BN

ଆପଣ କାର୍ଯ୍ୟ କରୁଅଛନ୍ତି କି?

 ଆପଣ କାର୍ଯ୍ୟ କରୁଅଛନ୍ତି କି ? 

ଏଫିସୀୟ ୪:୭-୧୬

……. ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ……(ଶରୀର) ନିଜର ବୃଦ୍ଧିସାଧନ କରୁଅଛି। (ଏଫିସୀୟ୪:୧୬)


ମୁଁ ଏପରି ଗୋଟିଏ ରାସ୍ତାରେ ଗାଡ଼ି ଚଳାଉଥିଲି, ଯେଉଁ ରାସ୍ତାରେ ପ୍ରାୟ କେହି ଯାତ୍ରା କରନ୍ତି ନାହିଁ । ହଠାତ୍, ମୋର ଗାଡ଼ି ଧୀର ହୋଇଗଲା, ଓ ଗୋଟିଏ ମୁହୂର୍ତ୍ତ ପାଇଁ ଫଟ୍ ଫଟ୍ ଶବ୍ଦ କରି ଗୋଟିଏ ଶେଷ ଝଟକା ସହିତ ବନ୍ଦ ହୋଇଗଲା। ସେଠାରେ ମୋ' ପାଖରେ କେବଳ ଗୋଟିଏ ପେଚକଷ ଓ ଗୋଟିଏ ପ୍ଲାସ ଥିଲା ଓ ଗୋଟିଏ ମରାମତି ମିସ୍ତ୍ରୀଠାରୁ ମୁଁ ମାଇଲ୍ ମାଇଲ୍ ଦୂରରେ ଥିଲି । ପୁଣି ମୁଁ କାର୍ ଇଞ୍ଜିନ୍ ବିଷୟରେ କିଛି ଜାଣି ନ ଥିଲି । 


ମୁଁ କାରର ହୁଡ ଟେକି ଚାରିଆଡ଼କୁ ଚାହିଁଲି, ମାତ୍ର ସବୁ କିଛି ଠିକ୍ ଥିଲା ଭଳି ଲାଗିଲା। ସେତେବେଳେ ସେହି ବାଟ ଦେଇ ମୋର ଜଣେ ବନ୍ଧୁ ଆସୁଥିଲେ । ସେ କାରର କାରବ୍ୟୁରେଟର ଖୋଲି କହିଲେ, "ଯଥେଷ୍ଟ ତେଲ ଅଛି ।" ଏହାପରେ ସେ ପେଚକଷକୁ କିଛି ବିଦ୍ୟୁତ୍ ଯୋଗାଯୋଗ ମଧ୍ୟରେ ରଖିଲେ ଓ କହିଲେ, "ଆହା - ବିଦ୍ୟୁତ୍ ପ୍ରବାହ ବିଚ୍ଛିନ୍ନ ହୋଇଛି । "ଅତି ଶୀଘ୍ର ସେ ଏପରି ଗୋଟିଏ ହୁଗୁଳା ତାର ଆବିଷ୍କାର  କଲେ, ଯାହା ମୋଟରର ଗତିକୁ ବନ୍ଦ କରି ଦେଇଥିଲା । 


ଠିକ୍ ଯେପରି ଇଞ୍ଜିନ୍ନର କ୍ଷୁୁଦ୍ର ଅଂଶଗୁଡିକ ଏହାକୁ  ଗତିଶୀଳ ରଖିବାରେ ଅପରିହାର୍ଯ୍ୟ ଅଟନ୍ତି, ସେହିପରି ଖ୍ରୀଷ୍ଟଙ୍କ ଶରୀରରର ଅର୍ଥାତ୍ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆପଣଙ୍କ କାର୍ଯ୍ୟ ସମ୍ପନ୍ନ କରିବାରେ ବିଫଳତା ହୁଏତ ସମଗ୍ର ଶରୀରକୁ ଯଥାର୍ଥଭାବେରେ କାର୍ଯ୍ୟକ୍ଷମ ହେବାରେ ବାଧା ଦେଇପାରେ ।ପ୍ରାର୍ଥନା କରିବାରେ ଆପଣଙ୍କ ବିଫଳତା  ହୁଏତ ଶକ୍ତି ହ୍ରାସର କାରଣ ହୋଇପାରେ । ସାକ୍ଷ୍ୟ ଦେବାରେ ଆପଣଙ୍କ ବିଫଳତା ଯୋଗୁ ହୁଏତ କେହି ଜଣେ ସୁସମାଚାର ଶୁଣେ ନାହିଁ । ମଣ୍ଡଳୀକୁ ଆପଣଙ୍କ ଅର୍ଥ ସହାୟତାରେ ବିଫଳତା ହୁଏତ ପ୍ରଚାର କାର୍ଯ୍ୟ କିମ୍ବା ସେବାକାର୍ଯ୍ୟକୁ ହ୍ରାସ କରିପାରେ । ଆପଣଙ୍କ କ୍ଷୁଦ୍ର ଭୂମିକାକୁ ଯଦି ଅବହେଳା କରାଯାଏ, ତେବେ ଏହା ବଡ଼ ବଡ଼  ସମସ୍ୟା ସୃଷ୍ଟି କରିପାରେ । ଆପଣ ନିଜର କାର୍ଯ୍ୟ କରୁଅଛନ୍ତି କି !

ଭୁଲ ନାମର ବ୍ଯବହାର

 ଭୁଲ ନାମର ବ୍ଯବହାର

ଯିଶାଇୟ ୫ : ୧୮-୨୫

ଯେଉଁମାନେ ମନ୍ଦ କୁ ଭଲ ଓ ଭଲ କୁ ମନ୍ଦ କହନ୍ତି…. ସେମାନେ ସନ୍ତାପର ପାତ୍ର।      (ଯିଶାଇୟ୫:୨୦)


ଗୋଟିଏ ସମ୍ବାଦ ପତ୍ରର ଲେଖକ ବିଜ୍ଞାପନରେ ସତ୍ୟକୁ ଯେପରି ଭାବରେ ସଂପ୍ରସାରଣ କରାଯାଏ, ସେଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବୋଷ୍ଟାନର ଗୋଟିଏ ଭୋଜନାଳୟରେ ଖାଦ୍ୟ ତାଲିକା ଦେଖି ସେ 'ସତେଜ ଫଳର ସାଲାଡ୍ ମାଗାଇଥିଲେ ବୋଲି ସ୍ମରଣ କରିଥଲେ। ମାତ୍ର ଯେତେବେଳେ ସେହି ଖାଦ୍ୟ ପରଷା ଗଲା, ସେତେବେଳେ ସେଥିରେ ସତେଜ ଫଳର ଚିହ୍ନବର୍ଣ୍ଣ ନ ଥିଲା । ଅଙ୍ଗୁର, ସପୁରୀ, ଚେରୀ ଇତ୍ୟାଦି ଫଳ ଗୁଡ଼ିକ ଟିଣ ଡ଼ବାରେ ଅନେକ ମାସ ବିତାଇ ନିଜ ନିଜର ରସ ସବୁ ନିଗାଡି ଦେଇଥିଲେ।' ସତେଜ' ଫଳ ସାଲାଡ୍ ର ଏପରି ଅବସ୍ଥା ବିଷୟରେ ଯେତେବେଳେ ପରିବେଷଣକାରୀ ମହିଳାଙ୍କୁ ପଚରା ଗଲା, ସେତେବେଳେ ସେ ଖୁସିରେ ଉତ୍ତର ଦେଇଥିଲେ, "ଓଃ, ପ୍ରିୟ ବନ୍ଧୁ, ସେମାନେ ଏହାକୁ ଏହିପରି ନାମ ଦେଇଛନ୍ତି ।" 

ଏହିପ୍ରକାର ପ୍ରତାରଣା କେବଳ ବିଜ୍ଞାପନରେ ଦେଖିବାକୁ ମିଳେ ନାହିଁ, ଏହା ସେତେବେଳେ ମଧ୍ୟ ଘଟେ, ଯେତେବେଳେ ଲୋକମାନେ ଈଶ୍ୱରଙ୍କ ସତ୍ୟ ଓ ଉତ୍ତମତାର ନିୟମରୁ ଦୂରେଇ ଯାଆନ୍ତି। ପ୍ରତାରଣା, ଭୁଲ୍ ନାମର ବ୍ଯବହାର ଓ ପ୍ରକାଶ୍ୟ ମିଥ୍ୟା ଗୋଟିଏ ଅନୈତିକ ବ୍ୟକ୍ତିର ବ୍ୟବସାୟିକ ଉପକରଣ ଅଟେ। ସ୍ୱାର୍ଥପର ଓ ଦୁଷ୍ଟ ଲୋକମାନେ ନିଜ ନିଜକୁ ଉଦାର ଓ ଉତ୍ତମ ବୋଲି କହନ୍ତି, ପାପର ଦାସମାନେ ନିଜ ନିଜକୁ ମୁକ୍ତ ବୋଲି କହନ୍ତି। ମୂର୍ଖମାନେ ନିଜ ନିଜକୁ ଜ୍ଞାନୀ ବୋଲି କହନ୍ତି। ପୁଣି ଲାଳସାରେପୂର୍ଣ୍ଣ  ଲୋକମାନେ ସେମାନଙ୍କର କାର୍ଯ୍ୟକୁ ପ୍ରେମ ବ୍ୟାପର ଭାବନାରେ ବର୍ଣ୍ଣନା କରନ୍ତି ଈଶ୍ୱର ଏପରି ଭୁଲ୍ ସଂଜ୍ଞା ଦ୍ଵାରା ପ୍ରତାରିତ ହୁଅନ୍ତି ନାହିଁ । ଯିଶାଇୟ ୫:୨୦ ରେ ସେ ସେହି ଲୋକମାନଙ୍କ ବିଷୟରେ ସତର୍କ କରିଦେଇଥିଲେ, ଯେଉଁମାନେ 'ମନ୍ଦକୁ ଭଲ, ଓ ଭଲ କୁ ମନ୍ଦ' ବୋଲି କହନ୍ତି। ଆମେ ସମସ୍ତ ସତ୍ୟ ସମ୍ବନ୍ଧରେ ଈଶ୍ୱରଙ୍କଠାରୁ ଆମର ସଂଜ୍ଞା ଗ୍ରହଣ କରିବା। ତାଙ୍କ ନିକଟରେ କୌଣସି ଭୂଲ୍ ନାମ କିମ୍ବା ସଂଜ୍ଞା ନାହିଁ।

ଚିକଣ କୁହା

 ଚିକଣ  କୁହା

ତିତସ୍ ୧:୫-୧୬

କିନ୍ତୁ ତୁମ୍ଭେ ହିତାଜନକ ଶିକ୍ଷାରେ  ଉପଯକ୍ତ କଥା କୁହ

(ତିତସ୍ ୨:୧)

 'ବାଗ୍ମୀତା,' ଅର୍ଥାତ୍ ବକୃତା ଦେବାର ଦକ୍ଷତା କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ବ୍ୟଙ୍ଗସୂଚକ ମନ୍ତବ୍ୟ ଦେଇ କହିଥିଲେ , "ଯଦି ଆପଣ କଳା କୁ ଧଳା କହନ୍ତି, ତେବେ ତାହା ମୂର୍ଖତା ଅଟେ । ମାତ୍ର ଯଦି ଆପଣ କଳା କୁ ଧଳା କହିବା ସମୟରେ ଗୋଟିଏ ବଳଦ ଭଳି ଗର୍ଜନ କରନ୍ତି, ଉଭୟ ହାତକୁ ମୁଠା କରି ମେଜ କୁ ଆଘାତ କରନ୍ତି, ଓ ମଞ୍ଚର ଗୋଟାଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବା ଆସିବା କରୁଥାନ୍ତି, ତେବେ ତାହା ବାଗ୍ମୀତା ଅଟେ। 

ଲୋକମାନେ ନିଜ ନିଜକୁ ଯେପରି ଭାବରେ ପ୍ରକାଶ କରନ୍ତି, ତଦ୍ୱାରା ଆମେ ଅତିଶୀଘ୍ର ଅଭିଭୂତ ହୋଇଯାଇପାରୁ, ଯଦିଓ ସେମାନଙ୍କ ବାର୍ତ୍ତା  ବିଷୟରେ ଆମ ମନରେ କିଛି ସନ୍ଦେହ ରହିଥାଏ। ଯିହୁଦା ସେହି  ଲୋକମାନଙ୍କ ବିଷୟରେ ଆମକୁ ସତର୍କ କରି ଦେଇଛନ୍ତି, ଯେଉଁମାନଙ୍କର 'ମୁଖ ବଡ଼ ବଡ଼ କଥା କୁହେ' (୧୬) ପଦ ଲୋକମାନେ, ପ୍ରାୟତଃ  ବିଷୟବସ୍ତୁ ଅପେକ୍ଷା ଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। 

ପାଉଲଙ୍କ ଅନୁସାରେ, ଏପରି ସମୟ ଆସିବ, ଯେତେବେଳେ ଲୋକମାନେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କେବଳ ସେହି ଲୋକମାନଙ୍କୁ ସହ୍ୟ କରିବେ, ଯେଉଁ ମାନେ ମଜାଳିଆ କଥା କହି ଲୋକମାନଙ୍କୁ ସନ୍ତୁଷ୍ଟ କରନ୍ତି (୨ ତିମଥି ୪:୩-୪)


ସେଥିପାଇଁ ଆମେ ଶୁଣୁଥିବା ପ୍ରତ୍ୟେକଟି  କଥା କୁ ଧର୍ମଶାସ୍ତ୍ରର

ଆଲୋକରେ ସାବଧାନତାର ସହିତ ବିଶ୍ଳେଷଣ ଓ ମୂଲ୍ୟାଙ୍କନ କରିବାକୁ ହେବ ଏପରିକି ଅତି ଦକ୍ଷ ବକ୍ତାମାନଙ୍କ ଶିକ୍ଷା କୁ ମଧ୍ୟ ପରୀକ୍ଷା କରିବାକୁ ହେବ । ସାଧାରଣ ବାଗ୍ମୀତା ଦ୍ଵାରା, ବିଶେଷ ଭାବରେ, ମଣ୍ଡଳୀ ଗୁଡ଼ିକରେ ପ୍ରଦତ୍ତ ଆଡମ୍ବର  ପୂର୍ଣ୍ଣ ବକୃତା ଦ୍ଵାରା ନିଜ ନିଜକୁ ଭସାଇ ନେବା ପାଇଁ ଆମେ ଅନୁମତି ଦେବା ନାହିଁ।

ଆପଣଙ୍କୁ ଦ୍ଵନ୍ଦଗ୍ରସ୍ତ କରିବା ପାଇଁ 'ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକମାନଙ୍କୁ  ଅନୁମତି ଦିଅନ୍ତୁନାଇ । ବାଗ୍ମୀତା ଆଦୌ ସତ୍ୟର ଏକ ପ୍ରତିବଦଳ ନୁହେଁ।



ସ୍ୱର୍ଗୀୟ ଗୃହ

 ସ୍ୱର୍ଗୀୟ ଗୃହ

କଲସୀୟ ୩:୧-୬

ପାର୍ଥିବ ବିଷୟରେ ଆସକ୍ତ ବା ନ ହୋଇ ଉର୍ଦ୍ଧ୍ବସ୍ଥ ବିଷୟରେ ଆସକ୍ତ ହୁଅ।   (କଲସୀୟ ୩:୨)


ଯୀଶୁଙ୍କର ଶିଷ୍ୟଭାବେ ମୋର ସ୍ୱର୍ଗୀୟ ଗୃହ ସହ ସଂଯୋଗ ରହିବା ଉଚିତ୍ ପାଉଲ କହନ୍ତି, "ଉର୍ଦ୍ଧ୍ବସ୍ଥ ବିଷୟ ପ୍ରତି ଆସକ୍ତ ହୁଅ" (କଲସୀୟ ୩:୧-୨) ଆମର ମାଣ୍ଡଳୀକ ସାମାଜିକ ଜୀବନର ନିୟନ୍ତ୍ରଣ କକ୍ଷ ସ୍ୱର୍ଗ ଅଟେ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଯେପରି ସେନାଧ୍ୟକ୍ଷର ଆଦେଶ ପ୍ରତି ମନୋଯୋଗ କରେ, ଆମକୁ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଆଦେଶ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ। ଜଣେ ଯୋଦ୍ଧା ସ୍ଵାଧୀନ ଚିନ୍ତାଧାରା ସମ୍ବଳିତ କାର୍ଯ୍ୟ ବା ନିଜ ପରିକଳ୍ପିତ  ଯୋଜନା କରି ନ ଥାଏ।

ସେ ଆପଣା ଉପରିସ୍ଥଙ୍କ ନିର୍ଦ୍ଦେଶ ପ୍ରତି ଅପେକ୍ଷା କରେ ଓ ତାଙ୍କ ନିର୍ଦ୍ଦେଶରେ ଅଗ୍ରସର ହୁଏ। ଯେହେତୁ ସେ ଜାଣେ ଯେ, ତାଙ୍କ ଆଦେଶ ବିନା ଅଗ୍ରସର ହେଲେ ସେ ଭୟଙ୍କର ବିପଦର ସମ୍ମୁଖୀନ ହେବ।

ଆମ ଜୀବନର ବିଫଳତା ପାଇଁ ଆମେ ଦାୟୀ। ଆମେ ନିଜର ଶାରୀରିକ ଅଭିଳାଷ ଓ ଚକ୍ଷୁର ଅଭିଳାଷ ଚରିତାର୍ଥ କରିବା ପାଇଁ ପ୍ରଭୁଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁ। ସମୟେ ସମୟେ ଆମେ ସଠିକ୍ ପଥ ଜାଣିଲେ ମଧ୍ୟ ଲୋକଭୟ ବା ଅନ୍ୟମାନଙ୍କର  ହସ୍ତକ୍ଷେପ ହେତୁ ସେହି ପଥରେ ଯାଇ ନ ଥାଉ। ତେବେ ସ୍ୱର୍ଗୀୟ ବିଷୟ ସକଳ ପ୍ରତି ଧ୍ୟାନ ଦେଲେ ଆମର ଆଚରଣରେ ଘୋର ପରିବର୍ତ୍ତନ ଆସିବ। ତେବେ ସ୍ୱର୍ଗରେ କେଉଁ ବିଷୟକୁ ପ୍ରାଧାନ୍ୟ ଦିଆଯାଏ ବା ସେଥିପାଇଁ ଆବଶ୍ୟକୀୟ ବିଷୟଗୁଡ଼ିକ କ'ଣ ତାହା ଆମେ ଜାଣିବା ଆବଶ୍ୟକ। ଆମେ ଜଗତରେ ଯେ ସକଳ କାର୍ଯ୍ୟରେ ବ୍ୟସ୍ତ ଓ ଚିନ୍ତାଗ୍ରସ୍ତ, ସ୍ବର୍ଗରେ ତାହାର କି ମୂଲ୍ୟ ଅଛି? ଯଦି ଆମେ ଆମର ନିୟନ୍ତ୍ରଣ କକ୍ଷ, ସ୍ୱର୍ଗର ଅଧିକାରୀ  ଯୀଶୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ଓ ତାହାଙ୍କ ବାକ୍ୟ ଦିବାରାତ୍ର ଧ୍ୟାନ କରିବା, ତା' ହେଲେ ଆମ ଜୀବନରେ କାହାକୁ ଅଗ୍ରାଧିକାର ଦେବା, ତାହା ଜାଣିପାରିବା। ତାଙ୍କ କର୍ତ୍ତୃତ୍ୱାଧୀନ ହେଲେ ଆମ ଜୀବନ ଆଶୀର୍ବାଦ ପାଇବ, ସେ ସେଥିରେ ଦୁଃଖ ଯୋଗ କରିବେ ନାହିଁ।

ଏକ ହତ୍ୟାର ଇତିହାସ

 ଏକ ହତ୍ୟାର ଇତିହାସ

ମାଥିଉ ୫:୨୧-୨୬

କଳିର ଆରମ୍ଭ ହେଉଛି (ବନ୍ଧ କାଟି) ଜଳ ଛାଡ଼ି ଦେବା ପରି, ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼ । (ହିତ ୧୭:୧୪)


ସମ୍ବାଦପତ୍ରରେ ଗୋଟିଏ ଦକ୍ଷିଣ ଆଫ୍ରିକୀୟ ଦେଶରେ ଘଟିଥିବା ହିଂସାତ୍ମକ ଦୁଃଖଦ ଘଟଣାର ସମ୍ବାଦ ଦେଇଥିଲା । ଗୋଟିଏ କୃଷକ ନିଜର ସର୍ବୋତ୍ତମ ବନ୍ଧୁଙ୍କ ସହିତ ରାଜନୈତିକ ମତଭେଦ ବିଷୟରେ ଯୁକ୍ତି ତର୍କ କରୁ କରୁ ତାଙ୍କୁ ହତ୍ୟା କରିଥିଲେ । ସେ ଏପରି କାହିଁକି କଲେ ବୋଲି ପ୍ରଶ୍ନ କରାଯିବାରୁ ସେ ପ୍ରୀତିଭଦ ବାକ୍ୟରେ ଉତ୍ତର ଦେଇଥିଲେ, "ଆମେ ଶାନ୍ତିରେ କଥାବାର୍ତ୍ତା ଆରମ୍ଭ କରିଥିଲୁ, ଓ ଏହାପରେ ଯୁକ୍ତିତର୍କ କରିଥିଲୁ। ଯେତେବେଳେ ସେ କଥା କହିବାର ସୀମା ଟପିଗଲା, ସେତେବେଳେ ମୁଁ ତାକୁ ହତ୍ୟା କଲି ।" 


ଏହି ଦୁଃଖଦ ଘଟଣା କ୍ରୋଧ ଓ ନରହତ୍ୟା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ସମ୍ବନ୍ଧରେ ମାଥିଉ ୫ ପର୍ବ ରେ ଯୀଶୁଙ୍କ ଶିକ୍ଷା କୁ ମନେ ପକାଇଦିଏ । ପ୍ରଥମେ ସେ କ୍ରୋଧର ଗାମ୍ଭୀର୍ଯ୍ୟ ଉପରେ ଗୁରୁତ୍ବ ଦେଇଥିଲେ (୨୧-୨୨ପଦ) ନରହତ୍ୟା ସଦୃଶ୍ୟ, ଈର୍ଷାଜନିତ କ୍ରୋଧକୁ ଈଶ୍ଵର ଦଣ୍ଡ ଦେବେ ବୋଲି ସେ ସତର୍କ କରିଦେଇଥିଲେ । ଏହାପରେ ସେ ଜଣେ ବ୍ୟକ୍ତିର ଅନ୍ୟପ୍ରତି ଥିବା କ୍ରୋଧ ଭାବକୁ ଦୂର କରିବା ପାଇଁ ବ୍ୟବହାରିକ ଉପଦେଶ ଦେଇଥିଲେ (୨୩-୨୬ପଦ)


 ଆମେ ଆମର ଆଭ୍ୟନ୍ତରୀଣ କ୍ରୋଧ ପ୍ରତି ନିକଟରୁ ଦୃଷ୍ଟିପାତ କରିବା ଉଚିତ୍ । ଆମେ ଏହାକୁ ନିୟନ୍ତ୍ରଣ କରିପାରିବୁ ବୋଲି ଭାବିପାରୁ । ଦୂର୍ଭାଗ୍ୟବଶତଃ, ଆମର ଶତ୍ରୁତାଭାବ ଆମକୁ ପ୍ରାୟ ନିୟନ୍ତ୍ରଣ କରେ ଓ ଏପରି ବିଷୟ କରିବାକୁ ଆମକୁ ପ୍ରରୋଚିତ କରେ, ଯାହା ଆମେ ସ୍ପଷ୍ଟଭାବରେ ଚିନ୍ତା କରିବା ସମୟରେ ଆଦୌ କରି ନ ଥାନ୍ତୁ । ସେଥିପାଇଁ ଶାନ୍ତ ହୋଇ ନ ଥିବା କ୍ରୋଧକୁ ଏପରି ଏକ ସମୟ ବୋମା ଭାବରେ ଦେଖାଯିବା ଆବଶ୍ୟକ, ଯାହାର ବିସ୍ଫୋରଣ ଘଟିପାରେ ଓ ଆମକୁ ଧ୍ଵଂସ କରିବା ସଙ୍ଗେ ସଙ୍ଗେ ଏହା ଅନ୍ୟ ମାନଙ୍କର ଅପୂରଣୀୟ କ୍ଷତି କରିପାରେ । ଅବଶ୍ୟ, ସମସ୍ତ କ୍ରୋଧ ଭୁଲ୍ ନୁହେଁ । ମାତ୍ର ସମସ୍ତ ଭୁଲ୍ କ୍ରୋଧକୁ ସ୍ଵୀକାର କରାଯିବା ଓ ଏହା 'ହତ୍ୟା' ଦିଗକୁ କଢ଼ାଏ ନେବା ପୂର୍ବରୁ ଏହାକୁ ଦୂର କରିବା ଆବଶ୍ୟକ ଅଟେ ।