BN

ମନଯୋଗୀ ଈଶ୍ଵର

 ମନଯୋଗୀ ଈଶ୍ଵର

ଆଜିର ଚିନ୍ତା

ଲୁକ ୯:୧-୧୭


କରୁଣାମୟ ଖ୍ରୀଷ୍ଟ ଆମର ସମସ୍ତ ଆବଶ୍ୟକତା ଜାଣନ୍ତି । 


ପରମେଶ୍ଵର ଏକ ବିଶେଷ ଉଦ୍ଦେଶ୍ୟ ନେଇ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁସୃଷ୍ଟି କଲେ । ଆମର ଶାରୀରିକ ଓ ଆତ୍ମିକ ଅଭାବକୁ ଯୋଗାଇବାରେ ଓ ପୂରଣ କରିବାରେ ତାଙ୍କର ସାମର୍ଥ୍ୟ ଓ ପରାକ୍ରମ ଯେ ଯଥେଷ୍ଟ ଏହି ଅଂଶରେ ତାହା ବର୍ଣ୍ଣନା କରାଯାଇଛି । 


ଆଦର୍ଶ ନେତୃତ୍ୱ : ଯୀଶୁ ସମାଜର ବିଭିନ୍ନ ସ୍ତରର ଲୋକମାନଙ୍କୁ ତାଙ୍କର ଶିଷ୍ୟ ରୂପେ ଆହ୍ୱାନ କଲେ । ସେମାନେ ମଧ୍ୟ ବାଧ୍ୟବାଧକତା ହେତୁ ନୁହେଁ ମାତ୍ର ଆହ୍ୱାନର ଗୁରୁତ୍ୱ ବୁଝି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ସମାଜର ଉଚ୍ଚ ନୀଚ୍ଚ ପ୍ରଭେଦକୁ ଭାଙ୍ଗି ଯୀଶୁ ଶିଷ୍ୟମାନଙ୍କୁ ସମାନ ଅଧିକାର ଦେଲେ ପୁଣି ଦଳର ନେତା ଭାବେ ବ୍ୟକ୍ତିଗତ ରୂପେ ସେ ପ୍ରତ୍ୟେକର ପରିଚୟ ଜାଣିଥିଲେ । ସେ ଶିଷ୍ୟମାନଙ୍କୁ ଉପଯୁକ୍ତ ତାଲିମ ଦ୍ଵାରା ପ୍ରଚାରକାର୍ଯ୍ୟ ନିମନ୍ତେ ଶିକ୍ଷିତ କରିଥିଲେ । ସର୍ବ ଶେଷରେ ରୋଗସୁସ୍ଥ କରିବା, ଭୂତ ଛଡ଼ାଇବା ଇତ୍ୟାଦି ସବୁ ଉପରେ ସେହି ସ୍ୱର୍ଗୀୟ ଶକ୍ତି ଓ କ୍ଷମତା ହସ୍ତାନ୍ତର କରିଥିଲେ । 


ଆଦର୍ଶ କାର୍ଯ୍ଯ : ଯୀଶୁ ତାଙ୍କ ଶିଷ୍ୟ ଓ ଅନୁସରଣ କରୁଥିବା ଜନତାଙ୍କ ଆବଶ୍ୟକତା ପ୍ରତି ସଚେତନ ଥିଲେ । ଯୀଶୁ ସେମାନଙ୍କୁ ଆତ୍ମିକ ଖାଦ୍ୟ ବଣ୍ଟନ କରିବା ପରେ ସେମାନଙ୍କ ଶାରିରୀକ ଖାଦ୍ୟର ବ୍ୟବସ୍ଥା ପାଇଁ ଚିନ୍ତା କଲେ ଏବଂ ଶିଷ୍ୟମାନଙ୍କୁ କହିଲେ "ତୁମ୍ଭେମାନେ ଏମାନଙ୍କୁ ଭୋଜନ କରାଅ" । ଏହି ସମାଗମ ମଧ୍ୟରେ ଶିଷ୍ୟମାନେ ଜଣେ ବାଳକ ପାଖରୁ ପାଞ୍ଚଗୋଟି ରୋଟି ଏବଂ ଦୁଇଟି ଭଜାମାଛ ପାଇଲେ । ସେହି ଅଳ୍ପ ଖାଦ୍ୟକୁ ଯୀଶୁ ହସ୍ତରେ ନେ଼ଇ ଉର୍ଦ୍ଧ୍ବ ଦୃଷ୍ଟି କରି ପ୍ରାର୍ଥନା କରି ଆଶୀର୍ବାଦ ମାଗିଲେ ଏବଂ ଖାଦ୍ୟକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଆଦେଶ ଦେଲେ । ଲୋକମାନେ ଖାଇ ପରିତୃପ୍ତ ହେଲେ ପୁଣି ସେଥିର ବାର ଟୋକାଇ ଅବଶିଷ୍ଟ ରହିଗଲା, ଏହି ଅସମ୍ଭବ କାର୍ଯ୍ୟ ପାଇଁ ସେଦିନ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ଆଜ୍ଞାର ବାଧ୍ୟ ହୋଇଥିବାରୁ ପୁଣି ପିଲାଟିର ତ୍ୟାଗର ଜୀବନ ଦ୍ଵାରା ସେମାନେ ଅଲୌକିକ କାର୍ଯ୍ୟ ଦେଖିପାରିଥିଲେ । 


ଆଜିର ଶାସ୍ତ୍ରାଂଶରେ ବର୍ଣିତ ଯୀଶୁଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରମାଣ କରେ  ଯେ ଯୀଶୁ ହିଁ ଜୀବନର ରୋଟି । ସେ ଆମର ଶାରିରୀକ ଏବଂ ଆତ୍ମିକ ସମସ୍ତ ଆବଶ୍ୟକତା ପୂରଣ କରିପାରନ୍ତି, ଯେତେବେଳେ ଆମ ଜୀବନରେ ଥିବା ଅଳ୍ପ ବିଷୟକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରୁ, ସେ ତାହା ନେଇ ଅଲୌକିକ ଭାବରେ ତାଙ୍କ ରାଜ୍ୟର ଗୌରବ ନିମନ୍ତେ ବ୍ୟବହାର କରିବେ ଏବଂ ଆମେ ଜୀବନରେ ପରିତୃପ୍ତତା ଲାଭ କରିବା । 

No comments:

Post a Comment

Kindly give your suggestions or appreciation!!!