BN

ପରମେଶ୍ବର ଯୋଗାନ୍ତି

 ପରମେଶ୍ବର ଯୋଗାନ୍ତି

ଆଜିର ଚିନ୍ତା

୧ ଶାମୁୟେଲ ୯:୧୫-୨୭

ଈଶ୍ୱରଙ୍କ  ଇଚ୍ଛା ମୋ ଜୀବନରେ ସଫଳ ହେଉ ବୋଲି ପ୍ରାର୍ଥନା କରେ କି ? 


ଯେ କୌଣସି ସମସ୍ୟାରେ ପଡ଼ିଲେ ଆମେ ବ୍ୟତିବସ୍ତ ହୋଇପଡୁ । ତାହାର ସମାଧାନ କିପରି ଅତିଶୀଘ୍ର ହେବ, ଆମେ ଚିନ୍ତା କରିଥାଉ । ଶାସ୍ତ୍ରରେ ଲେଖାଯାଏ, ସବୁ ବିଷୟର କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି (ଉପଦେଶକ ୩:୧) । 


ଯୋଗାଇବା ପରମେଶ୍ୱର :

ଇସ୍ରାଏଲର ପ୍ରାଚୀନଗଣ ରାଜା ମାଗିବା ଦ୍ଵାରା ଈଶ୍ୱରଙ୍କୁ ଅଗ୍ରାହ୍ୟ କରି ଦୁଃଖ ଦେଇଥିଲେ ମଧ୍ୟ ସେ ଦୟାଳୁ ପିତା ଭାବେ ଶାଉଲଙ୍କୁ ରାଜା ହେବା ପାଇଁ ମନୋନୀତ କରିଥିଲେ । ଗଧ ହଜିବା ଅନ୍ତରାଳରେ ଶାଉଲଙ୍କ ପାଇଁ ପରମେଶ୍ୱରଙ୍କ ଏକ ମହାନ୍ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ (ରୋମୀୟ ୮:୨୮) । ଇସ୍ରାଏଲର ପ୍ରଥମ ରାଜା ଶାଉଲ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବାରୁ ଗଧ ଖୋଜୁ ଖୋଜୁ ଶାମୁୟେଲଙ୍କ ନିକଟକୁ ଚାଲି ଯାଇଥିଲେ । ଗଧ ମିଳିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ଶାଉଲ ଇସ୍ରାଏଲର ସମସ୍ତ ବାଞ୍ଚନୀୟ ବିଷୟ ପାଇବା ପାଇଁ ମନୋନୀତ ହୋଇଥିବାର ସୁୁସମ୍ବାଦ ଶାମୁୟେଲଙ୍କଠାରୁ ଅବଗତ ହୋଇଥିଲେ । ଏଭଳି ଆଶ୍ଚର୍ଯ୍ୟଜନକ ବିଷୟ ଶୁଣି ଗର୍ବିତ ନ ହୋଇ ନମ୍ର ଭାବରେ ଶାମୁୟେଲଙ୍କ ପାଖରେ ନିଜର ପରିଚୟ ସେ ରଖିଥିଲେ । 


ଉତ୍ତମ ବସ୍ତୁ ଦେବା ପରମେଶ୍ୱର :

ଈଶ୍ଵର ତାଙ୍କର ଇଚ୍ଛାନୁଯାୟୀ ଯାହାକୁ ଯାହା ଇଚ୍ଛା, ତାହା ଦେବା ପରମେଶ୍ୱର । ଶାଉଲଙ୍କୁ ଭେଟିବା ପରେ ଶାମୁୟେଲ ତାଙ୍କୁ ରାଜାର ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥିଲା । ଶାମୁୟେଲଙ୍କ ସଙ୍ଗେ ରାତ୍ରି କ୍ଷେପଣ କରି ଆଳାପ କରିବା ପାଇଁ ଶାଉଲ ସୁଯୋଗ ପାଇଥିଲେ । ଏକାନ୍ତରେ ଧାର୍ମିକ ଭବିଷ୍ୟତବକ୍ତାଙ୍କ ଠାରୁ ସଦାପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବାର ସୌଭାଗ୍ୟ ସେ ଲାଭ କରିଥିଲେ । 


ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ସଦାପ୍ରଭୁଙ୍କ ଏକ ନିର୍ଦ୍ଦିଷ୍ଟ ଯୋଜନା ରହିଛି । ସେ ତାହା କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ତାଙ୍କ ରାଜ୍ୟ ଓ ଧାର୍ମିକତା ପ୍ରଥମେ ଅନ୍ଵେଷଣ କରି ତାଙ୍କ ନିକଟରେ  ନିଜକୁ ସମର୍ପଣ କଲେ, ସେ ତାଙ୍କ ଇଚ୍ଛାକୁ ଆମ ଜୀବନରେ ସଫଳ କରିବାରେ ସାହାଯ୍ୟ କରିବେ । 

ବାଧ୍ୟତାର ପୁରସ୍କାର

ବାଧ୍ୟତାର ପୁରସ୍କାର

ଆଜିର ଚିନ୍ତା

୧ ମ ଶାମୁୟେଲ ୯:୧-୧୪

ବାଧ୍ୟତାର ଜୀବନ କାଟିବା ପାଇଁ ମୁଁ ସଚେତନ କି ?


ଶାଉଲ ଜଣେ ମହାବିକ୍ରମଶାଳୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ ଦେଖିବାକୁ ସୁନ୍ଦର ଥିଲେ ଏବଂ ଇସ୍ରାଏଲର ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ଵକୁ ଉଚ୍ଚ ଥିଲେ । କେବଳ ରୂପରେ ନୁହେଁ, ମାତ୍ର ଗୁଣରେ ମଧ୍ୟ ସୁନ୍ଦର ଥିଲେ । ପିତାଙ୍କ କଥାନୁଯାୟୀ ଗଧ ଖୋଜିବାକୁ ଯାଇଥିଲେ । ବାଧ୍ୟତା, ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । 

କର୍ତ୍ତବ୍ୟରେ ବିଶ୍ଵସ୍ତ : 

ଗଧ ଖୋଜିବା କାର୍ଯ୍ୟ ସାମାନ୍ୟ ହୋଇଥିଲେ ମଧ୍ୟ ଶାଉଲ ନିଜ କର୍ତ୍ତବ୍ୟରେ ବିଶ୍ଵସ୍ତ ଥିଲେ । ବିଭିନ୍ନ ସ୍ଥାନରେ ଗଧ ଖୋଜି ଅଧୌର୍ଯ୍ୟ ବା ବିରକ୍ତ ହୋଇ ନ ଥିଲେ କିଅବା କ୍ରୋଧ ପ୍ରକାଶ କରି ନ ଥିଲେ । ବରଂ ତାଙ୍କର ବିଳମ୍ବ ଯୋଗୁ ପିତା ହୁଏତ ବ୍ୟସ୍ତ  ହେଉଥିବେ, ଏହା ଭାବି ଗୃହକୁ ଫେରିଯିବାକୁ ଚାହିଁଥିଲେ ।

ସୁପରାମର୍ଶ ଗ୍ରହଣ : 

ଶାଉଲ ନିଜ ସଙ୍ଗୀ ଯୁବା ଲୋକର ସୁପରାମର୍ଶ ଗ୍ରହଣ କରି କାଳବିଳମ୍ବ ନ କରି ଏକଶେକଲ ରୂପାର ଚତୁର୍ଥାଶଂ ଦର୍ଶନୀ ରୂପେ ନେଇ ଶାମୁୟେଲଙ୍କୁ ଭେଟିବାକୁ ଯାଇଥିଲେ । ନଗରକୁ ଯିବା ବାଟରେ ଭେଟିଥିବା ଯୁବତୀମାନଙ୍କର କଥାନୁଯାୟୀ ଶାଉଲ ସେସ୍ଥାନକୁ ଯିବା ହେତୁ ସଦାପ୍ରଭୁ ଶାମୁୟେଲଙ୍କ ସହ ତାଙ୍କର ଭେଟ କରାଇ ଦେଇଥିଲେ । ଗଧ ହଜିବା ଓ ଗଧ ଖୋଜିବା ବିଷୟର ଅନ୍ତରାଳରେ ସଦାପ୍ରଭୁଙ୍କ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯଦିଓ ଇସ୍ରାଏଲୀୟମାନେ ରାଜାଭାବେ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରିଥିଲେ, କିନ୍ତୁ ସେ ସେମାନଙ୍କୁ ପରିତ୍ୟାଗ କରି ନ ଥିଲେ । ସେମାନଙ୍କ ପାଇଁ ରାଜାଭାବେ ଶାଉଲଙ୍କୁ ମନୋନୀତ କରିଥିଲେ ।  ସେଦିନ ଗଧ ଅପେକ୍ଷା ଅଧିକ ମହତ୍ତର ବିଷୟର ସମ୍ବାଦ ତାଙ୍କ ପାଇଁ ରଖାଯାଇଥିଲା ।

ଆମେ ମଧ୍ୟ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲେ, ପ୍ରଭୁ ଆମକୁ ବହୁତ ବିଷୟ ଉପରେ ନିଯୁକ୍ତି ଦେବେ । ଗୃହରେ ଓ କାର୍ଯ୍ୟକ୍ଷେତ୍ରରେ ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି, ବିଶ୍ଵସ୍ତଭାବେ ସେସବୁ ସମ୍ପାଦକ କରିବା ପାଇଁ ଆମେ ଯତ୍ନବାନ ହେଉ । ବାଇବଲରେ ଲେଖାଯାଏ, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ (ଏଫିସୀୟ ୬:୧) । ଆମର ବାଧ୍ୟତାର ଜୀବନ ହୁଏତ ଆମକୁ ଦିନେ ଏକ ଅସାଧାରଣ ବ୍ୟକ୍ତିରେ ପରିଣତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବ ।

ଉଚିତ୍ ବିଷୟ ମାଗିବା

 ଉଚିତ୍ ବିଷୟ ମାଗିବା

ଆଜିର ଚିନ୍ତା 

୧ ଶାମୁୟେଲ ୮:୧-୨୨

ମୁଁ ଈଶ୍ୱରଙ୍କ ଇଚ୍ଛାକୁ ଅଗ୍ରାଧିକାର ଦିଏ କି ? 


ଶାମୁୟେଲଙ୍କ ପୁତ୍ରମାନେ ଲାଞ୍ଚ ନେଇ ବିଚାର ବିପରୀତ କରିବାରୁ ଇସ୍ରାଏଲର ପ୍ରାଚୀନବର୍ଗ ଶାମୁୟେଲଙ୍କୁ ଏକ ରାଜା ଦେବା ନିମନ୍ତେ କହିଥିଲେ । ମାଗିବା ବିଷୟରେ ଶାସ୍ତ୍ରରେ ଲେଖାଯାଏ, ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହି ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ (ଉପଦେଶକ ୫:୧(କ)) ।


ସ୍ବେଚ୍ଛାଚାରୀ ଇସ୍ରାଏଲ :

ଇସ୍ରାଏଲ ମଧ୍ୟରେ ବିଚାର କାର୍ଯ୍ୟ କିପରି ନ୍ୟାୟ ଭାବରେ ହେବ ଏ ବିଷୟରେ ପ୍ରାଚୀନବର୍ଗ ଶାମୁୟେଲଙ୍କ ଦ୍ଵାରା ଈଶ୍ୱରଙ୍କୁ ପଚାରି ନ ଥିଲେ । ବରଂ ଜୀବିତ ଈଶ୍ୱରଙ୍କୁ ଜାଣି ନ ଥିବା ଅନ୍ୟ ଦେଶୀୟ ରାଜାମାନଙ୍କୁ ଅନୁସରଣ କରି ଏକ ରାଜା ମାଗିଥିଲେ । ଶାମୁୟେଲ ଏ ବିଷୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଈଶ୍ଵର ହିଁ ସେମାନଙ୍କର ଏକ ମାତ୍ର ରାଜା ଥିଲେ । ମାତ୍ର ସେମାନେ ତାଙ୍କୁ ଅଗ୍ରାହ୍ୟ କରି ନିଜ ସୁବିବେଚନାରେ ଆଉଜି ପଡ଼ିଥିଲେ । ସେମାନଙ୍କର ରାଜା ମାଗିବା ବିଷୟ ଈଶ୍ୱରଙ୍କୁ ବହୁତ ଦୁଃଖ ଦେଇଥିଲା । ସଦାପ୍ରଭୁଙ୍କ ଭୟକାରୀମାନଙ୍କ ପାଇଁ ଲେଖାଯାଏ, ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମକୁ ରକ୍ଷା କରିବ (ହିତ ୨:୧୧) । ସ୍ବେଚ୍ଛାଚାରୀ ଇସ୍ରାଏଲ ଅପରିଣାମଦର୍ଶୀ ଥିଲେ । ରାଜା ମାଗି ଦୁଃଖ କୁ ଡାକି ଆଣିଥିଲେ । 


ଦୟାବାନ୍ ଈଶ୍ଵର :

ଆଗାମୀ ବିପଦ ଓ ଦୁଃଖରୁ ଇସ୍ରାଏଲ ସନ୍ତାନମାନଙ୍କୁ  ରକ୍ଷା କରିବା ଲାଗି ଈଶ୍ଵର ଶାମୁୟେଲଙ୍କ ଦ୍ଵାରା ରାଜାର ବିଧି ସବୁ ଜଣାଇଲେ । ଯିଏ ରାଜା ହେବ, ସେ ସେମାନଙ୍କର ପୁତ୍ରକନ୍ୟା, ଦାସଦାସୀ, ଶସ୍ୟକ୍ଷେତ୍ର, ପଶୁସମ୍ପଦ ଓ ସର୍ବୋତ୍ତମ ଯୁବାପୁରୁଷ ମାନଙ୍କୁ ନେଇ ଆପଣା କାର୍ଯ୍ୟରେ ଲଗାଇବ । ଦୟାବାନ୍ ଈଶ୍ଵର ଇସ୍ରାଏଲୀୟମାନଙ୍କୁ ରାଜା ଦ୍ଵାରା ଶାସିତ ହେବାର କୁପରିଣାମ ବିଷୟ ଜଣାଇଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ରହିଲେ । ସେମାନେ ଭୁଲ ବିଷୟ ମାଗିଥିବାରୁ ପରବର୍ତ୍ତୀ ସମୟରେ ବହୁତ ଦୁଃଖ ପାଇଥିଲେ । ଅନେକ ସମୟରେ ଆମେ ମଧ୍ୟ ଆମର ଇଚ୍ଛା ପୂରଣ ପାଇଁ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ବିଷୟ ମଗିଥାଉ । ଆମ ଜୀବନକୁ ବିନାଶର ପଥରୁ ରକ୍ଷା କରିବା ପାଇଁ ଈଶ୍ୱର ପିତାମାତା ତଥା ତାଙ୍କ ବାକ୍ୟ ଦ୍ଵାରା ଆମକୁ ଚେତନା ଦେଇଥାନ୍ତି । ଆସନ୍ତୁ, ଅନୁଯୋଗ ଗ୍ରହଣ କରି ପାପ ପଥରୁ ଫେରୁ ଓ ପରିଣାମଦର୍ଶୀ ହେଉ । ଈଶ୍ୱରଙ୍କ ବାକ୍ୟ ପଢ଼ିବା ଓ ଶୁଣିବା ସେହି ବାକ୍ୟ ଆମକୁ ପାପ ପଥରୁ ରକ୍ଷା କରିବାରେ ସହାୟକ ହେବ । 

ପାପରୁ ମନଫେରଣ

 ପାପରୁ ମନଫେରଣ

ଆଜିର ଚିନ୍ତା

୧ ଶାମୁୟେଲ ୭:୨-୧୭

ମୁଁ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରୁଛି କି ?


କାରିଥିୟ - ଯିୟାରୀମର ସଦାପ୍ରଭୁଙ୍କ ସିନ୍ଦୁକ ୨୦ ବର୍ଷ ରହିଲା । ମନୁଷ୍ୟ ଓ ସଦାପ୍ରଭୁଙ୍କ ମଧ୍ୟରେ ପାପ ବିଚ୍ଛେଦ ଘଟାଇଥାଏ । ଦୀର୍ଘକାଳ ସିନ୍ଦୁକ ଇସ୍ରାଏଲ ସନ୍ତାନଗଣ ନିକଟରେ ରହିପାରି ନ ଥିବାରୁ ସେମାନେ ବିଳାପ କଲେ । ତେଣୁ ଶାମୁୟେଲ ସେମାନଙ୍କୁ କ'ଣ କରିବାକୁ ହେବ ଜଣାଇଥିଲେ । 


ପାପରୁ ପଳାୟନ କରିବା :

ପାଉଲ କହନ୍ତି, ଅତଏବ ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର (୧ କର ୧୦:୧୪) । ଇସ୍ରାଏଲ ସନ୍ତାନଗଣ ବାଲ୍ ଦେବତା ଓ ଅଷ୍ଟାରୋତ୍ ଦେବୀଗଣକୁ ପୂଜା କରିବା ହେତୁ ଈଶ୍ୱରଙ୍କ କ୍ରୋଧର ଶୀକାର ହୋଇଥିଲେ । ତେଣୁ ସେମାନଙ୍କ ନଗରକୁ ପଲେଷ୍ଟୀୟମାନେ ଅଧିକାର କରିଥିଲେ । ଶାମୁୟେଲ କହିଥିଲେ, ଯଦି ସେମାନେ ସେହି ଦେବତା ସବୁ ଦୂର କରି ନିଜର ପାପରୁ ଫେରନ୍ତି ଏବଂ କେବଳ ଈଶ୍ୱରଙ୍କ ଉପାସନା କରନ୍ତି, ତେବେ ଈଶ୍ଵର ପଲେଷ୍ଟୀୟମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କରିବେ । ଉପଯୁକ୍ତ ସମୟରେ ଇସ୍ରାଏଲୀୟମାନେ ପାପବୋଧ ପାଇଲେ । ସଦାପ୍ରଭୁଙ୍କ ବିରୁଦ୍ଧରେ ସେମାନେ ପାପ କରିଛନ୍ତି ବୋଲି ସ୍ଵୀକାର କରି ଉପବାସ ପ୍ରାର୍ଥନା କଲେ । ଶାମୁୟେଲ ମଧ୍ୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ । ଧାର୍ମିକ ଲୋକର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ । ଇସ୍ରାଏଲୀୟମାନଙ୍କ ପରି ପାପ ପଥରୁ ଆମକୁ ମଧ୍ୟ ମନ ଫେରାଇ ସମୟ ଥାଉ ଥାଉ ଆମ ଅନ୍ତକରଣ ପ୍ରସ୍ତୁତ କରିବାକୁ ପଡ଼ିବ । 


ମନପରିବର୍ତ୍ତନର ପୁରସ୍କାର :

ଯେକେହି ଈଶ୍ୱରଙ୍କ ପାଇଁ ନିଜକୁ ନତ କରି ସମସ୍ତ ମନ୍ଦ ବିଷୟକୁ ପରିତ୍ୟାଗ କରେ, ଈଶ୍ଵର ତାକୁ ଯଥା ସମୟରେ ଉନ୍ନତ କରିବେ । ଇସ୍ରାଏଲ ସନ୍ତାନଗଣ ଦେବତା ପୂଜା ପରିତ୍ୟାଗ କଲେ । ସେମାନଙ୍କ ଲାଗି କ୍ରନ୍ଦନଯୁକ୍ତ ପ୍ରାର୍ଥନା କରିବାକୁ ଶାମୁୟେଲଙ୍କୁ ନିବେଦନ କରିଥିଲେ । ଈଶ୍ୱର ତାଙ୍କ ପ୍ରାର୍ଥନା ଶୁଣି ମହାରବରେ ମେଘ ଗର୍ଜନ ପଠାଇ ପଲେଷ୍ଟୀୟମାଙ୍କୁ ପରାସ୍ତ କଲେ । ସଦାପ୍ରଭୁଙ୍କ ଉପକାର ସ୍ମରଣ କରି ଶାମୁୟେଲ ଏବନ୍ - ଏଜର୍ ପ୍ରସ୍ତର ସ୍ଥାପନ କଲେ । ଈଶ୍ଵର ପଲେଷ୍ଟୀୟମାନଙ୍କୁ ଇସ୍ରାଏଲର ବଶୀଭୂତ କରାଇଲେ ଏବଂ ସେମାନେ ଇସ୍ରାଏଲର ସମସ୍ତ ନଗର ଓ ସୀମା ଫେରାଇ ଦେଇ ସେମାନଙ୍କ ସହ ସନ୍ଧି କଲେ । ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ ଓ ସମ୍ମାନ ଓ ଜୀବନ ଅଟେ (ହିତ ୨୨:୪) । ଈଶ୍ୱରଙ୍କ ବାଧ୍ୟ ହେବାରୁ ସେମାନେ ଶାନ୍ତିରେ ରହିଲେ ।

ଈଶ୍ୱରଙ୍କ ଗୌରବ ରକ୍ଷା

ଈଶ୍ୱରଙ୍କ ଗୌରବ ରକ୍ଷା 

ଆଜିର ଚିନ୍ତା

୧ ଶାମୁୟେଲ ୬:୧-୭:୧

ମୋ କାର୍ଯ୍ୟ ଦ୍ଵାରା ମୁଁ ଈଶ୍ୱରଙ୍କୁ ଗୌରବ ଦିଏ କି ? 


ପରମେଶ୍ୱରଙ୍କ ସିନ୍ଦୁକ ତାଙ୍କର ପବିତ୍ର ଉପସ୍ଥିତିକୁ ବୁଝାଏ । ପଲେଷ୍ଟୀୟମାନେ ଏହାକୁ ପାଇବା ଦ୍ଵାରା ପ୍ରଥମେ ଏହା ଏକ ଆଶୀର୍ବାଦ ବୋଲି ଭାବିଥିଲେ । ମାତ୍ର ସମୟକ୍ରମେ ଯେତେବେଳେ ଅର୍ଶରୋଗଜନିତ ମୃତ୍ୟୁ ଘଟିଲା, ତାହାକୁ କିପରି ସ୍ଵସ୍ଥାନ କୁ ପଠାଇବେ ତାହା ଚିନ୍ତା କଲେ । 

ଈଶ୍ୱରଙ୍କ ଗୌରବ :

ପଲେଷ୍ଟୀୟମାନେ ସିନ୍ଦୁକକୁ ଫେରାଇବା ବିଷୟରେ ଯାଜକ ଓ ମନ୍ତ୍ରଜ୍ଞ ମାନଙ୍କର ପରାମର୍ଶ ଲୋଡିଲେ । ସେମାନେ ଜାଣିପାରିଲେ ଯେ ସିନ୍ଦୁକକୁ ରଖିବା ଦ୍ଵାରା ପଲେଷ୍ଟୀୟମାନେ ଈଶ୍ୱରଙ୍କୁ ଅପମାନ ଦେଇଛନ୍ତି ଓ ଦୋଷାବହ କାର୍ଯ୍ୟ କରିଛନ୍ତି । ଇସ୍ରାଏଲର ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ସିନ୍ଦୁକ ସହ ଦୋଷାର୍ଥକ ଉପହାର ପଠାଇବାକୁ ସେମାନେ ପରାମର୍ଶ ଦେଲେ । ଅତୀତରେ ଫାରୋ ଓ ମିସ୍ରୀୟମାନେ ଇସ୍ରାଏଲୀୟମାନଙ୍କୁ ଛାଡ଼ି ନ ଦେବାରୁ ଈଶ୍ଵର କିପରି ମହାମାରୀ ପଠାଇ ସେମାନଙ୍କୁ ସଂହାର କରିଥିଲେ । ତାହା ମଧ୍ୟ ସେମାନେ ସ୍ମରଣ କରାଇ ଦେଲେ । ତେଣୁ ଈଶ୍ୱରଙ୍କ ବିରୁଦ୍ଧରେ ହୃଦୟ କଠିନ କରିବା ଉଚିତ୍ ନୁହେଁ । ଈଶ୍ୱରଙ୍କ ଇଙ୍ଗିତରେ ସେହି ଅମଙ୍ଗଳ ଘଟିଛି ବୋଲି ସେମାନେ ବିଶ୍ଵାସ କରିଥିଲେ । ଈଶ୍ଵର ସ୍ଵଗୌରବ ରକ୍ଷଣରେ ଉଦଯୋଗୀ ପରମେଶ୍ୱର । ଆମେ ମଧ୍ୟ ଅନେକ ସମୟରେ ଈଶ୍ୱରଙ୍କ ବିଚାରକୁ ଅବହେଳା କରିଥାଉ । ଆମ ଜୀବନରେ ଘଟଥିବା ଦୁଃଖ ଓ ଦୁର୍ଦ୍ଦଶାକୁ ଆମର ଭାଗ୍ୟ ବା ଦୁର୍ଭାଗ୍ୟ ବୋଲି କହିଥାଉ।  ଆସନ୍ତୁ, ଆମେ ଈଶ୍ୱରଙ୍କ ଇଚ୍ଛାକୁ ବୁଝି ତାଙ୍କୁ ଗୌରବ ଦେବା ।

ଈଶ୍ୱରଙ୍କ ପବିତ୍ରତା :

ଶଗଡ଼ ବୈଥ - ଶେମଶ୍ ରେ ପହଞ୍ଚି ବାରୁ ଲେବୀୟମାନେ ସେହି ପବିତ୍ର ସିନ୍ଦୁକ ଓ ସ୍ଵର୍ଣ୍ଣ ପଦାର୍ଥକୁ ବଡ଼ ପଥର ଉପରେ ରଖିଲେ । ଗାଭୀ ବଳି ରୂପେ ଉତ୍ସର୍ଗ କରାଯାଏ ନାହିଁ । ମାତ୍ର ସେଦିନ ଗାଭୀମାନଙ୍କୁ ହୋମବଳି ରୂପେ ଉତ୍ସର୍ଗ କରାଯାଇଥିଲା । ପବିତ୍ର ଈଶ୍ଵରଙ୍କ ସମ୍ମୁଖକୁ ଆସିବା ପାଇଁ ଇସ୍ରାଏଲୀୟମାନେ ନିଜକୁ ପୃଥକ ରୂପେ ପବିତ୍ର ରଖୁଥିଲେ।  ବୈଥ - ଶେମଶୀୟ ଲୋକେ ସିନ୍ଦୁକକୁ ଅନାଇବାରୁ ଈଶ୍ବର ସେମାନଙ୍କୁ ବଧ କରିଥିଲେ । ଈଶ୍ଵର ଯେ କେତେ ପବିତ୍ର ଏହା ସେମାନେ ଜାଣିପାରିଲେ ଓ ତାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ଭୟ କଲେ । ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ (ଏବ୍ରୀ ୧୦:୩୧) । 


ଆମ୍ଭେମାନେ ମଧ୍ୟ ଜୀବିତ ଈଶ୍ୱରଙ୍କୁ ଭୟ କରୁ ଓ ନିଜକୁ ପବିତ୍ର ରଖୁ । ଯେଣୁ ଲେଖାଅଛି ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର (୧ ପିତର ୧:୧୬)।