍ଡଗୋଳ ସୃଷ୍ଟି କଲେ । ଏହା ଶୁଣି ପ୍ରେରିତ ପାଉଲ ସେଠାକୁ ଯିବାକୁ ସାହସର ସହିତ ବାହାରିଲେ । ମାତ୍ର ଅନ୍ୟମାନେ ତାଙ୍କୁ ବାଧା ଦେବାରୁ ସେ ଯାଇପାରିଲେ ନାହିଁ । ମାତ୍ର ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଆରିସ୍ତାର୍ଖ ଓ ଗାୟଙ୍କୁ ବ୍ୟବହାର କରି ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କଲେ । ପ୍ରେରିତ ପାଉଲଙ୍କ ପ୍ରଚାର ହେତୁ ଅନେକେ ମାନ୍ୟଗଣ୍ୟ ଲୋକମାନେ ମଧ୍ୟ ଯୀଶୁଙ୍କୁ ବିଶ୍ଵାସ କରିବାର ସୁଯୋଗ ପାଇଲେ । ଯଦି ପ୍ରତିକୂଳ ପରିସ୍ଥିତିର ଭୟ ଆମକୁ ଅନ୍ୟ ନିକଟରେ ସୁସମାଚାର ପହଞ୍ଚାଇବାରେ ବାଧା ଦେଉଛି, ତେବେ ତାହା ଅତ୍ୟନ୍ତ ପରିତାପର ବିଷୟ ଅଟେ ।