BN

ବିଶ୍ବାସର ଫଳ

 ବିଶ୍ବାସର ଫଳ

ଆଜିର ଚିନ୍ତା

ଲୁକ ୮:୪୦:୫୬


ଆଜି ମୋର ବିଶ୍ଵାସ ଦୃଢ଼ ଅବା ଦୁର୍ବଳ ? 


ଆଜିର‌ ଶାସ୍ତ୍ରାଂଶରେ ଦୁଇଟି ବିଷୟ ଦେଖିବାକୁ ମିଳେ, ଯାଈରସଙ୍କ ଧୈର୍ଯ୍ୟପୂର୍ଣ୍ଣ ବିଶ୍ଵାସ ଏବଂ ପ୍ରଦର ରୋଗଗ୍ରସ୍ତା ସ୍ତ୍ରୀର ଦୃଢ଼ ଅଟଳ ବିଶ୍ଵାସ । ଉଭୟେ ଯୀଶୁଙ୍କ ଶକ୍ତି ଓ ପରାକ୍ରମ ଉପରେ ବିଶ୍ଵାସ ସ୍ଥାପନ କରିଥିଲେ। ଯଦ୍ଵାରା ସେମାନେ ଯୀଶୁଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । 


ଜଣେ ବ୍ୟାକୁଳ ପିତା : ଯାଈରସ ସମାଜ ଗୃହର ଅଧ୍ୟକ୍ଷ ଥିଲେ । ତାଙ୍କର ଏକମାତ୍ର କନ୍ୟା ମୃତପ୍ରାୟ ପୀଡ଼ିତ ଥିଲା । ସେ ଜାଣିଥିଲେ ଯୀଶୁ ହାତ ରଖିଲେ ତାଙ୍କ ଝିଅ ଭଲ ହୋଇଯିବ, ପୁଣି ସେ ନମ୍ର ଭାବରେ ଯୀଶୁଙ୍କ ଚରଣ ତଳେ ପଡି ତାଙ୍କ ଝିଅର ସୁସ୍ଥତା ପାଇଁ ନିବେଦନ କରିଥିଲେ । ବିଶ୍ଵାସ ଈଶ୍ଵରଙ୍କ ସହିତ ଏକ ଜୀବନ ଦାୟକ ସମ୍ପର୍କ ସ୍ଥାପନ କରେ । ଯେତେବେଳେ ଗୃହରୁ ଖବର ଆସିଲା ଝିଅଟି ମରିଗଲାଣି, ସେତେବେଳେ ଯୀଶୁ ତାହାଙ୍କୁ କହିଲେ ଭୟ କର ନାହିଁ, କେବଳ ବିଶ୍ଵାସ କର । ଏହି ସ୍ଥାନରେ ଦୁଇଟି ବିଷୟ ଦେଖିବାକୁ ମିଳେ । କର୍ମ ଓ ବିଶ୍ଵାସ ଦ୍ଵାରା ତାଙ୍କ ଝିଅଟି ଯୀଶୁଙ୍କ ଦ୍ଵାରା ସୁସ୍ଥତା ପ୍ରାପ୍ତ ହେଲା । 


ଜଣେ ରୋଗଗ୍ରସ୍ତା ସ୍ତ୍ରୀ : ଏହି ସ୍ତ୍ରୀ ଲୋକର ସିଦ୍ଧାନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଦୀର୍ଘ ବାର ବର୍ଷ ଧରି ପ୍ରଦର ରୋଗରେ ପୀଡ଼ିତ ଥିଲା । ଅନେକ ବୈଦଙ୍କ ଦ୍ବାରସ୍ଥ ହେବା ସଙ୍ଗେ ସଙ୍ଗେ ସୁସ୍ଥତା ନିମନ୍ତେ ଅନେକ ଅର୍ଥ ବ୍ୟୟ କରିଥିଲା, ସବୁ ସ୍ଥାନକୁ ଯାଇ ସେ ନିରାଶ ହୋଇ ସାରିଥିଲା । ଯୀଶୁଙ୍କ ବସ୍ତ୍ର ଛୁଇଁଲେ ସେ ସୁସ୍ଥ ହୋଇପାରିବ ଏହି ଦୃଢ଼ ବିଶ୍ଵାସ ତାଙ୍କର ଥିଲା । ଯୀଶୁଙ୍କ ସ୍ପର୍ଶ ପାଇବା ପାଇଁ ତା' ପ୍ରାଣ ଆତୁର ହେଲା, ଏତେ ଲୋକ ଗହଳି ମଧ୍ୟରେ ସ୍ତ୍ରୀ ଲୋକଟି ଆସି ତାଙ୍କ ବସ୍ତ୍ରର ଝୁମ୍ପାକୁ ଛୁଇଁ ସୁସ୍ଥତା ଲାଭ କଲା । ଏକଥା କେହି ନ ଜାଣିଲେ ମଧ୍ୟ ଯୀଶୁ କେବଳ ତାହା ଜାଣିପାରିଲେ, ସେ କହିଲେ ମୋ' ଠାରୁ ଶକ୍ତି ନିର୍ଗତ ହେଲା । ଯୀଶୁ ତାହାର ବିଶ୍ଵାସର ପ୍ରଶଂସା କରିଥିଲେ । 


ଏହି ଦୁଇଟି ଘଟଣାରୁ ଆମେ ସେମାନଙ୍କ କାର୍ଯ୍ୟକାରୀ ବିଶ୍ଵାସ ଦେଖୁ, ଯେପରି (ଯାକୁବ ୨:୨୦) ଲେଖାଯାଏ କର୍ମ ବିନା ବିଶ୍ଵାସ ମୃତ । ପୁଣି ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ (ଏବ୍ରି ୧୧:୬) । ହୁଏତ ଆମେ କହିପାରୁ "ମୁଁ ଯୀଶୁଙ୍କୁ ବିଶ୍ଵାସ କରେ" ଏହା ମୁଖରେ ସ୍ଵୀକାର କରିବା ଯଥେଷ୍ଟ ନୁହେଁ, ମାତ୍ର ନିଜ ଜୀବନକୁ ତାହାଙ୍କଠାରେ ସମର୍ପଣ କରି ସେହି ବିଶ୍ଵାସକୁ କାର୍ଯ୍ୟରେ ପ୍ରତିଫଳିତ କରିବା । ଯଦ୍ଵାରା ଅନ୍ୟମାନେ ପ୍ରଭୁଙ୍କ ପରିଚୟ ପାଇବେ ଏବଂ ପ୍ରଭୁ ଗୌରବାନ୍ଵିତ ଓ ମହିମାନ୍ଵିତ ହେବେ । 

No comments:

Post a Comment

Kindly give your suggestions or appreciation!!!