BN

ଈଶ୍ୱରଙ୍କ ଗୌରବ ରକ୍ଷା

ଈଶ୍ୱରଙ୍କ ଗୌରବ ରକ୍ଷା 

ଆଜିର ଚିନ୍ତା

୧ ଶାମୁୟେଲ ୬:୧-୭:୧

ମୋ କାର୍ଯ୍ୟ ଦ୍ଵାରା ମୁଁ ଈଶ୍ୱରଙ୍କୁ ଗୌରବ ଦିଏ କି ? 


ପରମେଶ୍ୱରଙ୍କ ସିନ୍ଦୁକ ତାଙ୍କର ପବିତ୍ର ଉପସ୍ଥିତିକୁ ବୁଝାଏ । ପଲେଷ୍ଟୀୟମାନେ ଏହାକୁ ପାଇବା ଦ୍ଵାରା ପ୍ରଥମେ ଏହା ଏକ ଆଶୀର୍ବାଦ ବୋଲି ଭାବିଥିଲେ । ମାତ୍ର ସମୟକ୍ରମେ ଯେତେବେଳେ ଅର୍ଶରୋଗଜନିତ ମୃତ୍ୟୁ ଘଟିଲା, ତାହାକୁ କିପରି ସ୍ଵସ୍ଥାନ କୁ ପଠାଇବେ ତାହା ଚିନ୍ତା କଲେ । 

ଈଶ୍ୱରଙ୍କ ଗୌରବ :

ପଲେଷ୍ଟୀୟମାନେ ସିନ୍ଦୁକକୁ ଫେରାଇବା ବିଷୟରେ ଯାଜକ ଓ ମନ୍ତ୍ରଜ୍ଞ ମାନଙ୍କର ପରାମର୍ଶ ଲୋଡିଲେ । ସେମାନେ ଜାଣିପାରିଲେ ଯେ ସିନ୍ଦୁକକୁ ରଖିବା ଦ୍ଵାରା ପଲେଷ୍ଟୀୟମାନେ ଈଶ୍ୱରଙ୍କୁ ଅପମାନ ଦେଇଛନ୍ତି ଓ ଦୋଷାବହ କାର୍ଯ୍ୟ କରିଛନ୍ତି । ଇସ୍ରାଏଲର ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ସିନ୍ଦୁକ ସହ ଦୋଷାର୍ଥକ ଉପହାର ପଠାଇବାକୁ ସେମାନେ ପରାମର୍ଶ ଦେଲେ । ଅତୀତରେ ଫାରୋ ଓ ମିସ୍ରୀୟମାନେ ଇସ୍ରାଏଲୀୟମାନଙ୍କୁ ଛାଡ଼ି ନ ଦେବାରୁ ଈଶ୍ଵର କିପରି ମହାମାରୀ ପଠାଇ ସେମାନଙ୍କୁ ସଂହାର କରିଥିଲେ । ତାହା ମଧ୍ୟ ସେମାନେ ସ୍ମରଣ କରାଇ ଦେଲେ । ତେଣୁ ଈଶ୍ୱରଙ୍କ ବିରୁଦ୍ଧରେ ହୃଦୟ କଠିନ କରିବା ଉଚିତ୍ ନୁହେଁ । ଈଶ୍ୱରଙ୍କ ଇଙ୍ଗିତରେ ସେହି ଅମଙ୍ଗଳ ଘଟିଛି ବୋଲି ସେମାନେ ବିଶ୍ଵାସ କରିଥିଲେ । ଈଶ୍ଵର ସ୍ଵଗୌରବ ରକ୍ଷଣରେ ଉଦଯୋଗୀ ପରମେଶ୍ୱର । ଆମେ ମଧ୍ୟ ଅନେକ ସମୟରେ ଈଶ୍ୱରଙ୍କ ବିଚାରକୁ ଅବହେଳା କରିଥାଉ । ଆମ ଜୀବନରେ ଘଟଥିବା ଦୁଃଖ ଓ ଦୁର୍ଦ୍ଦଶାକୁ ଆମର ଭାଗ୍ୟ ବା ଦୁର୍ଭାଗ୍ୟ ବୋଲି କହିଥାଉ।  ଆସନ୍ତୁ, ଆମେ ଈଶ୍ୱରଙ୍କ ଇଚ୍ଛାକୁ ବୁଝି ତାଙ୍କୁ ଗୌରବ ଦେବା ।

ଈଶ୍ୱରଙ୍କ ପବିତ୍ରତା :

ଶଗଡ଼ ବୈଥ - ଶେମଶ୍ ରେ ପହଞ୍ଚି ବାରୁ ଲେବୀୟମାନେ ସେହି ପବିତ୍ର ସିନ୍ଦୁକ ଓ ସ୍ଵର୍ଣ୍ଣ ପଦାର୍ଥକୁ ବଡ଼ ପଥର ଉପରେ ରଖିଲେ । ଗାଭୀ ବଳି ରୂପେ ଉତ୍ସର୍ଗ କରାଯାଏ ନାହିଁ । ମାତ୍ର ସେଦିନ ଗାଭୀମାନଙ୍କୁ ହୋମବଳି ରୂପେ ଉତ୍ସର୍ଗ କରାଯାଇଥିଲା । ପବିତ୍ର ଈଶ୍ଵରଙ୍କ ସମ୍ମୁଖକୁ ଆସିବା ପାଇଁ ଇସ୍ରାଏଲୀୟମାନେ ନିଜକୁ ପୃଥକ ରୂପେ ପବିତ୍ର ରଖୁଥିଲେ।  ବୈଥ - ଶେମଶୀୟ ଲୋକେ ସିନ୍ଦୁକକୁ ଅନାଇବାରୁ ଈଶ୍ବର ସେମାନଙ୍କୁ ବଧ କରିଥିଲେ । ଈଶ୍ଵର ଯେ କେତେ ପବିତ୍ର ଏହା ସେମାନେ ଜାଣିପାରିଲେ ଓ ତାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ଭୟ କଲେ । ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ (ଏବ୍ରୀ ୧୦:୩୧) । 


ଆମ୍ଭେମାନେ ମଧ୍ୟ ଜୀବିତ ଈଶ୍ୱରଙ୍କୁ ଭୟ କରୁ ଓ ନିଜକୁ ପବିତ୍ର ରଖୁ । ଯେଣୁ ଲେଖାଅଛି ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର (୧ ପିତର ୧:୧୬)।  

No comments:

Post a Comment

Kindly give your suggestions or appreciation!!!