BN

ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

 ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

ଆଜିର ଚିନ୍ତା

ଲୁକ ୮ : ୨୬-୩୯


ମୁକ୍ତିଦାତା ଯୀଶୁଙ୍କ ସାକ୍ଷ୍ୟ ଆମେ ବହନ କରୁଛୁ କି ? 


ଏକ ବନ୍ଧନଗ୍ରସ୍ତ ଜୀବନ : ଗରାଶୀୟ ଅଞ୍ଚଳର ଜଣେ ଭୂତଗ୍ରସ୍ତ ଲୋକ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥଳରେ ରହୁଥିଲା । ସେ ଜୀବିତ ହେଲେ ମଧ୍ୟ ମୃତ ଲୋକ ସଦୃଶ୍ୟ ଥିଲା । ସେ ସ୍ଵାଧୀନ ହେଲେ ମଧ୍ୟ ଭୂତମାନଙ୍କ ଶକ୍ତିରେ ପରାଧୀନ ଥିଲା । ସେ ଜଞ୍ଜିର ଛିଣ୍ଡାଇ ପକାଉଥିଲା, ସେ ଚିତ୍କାର ମଧ୍ୟ କରୁଥିଲା । ସେଦିନ ସେ ଯୀଶୁଙ୍କୁ ଦେଖି ଭାବିଲା, ଯୀଶୁ ତାଙ୍କୁ ଯନ୍ତ୍ରଣା ଦେବାକୁ ଆସିଛନ୍ତି । ଆଜି ମଧ୍ଯ ଏହି ମନ୍ଦ ଆତ୍ମା, ମନ୍ଦ ଶକ୍ତି ପୁଣି ଅବାଧ୍ୟତାର ଆତ୍ମା ଅନେକଙ୍କୁ ବନ୍ଧନଗ୍ରସ୍ତ କରିରଖିଛି । ସେହି ପାପ ବନ୍ଧନରୁ ନିଜେ ମୁକ୍ତି ପାଇବା ସହ ଅନ୍ୟକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା କି ? 

ଜଣେ ଦୟାମୟ ଉଦ୍ଧାରକର୍ତ୍ତା : ସେହି ଭୂତଗ୍ରସ୍ତ ଲୋକଟି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଚିହ୍ନିପାରିଲା, ସେଥିପାଇଁ ସେ ଯୀଶୁଙ୍କୁ ଦୂରରୁ ଦେଖି ପ୍ରଣାମ କଲା ଏବଂ ତା'କୁ କଷ୍ଟ ନ ଦେବା ପାଇଁ ଅନୁରୋଧ କଲା । ଏହି 'ବାହିନୀ ଭୂତ' ଲାଗିଥିବା ଲୋକଟି ମନୁଷ୍ୟମାନଙ୍କ ସହଭାଗିତା ଛାଡ଼ି ଭୂତମାନଙ୍କ ସହଭାଗୀତାରେ ଜୀବନ କାଟୁଥିଲା । ଯୀଶୁଙ୍କ ଆଦେଶ ପାଇବା ପରେ ଦୃଷ୍ଟାନ୍ତଗୁଡିକ ଘୁଷୁରିପଲ ମଧ୍ୟରେ ପଶି ଦୌଡିଯାଇ ତୀଖ ସ୍ଥାନ ଦେଇ ହ୍ରଦରେ ପଡ଼ି ବୁଡ଼ିଗଲେ।  ମନୁଷ୍ୟଟି ବନ୍ଧନରୁ, ମନ୍ଦ ଶକ୍ତିରୁ ପୁଣି ଅନ୍ଧକାର ଶକ୍ତିକୁ ରକ୍ଷା ପାଇ ଶାରୀରିକ ତଥା ଆତ୍ମିକ ଜୀବନରେ ସ୍ଵାଧୀନତା ପାଇ ପ୍ରଭୁଙ୍କ ପ୍ରଶଂସା କଲା । ଏହାହିଁ ପରିବର୍ତ୍ତିତ ଜୀବନର ଚିହ୍ନ ଅଟେ । 


ଏକ ବହୁମୂଲ୍ୟ ଆତ୍ମା : ଗୋଟିଏ ଆତ୍ମା କୁ ରକ୍ଷା କରିବା ପାଇଁ ଯୀଶୁ ଯେତେବେଳେ ଗୋଟିଏ ଘୁଷୁରିପଲକୁ ନଷ୍ଟ କଲେ ଲୋକମାନେ ସେତେବେଳେ ସେହି ଲୋକଟିର ଜୀବନର ମୂଲ୍ୟକୁ ଘୁଷୁରି ପଲର ମୁଲ୍ୟ ସହିତ ତୁଳନା କଲେ । ଘୁଷୁରି ଠାରୁ ଯେ ମନୁଷ୍ୟର ଜୀବନ ମୂଲ୍ୟବାନ ଓ ଶ୍ରେଷ୍ଠ ଏହା ସେମାନେ ବୁଝିଲେ ନାହିଁ । ପାପୀ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ପ୍ରଭୁଯୀଶୁ ଆପଣାର ବହୁମୂଲ୍ୟ ପ୍ରାଣକୁ କ୍ରୃଶରେ ବଳି ଦେଲେ ଯେପରି ମନୁଷ୍ୟ ସମାଜ ପାପ ବନ୍ଧନରୁ ମୁକ୍ତ ହେବ । କାରଣ ଗୋଟିଏ ଆତ୍ମାର ମୂଲ୍ୟ ପୃଥିବୀର କୌଣସି ବସ୍ତୁ ସହିତ ତୁଳନୀୟ ନୁହେଁ । 


ସେହି ଭୂତଗ୍ରସ୍ତ ଲୋକଟି ସୁସ୍ଥତା ପାଇବା ପରେ ନିଜ ଗ୍ରାମକୁ ଯାଇ ଯୀଶୁଙ୍କ କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦେଲା ନୂତନ ଜୀବନ ପ୍ରାପ୍ତ ବ୍ୟକ୍ତି ସାକ୍ଷ୍ୟ ନ ଦେଇ ରହିପାରିବ ନାହିଁ । ତେଣୁ ଆମେ ମଧ୍ୟ ସେହି ଉଦ୍ଧାରକର୍ତ୍ତାଙ୍କର ସାକ୍ଷୀ ହେବା ପାଇଁ ଯତ୍ନବାନ ହେବା । 

ଜୀବନ୍ତ ବାକ୍ୟ

 ଜୀବନ୍ତ ବାକ୍ୟ

ଆଜିର ଚିନ୍ତା

ଲୁକ ୮:୧-୧୮


ଈଶ୍ଵରଙ୍କ ବାକ୍ୟ ଆମ ଜୀବନରେ କିପରି କାର୍ଯ୍ୟ କରୁଛି ? 


ଯୀଶୁ ସ୍ୱର୍ଗରାଜ୍ୟର ନିଗୁଡତତ୍ତ୍ଵ ଓ ସତ୍ୟକୁ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଚାର କରିବା ଦ୍ଵାରା, ଲୋକମାନେ ତାହା ସହଜରେ ବୁଝିପାରୁଥିଲେ ଏବଂ ଗ୍ରହଣ ମଧ୍ୟ କରୁଥଲେ । ଯୀଶୁ ବହୁ ସଂଖ୍ୟକ ଲୋକମାନଙ୍କୁ ଦେଖି ସ୍ବର୍ଗ ରାଜ୍ୟର ନିଗୁଡତତ୍ତ୍ୱ ବୁଝାଇବା ପାଇଁ "ବୀଜ ବୁଣାଳୀ" ଦୃଷ୍ଟାନ୍ତ ମାଧ୍ୟମରେ କଥା କହିଲେ । 


ବାକ୍ୟକୁ ଭୁଲିଯିବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ଶୁଣନ୍ତି କିନ୍ତୁ ତାହାକୁ ହୃଦୟରେ ଅଧିକ ସମୟ ନ ରଖି ଭୁଲି ଯାଆନ୍ତି । ବିଶ୍ଵାସ କରିବା ପୂର୍ବରୁ ଶୟତାନ ସହଜରେ ବୀଜକୁ ହରଣ କରିନିଏ, ଫଳରେ ସେମାନେ ଆତ୍ମିକ ଜୀବନରେ ବୃଦ୍ଧିଲାଭ କରିପାରନ୍ତି ନାହିଁ । 


ବାକ୍ୟରେ ସ୍ଥିର ନ ଥିବା ଶ୍ରୋତା : ଏହି ପ୍ରକାର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରନ୍ତି, ଗ୍ରହଣ କରନ୍ତି ମାତ୍ର କ୍ଲେଶ, ସମସ୍ୟା, ତାଡନା ଆସିଲେ ବାକ୍ୟ ଉପରେ ଆସ୍ଥା ସ୍ଥାପନ କରିପାରନ୍ତି ନାହିଁ । ହୃଦୟ ମଧ୍ୟରେ ବାକ୍ୟ ସ୍ଥାନ ପାଏ ନାହିଁ ତେଣୁ ତାହା କାର୍ଯ୍ୟକାରୀ ହୋଇପାରେ ନାହିଁ ଓ ଆତ୍ମିକ ବୃଦ୍ଧି ହୋଇ ପାରି ନ ଥାଏ । 


ବାକ୍ୟକୁ ଚାପି ଦେବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ପ୍ରତି ମାନଯୋଗୀ ହୁଅନ୍ତି ମାତ୍ର ଆତ୍ମିକ ବିଷୟ ଅପେକ୍ଷା ସାଂସାରିକ ବିଷୟରେ ଅଧିକ ଲିପ୍ତ ରହନ୍ତି । ଜଗତର ଆକର୍ଷଣ, ପରିସ୍ଥିତିରେ ଚାପରେ ସେମାନେ ବିଶ୍ଵାସରେ ସୁଦୃଢ଼ ହୋଇ ରହିପାରନ୍ତି ନାହିଁ ଏବଂ ଉପଯୁକ୍ତ ଫଳ ଉତ୍ପନ କରିପାରନ୍ତି ନାହିଁ । 


ବାକ୍ୟକୁ ପାଳନ କରିବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ଶୁଣନ୍ତି ତାହାକୁ ଧରି ରଖନ୍ତି, ଜୀବନରେ ସମସ୍ତ ପରିସ୍ଥିତିରେ ସ୍ଥିରଚିତ୍ତ, ଧୈର୍ଯ୍ୟଶୀଳ ହୋଇ ପରିସ୍ଥିତିର ମୁକାବିଲା କରନ୍ତି । ଯାହା ଫଳରେ ପରିତ୍ରାଣ ଓ ପୁନଃଜନ୍ମର ସୌଭାଗ୍ୟ ଲାଭ କରନ୍ତି । 


ଆଜି ଆମ ହୃଦୟ କେଉଁ ଭୂମି ସଦୃଶ୍ୟ ? ଈଶ୍ଵରଙ୍କ ବାକ୍ୟ ପ୍ରତି ଆମେ ଆଜି ମନଯୋଗୀ ହୋଇ ବାକ୍ୟର ପାଳନକାରୀ ହୋଇପାରୁଛୁ କି ? ତେଣୁ ଲେଖାଯାଏ, "କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ଵାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ, ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ (ଯାକୁବ ୧:୨୩-୨୪) । ତେଣୁ ସେ ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ଅଟେ (ଯାକୁବ ୧: ୨୫ଖ) । 

ପାପବୋଧ ଓ ଅନୁତାପ

 ପାପବୋଧ ଓ ଅନୁତାପ

ଆଜିର ଚିନ୍ତା

ଲୁକ ୭:୩୬-୫୦


ମୋର ପାପ ପାଇଁ ମୁଁ କ'ଣ ଯୀଶୁଙ୍କ ନିକଟରେ କ୍ଷମା ମାଗୁଛି ? 


ପାପିନୀ ସ୍ତ୍ରୀ ଯୀଶୁଙ୍କ ପାଦରେ ସୁଗନ୍ଧି ତୈଳ ଲଗାଇଲା । କାନ୍ଦି କାନ୍ଦି ଅଶ୍ରୁ ଜଳରେ ଯୀଶୁଙ୍କ ପାଦ ଧୋଇଦେଲା । ପୁଣି ଆପଣା କେଶରେ ତାଙ୍କର ପାଦକୁ ପୋଛିଲା । ଏହା ଖ୍ରୀଷ୍ଟଙ୍କ ପ୍ରତି ତାଙ୍କର ପ୍ରେମ ଓ ନିଜର ଭୁଲ୍ କୁ ଜାଣି, ଅନୁତାପ କରିବାକୁ ବୁଝାଏ । 


ଅନୁତାପ : ଯୀଶୁଙ୍କ ସମ୍ମୁଖକୁ ଯିବାକୁ ପାପିନୀ ସ୍ତ୍ରୀର ସତ୍ ସାହସ ନ ଥିଲା । ପଛଆଡୁ ସୁଗନ୍ଧି ତୈଳ ଲଗାଇ ଦେଲା । ସେ ନିଜ ପାପ ସମ୍ୱନ୍ଧରେ ଅଜ୍ଞ ନ ଥିଲା । ତେଣୁ ସେ ନିଜର ପାପରୁ ମୁକ୍ତି ପାଇବା ପାଇଁ ଯୀଶୁଙ୍କ ନିକଟକୁ ଆସିଥିଲା । ପ୍ରଭୁ ତା'ର ସମସ୍ତ ପାପ କ୍ଷମା କଲେ ଓ ସେ ଶାନ୍ତିରେ ଚାଲିଗଲା । ଆମେ ମଧ୍ୟ ତାଙ୍କର ଅବାଧ୍ୟ ହୋଇଛୁ । ତାଙ୍କର ବାକ୍ୟ ପାଳନ କରିବାରେ ଆମେ ହେଳା କରିଛୁ । ଆମକୁ ଅନୁତାପ କରି ତାହାଙ୍କ ଚରଣ ତଳକୁ ଫେରିଯିବାକୁ ହେବ । ଯେ ନିଜର ଭୁଲ୍ ବୁଝିପାରେ, ନିଜେ କରିଥିବା ପାପକୁ ସ୍ମରଣ କରେ; ତା'ର ଚକ୍ଷୁର ଅନୁତାପର ଅଶ୍ରୁ ଆପେ ଆପେ ଝରିଯାଏ । ସେ ଅନୁତାପ କରି ଯୀଶୁଙ୍କୁ କ୍ଷମାମାଗେ । ଆସନ୍ତୁ, ଆଦମ ହବା ଭଳି ନ ଲୁଚି, ଅନୁତାପର ସହ ପ୍ରାର୍ଥନା କରିବା । ପ୍ରଭୁ ନିଶ୍ଚୟ ଆମକୁ କ୍ଷମା ଦେବେ । 


ପାପ କ୍ଷମା : ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପାପକ୍ଷମା କରନ୍ତି, ପରିତ୍ରାଣ ଦିଅନ୍ତି ଏହା ଅଣଖ୍ରୀଷ୍ଟିୟାନମାନେ ଜାଣନ୍ତି ନାହିଁ । ଆଜି ଅନେକ ବ୍ୟକ୍ତିଗତ ଭାବରେ କିମ୍ବା ପାରିବାରିକ ଭାବରେ ବାକ୍ୟ ପଠନ କରନ୍ତି ନାହିଁ । ଗିର୍ଜା ଉପାସନା ମଧ୍ୟ ଯାଆନ୍ତି ନାହିଁ । ତେଣୁ ଯୀଶୁ କହିଲେ, "ଯେ ବେଶୀ ପ୍ରେମ କରେ ସେ ବେଶି କ୍ଷମା ପାଏ" । ଯୀଶୁଙ୍କ ସଙ୍ଗରେ ବସି ଭୋଜନ କରୁଥଲେ ମଧ୍ୟ, ଅତିଥିମାନେ ତାଙ୍କୁ ଚିହ୍ନିପାରି ନ ଥିଲେ । ଆମ୍ଭେମାନେ ପରମ୍ପରାଗତ ଭାବେ ପ୍ରଭୁଭୋଜ ଗ୍ରହଣ କରୁ, ମାତ୍ର ଗ୍ରହଣ କରିବାର ଯୋଗ୍ୟତା ଓ ଲାଭ ଜାଣୁନା । ଆମ ହୃଦୟରେ ତାଙ୍କୁ ସ୍ଥାନ ଦେଇ ନାହୁ । ତେଣୁ ନମ୍ର ସହକାରେ କ୍ଷମା ପ୍ରାର୍ଥନା କରିବା (ଗୀତ ୨୫:୧୮) । କେବଳ ଅନୁତାପ ଯଥେଷ୍ଟ ନୁହେଁ, ଯୀଶୁ ଯେ ପରିତ୍ରାଣକର୍ତ୍ତା ଏହା ବିଶ୍ଵାସ କରି କ୍ଷମା ମାଗିଲେ, ସେ ଆମକୁ ସମସ୍ତ ଅଧର୍ମରୁ ରକ୍ଷା କରିବେ । 

ଉଚ୍ଚୀକୃତ କରିବା

 ଉଚ୍ଚୀକୃତ କରିବା

ଆଜିର ଚିନ୍ତା


ଲୁକ ୭:୨୪-୩୫


ଅନ୍ୟକୁ ନିଜଠାରୁ ଶ୍ରେଷ୍ଠ ମନେ କରିପାରୁଛୁ କି ? 


ଯୋହନ ଯୀଶୁଙ୍କୁ ଚିହ୍ନି ନ ଥିଲେ ମଧ୍ୟ ଯୀଶୁ ତାଙ୍କୁ ଚିହ୍ନିଥିଲେ । ଯୀଶୁ ସମସ୍ତଙ୍କୁ ଚିହ୍ନନ୍ତି ଓ ଜାଣନ୍ତି । ଯୀଶୁ ତାଙ୍କର ନମ୍ରତାର ଗୁଣ ହେତୁ ଯୋହନଙ୍କୁ ତାଙ୍କର ବରିଷ୍ଠ ଭାବରେ ସମ୍ମାନ ଦେଉଥିଲେ ଓ ପରିଚୟ ମଧ୍ୟ ଦେଉଥିଲେ । 


ଯୋହନଙ୍କ ପରିଚୟ : ଯୋହନ ଯେ କେତେ ମହାନ ତାହା ଯୀଶୁ ଲୋକମାନଙ୍କୁ କହୁଥିଲେ । ଯୋହନ ମଧ୍ୟ ଈଶ୍ୱରଙ୍କ ଆର୍ଶୀବାଦର ସନ୍ତାନ, ଏହା ସେ ଜାଣିଥିଲେ । ତାଙ୍କ ଠାରୁ ଆଉ କେହି ମହାନ ନାହାନ୍ତି (୨୮) । ଏପରି କହିବା ହିଁ ଯୀଶୁଙ୍କର ନମ୍ରତା ଗୁଣକୁ ପ୍ରକାଶ କରେ । ଯୋହନଙ୍କ ମୂଳ ଲକ୍ଷ୍ୟ ଥିଲା ସୁସମାଚାର ପ୍ରଚାର କରିବା । ସେ ମାତାଙ୍କ ଉଦରରୁ ପବିତ୍ର ଆତ୍ମାଙ୍କ ଆଶୀର୍ବାଦ ପାଇଥିଲେ (୧:୧୫) । ତାଙ୍କର ବାର୍ତ୍ତା ଥିଲା "ମନ ପରିବର୍ତ୍ତନ କର" । ଯୀଶୁ ତାହାଙ୍କର ପରିଚୟ ପ୍ରଦାନ କରି କହିଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀ ଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କ ଠାରୁ ମହାନ କେହି ନାହାନ୍ତି" । 


ଯୋହନଙ୍କ ମହାନତା : ଯୀଶୁଙ୍କ ଠାରୁ ଯୋହନଙ୍କ ମହାନତାର ପରିଚୟ ପାଇ କରଗ୍ରାହିମାନେ ବାପ୍ତିସ୍ମ ଗ୍ରହଣ କଲେ । ମାତ୍ର ଫାରୁଶୀ ଓ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ବାପ୍ତିସ୍ମ ନ ନେଇ ଚାଲିଗଲେ । ସେମାନେ ଯୋହନଙ୍କ ବିରୁଦ୍ଧରେ ବଚସା କଲେ, ସମାଲୋଚନା କଲେ । ଆଜି ମଧ୍ଯ ପାଳକ, ପ୍ରଚାରକ, ପ୍ରଭୁଙ୍କ ଦାସମାନେ ଯେ ଈଶ୍ଵରଙ୍କ ମନୋନୀତ, ଆଶୀର୍ବାଦପ୍ରାପ୍ତ, ଏହା ଆମେ ବିଶ୍ଵାସ ନ କରି ତାଙ୍କ ସମ୍ଵନ୍ଧରେ ସମାଲୋଚନା କରୁ ତଥା ଛିଦ୍ର ଖୋଜି ବୁଲୁ । ଯେଉଁ ବ୍ୟକ୍ତି ମନ୍ଦ ପ୍ରକୃତିର ସେ ଅନ୍ୟର ମନ୍ଦ ଚିନ୍ତା କରେ ପୁଣି ସେ ଯୀଶୁଙ୍କୁ ଗ୍ରହଣ କରେ ନାହିଁ କିମ୍ବା ତାଙ୍କର ବାକ୍ୟ ପାଳନ କରେ ନାହିଁ । ଏପରି ବ୍ୟକ୍ତି କିପରି ପରିତ୍ରାଣ ପାଇବ ? ପ୍ରଭୁ ଆମ୍ଭମାନଙ୍କ ଠାରୁ ସରଳ ବିଶ୍ଵାସ ଆଶା କରନ୍ତି । ଯେଉଁମାନେ ତାଙ୍କଠାରେ ବିଶ୍ଵାସ କରନ୍ତି, ସେ ସେମାନଙ୍କୁ ନିଜର ସନ୍ତାନତ୍ୱର ଅଧିକାର ପ୍ରଦାନ କରନ୍ତି (ଯୋହନ ୧:୧୨)। 

ଅନ୍ୟର ଦୁଃଖରେ ଦୁଃଖୀ

 ଅନ୍ୟର ଦୁଃଖରେ ଦୁଃଖୀ


ଆଜିର ଚିନ୍ତା

ଲୁକ ୭:୧୧-୨୩


ଅନ୍ୟର ଦୁଃଖ ଦେଖିଲେ ମୋର କି ପ୍ରତିକ୍ରିୟା ହୁଏ ?


ଫିଲିପ୍ପୀୟ ମଣ୍ଡଳୀର ଭାଇ ଭଉଣୀମାନଙ୍କ ନିକଟକୁ ପତ୍ର ଲେଖିବା ବେଳେ ପାଉଲ ଲେଖନ୍ତି "ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କ ସେହିପରି ମନ ହେଉ (ଫିଲିପ୍ପୀୟ ୨:୫) । ଆଜିର ବାକ୍ୟରେ ଆମେ ଖ୍ରୀଷ୍ଟ ଯୀଶୁଙ୍କର କି ପ୍ରକାର ମନ ଥିଲା, ତା'ର ଗୋଟିଏ ଉଦାହରଣ ଆମେ ପାଠ କରୁ ।


ଦୁଃଖହାରୀ ଯୀଶୁ : ଯୀଶୁଙ୍କର ସେବାକାର୍ଯ୍ୟକୁ ଦେଖିଲେ, ଜଣାପଡେ ଯେ, ସେ ନିଜର ଖାଇବା ପିଇବା ଭୁଲି ଅନ୍ୟର ଦୁଃଖରେ ଠିଆ ହେଉଥିଲେ ଓ ଆବଶ୍ୟକ ପଡିଲେ ସେମାନଙ୍କର ଦୁଃଖକୁ ଦୂର କରୁଥିଲେ ଯେତେବେଳେ ସେ ଶବ ଶୋଭା ଯାତ୍ରାକୁ ଦେଖି ଜାଣିଲେ ଯେ ମୃତ ଯୁବକଟି ବିଧବା ମା'ର ଏକମାତ୍ର ପୁତ୍ର ବୋଲି, ସେତେବେଳେ ତାଙ୍କର ହୃଦୟ ତରଳି ଗଲା ଓ ସେ ଦୟାରେ ବିଗଳିତ ହୋଇ ତାଙ୍କର ଐଶ୍ୱରୀକ ଶକ୍ତି ଦ୍ଵାରା ଯୁବକକୁ ଜୀବିତ କରାଇଲେ ଓ ତାଙ୍କ ମା'ଙ୍କ ହାତରେ ସମର୍ପଣ କଲେ । ଏହା ଥିଲା ଖ୍ରୀଷ୍ଟ ଯୀଶୁଙ୍କର ମନ। ମନୁଷ୍ୟ ମାତ୍ରେ ହିଁ ସ୍ୱାର୍ଥପର । ଆମେ ଏତେ ନିଜ ବିଷୟରେ ଚିନ୍ତିତ ଯେ, ଆମ ପାଖରେ ଅନ୍ୟ ପାଇଁ ସମୟ ନାହିଁ । କିନ୍ତୁ ଆମେ ଗର୍ବ କରୁ ଯେ, ଆମେ ଖ୍ରୀଷ୍ଟିୟାନ । ଏହା ଲଜ୍ଜ୍ୟାର ବିଷୟ ନୁହେଁ କି ? ଆମେ ହୁଏତ ମୃତ  ବ୍ୟକ୍ତିକୁ ଜୀବନ ଦେଇ ନ ପାରୁ, ମାତ୍ର ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ କିଛି ତ ସାହାଯ୍ୟ କରିପାରିବା । 


ସୁସ୍ଥକାରୀ ଯୀଶୁ : ଯୀଶୁ ତାଙ୍କର ସେବାକାର୍ଯ୍ୟ ସମୟରେ କେବଳ ବାକ୍ୟ ପ୍ରଚାର କରୁ ନ ଥିଲେ, ସେ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଖୁଆଉ ଥିଲେ ଓ ଭୂତଗ୍ରସ୍ତ, ରୋଗଗ୍ରସ୍ତମାନଙ୍କୁ ସୁସ୍ଥ ମଧ୍ୟ କରୁଥିଲେ । ଏହା ଯୋହନ  ଡୁବକଙ୍କର ଶିଷ୍ୟମାନେ ଦେଖି ଯୋହନଙ୍କୁ ଜଣାଇଲେ । ଏ ବିଷୟ ଯୋହନ ଶୁଣିବା ପରେ ନିଜେ ନିଶ୍ଚିତ ହେବା ନିମନ୍ତେ ତାଙ୍କର ଶିଷ୍ୟମାନଙ୍କୁ ପଠାଇ ଜାଣିବାକୁ ଚାହିଁଲେ ଯେ "ଯାହାଙ୍କର ଆଗମନ ହେବ, ସେ ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ" ? ଯୀଶୁ ହଁ "ମୁଁ ସେହି ନ କହି" କହିଲେ, "ତୁମ୍ଭେ ଯାହା ଯାହା ଦେଖିଲ ଓ ଶୁଣିଲ, ସେହି ସବୁ ଯୋହନଙ୍କୁ ଜଣାଅ" । ଏହାର ଅର୍ଥ ମୋହର  ବାକ୍ୟ ଓ ମୋର କର୍ମ ମୋହର ପରିଚୟ ଦେବ । ମୁଁ ଖ୍ରୀଷ୍ଟ ବୋଲି କହିବାର ଆବଶ୍ୟତା ନାହିଁ । ଆମ୍ଭମାନଙ୍କର ବାକ୍ୟ ଓ କାର୍ଯ୍ୟ ଅନ୍ୟମାନଙ୍କ ନିକଟରେ ମୁଁ ଖ୍ରୀଷ୍ଟଙ୍କର ବୋଲି ପ୍ରକାଶ କରେ କି ?