ବାଧ୍ୟତାର ପୁରସ୍କାର
ଆଜିର ଚିନ୍ତା
୧ ମ ଶାମୁୟେଲ ୯:୧-୧୪
ବାଧ୍ୟତାର ଜୀବନ କାଟିବା ପାଇଁ ମୁଁ ସଚେତନ କି ?
ଶାଉଲ ଜଣେ ମହାବିକ୍ରମଶାଳୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ ଦେଖିବାକୁ ସୁନ୍ଦର ଥିଲେ ଏବଂ ଇସ୍ରାଏଲର ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ଵକୁ ଉଚ୍ଚ ଥିଲେ । କେବଳ ରୂପରେ ନୁହେଁ, ମାତ୍ର ଗୁଣରେ ମଧ୍ୟ ସୁନ୍ଦର ଥିଲେ । ପିତାଙ୍କ କଥାନୁଯାୟୀ ଗଧ ଖୋଜିବାକୁ ଯାଇଥିଲେ । ବାଧ୍ୟତା, ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା ।
କର୍ତ୍ତବ୍ୟରେ ବିଶ୍ଵସ୍ତ :
ଗଧ ଖୋଜିବା କାର୍ଯ୍ୟ ସାମାନ୍ୟ ହୋଇଥିଲେ ମଧ୍ୟ ଶାଉଲ ନିଜ କର୍ତ୍ତବ୍ୟରେ ବିଶ୍ଵସ୍ତ ଥିଲେ । ବିଭିନ୍ନ ସ୍ଥାନରେ ଗଧ ଖୋଜି ଅଧୌର୍ଯ୍ୟ ବା ବିରକ୍ତ ହୋଇ ନ ଥିଲେ କିଅବା କ୍ରୋଧ ପ୍ରକାଶ କରି ନ ଥିଲେ । ବରଂ ତାଙ୍କର ବିଳମ୍ବ ଯୋଗୁ ପିତା ହୁଏତ ବ୍ୟସ୍ତ ହେଉଥିବେ, ଏହା ଭାବି ଗୃହକୁ ଫେରିଯିବାକୁ ଚାହିଁଥିଲେ ।
ସୁପରାମର୍ଶ ଗ୍ରହଣ :
ଶାଉଲ ନିଜ ସଙ୍ଗୀ ଯୁବା ଲୋକର ସୁପରାମର୍ଶ ଗ୍ରହଣ କରି କାଳବିଳମ୍ବ ନ କରି ଏକଶେକଲ ରୂପାର ଚତୁର୍ଥାଶଂ ଦର୍ଶନୀ ରୂପେ ନେଇ ଶାମୁୟେଲଙ୍କୁ ଭେଟିବାକୁ ଯାଇଥିଲେ । ନଗରକୁ ଯିବା ବାଟରେ ଭେଟିଥିବା ଯୁବତୀମାନଙ୍କର କଥାନୁଯାୟୀ ଶାଉଲ ସେସ୍ଥାନକୁ ଯିବା ହେତୁ ସଦାପ୍ରଭୁ ଶାମୁୟେଲଙ୍କ ସହ ତାଙ୍କର ଭେଟ କରାଇ ଦେଇଥିଲେ । ଗଧ ହଜିବା ଓ ଗଧ ଖୋଜିବା ବିଷୟର ଅନ୍ତରାଳରେ ସଦାପ୍ରଭୁଙ୍କ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯଦିଓ ଇସ୍ରାଏଲୀୟମାନେ ରାଜାଭାବେ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରିଥିଲେ, କିନ୍ତୁ ସେ ସେମାନଙ୍କୁ ପରିତ୍ୟାଗ କରି ନ ଥିଲେ । ସେମାନଙ୍କ ପାଇଁ ରାଜାଭାବେ ଶାଉଲଙ୍କୁ ମନୋନୀତ କରିଥିଲେ । ସେଦିନ ଗଧ ଅପେକ୍ଷା ଅଧିକ ମହତ୍ତର ବିଷୟର ସମ୍ବାଦ ତାଙ୍କ ପାଇଁ ରଖାଯାଇଥିଲା ।
ଆମେ ମଧ୍ୟ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲେ, ପ୍ରଭୁ ଆମକୁ ବହୁତ ବିଷୟ ଉପରେ ନିଯୁକ୍ତି ଦେବେ । ଗୃହରେ ଓ କାର୍ଯ୍ୟକ୍ଷେତ୍ରରେ ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି, ବିଶ୍ଵସ୍ତଭାବେ ସେସବୁ ସମ୍ପାଦକ କରିବା ପାଇଁ ଆମେ ଯତ୍ନବାନ ହେଉ । ବାଇବଲରେ ଲେଖାଯାଏ, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ (ଏଫିସୀୟ ୬:୧) । ଆମର ବାଧ୍ୟତାର ଜୀବନ ହୁଏତ ଆମକୁ ଦିନେ ଏକ ଅସାଧାରଣ ବ୍ୟକ୍ତିରେ ପରିଣତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବ ।