BN

ସୁସମାଚାର ପ୍ରଚାରରେ ଏକାଗ୍ରତା

 ସୁସମାଚାର ପ୍ରଚାରରେ ଏକାଗ୍ରତା 

ଆଜିର ଚିନ୍ତା

ପ୍ରେରିତ ୧୮:୧-୧୭

ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାକୁ ମୁଁ  ଆଗ୍ରହୀ କି ?

କ୍ଲାଉଦିଅ ଯିହୁଦୀମାନଙ୍କୁ ରୋମରୁ ତଡ଼ି ଦେବାରୁ ସେମାନେ  କରିନ୍ଥିକୁ ଆସି ସେଠାରେ ବାସ କଲେ । ସେଥିପାଇଁ ତମ୍ବୁ ନିର୍ମାଣକାରୀ ଆକ୍ଵିଲା ଓ ପ୍ରୀସ୍କିଲା ଆସି କରିନ୍ଥିରେ ବାସ କରୁଥିଲେ । ଯେତେବେଳେ ପାଉଲ କରିନ୍ଥିକୁ ଆସିଲେ, ସେ ମଧ୍ୟ ତମ୍ବୁ ନିର୍ମାଣକାରୀ ଥିବାରୁ ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ଭେଟି ତାଙ୍କ ସହିତ ରହିଲେ ।


ସାହସର ସହ କାର୍ଯ୍ୟ : 

କରିନ୍ଥି ଏକ ରାଜନୈତିକ ଓ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଥିଲା । ତାହା ମଧ୍ୟ ପାପାଚରଣ ଓ ଅନୈତିକତାର ପେଣ୍ଠସ୍ଥଳୀ ଥିଲା । ଏହିପରି ଏକ ଭୟଙ୍କର ସ୍ଥାନରେ ପାଉଲ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ନ ଦେଇ ବରଂ ତାଙ୍କର ରହଣୀ ସମୟକୁ ସୁସମାଚାର ପ୍ରଚାର କରିବାର ଏକ ସୁଯୋଗ ବୋଲି ମନେ କଲେ । ତେଣୁ ସେ ପ୍ରତି ବିଶ୍ରାମବାରରେ ସମାଜ ଗୃହରେ  ପ୍ରବେଶ କରି ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହି ସାକ୍ଷ୍ୟ ଦେଇ ଯିହୁଦୀ ଓ ଗ୍ରୀକମାନଙ୍କୁ  ଶିକ୍ଷା ଦେବାକୁ ଲାଗିଲେ  । ଲୋକମାନେ ଯୀଶୁଙ୍କର ପରିଚୟ ପାଇ ପରିତ୍ରାଣ ପାଆନ୍ତୁ ଏହି ଲକ୍ଷ୍ୟ ନେଇ ସେ ସୁସମାଚାର ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ନିବିଷ୍ଟ ହୋଇ ରହିଲେ । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାର ଦାୟିତ୍ବ ପ୍ରତି ବିଶ୍ଵାସୀକୁ ଦିଆଯାଇଛି । ଆଜି ସେ ଦିଗରେ ଆମେ ବ୍ୟକ୍ତିଗତ, ପାରିବାରିକ ଓ ମଣ୍ଡଳୀଗତ ଭାବରେ ଉଦ୍ଯୋଗୀ ହେବା ଅତି ଜରୁରୀ ଅଟେ ।


କ୍ରମାଗତ ଭାବରେ କାର୍ଯ୍ୟ :

 ଯିହୁଦୀମାନେ ତାଙ୍କୁ ଅଗ୍ରାହ୍ୟ କଲେ ମଧ୍ୟ ପାଉଲ କାର୍ଯ୍ୟ କରିବାରୁ କ୍ଷାନ୍ତ ନ ହୋଇ, ଅନାଯିହୁଦୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । ସମାଜ ଗୃହ ନିକଟରେ ବାସ କରୁଥିବା ଯୂସ୍ତଙ୍କ ଗୃହରେ ରହି ପ୍ରଚାର କଲେ । ତାହା ଶୁଣି ସମାଜ ଗୃହର ଅଧ୍ୟକ୍ଷ, କ୍ରୀଷ୍ପ ସପରିବାରରେ ବିଶ୍ଵାସ କଲେ । କେବଳ ସେତିକି ନୁହେଁ, କରିନ୍ଥିୟମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କୁ ବିଶ୍ଵାସ କରି ବାପ୍ତିଜିତ ହେଲେ । ତାଙ୍କର ବିଶ୍ଵସ୍ତତା ଓ ଉଦ୍ଯୋଗ ହେତୁ ପ୍ରଭୁ ତାଙ୍କୁ ଦର୍ଶନ ଦେଇ କାର୍ଯ୍ୟ କରିବାକୁ ଉତ୍ସାହ ଦେଲେ । ଏତଦ୍ଵାରା ନୂତନ ବିଶ୍ବାସୀମାନେ ବିଶ୍ଵାସରେ ବଳିଷ୍ଠ ହେଲେ । ପ୍ରଚାର କରିବ ଯେତିକି ଗୁରୁତ୍ଵପୂର୍ଣ୍ଣ, ନୂତନ ବିଶ୍ବାସୀମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ଅଟେ, ଏହା ପାଉଲ ଉତ୍ତମ ରୂପେ ବୁଝିଥିଲେ ।

ସତ୍ୟ ପରମେଶ୍ୱର

ସତ୍ୟ ପରମେଶ୍ୱର 

ଆଜିର ଚିନ୍ତା

ପ୍ରେରିତ ୧୭:୧୬-୩୪

ବ୍ୟକ୍ତିଗତ ଜୀବନରେ ମୁଁ ସତ୍ୟ ପରମେଶ୍ବରଙ୍କର ପରିଚୟ ପାଇଛି କି ? 

ଆଥୀନୀ ଗ୍ରୀକ୍ ସଭ୍ୟତାର ଏକ ପେଣ୍ଠସ୍ଥଳ । ଏଠାକାର ଆଦିବାସୀମାନେ ଅତି ଉଚ୍ଚ ଶିକ୍ଷିତ ଓ ଜିଜ୍ଞାସୀ । ସେମାନେ କେବଳ ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ । ମାତ୍ର ଆଥୀନୀ ନିବାସୀମାନେ ଏକ ଅଜ୍ଞାତ ଦେବତାର ସେବା କରୁଥିଲେ ଓ ତାଙ୍କର ଦେଶ ଅନେକ ପ୍ରତିମାରେ ପରିପୂର୍ଣ୍ଣ ଥିଲା । ଆଥୀନୀବାସୀଙ୍କର ଜୀବନ ଶୈଳୀକୁ ଦେଖି ପାଉଲ ଅତି ଉଦବିଗ୍ନ ହେଲେ ସତ ମାତ୍ର ସେ ବହୁତ  ଧୈର୍ଯ୍ୟ ଓ  ଜ୍ଞାନର ସହ  ସେମାନଙ୍କ ନିକଟରେ ସତ୍ୟ ଜୀବିତ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରକାଶ କଲେ ।

ସୃଷ୍ଟିକର୍ତ୍ତା ଈଶ୍ଵର  : 

ଈଶ୍ଵର ନିଜେ ସ୍ଵୟଂ ସୃଷ୍ଟିକର୍ତ୍ତା । ସେ ସାରା ବ୍ରହ୍ମାଣ୍ଡ ଓ ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁର ସୃଷ୍ଟିକର୍ତ୍ତା ଅଟନ୍ତି । ସେ ମନୁଷ୍ୟକୁ ନିଜ ସ୍ୱରୂପରେ ସୃଷ୍ଟି କରି ଏହି ପୃଥିବୀକୁ ପୂର୍ଣ୍ଣ କରିବାକୁ ଆଜ୍ଞା ଦେଇଛନ୍ତି । ଏହି କଥା ଆଥୀନୀ ନିବାସୀମାନଙ୍କୁ ବୁଝାଇବା ପରେ ପାଉଲ କହନ୍ତି ଯିଏ ମନୁଷ୍ୟକୁ ଜୀବନ ଓ ନିଃଶ୍ୱାସ ପ୍ରଦାନ କରିଅଛନ୍ତି, ସେ ନିଜେ କିପରି ନିର୍ଜୀବ ବସ୍ତୁ ବା ପ୍ରତିମାରେ ବସବାସ କରିବେ । ମନୁଷ୍ୟର ଗତି, ସ୍ଥିତି ସବୁ ତାଙ୍କର ହସ୍ତଗତ । ତେଣୁ ଗୀତରଚକ ଲେଖିଲେ, "ପ୍ରଭୁଙ୍କ ଦ୍ଵାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି" (ଗୀତ  ୩୭:୨୩)  । ବ୍ୟକ୍ତିଗତ ଜୀବନରେ ଆମେ ତାଙ୍କୁ ନିଜର ସୃଷ୍ଟିକର୍ତ୍ତା ଓ ଆମର ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରିଛୁ କି ? 

ଜୀବିତ ଈଶ୍ୱର : 

ପାଉଲ ତାଙ୍କର ପ୍ରଚାରରେ ସର୍ବଦା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ପୁନରୁତ୍ଥାନ ବିଷୟରେ ବର୍ଣ୍ଣନା କରୁଥିଲେ । ପାଉଲ ପୁନରୁତ୍ଥାନ ବିଷୟରେ ପ୍ରଚାର କରି ଏହା ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଆମର ପରମେଶ୍ୱର ଜୀବିତ ଅଟନ୍ତି । ମାତ୍ର ତାଙ୍କର ଏହି ବାକ୍ୟ ପାଇଁ ମିଶ୍ର ପ୍ରତିକ୍ରିୟା ମିଳିଥିଲା । ୩୨ ଓ ୩୩ ପଦ ପ୍ରକାଶ କରେ, କିଛି ଲୋକ ଏହା ଶୁଣି ପରିହାସ କଲେ, ଅନ୍ୟ କେତେକ ଲୋକ ଏହି କଥାକୁ ପୁନଃ ପରୀକ୍ଷା କରିବାକୁ ଚାହିଁଲେ, ମାତ୍ର ଅଳ୍ପ କେତେଜଣ ସେହି ବାକ୍ୟରେ ବିଶ୍ଵାସ କଲେ । ସତ୍ୟ ସମସ୍ତଙ୍କ ନିକଟରେ ପ୍ରଚାରିତ, ମାତ୍ର ଅଳ୍ପ କେତେକଙ୍କ ଦ୍ଵାରା ଗୃହୀତ । ମୋର ସୃଷ୍ଟିକର୍ତ୍ତା ଯେ ସତ୍ୟ ଓ ଜୀବିତ, ମୋର ଏହି ଦୃଢ଼ ବିଶ୍ଵାସ ଅଛି କି ? ଏହା ସମୟ ପ୍ରମାଣିତ କରିବ । 

ସଜାଗ ଶ୍ରୋତା

 ସଜାଗ ଶ୍ରୋତା

ପ୍ରେରିତ ୧୭:୧-୧୫

ଆଜିର ଚିନ୍ତା

ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ କରିବାରେ ମୁଁ ଜଣେ ଉତ୍ତମ ଶ୍ରୋତା ଅଟେ କି ? 


ଥେସଲନୀକୀ ଫିଲିସ୍ପ ଠାରୁ ପ୍ରାୟ ୧୦୦ ମାଇଲ୍ ଦୂରରେ ଅବସ୍ଥିତ । ପାଉଲ ଓ ଶୀଲା ପ୍ରଥମେ ୩ ବିଶ୍ରାମବାର ପର୍ଯ୍ୟନ୍ତ ଏଠାରେ ପ୍ରଚାର କରି ତା' ପରେ ୫୦ ମାଇଲ୍ ଦୂରରେ ଅବସ୍ଥିତ ବେରୟାରେ ମଧ୍ୟ ବାକ୍ୟ ପ୍ରଚାର କଲେ । 


ସକାରତ୍ମକ ଶ୍ରବଣ :

ଉଭୟ ଥେସଲନୀକୀ ଓ ବେରୟାରେ ଅନେକ ଯିହୁଦୀ ମତାବଲମ୍ବି ଗ୍ରୀକ୍ ଓ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ପାଉଲ ଓ ଶୀଲାଙ୍କର ବାକ୍ୟ ଶୁଣିବାକୁ ଆସିଲେ । ଯେପରି (ରୋମୀ ୧୦:୧୭) ରେ ଲେଖାଅଛି, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । ପାଉଲ ଓ ଶୀଲା ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ବାକ୍ୟ ସେମାନଙ୍କ ନିକଟରେ ପ୍ରଚାର କଲେ ଓ ସେମାନେ ଶୁଣି ବିଶ୍ଵାସ କଲେ । ପୁଣି ବେରୟାର ବିଶ୍ବାସୀମାନେ ଆଗ୍ରହର ସହ ତାହା ଗ୍ରହଣ କରି ତାହା ସତ୍ୟ କି ମିଥ୍ୟା ତାହା ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରି ଜାଣିବାକୁ ଚାହିଁଲେ । ଏଠାରେ ୨ ଟି କଥା ପ୍ରକାଶିତ ହୁଏ । ଖ୍ରୀଷ୍ଟଙ୍କର ବାକ୍ୟ ପ୍ରମାଣସିଦ୍ଧ ଓ ଆମକୁ ତାହା ଅନୁସନ୍ଧାନ କରି ନିଜ ଜୀବନରେ ଗ୍ରହଣ କରିବାକୁ ହେବ । କାରଣ ଦୁଃସମୟ ଆସୁଅଛି, ଯେତେବେଳେ ଅନେକ ଭଣ୍ଡ ଭାବବାଦୀ ଓ ଭଣ୍ଡ ଖ୍ରୀଷ୍ଟଙ୍କର ସମ୍ମୁଖୀନ ହେବାକୁ ପଡିବ ।  ତେଣୁ ଆମେ ଏକ ସଜାଗ ଓ ସକାରତ୍ମକ ଶ୍ରୋତା ହେବା ଆବଶ୍ୟକ । 


ନକାରତ୍ମକ ଶ୍ରବଣ :

ପାଉଲ ଓ ଶୀଲାଙ୍କ ବାକ୍ୟ ଦ୍ଵାରା ଅନେକେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ସମୟରେ ଯିହୁଦୀମାନେ ଈର୍ଷାରେ ଜଳି ଉଠିଲେ ଓ ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇ ଦେଲେ । ପୁଣି ସେମାନେ, ପାଉଲ ଓ ଶୀଲା ବେରୟାରେ ପ୍ରଚାର କରୁଅଛନ୍ତି ବୋଲି ଶୁଣି ସେଠାରେ ମଧ୍ୟ ଉପସ୍ଥିତ ହୋଇ ଲୋକସମୂହକୁ ଉତ୍ତେଜିତ ଓ ଉଦବିଗ୍ନ କଲେ । (ଯାକୁବ ୧:୧୯) ରେ ଲେଖାଅଛି, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର ଓ କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ଯିହୁଦୀମାନଙ୍କର ଈର୍ଷା ଓ କ୍ରୋଧ ସେଦିନ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନରେ ବାଧା ସୃଷ୍ଟି କଲା । ଆଜି ଆମେ ଜାଣତରେ କିମ୍ବା ଅଜାଣତରେ ଈଶ୍ୱରଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରୁ ନାହୁ ତ ? 

ସୁସମାଚାର ପ୍ରଚାର

 ସୁସମାଚାର ପ୍ରଚାର

ଆଜିର ଚିନ୍ତା

ପ୍ରେରିତ ୧୬:୧୧-୨୪

ଅନ୍ୟ ନିକଟରେ ସୁସମାଚାର ବିତରଣ କରିବାକୁ ମୁଁ କଣ ଆଗ୍ରହୀ ଅଟେ ।


ଫିଲିସ୍ପ ମାକିଦାନିଆର ଏକ ପ୍ରଧାନ ନଗରୀ ଥିଲା । ସେଠାରେ ଗ୍ରୀକ୍ ଓ ରୋମୀୟ ଲୋକମାନେ ବସବାସ କରୁଥିଲେ । ପାଉଲ ତାଙ୍କର ୨ୟ ମିଶନାରୀ ଯାତ୍ରା ସମୟରେ ଫିଲିସ୍ପକୁ ଆସିଥିଲେ ।  ମାତ୍ର ସେ କାରାଗାରରେ ବନ୍ଦୀ ଥିବା ସମୟରେ ଏହି ଫିଲିସ୍ପ ମଣ୍ଡଳୀକୁ ପତ୍ର ଲେଖିଥିଲେ ।


ଦକ୍ଷ ସୁସମାଚାର ବିତରକ : 

ପାଉଲ ଜଣେ ଦକ୍ଷ ସୁସମାଚାର ବିତରକ ଥିଲେ, କାରଣ ସେ ଈଶ୍ୱରଙ୍କ ଚାଳନାରେ ଚାଳିତ ହୋଇ କାର୍ଯ୍ୟ କରୁଥିଲେ । ପ୍ରଭୁ ତାଙ୍କୁ ମାକିଦାନିଆକୁ ଯିବାକୁ କହିଲେ ଓ ସେ ବାଧ୍ୟ ହୋଇ ସେଠାକୁ ଗଲେ । କେଉଁ ସ୍ଥାନରେ ପ୍ରଭୁଙ୍କର ଅନ୍ଵେଷଣକାରୀ ମାନେ ଅଛନ୍ତି, ସେ ଫିଲିସ୍ପରେ ତାହା ଖୋଜି ବାହାର କରିଥିଲେ ଓ ନଗର ବାହାରେ ନଦୀକୂଳରେ ଯାଇ ସେମାନଙ୍କ ସହିତ ସାକ୍ଷାତ କରିଥିଲେ । ଦାସୀଜଣକ ଯେ ମନ୍ଦ ଆତ୍ମା ଦ୍ଵାରା ଅବିଷ୍ଟ ତାହା ମଧ୍ୟ ପାଉଲ ଜାଣିପାରିଥିଲେ । ଏହି ସମସ୍ତ ଗୁଣ ପାଉଲଙ୍କୁ ଏକ ଦକ୍ଷ ସୁସମାଚାର ବିତରକ କରିଥିଲା ସତ, ମାତ୍ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ, ପାଉଲ ସୁସମାଚାର ନିମନ୍ତେ ଅନେକ ଦୁଃଖ ଓ ତାଡ଼ନାର ସମ୍ମୁଖୀନ ହେଲେ ଓ ସେ ଆନନ୍ଦର ସହିତ ତାହା ନିଜ ଶରୀରରେ ଗ୍ରହଣ କରିଥିଲେ । 


ସୁସମାଚାର ଦ୍ଵାରା ପରିବର୍ତ୍ତିତ ବ୍ୟକ୍ତିଙ୍କ ସେବାକାର୍ଯ୍ୟ : 

ଲୁଦିଆ ଜଣେ ବ୍ୟବସାୟୀ ଓ ଈଶ୍ୱର ଭକ୍ତା ଥିଲେ । ପ୍ରଭୁଙ୍କର ସୁସମାଚାର ଗ୍ରହଣ କରିବା ନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ । ଲୁଦିଆ ନିଜେ ବାକ୍ୟ ଗ୍ରହଣ କରି ପରିତ୍ରାଣ ପ୍ରାପ୍ତ ହେଲେ ଓ ନିଜର ପରିବାରର ସମସ୍ତଙ୍କୁ ଅଂଶୀ କରାଇଲେ ଲୁଦିଆ ଓ ତାଙ୍କ ପରିବାର ସୁସମାଚାର ବିତରକମାନଙ୍କୁ ନିଜ ପରିବାରରେ ସ୍ଥାନ ଦେଇ ସେମାନଙ୍କର ଆତିଥ୍ୟ କଲେ ଓ ସେମାନଙ୍କ ଯତ୍ନ ନେଲେ । 


ଆଜି ଆମେ ବ୍ୟକ୍ତିଗତ ଜୀବନରେ ସୁସମାଚାର ପ୍ରଚାରକମାନଙ୍କର ଆବଶ୍ୟକତା ନିମନ୍ତେ ଚିନ୍ତିତ ଓ ବୋଝଗ୍ରସ୍ତ ହେବା ଆବଶ୍ୟକ । 

ଆଂଶିକ ବାଧ୍ୟତା

 ଆଂଶିକ ବାଧ୍ୟତା 

ଆଜିର ଚିନ୍ତା

୧ ଶାମୁୟେଲ ୧୫:୧-୩୫

ମୋ' ଜୀବନରେ ସମ୍ପୂର୍ଣ୍ଣ ବାଧ୍ୟତା ଦେଖାଯାଏ କି ?


ଇସ୍ରାଏଲୀୟ ମାନେ କିଣାନକୁ ଯାତ୍ରା କରିବା ପଥ ମଧ୍ୟରେ ଅମାଲେକୀୟମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନେ ଶାନ୍ତିରେ ବାସ କରିପାରୁ ନ ଥିଲେ । ତେଣୁ ସେମାନଙ୍କୁ ଆଘାତ କରି ସେମାନଙ୍କର ସର୍ବସ୍ବ ବର୍ଜିତରୂପେ ବିନାଶ କରିବାକୁ ଈଶ୍ଵର ଶାଉଲଙ୍କୁ ଆଦେଶ ଦେଇଥିଲେ । 


ଆଂଶିକ ବାଧ୍ୟତା :

ଶାଉଲ ସଦାପ୍ରଭୁଙ୍କ ଆଦେଶନୁଯାୟୀ ଯୁଦ୍ଧ କଲେ । ମାତ୍ର ସର୍ବସ୍ବ ବର୍ଜିତରୂପେ ବିନାଶ ନ କରି ଈଶ୍ୱରଙ୍କ ଅବାଧ୍ୟ ହେଲେ (୩ପଦ) । ତେଣୁ ଈଶ୍ଵର ଦୁଃଖିତ ହେଲେ (୧୧ପଦ) । ସେ ସଦାପ୍ରଭୁଙ୍କ ଆଦେଶକୁ ଆଂଶିକ ଭାବେ ପାଳନ କରିଥିଲେ । ମନେରଖୁ ଆଂଶିକ ବାଧ୍ୟତା ଅବଧ୍ୟତା ଅଟେ । ତେଣୁ ମହାବିଜୟ ହାସଲ କରିବେ ବୋଲି ଶାଉଲ ଭାବିଥିଲେ, ମାତ୍ର ତାହା ତାଙ୍କ ଜୀବନରେ ମହା ବିଫଳତା ଆଣିଥିଲା । ନିଜର ଭୁଲ ଧରା ପଡ଼ିବ ନାହିଁ ବୋଲି ସେ ଭାବିଥିଲେ, ମାତ୍ର ସେ ମନୁଷ୍ୟ ଏବଂ ଈଶ୍ୱରଙ୍କ ନିକଟରେ ଅବିଶ୍ୱସ୍ତ ବୋଲି ପ୍ରମାଣିତ ହେଲେ । ଆମେ ଯେତେବେଳେ ……. ସ୍ୱେଚ୍ଛାପୂର୍ବକ ପାପ କରୁ ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ (ଏବ୍ରୀ ୧୦:୨୬)  ।


ଅବାଧ୍ୟତାର ପରିଣତି :

ସମସ୍ତ ବର୍ଜିତରୂପେ ବିନାଶ କରିବା ପରିବର୍ତ୍ତେ ସେ କିଛି ଉତ୍ତମ ବସ୍ତୁକୁ ରଖିଲେ । ରାଜା ଅଗାଗଙ୍କ ପ୍ରତି ଅଯଥା ଦେଖାଇ ସେ ତାଙ୍କ ଅଧିକାରର ଅପବ୍ୟବହାର କରିଥିଲେ । ଏପରିକି ଶାମୁୟେଲ ତାଙ୍କ ଭୁଲ୍ କୁ ଦେଖାଇବା ପରେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଥିଲେ । ବାକ୍ୟରେ ଲେଖାଯାଏ, ଦେଖ ଶୁଣିବା ଅପେକ୍ଷା (ବଧ୍ୟତା) ବଳିଦାନ ଠାରୁ ...ଉତ୍ତମ (୨୨ପଦ) । ଈଶ୍ଵର ଆମଠାରୁ ବଳିଦାନ ଅପେକ୍ଷା ବାଧ୍ୟତାକୁ ଅଧିକ ପସନ୍ଦ କରନ୍ତି । ଆମଠାରେ ଈଶ୍ୱରଙ୍କ ପ୍ରେମ ଓ ବାଧ୍ୟତା ନ ଥାଇ ଯଦି ଆମେ ନାନା ପ୍ରକାର ପାରମ୍ପରିକ ପ୍ରଥା (ଧର୍ମକର୍ମ) ପାଳନ କରିବାରେ ଲାଗିରହୁ, ସେ ସବୁ ଈଶ୍ୱରଙ୍କ ନିକଟରେ ମୂଲ୍ୟହୀନ ଅଟେ । ଲେଖାଯାଏ, ବିଦ୍ରୋହ ମନ୍ତ୍ରପାଠ ତୁଲ୍ୟ ଏବଂ ଅବଧ୍ୟତା ଅବସ୍ତୁର ଓ ଠାକୁର ପୂଜା ତୁଲ୍ୟ (୨୩ପଦ) । ଈଶ୍ୱରଙ୍କ ଆଦେଶକୁ ତୁଚ୍ଛ କରିଥିବାରୁ ଈଶ୍ଵର ତାଙ୍କୁ ରାଜା ହୋଇ ରହିବାକୁ ତୁଚ୍ଛ କଲେ ।