BN

ଈଶ୍ୱରଙ୍କ ଦର୍ଶନ

 ଈଶ୍ୱରଙ୍କ ଦର୍ଶନ 

ଆଜିର ଚିନ୍ତା

ପ୍ରେରିତ ୧୦:୧-୨୩

ସେବା କାର୍ଯ୍ୟରେ ମୁଁ ପାତର ଅନ୍ତର କରୁଛି କି ? 


ବାଇବଲର ଅନେକ ଘଟଣା ଦର୍ଶନ ଅଥବା ସ୍ଵପ୍ନାଦେଶ ସହିତ ଜଡ଼ିତ । ଉଦାହରଣ ସ୍ଵରୂପେ- ଯୀଶୁଙ୍କ ପିତା ଯୋଷେଫ ମରିୟମଙ୍କ ସଙ୍ଗେ ବିବାହ, ମିସର ପଳାୟନ, ଯାକୁବଙ୍କ ସପ୍ନ, ଫାରୋଙ୍କ ସପ୍ନ ଇତ୍ୟାଦି । ଏହିପରି ଦୁଇଟି ଘଟଣା ଆଜିର ଶାସ୍ତ୍ରାଂଶରେ ବର୍ଣ୍ଣିତ । 


ପରିତ୍ରାଣ ପ୍ରାପ୍ତି ନିମନ୍ତେ ଦର୍ଶନ (୩-୬ ପଦ) :

ମନୁଷ୍ୟର ଆଚରଣ ଓ କାର୍ଯ୍ୟ ସିଦ୍ଧ ଥିଲେ ହେଁ, ସୁସମାଚାର ବା ଯୀଶୁଙ୍କ ପ୍ରଦତ୍ତ ପରିତ୍ରାଣ ଅପରିହାର୍ଯ୍ୟ ଅଟେ । ଶତସେନାପତି ଜଣକ କର୍ତ୍ତବ୍ୟ ପାଳନ ଓ ଧର୍ମକର୍ମରେ ସିଦ୍ଧ ଥିଲେ ଏବଂ ସେସବୁ ଈଶ୍ୱରଙ୍କ ଦ୍ଵାରା ଗ୍ରହଣୀୟ ଥିଲା (୪ପଦ) । ଅର୍ଥାତ୍ ତାହାଙ୍କ କାର୍ଯ୍ୟରେ କୌଣସି କପଟତା ଅଥବା ଅଭିନୟର ଚିହ୍ନ ନ ଥିଲା । ତଥାପି ତାହାଙ୍କୁ ସୁସମାଚାର ଗ୍ରହଣ କରି ଯୀଶୁଙ୍କ ଠାରେ ବିଶ୍ଵାସ ସ୍ଥାପନ କରିବା ନିତାନ୍ତ ଆବଶ୍ୟକ ଥିଲା । ଏଣୁ ମନୁଷ୍ୟ ପରିତ୍ରାଣ ନିମନ୍ତେ ଯୀଶୁଙ୍କ ସୁସମାଚାରକୁ ଶ୍ରବଣ, ବିଶ୍ଵାସ ଓ ଗ୍ରହଣ କରିବା ଜରୁରୀ ଅଟେ । ପରିତ୍ରାଣ ସାଧନ ନିମନ୍ତେ ଯୀଶୁଙ୍କ ନାମ ଛଡ଼ା ଅନ୍ୟ ନାମ ଦିଆଯାଇ ନାହିଁ (ପ୍ରେରିତ ୪:୧୨) । 


ପରିତ୍ରାଣର ସମ୍ବାଦ ପରିବେଷଣ ନିମନ୍ତେ ଦର୍ଶନ (୧୦-୧୬ପଦ) :

ଦ୍ଵିତୀୟ ଦର୍ଶନଟି ପ୍ରେରିତ ପିତର ଦେଖିଲେ । ସୁସମାଚାରରେ ବର୍ଣ୍ଣଵୈଷ୍ୟମତା ନାହିଁ । ସୁସମାଚାର ପ୍ରଚାର ପାଇଁ ଯେଉଁ ଅଭ୍ୟାନ୍ତରୀଣ ବାଧା ଥିଲା, ତାହାକୁ ଏହି ଦର୍ଶନ ଦୂରେଇ ଦେଇଥିଲା । ପିତରଙ୍କୁ ସ୍ବତନ୍ତ୍ର ଓ ସ୍ପଷ୍ଟ, ଏକ ବାର୍ତ୍ତା ଦେବା ପାଇଁ ସ୍ୱର୍ଗ ଦୂତ ଏକ ଅଦ୍ଭୁତ ଦର୍ଶନ ଦେଖାଇଥିଲେ । ଦର୍ଶନ ମଧ୍ୟରେ ପିତରଙ୍କ ନାସ୍ତିବାଣୀ ଯେତେ ଥିଲା ତା' ଠାରୁ ଅଧିକ ଦୃଢ଼ ଥିଲା ଏହା ସହିତ ଜଡ଼ିତ ବାର୍ତ୍ତା । ଅର୍ଥାତ୍ ସୁସମାଚାରର ସମସ୍ତ ଗୋଷ୍ଠୀ, ବର୍ଣ୍ଣ ଓ ଜାତିର ଲୋକଙ୍କୁ ନିକଟରେ ପ୍ରଚାର କରିବା ଆବଶ୍ୟକ ଥିଲା । କୌଣସି ନିର୍ଦ୍ଦିଷ୍ଟ ପୂର୍ବ ନିର୍ଦ୍ଧାରିତ ଗୋଷ୍ଠୀକୁ କେବଳ ନୁହେଁ । (ପ୍ରେରିତ ୧:୮, ମାଥିଉ ୧୮:୧୯) ।


ପ୍ରଥମ ଶତାବ୍ଦୀରେ ମଣ୍ଡଳୀର ବୃଦ୍ଧି ଏବଂ ସୁସମାଚାର ପ୍ରସାରଣ ଦିଗରେ ଏହି ଘଟଣା ଏକ ଭିନ୍ନ ମୋଡ଼ ଆଣି ଦେଇଥିଲା । ଯଦ୍ୱାରା ପିତର ଈଶ୍ୱରଙ୍କ ଠାରୁ ସ୍ପଷ୍ଟ ନିର୍ଦ୍ଦେଶ ପାଇଥିଲେ । କୌଣସି ବ୍ୟକ୍ତି ଯଦି ଆତ୍ମାରେ ତୃଷିତ ଓ କ୍ଷୁଧିତ ତାହାକୁ ଯୀଶୁଙ୍କ ସୁସମାଚାର ରୂପକ ଜୀବନ୍ତ ରୋଟିରୁ ବଞ୍ଚିତ କରା ନ ଯାଉ । 

ସେବାକାର୍ଯ୍ୟରେ ସହଭାଗୀ

 ସେବାକାର୍ଯ୍ୟରେ ସହଭାଗୀ

ଆଜିର ଚିନ୍ତା 

ପ୍ରେରିତ ୯:୩୨-୪୩

ମୋର ସେବାକାର୍ଯ୍ଯ ଦ୍ଵାରା ଲୋକମାନେ ପ୍ରଭୁଙ୍କଠାରେ ବିଶ୍ଵାସ କରିଛନ୍ତି କି ? 


ଶମଗରଙ୍କ ଗୋ କଣ୍ଟକ - ପାଞ୍ଚଣ, ଦାଉଦଙ୍କ ଛାଟେଣି, ସାମଶୋନଙ୍କ ଗଧ ଥୋମଣି, ହାରୋଣଙ୍କ ଯଷ୍ଟି, ମରିୟମଙ୍କ ଜଟାମାଂସୀ ତୈଳ, ଦର୍କାଙ୍କ ଛୁଞ୍ଚି ଇତ୍ୟାଦି କ୍ଷୁୁଦ୍ର ହେଲେ ହେଁ ଈଶ୍ୱରଙ୍କ ଦୃଷ୍ଟିରେ ମହାନ୍ ଅଟେ । ଅଧିକନ୍ତୁ ପିମ୍ପୁଡ଼ି, ଶାଫନ, ପଙ୍ଗପାଳ ଓ ବୁଢ଼ୀଆଣି କ୍ଷୁୁଦ୍ର ପ୍ରାଣୀ ହେଲେ ହେଁ ଜ୍ଞାନୀ ଶଲୋମନ ସେମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଭୁଙ୍କ ଦୃଷ୍ଟିରେ କେହି ନଗଣ୍ୟ ନୁହନ୍ତି । 


ସେବାକାର୍ଯ୍ୟର ସହଭାଗୀ ଦର୍କା:


ପଠିତାଂଶର ମୁଖ୍ୟ ଆକଷର୍ଣ ଦର୍କା । ଗ୍ରୀକ ଭାଷାରେ 'ଦର୍କା' ଏବଂ ସିରିଆ ଭାଷାରେ 'ଟାବିଥା'। ଉଭୟ ଶବ୍ଦର ଅର୍ଥ ହରିଣୀ । ସେହି ସମୟରେ ପ୍ରାଚ୍ୟ ଭାଗର ଲୋକେ ଝିଅମାନଙ୍କୁ ଗେହ୍ଲାରେ ସୁନ୍ଦର ବନ୍ୟ ପ୍ରାଣୀମାନଙ୍କ ନାମ ଦେଇ ସ୍ନେହ ପ୍ରଦର୍ଶନ କରୁଥିଲେ । ଦର୍କା ନାନା ସତ୍କର୍ମ ଓ ନାନା ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲେ (୩୬ପଦ) । ତାଙ୍କଠାରେ ଥିଲା ସତ୍କର୍ମଦାନ କରିବା ଗୁଣ । ଆମେ ମଧ୍ୟ ସତ୍ କାର୍ଯ୍ୟ କରୁ ବୋଲି ଈଶ୍ଵର ଇଚ୍ଛା କରନ୍ତି ( ଏଫି ୨:୧୦) । ଏଣୁ ଆମେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ (ଗାଲା ୬:୯) । ଦର୍କା ନିଃସହାୟ ଓ ବିଧବାମାନଙ୍କ ପ୍ରତି ଦୟାରେ ବିଗଳିତ ହେଉ ଥିଲା । ତଦ୍ୱାରା ସେ ଈଶ୍ଵର ଓ ମନୁଷ୍ୟ ପ୍ରତି ପ୍ରେମ ପ୍ରକାଶ କରୁଥିଲେ । ଅଧିକନ୍ତୁ, ସେ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ । ଅନେକେ ଦାନ ପାଇବା ପାଇଁ ଆଗ୍ରହୀ ହୁଅନ୍ତି, କିନ୍ତୁ ଦାନ ଦେବାରେ କୁଣ୍ଠିତ ହୁଅନ୍ତି । ଦାନ ଦେବାରେ ଯେଉଁ ଆନନ୍ଦ ଥାଏ, ତାହା ଅନେକେ ଜାଣନ୍ତି ନାହିଁ । ଏହା ଏକାନ୍ତ ସତ୍ୟ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର' (ପ୍ରେରିତ ୨୦:୩୫) ।


ମୃତ୍ୟୁଞ୍ଜୟୀ ଦର୍କା:


ଦର୍କାଙ୍କ ମୃତ୍ୟୁରେ ବିଧବାମାନେ ବିଳାପ କରିଥିଲେ । ସେ ସେମାନଙ୍କ ସାଙ୍ଗରେ ଥିବା ବେଳେ ଯେଉଁସବୁ ଅଙ୍ଗରେଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେସବୁ ପିତରଙ୍କୁୁ ଦେଖାଇ ସେମାନେ ଆକୁଳ ଚିତ୍ତରେ କ୍ରନ୍ଦନ କରିଥିଲେ (୩୯ପଦ) । ପିତର ଆଣ୍ଠୁମାଡ଼ି ପ୍ରାର୍ଥନା କରିଥିଲେ ପୁଣି କହିଥିଲେ, ଟାବିଥା ଅର୍ଥାତ ଉଠ (୪୦ପଦ) । ସେହି କ୍ଷଣି ଦର୍କା ମୃତ୍ୟୁକୁ ଜୟ କରି ଜୀବିତ ହୋଇଥିଲେ । ସେଦିନ ପିତରଙ୍କ ଦ୍ଵାରା ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ । (୪୨ପଦ) ଆଜି ଆମ ଦ୍ଵାରା କେତେଜଣ ପ୍ରଭୁଙ୍କୁ ବିଶ୍ଵାସ କରିଛନ୍ତି ? ସୁସମାଚାର କାର୍ଯ୍ୟ କେବଳ ପାଳକ, ପ୍ରଚାରକଙ୍କ କାର୍ଯ୍ୟ ନୁହେଁ, ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ଵାସୀର ଦାୟିତ୍ବ, ଏହା ଆମେ ଭୁଲି ନ ଯାଉ । 

ଜଣେ ତାଡନାକାରୀର ପରିବର୍ତ୍ତନ

 ଜଣେ ତାଡନାକାରୀର ପରିବର୍ତ୍ତନ 

ଆଜିର ଚିନ୍ତା

ପ୍ରେରିତ ୯:୧-୧୯

ପ୍ରଭୁଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ


ଦମ୍ମେସକ ପଶ୍ଚିମ ଏସିଆର ଏକ ଅତି ପୁରାତନ ଜନବହୁଳ ନଗର ଥିଲା, ଶାଉଲଙ୍କ ସମୟରେ ଏହା ପାଲେଷ୍ଟାଇନ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳ ମଧ୍ୟରେ ଏକ ପ୍ରଧାନ ବାଣିଜ୍ୟ ନଗର ଥିଲା । ଦମ୍ମେସକର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସିଧାସଳଖ ଏକ ଦୀର୍ଘ ପଥ ଲମ୍ବି ଯାଇଥିଲା । ତାହା ସଳଖ ନାମକ ପଥ ।  ଏହାର ଅନ୍ୟ ପଥ ସବୁ ସଂକୀର୍ଣ୍ଣ  ଓ ଅଙ୍କାବଙ୍କା । ତାର୍ଷ, ପର୍ବତମାଳା ଦେଇ ଯାଇଥିଲା ଏକ ବାଣିଜ୍ୟ ପଥ । ଗ୍ରୀସ୍ ର ଏଥେନ୍ସ ଓ ମିସରର ଆଲେକଜାଣ୍ଡିଆ ଭଳି ତାର୍ଷ ନଗରର ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଥିଲା । ଶାଉଲଙ୍କ ଜନ୍ମ ସ୍ଥାନ ତାର୍ଷ । ତାହାଙ୍କ ଯିହୁଦୀ ନାମ ଶାଉଲ ଏବଂ ଗ୍ରୀକ୍ ନାମ ପାଉଲ । 


ଆଘାତ ଓ ଦର୍ଶନ : 

ଆଜିର ପଠିତାଶଂରେ ‌ରହିଛି, ଦମ୍ମେସକ ପଥରେ ଶାଉଲଙ୍କ ମନ ପରିବର୍ତ୍ତନ ଘଟଣା । ତାଡନାକାରୀ ଶାଉଲ ପ୍ରାଣଦାନକାରୀ ପାଉଲରେ ପରିଣତ ହେବ ବିଷୟ ଆଶ୍ଚର୍ଯ୍ୟ ନୁହେଁ କି ? ଦମ୍ମେସକ ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା । ସେ ଭୂମିରେ ପଡ଼ି ଯାଇଥିଲେ (୩-୪ ପଦ) । "ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ଠିଆ ହୋଇ ରହିଲେ "( ୮ ପଦ ) ।


ଆହ୍ୱାନ ଓ ମନୋନୟନ :

 ଏ ସଂପର୍କରେ ପାଉଲ ନିଜେ ପ୍ରକାଶ କରିଛନ୍ତି, "ଯେଉଁମାନେ ମୋ' ସାଙ୍ଗରେ ଥିଲେ, ସେମାନେ ସେ ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ୱର ଶୁଣିଲେ ନାହିଁ" (ପ୍ରେରିତ ୨୨:୯) । ଉପରୋକ୍ତ ପଦଦ୍ୱୟ ପରସ୍ପର ବିରୋଧାଭାଷ ପରି ମନେହୁଏ । 'ଶୁଣି' ଓ 'ଶୁଣିଲେ  ନାହିଁ' ଏପରି ବାକ୍ୟ ଉଲ୍ଲେଖ କରାଯାଇଛି । ପବିତ୍ରଆତ୍ମାଙ୍କ ଦ୍ଵାରା ଲିଖିତ ବାକ୍ୟରେ ବିରୋଧାଭାଷ ରହିବ କାହିଁକି ? ତେଣୁ ତାହା ଆଦୌ ବିରୋଧାଭାଷ ନୁହେଁ । ଯେଉଁମାନେ ଶାଉଲଙ୍କ ସାଙ୍ଗରେ ଯାତ୍ରା କରୁଥିଲେ ସେମାନେ କେବଳ ଶବ୍ଦ ଶୁଣିଥିଲେ, କିନ୍ତୁ ସ୍ୱର ନୁହେଁ, ସ୍ୱର ଶୁଣିଥିଲେ ଶାଉଲ । ଆମେ ଜାଣି ରଖିବା ଉଚିତ୍ ଯେ, ଈଶ୍ୱରଙ୍କ  ବାକ୍ୟ ଅବିଶ୍ବାସୀମାନଙ୍କ ନିମନ୍ତେ ଶବ୍ଦ, କିନ୍ତୁ ବିଶ୍ବାସୀମାନଙ୍କ  ନିମନ୍ତେ ତାହା ସ୍ୱର । ଯେଉଁମାନେ ପ୍ରକୃତ ମେଷ ସେମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ଚିହ୍ନନ୍ତି (ଯୋହନ ୧୦:୩-୪) । ଆଜି ଆମ ପାଇଁ ତାହାଙ୍କ ବାକ୍ୟ ଶବ୍ଦ ନା ସ୍ୱର? ପରବର୍ତ୍ତୀ ସମୟରେ ଶାଉଲ ପରିତ୍ରାଣକର୍ତ୍ତାଙ୍କର ପରିଚୟ ପାଇ, ତାଙ୍କ ଆହ୍ୱାନର ବାଧ୍ୟ ହୋଇଥିଲେ ।

ଈଶ୍ୱରଙ୍କ ଅସ୍ତିତ୍ଵରେ ବିଶ୍ଵାସ

 ଈଶ୍ୱରଙ୍କ ଅସ୍ତିତ୍ଵରେ ବିଶ୍ଵାସ

ଆଜିର ଚିନ୍ତା

ଗୀତ ୫୩:୧-୬

ପରମେଶ୍ବରଙ୍କ ଅସ୍ତିତ୍ବ ବିଷୟରେ ମୋର ବ୍ୟକ୍ତିଗତ ମତ କ'ଣ ?

ପୃଥିବୀରେ ଅନେକ ଲୋକ ଈଶ୍ୱରଙ୍କ ଅସ୍ତିତ୍ବକୁ ମାନନ୍ତି ନାହିଁ । ସେମାନଙ୍କୁ ନାସ୍ତିକ ବୋଲି କୁହାଯାଏ । କିନ୍ତୁ ବାଇବଲର ଭାଷାରେ ସେମାନଙ୍କୁ ମୂର୍ଖ ବୋଲି କୁହାଯାଏ (୧ପଦ) । ପରମେଶ୍ୱର ନାହାନ୍ତି ବୋଲି କହୁଥିବା ବ୍ୟକ୍ତିମାନଙ୍କ କର୍ମ ଓ ପ୍ରତିଫଳ ବିଷୟରେ ଆଜିର ଅଧ୍ୟାୟରେ ବର୍ଣ୍ଣିତ । ଆଜିର ବାକ୍ୟ ଆମକୁ ପ୍ରଭୁଙ୍କଠାରେ ବିଶ୍ଵାସ ଓ ଭରସା ରଖି ଉତ୍ତମ ଜୀବନ କାଟିବାକୁ ସାହାଯ୍ୟ କରିବ । 


ନାସ୍ତିକ ବ୍ୟକ୍ତିର କାର୍ଯ୍ୟ :

 (୧) ମୂର୍ଖ ମନେ ମନେ କୁହେ ପରମେଶ୍ୱର ନାହାନ୍ତି । 


(୨) ସେମାନେ ଈଶ୍ୱରଙ୍କ ଅସ୍ତିତ୍ଵକୁ ସ୍ବୀକାର ନ କରୁଥିବାରୁ ସେମାନେ ଭ୍ରଷ୍ଟ ହୁଅନ୍ତି ଏବଂ ନାନା ଘୃଣାଯୋଗ୍ୟ ଅଧର୍ମରେ ଲିପ୍ତ ରହନ୍ତି । 


(୩) କେହି ହେଲେ ସତ୍କର୍ମ କରନ୍ତି ନାହିଁ । 


(୪) ସେମାନେ ବିବେଚନା କରନ୍ତି ନାହିଁ । 


(୫) ସେମାନେ ବିପଥରେ ଗମନ କରନ୍ତି। 


(୬) ସେମାନେ ଜ୍ଞାନ ଶୂନ୍ୟ ହୋଇ ଖାଦ୍ୟ ଗ୍ରାସ କଲା ପରି ପରମେଶ୍ୱରଙ୍କ ଲୋକମାନଙ୍କୁ ଗ୍ରାସ କରନ୍ତି । 


(୭) ସେମାନେ ପରମେଶ୍ବରଙ୍କ ଠାରେ ପ୍ରାର୍ଥନା କରନ୍ତି ନାହିଁ । 


(୮) ଭୟ ନ ଥିବା ସ୍ଥାନରେ ସେମାନେ ଭୟଭୀତ ହୁଅନ୍ତି । 


ନାସ୍ତିକର ଫଳାଫଳ :


ପରମେଶ୍ୱର ନାହାନ୍ତି କହି ସମସ୍ତ ଅଧର୍ମ କାର୍ଯ୍ୟରେ ଲିପ୍ତ ଥିବା ପ୍ରତ୍ୟେକ ମୂର୍ଖ ବ୍ୟକ୍ତିର ଅସ୍ଥିସବୁ ପରମେଶ୍ୱର ଛିନ୍ନଭିନ୍ନ କରିବେ (୫ପଦ) ସେମାନଙ୍କୁ ଅଗ୍ରାହ୍ୟ କରିବେ ଏବଂ ସେମାନଙ୍କୁ ଲଜ୍ଜା ଦେବେ । 


ମାତ୍ର ପରମେଶ୍ୱର ଆପଣା ଲୋକମାନଙ୍କୁ ନିରୀକ୍ଷଣ କରନ୍ତି । ପରମେଶ୍ୱର ସିୟୋନଠାରୁ ପ୍ରକାଶିତ ହେବେ ଏବଂ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବେ । ଯାକୁବ (ଇସ୍ରାଏଲ) ସମ୍ପୂର୍ଣ୍ଣ ମୁକ୍ତ ହୋଇ ଉଲ୍ଲସିତ ହେବ। ଇସ୍ରାଏଲ ଆନନ୍ଦିତ ହେବ। 

ଜୀବନର ସମୀକ୍ଷା

 ଜୀବନର ସମୀକ୍ଷା 

ଆଜିର ଚିନ୍ତା

ଯାତ୍ରା ୩୯:୩୨-୪୩

ମୁଁ ସବୁ ଅବସ୍ଥାରେ ଆତ୍ମ ସମୀକ୍ଷା କରିଥାଏ କି ?


ଈଶ୍ଵର ଆପଣା ମନୋନୀତ ଆତ୍ମାଙ୍କ ଦ୍ଵାରା ଜ୍ଞାନ ଓ ବୁଦ୍ଧିପ୍ରାପ୍ତ, ପୁଣି ସମସ୍ତ ଆଜ୍ଞା  ପାଳନକାରୀ ଶିଳ୍ପଙ୍କ ଦ୍ଵାରା ସମାଗମ ତମ୍ବୁର ସମସ୍ତ କାର୍ଯ୍ୟ ସମାପ୍ତ କଲେ । ସମସ୍ତ ପ୍ରକାର କାର୍ଯ୍ୟ ସମାପ୍ତ ହେବା ପରେ ସେସମସ୍ତର ଏକ ସମୀକ୍ଷାର ଆବଶ୍ୟକତା ଥିଲା । ସେଥିନିମନ୍ତେ ସେମାନେ ତମ୍ବୁ ସହିତ ଯାଜକର ପୁତ୍ରମାନଙ୍କ ବସ୍ତ୍ର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଈଶ୍ଵରଙ୍କ ପ୍ରତିନିଧି ମୋଶାଙ୍କ ସମ୍ମୁଖରେ ତାହାଙ୍କର ନିରୀକ୍ଷଣ ନିମନ୍ତେ ରଖିଥିଲେ।  ମୋଶା ସେସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେମାନଙ୍କୁ ଆଶୀର୍ବାଦ କରୁଥିଲେ । ଈଶ୍ଵରଙ୍କ ଅନୁଗ୍ରହ ହେତୁ ଆମେ ତାହାଙ୍କ ମନୋନୀତ, ପରିତ୍ରାଣପ୍ରାପ୍ତ, ଆତ୍ମାରେ ପୂର୍ଣ୍ଣ ହେବ ପରେ ମଧ୍ୟ ଆମ୍ଭମାନଙ୍କ ଜୀବନକୁ ଈଶ୍ଵରଙ୍କ ନିକଟରେ ଆତ୍ମ ସମୀକ୍ଷା କରିବା ନିତାନ୍ତ ଆବଶ୍ୟକ ।


ମନୋଯୋଗୀ ଈଶ୍ଵର: 

ଈଶ୍ଵରଙ୍କ ଗୌରବ ହେଉ । ସେ ଆମ୍ଭମାନଙ୍କ ସହିତ ବାସ କରୁଥିବା ଈଶ୍ୱର । ସେ ଆମ୍ଭମାନଙ୍କ  ପ୍ରତି ମନୋଯୋଗୀ, ଉତ୍ସାହ ପ୍ରଦାନକାରୀ, ପୁଣି ଏକ ଯୋଜନା ପ୍ରସ୍ତୁତକାରୀ ଈଶ୍ୱର (ଯିରି ୨୯:୧୧) । ଏହି ସମସ୍ତ ସତ୍ୟତାର ଫଳସ୍ଵରୁପ ସେ ଆମ୍ଭମାନଙ୍କ ନିକଟରୁ ଏକ ପବିତ୍ର ଜୀବନ ଆଶା କରନ୍ତି ।  ସେଥିପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣ ଅନୁସନ୍ଧାନ ଏବଂ ମର୍ମର ପରୀକ୍ଷା କରିଥାନ୍ତି  (ଯିରି ୭ :୧୦) ଏବଂ ଆମ୍ଭମାନଙ୍କର କର୍ମ ଓ ଆଚରଣ ଅନୁସାରେ ଫଳ ପ୍ରଦାନ କରନ୍ତି ପୁଣି ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ( ଗୀତ ୧୧:୪) । 


ସମୀକ୍ଷାକାରୀ ଈଶ୍ଵର:

 ଆଜି ଆମ୍ଭମାନଙ୍କ ବ୍ୟକ୍ତିଗତ, ପୁଣି ପାରିବାରିକ ଜୀବନକୁ ଈଶ୍ଵରଙ୍କ ନିକଟରେ ସମୀକ୍ଷା କରୁ । ଏହି ବ୍ୟସ୍ତବହୁଳ ସଂସାରରେ ଆମେ ଅନେକ ସମୟରେ ଈଶ୍ଵରଙ୍କୁ ଦୁଃଖିତ କରିବସୁ । ପବିତ୍ରତାର ଜୀନବଯାପନ କରିବାରେ ବିଫଳ ହେଉ । ତେଣୁ ଈଶ୍ଵରଙ୍କୁ ପରିଦର୍ଶନ କାରିବାର ସୁଯୋଗ ଦେଲେ, ସେ ଆମର ଭୁଲସବୁ ଦେଖାଇ ଦେବେ । ସେହି ସତ୍ୟତାରେ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଦାଉଦ ନିଜ ଜୀବନର ସମୀକ୍ଷାର ଆବଶ୍ୟକତାର  ମୂଲ୍ୟ ବୁଝି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, "ହେ ପରମେଶ୍ବର ମୋହର ଅନୁସନ୍ଧାନ କର… ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯:୨୩-୨୪) । ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଏହି ପ୍ରାର୍ଥନା ହେବା ଆବଶ୍ୟକ ।