BN

ଉଚ୍ଚୀକୃତ କରିବା

 ଉଚ୍ଚୀକୃତ କରିବା

ଆଜିର ଚିନ୍ତା


ଲୁକ ୭:୨୪-୩୫


ଅନ୍ୟକୁ ନିଜଠାରୁ ଶ୍ରେଷ୍ଠ ମନେ କରିପାରୁଛୁ କି ? 


ଯୋହନ ଯୀଶୁଙ୍କୁ ଚିହ୍ନି ନ ଥିଲେ ମଧ୍ୟ ଯୀଶୁ ତାଙ୍କୁ ଚିହ୍ନିଥିଲେ । ଯୀଶୁ ସମସ୍ତଙ୍କୁ ଚିହ୍ନନ୍ତି ଓ ଜାଣନ୍ତି । ଯୀଶୁ ତାଙ୍କର ନମ୍ରତାର ଗୁଣ ହେତୁ ଯୋହନଙ୍କୁ ତାଙ୍କର ବରିଷ୍ଠ ଭାବରେ ସମ୍ମାନ ଦେଉଥିଲେ ଓ ପରିଚୟ ମଧ୍ୟ ଦେଉଥିଲେ । 


ଯୋହନଙ୍କ ପରିଚୟ : ଯୋହନ ଯେ କେତେ ମହାନ ତାହା ଯୀଶୁ ଲୋକମାନଙ୍କୁ କହୁଥିଲେ । ଯୋହନ ମଧ୍ୟ ଈଶ୍ୱରଙ୍କ ଆର୍ଶୀବାଦର ସନ୍ତାନ, ଏହା ସେ ଜାଣିଥିଲେ । ତାଙ୍କ ଠାରୁ ଆଉ କେହି ମହାନ ନାହାନ୍ତି (୨୮) । ଏପରି କହିବା ହିଁ ଯୀଶୁଙ୍କର ନମ୍ରତା ଗୁଣକୁ ପ୍ରକାଶ କରେ । ଯୋହନଙ୍କ ମୂଳ ଲକ୍ଷ୍ୟ ଥିଲା ସୁସମାଚାର ପ୍ରଚାର କରିବା । ସେ ମାତାଙ୍କ ଉଦରରୁ ପବିତ୍ର ଆତ୍ମାଙ୍କ ଆଶୀର୍ବାଦ ପାଇଥିଲେ (୧:୧୫) । ତାଙ୍କର ବାର୍ତ୍ତା ଥିଲା "ମନ ପରିବର୍ତ୍ତନ କର" । ଯୀଶୁ ତାହାଙ୍କର ପରିଚୟ ପ୍ରଦାନ କରି କହିଲେ, "ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀ ଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କ ଠାରୁ ମହାନ କେହି ନାହାନ୍ତି" । 


ଯୋହନଙ୍କ ମହାନତା : ଯୀଶୁଙ୍କ ଠାରୁ ଯୋହନଙ୍କ ମହାନତାର ପରିଚୟ ପାଇ କରଗ୍ରାହିମାନେ ବାପ୍ତିସ୍ମ ଗ୍ରହଣ କଲେ । ମାତ୍ର ଫାରୁଶୀ ଓ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ବାପ୍ତିସ୍ମ ନ ନେଇ ଚାଲିଗଲେ । ସେମାନେ ଯୋହନଙ୍କ ବିରୁଦ୍ଧରେ ବଚସା କଲେ, ସମାଲୋଚନା କଲେ । ଆଜି ମଧ୍ଯ ପାଳକ, ପ୍ରଚାରକ, ପ୍ରଭୁଙ୍କ ଦାସମାନେ ଯେ ଈଶ୍ଵରଙ୍କ ମନୋନୀତ, ଆଶୀର୍ବାଦପ୍ରାପ୍ତ, ଏହା ଆମେ ବିଶ୍ଵାସ ନ କରି ତାଙ୍କ ସମ୍ଵନ୍ଧରେ ସମାଲୋଚନା କରୁ ତଥା ଛିଦ୍ର ଖୋଜି ବୁଲୁ । ଯେଉଁ ବ୍ୟକ୍ତି ମନ୍ଦ ପ୍ରକୃତିର ସେ ଅନ୍ୟର ମନ୍ଦ ଚିନ୍ତା କରେ ପୁଣି ସେ ଯୀଶୁଙ୍କୁ ଗ୍ରହଣ କରେ ନାହିଁ କିମ୍ବା ତାଙ୍କର ବାକ୍ୟ ପାଳନ କରେ ନାହିଁ । ଏପରି ବ୍ୟକ୍ତି କିପରି ପରିତ୍ରାଣ ପାଇବ ? ପ୍ରଭୁ ଆମ୍ଭମାନଙ୍କ ଠାରୁ ସରଳ ବିଶ୍ଵାସ ଆଶା କରନ୍ତି । ଯେଉଁମାନେ ତାଙ୍କଠାରେ ବିଶ୍ଵାସ କରନ୍ତି, ସେ ସେମାନଙ୍କୁ ନିଜର ସନ୍ତାନତ୍ୱର ଅଧିକାର ପ୍ରଦାନ କରନ୍ତି (ଯୋହନ ୧:୧୨)। 

ଅନ୍ୟର ଦୁଃଖରେ ଦୁଃଖୀ

 ଅନ୍ୟର ଦୁଃଖରେ ଦୁଃଖୀ


ଆଜିର ଚିନ୍ତା

ଲୁକ ୭:୧୧-୨୩


ଅନ୍ୟର ଦୁଃଖ ଦେଖିଲେ ମୋର କି ପ୍ରତିକ୍ରିୟା ହୁଏ ?


ଫିଲିପ୍ପୀୟ ମଣ୍ଡଳୀର ଭାଇ ଭଉଣୀମାନଙ୍କ ନିକଟକୁ ପତ୍ର ଲେଖିବା ବେଳେ ପାଉଲ ଲେଖନ୍ତି "ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କ ସେହିପରି ମନ ହେଉ (ଫିଲିପ୍ପୀୟ ୨:୫) । ଆଜିର ବାକ୍ୟରେ ଆମେ ଖ୍ରୀଷ୍ଟ ଯୀଶୁଙ୍କର କି ପ୍ରକାର ମନ ଥିଲା, ତା'ର ଗୋଟିଏ ଉଦାହରଣ ଆମେ ପାଠ କରୁ ।


ଦୁଃଖହାରୀ ଯୀଶୁ : ଯୀଶୁଙ୍କର ସେବାକାର୍ଯ୍ୟକୁ ଦେଖିଲେ, ଜଣାପଡେ ଯେ, ସେ ନିଜର ଖାଇବା ପିଇବା ଭୁଲି ଅନ୍ୟର ଦୁଃଖରେ ଠିଆ ହେଉଥିଲେ ଓ ଆବଶ୍ୟକ ପଡିଲେ ସେମାନଙ୍କର ଦୁଃଖକୁ ଦୂର କରୁଥିଲେ ଯେତେବେଳେ ସେ ଶବ ଶୋଭା ଯାତ୍ରାକୁ ଦେଖି ଜାଣିଲେ ଯେ ମୃତ ଯୁବକଟି ବିଧବା ମା'ର ଏକମାତ୍ର ପୁତ୍ର ବୋଲି, ସେତେବେଳେ ତାଙ୍କର ହୃଦୟ ତରଳି ଗଲା ଓ ସେ ଦୟାରେ ବିଗଳିତ ହୋଇ ତାଙ୍କର ଐଶ୍ୱରୀକ ଶକ୍ତି ଦ୍ଵାରା ଯୁବକକୁ ଜୀବିତ କରାଇଲେ ଓ ତାଙ୍କ ମା'ଙ୍କ ହାତରେ ସମର୍ପଣ କଲେ । ଏହା ଥିଲା ଖ୍ରୀଷ୍ଟ ଯୀଶୁଙ୍କର ମନ। ମନୁଷ୍ୟ ମାତ୍ରେ ହିଁ ସ୍ୱାର୍ଥପର । ଆମେ ଏତେ ନିଜ ବିଷୟରେ ଚିନ୍ତିତ ଯେ, ଆମ ପାଖରେ ଅନ୍ୟ ପାଇଁ ସମୟ ନାହିଁ । କିନ୍ତୁ ଆମେ ଗର୍ବ କରୁ ଯେ, ଆମେ ଖ୍ରୀଷ୍ଟିୟାନ । ଏହା ଲଜ୍ଜ୍ୟାର ବିଷୟ ନୁହେଁ କି ? ଆମେ ହୁଏତ ମୃତ  ବ୍ୟକ୍ତିକୁ ଜୀବନ ଦେଇ ନ ପାରୁ, ମାତ୍ର ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ କିଛି ତ ସାହାଯ୍ୟ କରିପାରିବା । 


ସୁସ୍ଥକାରୀ ଯୀଶୁ : ଯୀଶୁ ତାଙ୍କର ସେବାକାର୍ଯ୍ୟ ସମୟରେ କେବଳ ବାକ୍ୟ ପ୍ରଚାର କରୁ ନ ଥିଲେ, ସେ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଖୁଆଉ ଥିଲେ ଓ ଭୂତଗ୍ରସ୍ତ, ରୋଗଗ୍ରସ୍ତମାନଙ୍କୁ ସୁସ୍ଥ ମଧ୍ୟ କରୁଥିଲେ । ଏହା ଯୋହନ  ଡୁବକଙ୍କର ଶିଷ୍ୟମାନେ ଦେଖି ଯୋହନଙ୍କୁ ଜଣାଇଲେ । ଏ ବିଷୟ ଯୋହନ ଶୁଣିବା ପରେ ନିଜେ ନିଶ୍ଚିତ ହେବା ନିମନ୍ତେ ତାଙ୍କର ଶିଷ୍ୟମାନଙ୍କୁ ପଠାଇ ଜାଣିବାକୁ ଚାହିଁଲେ ଯେ "ଯାହାଙ୍କର ଆଗମନ ହେବ, ସେ ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ" ? ଯୀଶୁ ହଁ "ମୁଁ ସେହି ନ କହି" କହିଲେ, "ତୁମ୍ଭେ ଯାହା ଯାହା ଦେଖିଲ ଓ ଶୁଣିଲ, ସେହି ସବୁ ଯୋହନଙ୍କୁ ଜଣାଅ" । ଏହାର ଅର୍ଥ ମୋହର  ବାକ୍ୟ ଓ ମୋର କର୍ମ ମୋହର ପରିଚୟ ଦେବ । ମୁଁ ଖ୍ରୀଷ୍ଟ ବୋଲି କହିବାର ଆବଶ୍ୟତା ନାହିଁ । ଆମ୍ଭମାନଙ୍କର ବାକ୍ୟ ଓ କାର୍ଯ୍ୟ ଅନ୍ୟମାନଙ୍କ ନିକଟରେ ମୁଁ ଖ୍ରୀଷ୍ଟଙ୍କର ବୋଲି ପ୍ରକାଶ କରେ କି ?

ବିଶ୍ଵାସ ଓ ନମ୍ରତା

 ବିଶ୍ଵାସ ଓ ନମ୍ରତା 

ଆଜିର ଚିନ୍ତା

ଲୁକ ୭:୧-୧୦


ଆମ୍ଭମାନଙ୍କର ବିଶ୍ଵାସର ଗଭୀରତା କେତେ ? 


ଶତସେନାପତି ଜଣେ ଦାୟୀତ୍ଵ ସମ୍ପନ୍ନ ବ୍ୟକ୍ତି ତଥା ଶହ ଶହ ସେନାଙ୍କର ଅଧିପତି ହେଲେ ହେଁ, ତାଙ୍କର ଯୀଶୁଙ୍କ ପ୍ରତି ବିଶ୍ବାସ ଥିଲା ଓ ସେ ଜଣେ ନମ୍ର ଲୋକ ଥିଲେ । 



ବିଶ୍ବାସର ଜୀବନ : ଶତସେନାପତିଙ୍କର ବିଶ୍ଵାସ ଥିଲା ଯେ, ଯୀଶୁ ହିଁ ଏକମାତ୍ର ସୁସ୍ଥକାରୀ । ତେଣୁ ସେ ପ୍ରାଚୀନମାନଙ୍କୁ ଯୀଶୁଙ୍କ ନିକଟକୁ କହି ପଠେଇଲେ ଯେ, ତାଙ୍କର ଦାସ ଅସୁସ୍ଥ । ତାଙ୍କର ବିଶ୍ବାସ ଥିଲା ଯେ, ଯୀଶୁଙ୍କର ପଦେ କଥାରେ ତାଙ୍କ ଦାସ ସୁସ୍ଥ ହୋଇଯିବ ଆମେ କ'ଣ ଯୀଶୁଙ୍କୁ ଏହିଭଳି ବିଶ୍ଵାସ କରୁ ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ, ସିଦ୍ଧିଦାତା ଏହା ଆମ୍ଭମାନଙ୍କୁ ବିଶ୍ଵାସ କରିବାକୁ ହେବ (ଏବ୍ରୀ ୧୨:୧) । ଶାସ୍ତ୍ରରେ ଆମେ ଦେଖୁ ନୋହ, ଅବ୍ରାହମ, ଇସହାକ, ଯାକୁବ, ଇତ୍ୟାଦି ସେମାନଙ୍କ ବିଶ୍ୱାସ ହେତୁ ଧାର୍ମିକ ଗଣିତ ହେଲେ । ବିଶ୍ୱାସୀ ବୀରମାନେ ବିଶ୍ଵାସ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେଲେ, ରାଜ୍ୟ ଜୟ କଲେ, ଧର୍ମ ସାଧନ କଲେ ଓ ପ୍ରତିଜ୍ଞାର ଫଳ ପ୍ରାପ୍ତ ହେଲେ । କାରଣ "ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର  ନିଶ୍ଚିତ ଜ୍ଞାନ" (ଏବ୍ରୀ ୧୧:୧) । ହବକ୍କୂକ କହିଲେ, "ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ" (୨:୪) । ସେଦିନ ଶତସେନାପତିଙ୍କ ବିଶ୍ଵାସର ପୁରସ୍କାର ସେ ପାଇଥିଲେ । 


ନମ୍ରତାର ଜୀବନ : ଶତସେନାପତି ଯୀଶୁଙ୍କୁ କହିଲା "ଆପଣ ଯେ ମୋ ଘରକୁ ଆସିବେ ଏମିତି ଯୋଗ୍ୟତା ମୋର ନାହିଁ" ଏହା ତାଙ୍କ ନମ୍ରତାର ପ୍ରମାଣ ଦେଇଥାଏ । ଯୀଶୁ ତାଙ୍କ ନମ୍ରତାରେ ଚମକ୍ରୃତ ହେଲେ ଏବଂ ଦାସଟିକୁ ସୁସ୍ଥ କରିଦେଲେ । ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭମାନଙ୍କର ନମ୍ରତା ହି ପ୍ରଧାନ ଓ ପ୍ରଥମ ଗୁଣ ହେବା ଆବଶ୍ୟକ । ନମ୍ର ଲୋକ କୁ ଈଶ୍ବର ରକ୍ଷା କରିବେ (ଆୟୁବ ୨୨:୨୯) । ନମ୍ରତାର ଆଚରଣ ଈଶ୍ୱରଙ୍କ କୋପ ନାଶ କରେ (୧ ବଂଶାବଳୀ ୩୨:୨୬) । ଯେ କେହି ନିଜକୁ ଉନ୍ନତି ଦେଖାଏ, ତାକୁ ନତ କରାଯିବ (ମାଥିଉ ୨୩:୧୨) । ଯୀଶୁ ଖ୍ରୀଷ୍ଟ ନମ୍ରତାର ଚରମ ପ୍ରତୀକ । ଜଗତରେ ରହଣୀକାଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନମ୍ରତାର ଉଦାହରଣ ଦେଖାଇ ଦେଇ ଯାଇଛନ୍ତି । ଈଶ୍ଵରଙ୍କ ସନ୍ତାନ ଓ ଗୁରୁ ହୋଇ ମଧ୍ଯ, ଶିଷ୍ୟମାନଙ୍କର ଗୋଡ଼ ଧୋଇ ଦେଲେ (ଯୋହନ ୧୩:୧୨-୧୪) । ଯେଉଁମାନେ ତାଙ୍କୁ ଚୋର ଭଳି ଧରିଲେ, ଚାବୁକ୍ ମାରିଲେ, ଛେପ ପକାଇଲେ, ବର୍ଚ୍ଛା ମାରିଲେ, କ୍ରୁଶରେ ଚଢ଼ାଇଲେ, ସେମାନଙ୍କୁ କ୍ଷମା କରିବା ପାଇଁ ସେ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କଲେ । (ଲୁକ ୨୩:୩୪) ପୁଣି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ନମ୍ର କଲେ (ଫିଲିପ୍ପୀୟ ୨:୮) । ତେଣୁ ଆସନ୍ତୁ, ଆମେ ଯୀଶୁଙ୍କୁ ଆଦର୍ଶ ଭାବରେ ମାନି ନିଜକୁ ନମ୍ର କରି, ଈଶ୍ୱରଙ୍କ ଅନୁଗ୍ରହ ଲାଭ କରିବା । 

ଆତ୍ମ - ସମୀକ୍ଷା ଓ ବାଧ୍ୟତା

 ଆତ୍ମ - ସମୀକ୍ଷା ଓ ବାଧ୍ୟତା 

ଆଜିର ଚିନ୍ତା

ଲୁକ ୬:୩୭-୪୯


  ମୁଁ ନିଜ ଦୋଷକୁ ନ ଦେଖି ଅନ୍ୟର ଦୋଷକୁ ଦେଖି ଥାଏ କି?


ଆଜିର ଶାସ୍ତ୍ରରେ ଯୀଶୁ ଦୁଇଟି ବିଷୟକୁ ଗୁରୁତ୍ଵ  ଦେଇ ଶିକ୍ଷା ଦେଇଛନ୍ତି । ୧. ଆତ୍ମ- ସମୀକ୍ଷା, ୨. ବାଧ୍ୟତା । ଆତ୍ମ ସମୀକ୍ଷାର ଶେଷରେ ସେ ଲେଖନ୍ତି, ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ । ତା'ର ଅର୍ଥ  ମନୁଷ୍ୟ  ହୃଦୟରେ ଯାହା ଥାଏ, ତାହା ମୁଖ ଓ କାର୍ଯ୍ୟରେ ପ୍ରକାଶ ପାଏ ।


ହୃଦୟର ପୂର୍ଣ୍ଣତା : ଆମକୁ ସ୍ମରଣ ରଖିବାକୁ ହେବ ଯେ ଆମେ ବିଶେଷ ମୂଲ୍ୟରେ କିଣା ଯାଇଅଛୁ (୧ କରିନ୍ତୀ ୬:୧୯-୨୦) । ପରିବର୍ତ୍ତିତ ପ୍ରାଣଟି ଯୀଶୁଙ୍କର । ସେ ତାଙ୍କର ରକ୍ତ ବିନିମୟରେ ତାହା କିଣିଛନ୍ତି (୧ ପିତର ୧:୧୮-୧୯) । ତେଣୁ ଆମ ଶରୀର ଈଶ୍ୱରଙ୍କ ମନ୍ଦିର  ଈଶ୍ୱର ସେଠାରେ ବାସ କରନ୍ତି (୨ କରିନ୍ତୀ ୬:୧୬) । ମାତ୍ର ଆମେ ତାହାକୁ ଦସ୍ୟୁର ଗହ୍ଵର କରି ରଖିଛୁ । ଦସ୍ୟୁର ଗହ୍ଵରରେ ଅନ୍ଧକାର ରାଜତ୍ୱ କରେ ଶୟତାନ ଅନ୍ଧକାରର ରାଜା, ସେ ଆମ ଅନ୍ତରରେ ବାସ କରେ ଫଳରେ ଜାଗତିକତା ପୂର୍ଣ୍ଣତାରୁ ମନ୍ଦତା ନିର୍ଗତ ହୋଇଥାଏ । ହୃଦୟରେ ପୂର୍ଣ୍ଣତା ପ୍ରାପ୍ତି ନିମନ୍ତେ ଆମ୍ଭମାନଙ୍କୁ ଚାରିଗୋଟି ବିଷୟ ଆବଶ୍ୟକ । 

(୧) ବିଶ୍ଵାସ (ଗାଲାତୀୟ ୩:୨), 

(୨) ସମର୍ପଣ (ରୋମୀୟ୧୨:୧-୨), 

(୩) ବାଧ୍ୟତା (ପ୍ରେରିତ ୫:୩୨), 

(୪) ମାଗିବା ( ଲୁକ୧୧:୧୩) । 

ଆମେ ଅନ୍ୟକୁ ନ ଦେଖି, ନିଜକୁ ଦେଖୁ ଓ ଆତ୍ମ ସମୀକ୍ଷା ପୂର୍ବକ ପ୍ରଭୁଙ୍କଠାରେ ସମର୍ପିତ ହେଉ ।


ବାକ୍ୟ ପାଳନ: ଆମ୍ଭେମାନେ ଭୁଲିଯାଇଅଛୁ ଯେ ଈଶ୍ୱରଙ୍କ  ବାକ୍ୟ ଆମର ପଥକୁ ପ୍ରଦୀପ ଦେଖାଏ ଏବଂ ଚରଣକୁ ଆଲୋକ ଦିଏ (ଗୀତ ୧୧୯:୧୦୫) । ଯୀଶୁ କହିଲେ, ଜାହାଲାଗୁଡିକ ପାଣିରେ ଭର୍ତ୍ତି କର (ଯୋହନ ୨:୧-୧୧) । ବିନା ଆପତ୍ତିରେ ସେମାନେ ବାକ୍ୟର ବାଧ୍ୟ ହେଲେ । ଯୀଶୁ କହିଲେ "ଲୋକମାନଙ୍କୁ ଧାଡ଼ିରେ ବସାଅ" । କେହି ସନ୍ଦେହ କଲେ ନାହିଁ ଯେ ପାଞ୍ଚୋଟି ରୋଟି ଓ ଦୁଇଟି ମାଛ ଏତେ ଲୋକ କିପରି ଖାଇବେ ? ସଙ୍ଗେ ସଙ୍ଗେ ବାକ୍ୟ ପାଳନ କଲେ (ଲୁକ୯:୧୦-୧୭) । ଯୀଶୁଙ୍କ ବାକ୍ୟର ଶକ୍ତି ଉପରେ ବିଶ୍ଵାସ କରି ଶତସେନାପତି ପ୍ରାଚୀନମାନଙ୍କୁ ପଠାଇଥିଲେ (ଲୁକ ୭:୧-୧୦) । ବାକ୍ୟ ପାଳନର ଫଳ ଆମେ ଜାଣୁ । ବାକ୍ୟପାଳନକାରୀ ପଥର ଉପରେ ଗୃହ ନିର୍ମାଣକାରୀସଦୃଶ (ଲୁକ୬:୪୮) । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତା'ର କିଛି କ୍ଷତି ହୁଏ ନାହିଁ। ପରୀକ୍ଷକ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ଯୀଶୁ ଉତ୍ତର ଦେଲେ, "ମଣିଷ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟରେ ବଞ୍ଚିବ" (ମାଥିଉ୪:୪) । ତେଣୁ ଆସନ୍ତୁ, ଈଶ୍ୱରଙ୍କ ବାକ୍ୟକୁ କେବଳ ଶୁଣି ବା ଜାଣି ନିରବ ନ ରହି ବାକ୍ୟର କର୍ମକାରୀ ହେବା ।

ଶିଷ୍ୟ ମନୋନୟନ

 ଶିଷ୍ୟ ମନୋନୟନ 

ଆଜିର ଚିନ୍ତା

 ଲୂକ ୬:୧୨-୨୬


ଆମେ କ'ଣ ଯୀଶୁଙ୍କ ଶିଷ୍ୟ ହୋଇପାରିଛୁ ? 


ପ୍ରଭୁ ଯୀଶୁ ଖ୍ରୀଷ୍ଟ ପର୍ବତ ଉପରେ ସମସ୍ତ ରାତ୍ରୀ ପ୍ରାର୍ଥନା କଲେ ଓ ପ୍ରଭାତରେ ଆପଣା ଶିଷ୍ୟମାନଙ୍କୁ ମନୋନୀତ କଲେ। ଅର୍ଥାତ୍ ଏହି ମନୋନୟନରେ ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ସେ ପ୍ରାଧାନ୍ୟତା ଦେଇଥିଲେ । ଏହା ଆମ ପାଇଁ ଏକ ଶିକ୍ଷଣୀୟ ବିଷୟ ଅଟେ । ତେଣୁ ଆମର ପ୍ରାର୍ଥନାର ସମୟକୁ ଆମେ ବଢ଼ାଇବାକୁ ଯତ୍ନବାନ ହେଉ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପୁର୍ବରୁ ପ୍ରାର୍ଥନା ପୂର୍ବକ ଈଶ୍ବରଙ୍କ ଇଚ୍ଛାକୁ ବୁଝିବାକୁ ଯତ୍ନ କରୁ । 


ଶିଷ୍ୟ ହେବାର ଯୋଗ୍ୟତା : ଯୀଶୁ କହିଲେ, ଯେ ମୋହର ଶିଷ୍ୟ ହେବା ପାଇଁ ଇଛା କରେ, ସେ ନିଜର କ୍ରୃଶ ଘେନି ମୋତେ ଅନୁସରଣ କରୁ । ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଯାଉଥିଲେ ସତ, ମାତ୍ର ସେ ୧୨ ଜଣଙ୍କୁ ନିଜର ପ୍ରେରିତ ଶିଷ୍ୟ ଭାବରେ ମନୋନୟନ କଲେ । ସେମାନଙ୍କ ଜୀବନରେ ଥିଲା ଯୀଶୁଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଓ ବାଧ୍ୟତା । ଡାକିବା ମାତ୍ରେ ପ୍ରଶ୍ନ ନ କରି ତାଙ୍କ ପଛରେ ଅନୁଗମନ କଲେ, ଏତଦ୍ ବ୍ୟତୀତ ସେମାନେ ପରିଶ୍ରମୀ ଓ କଷ୍ଟ ସ୍ବୀକାର କରିବାକୁ ପଚ୍ଛାଇ ନ ଥିଲେ । ଯୀଶୁଙ୍କର ଶିଷ୍ୟ ହେବା ପାଇଁ ବିଶେଷ ଯୋଗ୍ୟତାର ଆବଶ୍ୟକତା ନାହିଁ, ମାତ୍ର ଆବଶ୍ୟକତା ଅଛି ବାଧ୍ୟତରେ । 


ଯୀଶୁଙ୍କର କାର୍ଯ୍ୟ : ଲୋକସମୁହ ସବୁବେଳେ ଯୀଶୁଙ୍କ ପଛରେ ଯାଉଥିଲେ । ତାଙ୍କର ଆକର୍ଷଣୀୟ ଅଧିକାର ଯୁକ୍ତ ବାକ୍ୟ ଶୁଣିବାକୁ ମହଜନତା ଭଲ ପାଉଥିଲେ ଏବଂ ବିଭିନ୍ନ ବ୍ୟାଧିରୁ ସୁସ୍ଥ ମଧ୍ୟ ହେଉଥିଲେ । ତାଙ୍କୁ ସ୍ପର୍ଶ କରୁଥଲେ, କାରଣ ତାଙ୍କୁ ସ୍ପର୍ଶ କଲେ ସୁସ୍ଥତା ମିଳୁଥିଲା । ସେମାନଙ୍କର ଗଭୀର ବିଶ୍ଵାସ ଥିଲା ଯେ ସ୍ପର୍ଶ କଲେ, ସୁସ୍ଥତା ମିଳିବ । 


ଯୀଶୁଙ୍କର ଚେତାବନୀ : ଯୀଶୁ ଲୋକମାନଙ୍କୁ ଭଲ ମନ୍ଦର ଶିକ୍ଷା ଦେଉଥିଲେ । ଆତ୍ମାରେ ଦୀନହୀନ ଅବସ୍ଥା ଈଶ୍ୱରଙ୍କ ରାଜ୍ୟକୁ ରାସ୍ତା କଢ଼ାଏ । ଆତ୍ମାରେ  କ୍ଷୁଧିତ, ରୋଦନ କରୁଥିବା ଧର୍ଯ୍ୟବାନ ଲୋକ ଆର୍ଶୀବାଦର ଯୋଗ୍ୟ । ଯେଉଁମାନେ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ଓ ତାଙ୍କ ପାଇଁ ନିନ୍ଦା ଭୋଗନ୍ତି, ସେମାନେ ଅକ୍ଷୟ ମୁକୁଟର ଅଧିକାରୀ ହେବେ । କିନ୍ତୁ ଯେଉଁମାନେ ଜାଗତିକ ଧନସମ୍ପତ୍ତି ପାଇଁ ଲୋଭ କରନ୍ତି ଅବା ଶାରୀରିକ ଅଭିଳାଷରେ ଖୁସି ହୁଅନ୍ତି ସେମାନେ ଦଣ୍ଡର ପାତ୍ର । ତେଣୁ ଆମେ ନିଜକୁ ପ୍ରଶ୍ନ କରିବା ଆମେ କେଉଁଥିପାଇଁ ଯୋଗ୍ୟ (ଦ୍ଵୀ. ବିବ. ୨୮:୧,୧୫)?