BN

ପାପବୋଧ ଓ ଅନୁତାପ

 ପାପବୋଧ ଓ ଅନୁତାପ

ଆଜିର ଚିନ୍ତା

ଲୁକ ୭:୩୬-୫୦


ମୋର ପାପ ପାଇଁ ମୁଁ କ'ଣ ଯୀଶୁଙ୍କ ନିକଟରେ କ୍ଷମା ମାଗୁଛି ? 


ପାପିନୀ ସ୍ତ୍ରୀ ଯୀଶୁଙ୍କ ପାଦରେ ସୁଗନ୍ଧି ତୈଳ ଲଗାଇଲା । କାନ୍ଦି କାନ୍ଦି ଅଶ୍ରୁ ଜଳରେ ଯୀଶୁଙ୍କ ପାଦ ଧୋଇଦେଲା । ପୁଣି ଆପଣା କେଶରେ ତାଙ୍କର ପାଦକୁ ପୋଛିଲା । ଏହା ଖ୍ରୀଷ୍ଟଙ୍କ ପ୍ରତି ତାଙ୍କର ପ୍ରେମ ଓ ନିଜର ଭୁଲ୍ କୁ ଜାଣି, ଅନୁତାପ କରିବାକୁ ବୁଝାଏ । 


ଅନୁତାପ : ଯୀଶୁଙ୍କ ସମ୍ମୁଖକୁ ଯିବାକୁ ପାପିନୀ ସ୍ତ୍ରୀର ସତ୍ ସାହସ ନ ଥିଲା । ପଛଆଡୁ ସୁଗନ୍ଧି ତୈଳ ଲଗାଇ ଦେଲା । ସେ ନିଜ ପାପ ସମ୍ୱନ୍ଧରେ ଅଜ୍ଞ ନ ଥିଲା । ତେଣୁ ସେ ନିଜର ପାପରୁ ମୁକ୍ତି ପାଇବା ପାଇଁ ଯୀଶୁଙ୍କ ନିକଟକୁ ଆସିଥିଲା । ପ୍ରଭୁ ତା'ର ସମସ୍ତ ପାପ କ୍ଷମା କଲେ ଓ ସେ ଶାନ୍ତିରେ ଚାଲିଗଲା । ଆମେ ମଧ୍ୟ ତାଙ୍କର ଅବାଧ୍ୟ ହୋଇଛୁ । ତାଙ୍କର ବାକ୍ୟ ପାଳନ କରିବାରେ ଆମେ ହେଳା କରିଛୁ । ଆମକୁ ଅନୁତାପ କରି ତାହାଙ୍କ ଚରଣ ତଳକୁ ଫେରିଯିବାକୁ ହେବ । ଯେ ନିଜର ଭୁଲ୍ ବୁଝିପାରେ, ନିଜେ କରିଥିବା ପାପକୁ ସ୍ମରଣ କରେ; ତା'ର ଚକ୍ଷୁର ଅନୁତାପର ଅଶ୍ରୁ ଆପେ ଆପେ ଝରିଯାଏ । ସେ ଅନୁତାପ କରି ଯୀଶୁଙ୍କୁ କ୍ଷମାମାଗେ । ଆସନ୍ତୁ, ଆଦମ ହବା ଭଳି ନ ଲୁଚି, ଅନୁତାପର ସହ ପ୍ରାର୍ଥନା କରିବା । ପ୍ରଭୁ ନିଶ୍ଚୟ ଆମକୁ କ୍ଷମା ଦେବେ । 


ପାପ କ୍ଷମା : ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପାପକ୍ଷମା କରନ୍ତି, ପରିତ୍ରାଣ ଦିଅନ୍ତି ଏହା ଅଣଖ୍ରୀଷ୍ଟିୟାନମାନେ ଜାଣନ୍ତି ନାହିଁ । ଆଜି ଅନେକ ବ୍ୟକ୍ତିଗତ ଭାବରେ କିମ୍ବା ପାରିବାରିକ ଭାବରେ ବାକ୍ୟ ପଠନ କରନ୍ତି ନାହିଁ । ଗିର୍ଜା ଉପାସନା ମଧ୍ୟ ଯାଆନ୍ତି ନାହିଁ । ତେଣୁ ଯୀଶୁ କହିଲେ, "ଯେ ବେଶୀ ପ୍ରେମ କରେ ସେ ବେଶି କ୍ଷମା ପାଏ" । ଯୀଶୁଙ୍କ ସଙ୍ଗରେ ବସି ଭୋଜନ କରୁଥଲେ ମଧ୍ୟ, ଅତିଥିମାନେ ତାଙ୍କୁ ଚିହ୍ନିପାରି ନ ଥିଲେ । ଆମ୍ଭେମାନେ ପରମ୍ପରାଗତ ଭାବେ ପ୍ରଭୁଭୋଜ ଗ୍ରହଣ କରୁ, ମାତ୍ର ଗ୍ରହଣ କରିବାର ଯୋଗ୍ୟତା ଓ ଲାଭ ଜାଣୁନା । ଆମ ହୃଦୟରେ ତାଙ୍କୁ ସ୍ଥାନ ଦେଇ ନାହୁ । ତେଣୁ ନମ୍ର ସହକାରେ କ୍ଷମା ପ୍ରାର୍ଥନା କରିବା (ଗୀତ ୨୫:୧୮) । କେବଳ ଅନୁତାପ ଯଥେଷ୍ଟ ନୁହେଁ, ଯୀଶୁ ଯେ ପରିତ୍ରାଣକର୍ତ୍ତା ଏହା ବିଶ୍ଵାସ କରି କ୍ଷମା ମାଗିଲେ, ସେ ଆମକୁ ସମସ୍ତ ଅଧର୍ମରୁ ରକ୍ଷା କରିବେ । 

No comments:

Post a Comment

Kindly give your suggestions or appreciation!!!