BN

ପାପରୁ ମନଫେରଣ

 ପାପରୁ ମନଫେରଣ

ଆଜିର ଚିନ୍ତା

୧ ଶାମୁୟେଲ ୭:୨-୧୭

ମୁଁ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରୁଛି କି ?


କାରିଥିୟ - ଯିୟାରୀମର ସଦାପ୍ରଭୁଙ୍କ ସିନ୍ଦୁକ ୨୦ ବର୍ଷ ରହିଲା । ମନୁଷ୍ୟ ଓ ସଦାପ୍ରଭୁଙ୍କ ମଧ୍ୟରେ ପାପ ବିଚ୍ଛେଦ ଘଟାଇଥାଏ । ଦୀର୍ଘକାଳ ସିନ୍ଦୁକ ଇସ୍ରାଏଲ ସନ୍ତାନଗଣ ନିକଟରେ ରହିପାରି ନ ଥିବାରୁ ସେମାନେ ବିଳାପ କଲେ । ତେଣୁ ଶାମୁୟେଲ ସେମାନଙ୍କୁ କ'ଣ କରିବାକୁ ହେବ ଜଣାଇଥିଲେ । 


ପାପରୁ ପଳାୟନ କରିବା :

ପାଉଲ କହନ୍ତି, ଅତଏବ ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର (୧ କର ୧୦:୧୪) । ଇସ୍ରାଏଲ ସନ୍ତାନଗଣ ବାଲ୍ ଦେବତା ଓ ଅଷ୍ଟାରୋତ୍ ଦେବୀଗଣକୁ ପୂଜା କରିବା ହେତୁ ଈଶ୍ୱରଙ୍କ କ୍ରୋଧର ଶୀକାର ହୋଇଥିଲେ । ତେଣୁ ସେମାନଙ୍କ ନଗରକୁ ପଲେଷ୍ଟୀୟମାନେ ଅଧିକାର କରିଥିଲେ । ଶାମୁୟେଲ କହିଥିଲେ, ଯଦି ସେମାନେ ସେହି ଦେବତା ସବୁ ଦୂର କରି ନିଜର ପାପରୁ ଫେରନ୍ତି ଏବଂ କେବଳ ଈଶ୍ୱରଙ୍କ ଉପାସନା କରନ୍ତି, ତେବେ ଈଶ୍ଵର ପଲେଷ୍ଟୀୟମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କରିବେ । ଉପଯୁକ୍ତ ସମୟରେ ଇସ୍ରାଏଲୀୟମାନେ ପାପବୋଧ ପାଇଲେ । ସଦାପ୍ରଭୁଙ୍କ ବିରୁଦ୍ଧରେ ସେମାନେ ପାପ କରିଛନ୍ତି ବୋଲି ସ୍ଵୀକାର କରି ଉପବାସ ପ୍ରାର୍ଥନା କଲେ । ଶାମୁୟେଲ ମଧ୍ୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ । ଧାର୍ମିକ ଲୋକର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ । ଇସ୍ରାଏଲୀୟମାନଙ୍କ ପରି ପାପ ପଥରୁ ଆମକୁ ମଧ୍ୟ ମନ ଫେରାଇ ସମୟ ଥାଉ ଥାଉ ଆମ ଅନ୍ତକରଣ ପ୍ରସ୍ତୁତ କରିବାକୁ ପଡ଼ିବ । 


ମନପରିବର୍ତ୍ତନର ପୁରସ୍କାର :

ଯେକେହି ଈଶ୍ୱରଙ୍କ ପାଇଁ ନିଜକୁ ନତ କରି ସମସ୍ତ ମନ୍ଦ ବିଷୟକୁ ପରିତ୍ୟାଗ କରେ, ଈଶ୍ଵର ତାକୁ ଯଥା ସମୟରେ ଉନ୍ନତ କରିବେ । ଇସ୍ରାଏଲ ସନ୍ତାନଗଣ ଦେବତା ପୂଜା ପରିତ୍ୟାଗ କଲେ । ସେମାନଙ୍କ ଲାଗି କ୍ରନ୍ଦନଯୁକ୍ତ ପ୍ରାର୍ଥନା କରିବାକୁ ଶାମୁୟେଲଙ୍କୁ ନିବେଦନ କରିଥିଲେ । ଈଶ୍ୱର ତାଙ୍କ ପ୍ରାର୍ଥନା ଶୁଣି ମହାରବରେ ମେଘ ଗର୍ଜନ ପଠାଇ ପଲେଷ୍ଟୀୟମାଙ୍କୁ ପରାସ୍ତ କଲେ । ସଦାପ୍ରଭୁଙ୍କ ଉପକାର ସ୍ମରଣ କରି ଶାମୁୟେଲ ଏବନ୍ - ଏଜର୍ ପ୍ରସ୍ତର ସ୍ଥାପନ କଲେ । ଈଶ୍ଵର ପଲେଷ୍ଟୀୟମାନଙ୍କୁ ଇସ୍ରାଏଲର ବଶୀଭୂତ କରାଇଲେ ଏବଂ ସେମାନେ ଇସ୍ରାଏଲର ସମସ୍ତ ନଗର ଓ ସୀମା ଫେରାଇ ଦେଇ ସେମାନଙ୍କ ସହ ସନ୍ଧି କଲେ । ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ ଓ ସମ୍ମାନ ଓ ଜୀବନ ଅଟେ (ହିତ ୨୨:୪) । ଈଶ୍ୱରଙ୍କ ବାଧ୍ୟ ହେବାରୁ ସେମାନେ ଶାନ୍ତିରେ ରହିଲେ ।

No comments:

Post a Comment

Kindly give your suggestions or appreciation!!!