BN

ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

 ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

ଆଜିର ଚିନ୍ତା

ଲୁକ ୮ : ୨୬-୩୯


ମୁକ୍ତିଦାତା ଯୀଶୁଙ୍କ ସାକ୍ଷ୍ୟ ଆମେ ବହନ କରୁଛୁ କି ? 


ଏକ ବନ୍ଧନଗ୍ରସ୍ତ ଜୀବନ : ଗରାଶୀୟ ଅଞ୍ଚଳର ଜଣେ ଭୂତଗ୍ରସ୍ତ ଲୋକ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥଳରେ ରହୁଥିଲା । ସେ ଜୀବିତ ହେଲେ ମଧ୍ୟ ମୃତ ଲୋକ ସଦୃଶ୍ୟ ଥିଲା । ସେ ସ୍ଵାଧୀନ ହେଲେ ମଧ୍ୟ ଭୂତମାନଙ୍କ ଶକ୍ତିରେ ପରାଧୀନ ଥିଲା । ସେ ଜଞ୍ଜିର ଛିଣ୍ଡାଇ ପକାଉଥିଲା, ସେ ଚିତ୍କାର ମଧ୍ୟ କରୁଥିଲା । ସେଦିନ ସେ ଯୀଶୁଙ୍କୁ ଦେଖି ଭାବିଲା, ଯୀଶୁ ତାଙ୍କୁ ଯନ୍ତ୍ରଣା ଦେବାକୁ ଆସିଛନ୍ତି । ଆଜି ମଧ୍ଯ ଏହି ମନ୍ଦ ଆତ୍ମା, ମନ୍ଦ ଶକ୍ତି ପୁଣି ଅବାଧ୍ୟତାର ଆତ୍ମା ଅନେକଙ୍କୁ ବନ୍ଧନଗ୍ରସ୍ତ କରିରଖିଛି । ସେହି ପାପ ବନ୍ଧନରୁ ନିଜେ ମୁକ୍ତି ପାଇବା ସହ ଅନ୍ୟକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା କି ? 

ଜଣେ ଦୟାମୟ ଉଦ୍ଧାରକର୍ତ୍ତା : ସେହି ଭୂତଗ୍ରସ୍ତ ଲୋକଟି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଚିହ୍ନିପାରିଲା, ସେଥିପାଇଁ ସେ ଯୀଶୁଙ୍କୁ ଦୂରରୁ ଦେଖି ପ୍ରଣାମ କଲା ଏବଂ ତା'କୁ କଷ୍ଟ ନ ଦେବା ପାଇଁ ଅନୁରୋଧ କଲା । ଏହି 'ବାହିନୀ ଭୂତ' ଲାଗିଥିବା ଲୋକଟି ମନୁଷ୍ୟମାନଙ୍କ ସହଭାଗିତା ଛାଡ଼ି ଭୂତମାନଙ୍କ ସହଭାଗୀତାରେ ଜୀବନ କାଟୁଥିଲା । ଯୀଶୁଙ୍କ ଆଦେଶ ପାଇବା ପରେ ଦୃଷ୍ଟାନ୍ତଗୁଡିକ ଘୁଷୁରିପଲ ମଧ୍ୟରେ ପଶି ଦୌଡିଯାଇ ତୀଖ ସ୍ଥାନ ଦେଇ ହ୍ରଦରେ ପଡ଼ି ବୁଡ଼ିଗଲେ।  ମନୁଷ୍ୟଟି ବନ୍ଧନରୁ, ମନ୍ଦ ଶକ୍ତିରୁ ପୁଣି ଅନ୍ଧକାର ଶକ୍ତିକୁ ରକ୍ଷା ପାଇ ଶାରୀରିକ ତଥା ଆତ୍ମିକ ଜୀବନରେ ସ୍ଵାଧୀନତା ପାଇ ପ୍ରଭୁଙ୍କ ପ୍ରଶଂସା କଲା । ଏହାହିଁ ପରିବର୍ତ୍ତିତ ଜୀବନର ଚିହ୍ନ ଅଟେ । 


ଏକ ବହୁମୂଲ୍ୟ ଆତ୍ମା : ଗୋଟିଏ ଆତ୍ମା କୁ ରକ୍ଷା କରିବା ପାଇଁ ଯୀଶୁ ଯେତେବେଳେ ଗୋଟିଏ ଘୁଷୁରିପଲକୁ ନଷ୍ଟ କଲେ ଲୋକମାନେ ସେତେବେଳେ ସେହି ଲୋକଟିର ଜୀବନର ମୂଲ୍ୟକୁ ଘୁଷୁରି ପଲର ମୁଲ୍ୟ ସହିତ ତୁଳନା କଲେ । ଘୁଷୁରି ଠାରୁ ଯେ ମନୁଷ୍ୟର ଜୀବନ ମୂଲ୍ୟବାନ ଓ ଶ୍ରେଷ୍ଠ ଏହା ସେମାନେ ବୁଝିଲେ ନାହିଁ । ପାପୀ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ପ୍ରଭୁଯୀଶୁ ଆପଣାର ବହୁମୂଲ୍ୟ ପ୍ରାଣକୁ କ୍ରୃଶରେ ବଳି ଦେଲେ ଯେପରି ମନୁଷ୍ୟ ସମାଜ ପାପ ବନ୍ଧନରୁ ମୁକ୍ତ ହେବ । କାରଣ ଗୋଟିଏ ଆତ୍ମାର ମୂଲ୍ୟ ପୃଥିବୀର କୌଣସି ବସ୍ତୁ ସହିତ ତୁଳନୀୟ ନୁହେଁ । 


ସେହି ଭୂତଗ୍ରସ୍ତ ଲୋକଟି ସୁସ୍ଥତା ପାଇବା ପରେ ନିଜ ଗ୍ରାମକୁ ଯାଇ ଯୀଶୁଙ୍କ କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦେଲା ନୂତନ ଜୀବନ ପ୍ରାପ୍ତ ବ୍ୟକ୍ତି ସାକ୍ଷ୍ୟ ନ ଦେଇ ରହିପାରିବ ନାହିଁ । ତେଣୁ ଆମେ ମଧ୍ୟ ସେହି ଉଦ୍ଧାରକର୍ତ୍ତାଙ୍କର ସାକ୍ଷୀ ହେବା ପାଇଁ ଯତ୍ନବାନ ହେବା । 

No comments:

Post a Comment

Kindly give your suggestions or appreciation!!!