BN

ଭିନ୍ନ ପରିଚୟ

 ଭିନ୍ନ ପରିଚୟ

ଆଜିର ଚିନ୍ତା

ଋତ ୪:୨-୨୨

ଆମେ କିପରି ଆମ କାର୍ଯ୍ୟ ଦ୍ଵାରା ଭିନ୍ନ ପରିଚୟ ସୃଷ୍ଟି କରିପାରିବା ? 


ଋତ ପୁସ୍ତକର ପୂର୍ବ ପୃଷ୍ଟଭୂମି ଅନୁଯାୟୀ ଇସ୍ରାଏଲୀୟମାନଙ୍କ ଈଶ୍ୱରଙ୍କ ମନୋନୀତ ଜାତି ଭାବରେ ଗଣନା କରାଯାଉଥିଲା । ମାତ୍ର ବିଦେଶୀୟମାନଙ୍କ ପ୍ରତି ସେମାନେ ଭେଦଭାବ ପରାୟଣ ଥିଲେ । କିନ୍ତୁ ଋତ ନିଜର କାର୍ଯ୍ୟ ଦ୍ଵାରା ସେସବୁକୁ ବଦଳାଇ ଦେଇଥିଲେ । 


ଆନୁଗତ୍ୟର ଫଳ: 

ଋତଙ୍କର ବିବାହ ବୋୟଜଙ୍କ ସହିତ ଅନୁଷ୍ଠିତ ହେଲା । ବୋୟଜ, ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ସମଗ୍ର ନଗର ଦ୍ବାରବର୍ତ୍ତୀ ଲୋକ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗ୍ରହଣ କଲେ । ଈଶ୍ଵର ଋତଙ୍କୁ ଇସ୍ରାଏଲର ବଂଶ ବୃଦ୍ଧିକରିଣୀ କରନ୍ତୁ ବୋଲି ସେମାନେ ଆଶୀର୍ବାଦ କରିଲେ । ଇସ୍ରାଏଲୀୟମାନେ ନିଜକୁ ଶ୍ରେଷ୍ଠ ମଣି ବିଦେଶୀମାନଙ୍କ ପ୍ରତି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ମାତ୍ର ୠତ ଜଣେ ବିଦେଶିନୀ ମହିଳା ହୋଇ ମଧ୍ୟ ତାଙ୍କ ଜୀବନ ଏତେ ସୁନ୍ଦର ଥିଲା ଯେ, ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଯେତେବେଳେ ଆମେ ଗୋଟିଏ ଅଜଣା ସ୍ଥାନରେ, ଅଜଣା ଲୋକମାନଙ୍କ ମଧ୍ୟରେ ରହିବା ଆରମ୍ଭ କରୁ, ସେତେବେଳେ ଆମ୍ଭମାନଙ୍କର କେଉଁପ୍ରକାର ବ୍ୟବହାର ଆମକୁ ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ କରାଇପାରିବ, ତାହା ଚିନ୍ତା କରିବା । ଯଦି ସେପ୍ରକାର ସ୍ଥାନରେ ଆମେ ଆଖ ପାଖରେ ଥିବା ଲୋକମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିପାରି ନାହୁ, ତେବେ ନିଜକୁ ସମୀକ୍ଷା କରିବା ଯେ ଆମର ଭୁଲ କେଉଁଠି ରହିଲା । 


ଇସ୍ରାଏଲ ଇତିହାସରେ ସ୍ଥାନ : 

ୠତ ଇସ୍ରାଏଲର ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଥିଲେ ଯଦ୍ୱାରା ୠତଙ୍କ ନାମ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀରେ ମଧ୍ୟ ଉଲ୍ଲେଖ କରାଯାଏ (ମାଥିଉ ୧:୧୫) । ୠତଙ୍କ ଗର୍ଭରୁ ଜନ୍ମିଥିବା ପୁତ୍ର ଓବେଦ୍, ଦାଉଦଙ୍କ ପିତାମହ, ଯିଶୀଙ୍କ ପିତା ଥିଲେ । ଏହି ସମ୍ପୂର୍ଣ୍ଣ ବିବରଣୀ ୠତଙ୍କର ଉତ୍ତମତା, ସାଧୁତା, ବିଶ୍ଵାସ, ତ୍ୟାଗ ଓ ପ୍ରେମର ପୁରସ୍କାର ସ୍ୱରୁପେ ତାଙ୍କୁ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଏକ ନୂତନ ଏବଂ ସ୍ବତନ୍ତ୍ର ପରିଚୟ ମିଳିଥିଲା । ପରମେଶ୍ବର ତାଙ୍କ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବୈଧବ୍ୟ ଅବସ୍ଥାର ନୂତନ ପରିବାର ଗଠନ କରିବା ନିମନ୍ତେ ଏକ ମୁକ୍ତି କର୍ତ୍ତାଙ୍କର ବଂଶଧର ମାତାମହୀ ହେବାର ଗୌରବ ପ୍ରଦାନ କଲେ । ତେଣୁ ଆମ ଜୀବନର ଉତ୍ତମତା ଆମ ଜୀବନରେ ଆଶୀର୍ବାଦ ଆଣିଦିଏ ପୁଣି ତାହା ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହୋଇଥାଏ । ଆମେ ଯଦି ଆମ ଆହ୍ଵାନରେ ବିଶ୍ଵସ୍ତ, ତେବେ ଆମେ ଈଶ୍ୱରଙ୍କର ବୋଲି ଏହି ଜଗତରେ ପ୍ରତିଷ୍ଠିତ ହେବା ।

ତ୍ୟାଗର ପୁରସ୍କାର

 ତ୍ୟାଗର ପୁରସ୍କାର 

ଆଜିର ଚିନ୍ତା

ୠତ ୨:୧-୨୩

ମୁଁ କଣ ନିଜ କର୍ତ୍ତବ୍ୟ ସାଧନରେ ଏବଂ ସାମାଜିକ ସମ୍ପର୍କ ରକ୍ଷା କରିବାରେ ବିଶ୍ଵସ୍ତ ?


ୠତଙ୍କର ନିଜ ଦେଶ, ପରିବାର ଓ ଜ୍ଞାତି କୁଟୁମ୍ବଙ୍କୁ ତ୍ୟାଗ କରି ନୟମୀଙ୍କ ସହିତ ଜୀବନ ଅତିବାହିତ କରିବାର ନିଷ୍ପତ୍ତି ହୁଏତ ଅଯୁକ୍ତିକର ମାତ୍ର ଉତ୍ତମ ବିଷୟ ନିମନ୍ତେ ତ୍ୟାଗ ଅନେକ ସମୟରେ ଯେ କେତେ ଆଶୀର୍ବାଦ ଆଣେ ତାହା ଆମେ ଆଜିର ପାଠରୁ ଦେଖିପାରୁଛୁ । 


ନୟମୀ ନିକଟରେ ଅନୁଗ୍ରହ ପାତ୍ରୀ:

 ପରମେଶ୍ୱର ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବେଥଲିମର ଶସ୍ୟକ୍ଷେତ୍ରକୁ ବାଛିଲେ । ମୋୟାବ ଦେଶରୁ ଯିହୁଦା ଦେଶକୁ ଫେରିବା ପରେ ୠତ ଉପାର୍ଜନ କରିବାର ଆବଶ୍ୟକତା ଅନୁଭବ କରି  ଶସ୍ୟକ୍ଷେତ୍ରରେ ଯାଇ କର୍ମ କରିବା ପାଇଁ ନିଜ ଶାଶୁଙ୍କର ଅନୁମତି ନେଉଛନ୍ତି । କାରଣ ସେ ଜାଣିଥିଲେ ଯେ ସେହି ପରିବାର ମଧ୍ୟରେ କାର୍ଯ୍ୟ କରିବା ନିମନ୍ତେ କେହି ପୁରୁଷ ନାହାନ୍ତି ଆଉ ନୟମୀ ମଧ୍ୟ ବୃଦ୍ଧା, ତେଣୁ ପରିବାରର ସବୁ ଦୟିତ୍ୱକୁ ତୁଲାଇବା ପାଇଁ ସେ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରି, ପରିବାରର ପ୍ରତିପୋଷଣ ନିମନ୍ତେ କାର୍ଯ୍ୟ କରିବାକୁ ବାହାରୁଛନ୍ତି । ବାକ୍ୟରେ ଲେଖାଯାଏ ଯେ ଗୁଣବତୀ ସ୍ତ୍ରୀ ପରିବାରକୁ ଆହାର ଯୋଗାଏ (ହିତ ୩୧:୧୫) । ଯଦିଓ ସେହି କାର୍ଯ୍ୟରେ ଋତଙ୍କ ପ୍ରତି ଅପମାନ ଓ ବିପଦ ଥିଲା ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ ଓ ତାହାଙ୍କ ଯୋଜନା କାର୍ଯ୍ୟକାରୀ କରୁଥିଲେ । ୠତଙ୍କର ଏହି ତ୍ୟାଗପୂର୍ଣ୍ଣ ଜୀବନ ଓ ନୟମୀଙ୍କ ପ୍ରତି ଗଭୀର ପ୍ରେମ ହେତୁ ୠତ ନୟମୀଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ ।

 

ବୋୟଜଙ୍କ ନିକଟରେ ଅନୁଗ୍ରହ ପାତ୍ରୀ:

ବୋୟଜ ନାମକ ଜଣେ ନିକଟ କୁଟୁମ୍ବ କ୍ଷେତ୍ରରେ ଶସ୍ୟଛେଦକ ମାନଙ୍କ ସହିତ ଅବିରତ କାର୍ଯ୍ୟରତ ରହିବା ଦ୍ଵାରା ସେ ଯେ ଜଣେ ପରିଶ୍ରମୀ ସ୍ତ୍ରୀ ଥିଲେ ତାହା ଜଣାପଡେ ।  ଅଳ୍ପ ଦିନ ମଧ୍ୟରେ ତାଙ୍କ ସୁଗୁଣ ଅନ୍ୟମାନେ ଜାଣିପାରିଲେ । ଋତଙ୍କର ପରିଶ୍ରମ ତଥା ଉପାର୍ଜନ କରିବାର ସ୍ଵଭାବ ପୁଣି ବିଶ୍ଵସ୍ତତାର କାର୍ଯ୍ୟ ଯୋଗୁଁ ସେ ବୋୟଜଙ୍କର ଦୃଷ୍ଟିଗୋଚର ହୋଇଥିଲେ ପୁଣି ଅନୁଗ୍ରହ ପାତ୍ର ହୋଇଥିଲେ । ମିଳିଥିବା ଭଜାଶସ୍ୟ ନିଜେ ସବୁ ଭୋଜନ ନ କରି ଶାଶୁଙ୍କ ନିମନ୍ତେ ସଞ୍ଚୟ କରିବା ଦ୍ୱାରା ଶାଶୁଙ୍କ ପ୍ରତି ତାଙ୍କ ପ୍ରେମ ପ୍ରମାଣିତ ହୁଏ । ଅନ୍ୟଦେଶୀୟା କନ୍ୟା ହୋଇ ମଧ୍ୟ ଯିହୁଦା ପ୍ରଦେଶର ଲୋକମାନଙ୍କ ସହିତ ତାଙ୍କର ବ୍ୟବହାର ଓ ଶାଶୁଙ୍କ ପ୍ରତି ଭକ୍ତି ତାଙ୍କୁ ଅନେକ ଆଶୀର୍ବାଦର ଅଧିକାରୀ କରାଇଥିଲା । ଆମେ କ'ଣ ଆଜି ଋତଙ୍କ ଭଳି ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ଏବଂ କର୍ମମୟ ଜୀବନ କାଟିବାରେ ସଫଳ ହୋଇପାରିଛୁ ? ସେ ଭଳି ଜୀବନ ଆମକୁ ଉଭୟ ମନୁଷ୍ୟ ଏବଂ ଈଶ୍ୱରଙ୍କ ଅନୁଗ୍ରହପାତ୍ର ହେବାରେ ସାହାଯ୍ୟ କରିବ । 

ନିଃସ୍ୱାର୍ଥପର

 ନିଃସ୍ୱାର୍ଥପର  

ଆଜିର ଚିନ୍ତା

ଋତ ୧:୧-୨୨

ସ୍ୱାର୍ଥ କ'ଣ ସମ୍ପର୍କଠାରୁ ବଡ଼ ? 


ନୟମୀ ତାଙ୍କ ସ୍ଵାମୀ ଏବଂ ଦୁଇ ପୁଅ ଦୁର୍ଭିକ୍ଷ ହେତୁ ନିଜ ଦେଶ ଛାଡ଼ି ମୋୟବ ଦେଶକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କ ସ୍ଵାମୀଙ୍କର ମୃତ୍ୟୁପରେ ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ ଏବଂ କାଳକ୍ରମେ ସେମାନଙ୍କର ମଧ୍ୟ ମୁତ୍ୟୁ ହୁଏ, ଆଉ ରହିଯାନ୍ତି କେବଳ ତିନି ଜଣ ମହିଳା । କିନ୍ତୁ ଏଠାରେ ଶାଶୁ ଓ ବୋହୂ ମଧ୍ୟରେ ଥିବା ମଧୁର ସମ୍ପର୍କ ଉଲ୍ଲେଖନୀୟ ।


ପ୍ରେମର ସମ୍ପର୍କ: 

ଶାଶୁ ନୟମୀ ଯିହୁଦାକୁ ଫେରିଯିବା ବାଟରେ ପୁତ୍ରବଧୂମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଅନୁରୋଧ କରିଲେ, କାରଣ ସେମାନଙ୍କର ବୟସ ଖୁବ୍ କମ୍ ଏବଂ ସେମାନେ ନିଜ ଦେଶରେ  ପୁନର୍ବାର ବିବାହ କରି ନିଜର ନୂତନ ପରିବାର ଆରମ୍ଭ କରିପାରିବେ । ନୟମୀ  ଚାହିଁଥିଲେ ନିଜର ବୃଦ୍ଧାବସ୍ଥାରେ ସେବା ଆଉ ଯତ୍ନ ପାଇବା ପାଇଁ ସେମାନଙ୍କୁ ନିଜ ପାଖରେ ରହିବା ପାଇଁ ଅନୁରୋଧ କରିପାରିଥାନ୍ତେ, କିନ୍ତୁ ନିଜର ସୁଖ ଆଉ ସ୍ୱାର୍ଥଠୁ ଅଧିକ ସେ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଲେ । ଏହା ନୟମୀଙ୍କର ନିଜର ପୁତ୍ରବଧୂମାନଙ୍କ ପ୍ରତି ଗଭୀର ପ୍ରେମକୁ ଦର୍ଶାଏ । ନୟମୀ ଶବ୍ଦର ଅର୍ଥ 'ମଧୁର' । ସେ ନିଜ ପୁତ୍ରବଧୂମାନଙ୍କ ସହିତ ପ୍ରେମର ମଧୁର ସମ୍ପର୍କ ସ୍ଥାପନ କରିପାରିଥିଲେ । ତାହା ଆଜି ଆମ ପରିବାର ନିମନ୍ତେ ଆଦର୍ଶ ଅଟେ ।


କର୍ତ୍ତବ୍ୟର ସମ୍ପର୍କ:

 ଶାଶୁଙ୍କର କଥାକୁ ଗ୍ରହଣ କରି ଅର୍ପା ଶାଶୁଙ୍କୁ ଶେଷଥର ପାଇଁ ଚୁମ୍ବନ ଦେଇ ବିଦାୟ ନେଲେ କିନ୍ତୁ ଲେଖାଯାଏ ଯେ "ଋତ ନୟମୀଙ୍କୁ ଧରି ରହିଲେ" (୧୪ ପଦ) । ଋତ ନିଜ ଶାଶୁଙ୍କ ସହିତ ମୃତ୍ୟୁ ପର୍ଯ୍ୟନ୍ତ ରହିବେ ଆଉ ତାଙ୍କୁ କେବେ ତ୍ୟାଗ କରିବେ ନାହିଁ, ତାହା ପ୍ରତିଜ୍ଞା କରିଥିଲେ । ଏହାଦ୍ଵାରା ଋତ ନିଜ ପରିବାର, ନିଜ ଦେଶ, ନିଜ ଜାତି ତଥା ଧର୍ମ (ଦେବତା ୧୫ ପଦ)କୁ ପରିତ୍ୟାଗ କରିଥିଲେ, ପୁଣି ନିଜ ଶାଶୁଙ୍କ ଲୋକମାନଙ୍କୁ ଓ ପରମେଶ୍ୱରଙ୍କୁ ନିଜର କରିପାରିଥିଲେ । ନୟମୀ ଆଉ ଋତଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଆମ୍ଭମାନଙ୍କୁ ପ୍ରେରଣା ଦିଏ, ଆମେ କିପରି ନିଜ ପରିବାରକୁ ପ୍ରେମ, ନିଃସ୍ୱାର୍ଥପରତା, ଆନୁଗତ୍ୟ ଓ ସମାଦର ଇତ୍ୟାଦି ଗୁଣଦ୍ୱାରା ବନ୍ଧିକି ରଖିପାରିବା । ଆଜି ଏହିସବୁ ଗୁଣଗୁଡ଼ିକର ଅଭାବ ହୁଏତ ଅନେକ ପରିବାର ମଧ୍ୟରେ ଭଗ୍ନାବସ୍ଥା ଆଣିଦେଇଛି, କିନ୍ତୁ ନୟମୀ ଓ ଋତଙ୍କର ମଧ୍ୟରେ ପରସ୍ପର ପ୍ରତି ଥିବା ପ୍ରଗାଢ଼ ପ୍ରେମ ଏବଂ ସମ୍ମାନ ସେମାନଙ୍କୁ ଈଶ୍ୱରଙ୍କର  ଅନୁଗ୍ରହ ଓ ଆର୍ଶୀବାଦର ଅଂଶୀ କରାଇଥିଲା ।

ମଣ୍ଡଳୀର କାର୍ଯ୍ୟପନ୍ଥା

 ମଣ୍ଡଳୀର କାର୍ଯ୍ୟପନ୍ଥା

ଆଜିର ଚିନ୍ତା

ପ୍ରେରିତ ୧୫:୧୨-୩୫


ମଣ୍ଡଳୀର ପ୍ରଚାର ଓ ପ୍ରସାର ପାଇଁ ମୁଁ କଣ ଉଦଯୋଗୀ ଅଟେ ? 


ଯିହୁଦୀମାନେ ପ୍ରଥମରେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରିଥିଲେ।  ସମୟକ୍ରମେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଦ୍ଵାରା ଅନେକ ଅଣଯିହୁଦୀମାନେ ମଧ୍ୟ ଖ୍ରୀଷ୍ଟଙ୍କୁ ବିଶ୍ଵାସ କଲେ । ମାତ୍ର ଯିହୁଦୀ ମତାବଲମ୍ବିମାନେ ସହଜରେ ସେମାନଙ୍କୁ ଗ୍ରହଣ କରିପାରୁ ନ ଥିଲେ । ତେଣୁ ସେମାନେ ଅଣଯିହୁଦୀମାନଙ୍କୁ ଅନେକ ସର୍ତ୍ତ ଓ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ । ଯାହାର ଫଳସ୍ୱରୁପ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପିତ ହେବାରେ ବାଧା ଉପୁଜୁ ଥିଲା । ତେଣୁ ଏହି ସମସ୍ୟାର ପାଇଁ ଯିରୁଶାଲମ ଏକ ଅଧିବେଶନ ହୋଇଥିଲା । 


ସଠିକ୍ ପଦକ୍ଷେପ : 

ପାଉଲ ଓ ବର୍ଣ୍ଣବବା ପ୍ରକାଶ କଲେ ଯେ, ସ୍ଵୟଂ ଈଶ୍ଵର ଅଣଯିହୁଦୀମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କାର୍ଯ୍ୟ ସାଧନ କରିଛନ୍ତି । ତେଣୁ ଅନେକ ଅଣଯିହୁଦୀ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଛନ୍ତି । ପାଉଲ ଓ ବର୍ଣ୍ଣବବା କେବଳ ମାଧ୍ୟମ ଅଟନ୍ତି । ପିତର ଓ ଯାକୁବ ମଧ୍ୟ ଏହି କଥାକୁ ସମର୍ଥନ କଲେ । ଅଣଯିହୁଦୀମାନେ ଯେପରି ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ, ତାହା ସ୍ଵୟଂ ଈଶ୍ଵର ଚାହାଁନ୍ତି ଓ ସେମାନଙ୍କୁ ମନୋନୀତ ମଧ୍ୟ କରିଅଛନ୍ତି । 


ମନୋନୀତ ଲୋକଙ୍କୁ ପ୍ରେରଣ :

ଯେଉଁମାନେ ଈଶ୍ୱରଙ୍କ ବାକ୍ୟରେ ନିପୁଣ ଓ ଯେଉଁମାନଙ୍କର ଈଶ୍ୱରଙ୍କୁ ବାକ୍ୟ ଓ ବ୍ୟବସ୍ଥା ବିଷୟରେ ସୂକ୍ଷ୍ମ ଜ୍ଞାନ ଅଛି ଏପରି ଯିହୁଦା ଓ ଶୀଲାକୁ ମନୋନୀତ କରି ମଣ୍ଡଳୀ ଲୋକମାନଙ୍କ ମଧ୍ୟକୁ ପଠାଇଲେ । ଯେପରି ସେମାନେ ଈଶ୍ୱରଙ୍କ ବାକ୍ୟର ନିଗୁଡ଼ତତ୍ତ୍ଵ ବିଷୟରେ ଲୋକଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଇବେ । ଶୀଲା ନିଜେ ଜଣେ ଭାବବାଦୀ ହୋଇଥିବାରୁ ଅନେକ କଥା ଦ୍ଵାରା ଭାଇମାନଙ୍କୁ ଉତ୍ସାହ ଦେଇ ସୁସ୍ଥିର କଲେ । 


ଆମ  ମଣ୍ଡଳୀ ଆଜି ଏପରି ମନୋନୀତ ଲୋକମାନଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରେରଣ କରିବା ଆବଶ୍ୟକ । ଆମେ ମଧ୍ୟ ନିଜକୁ ବାକ୍ୟରେ ଏପରି ସୁୁଶିକ୍ଷିତ କରି ଅନ୍ୟ ନିକଟରେ ଈଶ୍ଵରଙ୍କର ସାକ୍ଷୀ ହୋଇପାରିବା ।

ଆଦର୍ଶ ମିଶନାରୀ

ଆଦର୍ଶ ମିଶନାରୀ

ଆଜିର ଚିନ୍ତା

ପ୍ରେରିତ ୧୪:୨୧-୨୮

ମିଶନାରୀ ହେବାର ଯୋଗ୍ୟତା ମୋର ଅଛି କି ? 


ପାଉଲ ଓ ବର୍ଣ୍ଣବବା ଯେଉଁ କାର୍ଯ୍ୟ ନିମନ୍ତେ ପବିତ୍ର ଆତ୍ମା ଆହ୍ଵାନ କରିଥିଲେ, ତାହା କରିବା ପାଇଁ ମଣ୍ଡଳୀ ସେମାନଙ୍କୁ ହସ୍ତାର୍ପଣ କରି ପ୍ରେରଣ କରିଥିଲେ (ପ୍ରେରିତ ୧୩:୨-୩) । ଯାହାର ଫଳସ୍ୱରୂପ ପାଉଲ ଓ ବର୍ଣ୍ଣବବା ୩ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରଥମ ମିଶନାରୀ ଯାତ୍ରା କରିଥିଲେ । 

I

ଅନେକଙ୍କୁ ଶିଷ୍ୟ କର :

ପ୍ରଭୁ ଯୀଶୁଙ୍କର ଶେଷ ଆଦେଶ ତୁମ୍ଭେ ସମଗ୍ର ମାନବ ଜାତି ନିକଟକୁ ଯାଅ ଓ ସେମାନଙ୍କୁ ମୋ ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର । ପାଉଲ ଓ ବର୍ଣ୍ଣବବା ସେମାନଙ୍କର ପ୍ରଥମ ମିଶନାରୀ ଯାତ୍ରା ସମୟରେ ଏହି ପ୍ରଧାନ ଆଜ୍ଞା ଉପରେ ଗୁରୁତ୍ବ ଦେଇ ତାହା ପାଳନ କରିଥିଲେ । 


ଆଗାମୀ ତାଡନା ନିମନ୍ତେ ପ୍ରସ୍ତୁତି :

କେବଳ ଯେ ଶିଷ୍ୟ କରି ସେମାନଙ୍କୁ ଛାଡ଼ି ଦେବା ତାହା ନୁହେଁ, ମାତ୍ର ଆଗାମୀ କ୍ଳେଶ ଓ ପରୀକ୍ଷା ନିମନ୍ତେ ସେମାନଙ୍କର ବିଶ୍ଵାସକୁ ଦୃଢ଼ କରି ସଦା ପ୍ରସ୍ତୁତ ରହିବା ନିମନ୍ତେ ସେମାନଙ୍କୁ ଶିକ୍ଷିତ କରିବା । ଏହା ମଧ୍ୟ ଏକ ମିଶନାରୀର ଗୁରୁଦାୟିତ୍ବ ଅଟେ ଯାହା ପାଉଲ କରିଥିଲେ । ତେଣୁ ୨ ତୀମଥି ୩:୧୨ରେ ପାଉଲ ଲେଖିଲେ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଧର୍ମଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡନା ଭୋଗ କରିବେ । 


ପ୍ରାଚୀନମାନଙ୍କୁ ନିଯୁକ୍ତି :

ମିଶନାରୀମାନଙ୍କ ଅନୁପସ୍ଥିତିରେ ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଦାନ କରି ବିଶ୍ଵାସରେ ଦୃଢ଼ କରାଇବା ନିମନ୍ତେ ପାଉଲ ଉପବାସ ପ୍ରାର୍ଥନା କରି ପ୍ରାଚୀନମାନଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କଲେ (୨୩ପଦ) ।


ଉତ୍ସାହ ପ୍ରଦାନକାରୀ :

ପାଉଲ ଓ ବର୍ଣ୍ଣବବା ସେମାନଙ୍କ ଦ୍ଵାରା ସ୍ଥାପିତ ମଣ୍ଡଳୀରେ ଉପସ୍ଥିତ ହୋଇ ମଣ୍ଡଳୀକୁ ଏକତ୍ର କରି ସେମାନଙ୍କୁ ନିଜର ସାକ୍ଷ୍ୟ ଓ ବାକ୍ୟ ଦ୍ଵାରା ଈଶ୍ୱରଙ୍କୁ ଗୌରବାନ୍ଵିତ କରିବା ସଙ୍ଗେ ସଙ୍ଗେ ମଣ୍ଡଳୀର ସମସ୍ତଙ୍କୁ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କାର୍ଯ୍ୟ କରିବା ପାଇଁ ଉତ୍ସାହ ପ୍ରଦାନ କଲେ । 


ଆଜି ଈଶ୍ୱରଙ୍କ ରାଜ୍ୟ ବିସ୍ତାର ନିମନ୍ତେ ଈଶ୍ୱରଙ୍କୁ ସାହାଯ୍ୟ ମାଗି ଅନେକଙ୍କୁ ତାଙ୍କ ରାଜ୍ୟର ଅଂଶୀ କରାଇବା ଆମର ଦାୟିତ୍ଵ ଓ ଲକ୍ଷ୍ୟ ହେବା ଉଚିତ୍ ।