BN

ଅନ୍ୟର ଦୁଃଖରେ ଦୁଃଖୀ

 ଅନ୍ୟର ଦୁଃଖରେ ଦୁଃଖୀ


ଆଜିର ଚିନ୍ତା

ଲୁକ ୭:୧୧-୨୩


ଅନ୍ୟର ଦୁଃଖ ଦେଖିଲେ ମୋର କି ପ୍ରତିକ୍ରିୟା ହୁଏ ?


ଫିଲିପ୍ପୀୟ ମଣ୍ଡଳୀର ଭାଇ ଭଉଣୀମାନଙ୍କ ନିକଟକୁ ପତ୍ର ଲେଖିବା ବେଳେ ପାଉଲ ଲେଖନ୍ତି "ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କ ସେହିପରି ମନ ହେଉ (ଫିଲିପ୍ପୀୟ ୨:୫) । ଆଜିର ବାକ୍ୟରେ ଆମେ ଖ୍ରୀଷ୍ଟ ଯୀଶୁଙ୍କର କି ପ୍ରକାର ମନ ଥିଲା, ତା'ର ଗୋଟିଏ ଉଦାହରଣ ଆମେ ପାଠ କରୁ ।


ଦୁଃଖହାରୀ ଯୀଶୁ : ଯୀଶୁଙ୍କର ସେବାକାର୍ଯ୍ୟକୁ ଦେଖିଲେ, ଜଣାପଡେ ଯେ, ସେ ନିଜର ଖାଇବା ପିଇବା ଭୁଲି ଅନ୍ୟର ଦୁଃଖରେ ଠିଆ ହେଉଥିଲେ ଓ ଆବଶ୍ୟକ ପଡିଲେ ସେମାନଙ୍କର ଦୁଃଖକୁ ଦୂର କରୁଥିଲେ ଯେତେବେଳେ ସେ ଶବ ଶୋଭା ଯାତ୍ରାକୁ ଦେଖି ଜାଣିଲେ ଯେ ମୃତ ଯୁବକଟି ବିଧବା ମା'ର ଏକମାତ୍ର ପୁତ୍ର ବୋଲି, ସେତେବେଳେ ତାଙ୍କର ହୃଦୟ ତରଳି ଗଲା ଓ ସେ ଦୟାରେ ବିଗଳିତ ହୋଇ ତାଙ୍କର ଐଶ୍ୱରୀକ ଶକ୍ତି ଦ୍ଵାରା ଯୁବକକୁ ଜୀବିତ କରାଇଲେ ଓ ତାଙ୍କ ମା'ଙ୍କ ହାତରେ ସମର୍ପଣ କଲେ । ଏହା ଥିଲା ଖ୍ରୀଷ୍ଟ ଯୀଶୁଙ୍କର ମନ। ମନୁଷ୍ୟ ମାତ୍ରେ ହିଁ ସ୍ୱାର୍ଥପର । ଆମେ ଏତେ ନିଜ ବିଷୟରେ ଚିନ୍ତିତ ଯେ, ଆମ ପାଖରେ ଅନ୍ୟ ପାଇଁ ସମୟ ନାହିଁ । କିନ୍ତୁ ଆମେ ଗର୍ବ କରୁ ଯେ, ଆମେ ଖ୍ରୀଷ୍ଟିୟାନ । ଏହା ଲଜ୍ଜ୍ୟାର ବିଷୟ ନୁହେଁ କି ? ଆମେ ହୁଏତ ମୃତ  ବ୍ୟକ୍ତିକୁ ଜୀବନ ଦେଇ ନ ପାରୁ, ମାତ୍ର ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ କିଛି ତ ସାହାଯ୍ୟ କରିପାରିବା । 


ସୁସ୍ଥକାରୀ ଯୀଶୁ : ଯୀଶୁ ତାଙ୍କର ସେବାକାର୍ଯ୍ୟ ସମୟରେ କେବଳ ବାକ୍ୟ ପ୍ରଚାର କରୁ ନ ଥିଲେ, ସେ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଖୁଆଉ ଥିଲେ ଓ ଭୂତଗ୍ରସ୍ତ, ରୋଗଗ୍ରସ୍ତମାନଙ୍କୁ ସୁସ୍ଥ ମଧ୍ୟ କରୁଥିଲେ । ଏହା ଯୋହନ  ଡୁବକଙ୍କର ଶିଷ୍ୟମାନେ ଦେଖି ଯୋହନଙ୍କୁ ଜଣାଇଲେ । ଏ ବିଷୟ ଯୋହନ ଶୁଣିବା ପରେ ନିଜେ ନିଶ୍ଚିତ ହେବା ନିମନ୍ତେ ତାଙ୍କର ଶିଷ୍ୟମାନଙ୍କୁ ପଠାଇ ଜାଣିବାକୁ ଚାହିଁଲେ ଯେ "ଯାହାଙ୍କର ଆଗମନ ହେବ, ସେ ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ" ? ଯୀଶୁ ହଁ "ମୁଁ ସେହି ନ କହି" କହିଲେ, "ତୁମ୍ଭେ ଯାହା ଯାହା ଦେଖିଲ ଓ ଶୁଣିଲ, ସେହି ସବୁ ଯୋହନଙ୍କୁ ଜଣାଅ" । ଏହାର ଅର୍ଥ ମୋହର  ବାକ୍ୟ ଓ ମୋର କର୍ମ ମୋହର ପରିଚୟ ଦେବ । ମୁଁ ଖ୍ରୀଷ୍ଟ ବୋଲି କହିବାର ଆବଶ୍ୟତା ନାହିଁ । ଆମ୍ଭମାନଙ୍କର ବାକ୍ୟ ଓ କାର୍ଯ୍ୟ ଅନ୍ୟମାନଙ୍କ ନିକଟରେ ମୁଁ ଖ୍ରୀଷ୍ଟଙ୍କର ବୋଲି ପ୍ରକାଶ କରେ କି ?

No comments:

Post a Comment

Kindly give your suggestions or appreciation!!!