BN

ଅନାଜ୍ଞାବହତାର ପରିଣାମ

 ଅନାଜ୍ଞାବହତାର ପରିଣାମ

ଆଜିର ଚିନ୍ତା 

୧ ଶାମୁୟେଲ ୩୧:୧-୧୩


ମୁଁ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇପାରିଛି କି ?


ସଦାପ୍ରଭୁ ଶାଉଲଙ୍କୁ ଇସ୍ରାଏଲମାନଙ୍କର ସମ୍ରାଟ ରୂପେ ଅଭିଷିକ୍ତ କଲେ । ପଲେଷ୍ଟିୟମାନଙ୍କୁ ତାଙ୍କ ଦ୍ଵାରା ସଂହାର କରିବେ ବୋଲି ଶାମୁୟେଲଙ୍କଠାରୁ କରିଥିବା ସତ୍ୟ ଲଂଘନ କରି ପତିତ ହେଲେ ।


ସଦାପ୍ରଭୁଙ୍କ କ୍ରୋଧ :

ଶାଉଲ ଗିଲବୋୟ ପର୍ବତରେ ପ୍ରଥମେ ଯୁଦ୍ଧ କରି ରାଜକୀୟ କାର୍ଯ୍ୟ ଆରମ୍ଭ କରିଥିଲେ । ୪୦ ବର୍ଷ ପରେ ସେହି ପର୍ବତରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା । ସେ ଆପଣା ରାଜତ୍ଵକାଳ ମଧ୍ୟରେ, ଆପଣା ରାଜ୍ୟର ସୀମା ମଧ୍ୟ ବୃଦ୍ଧି କରିପାରି ନ ଥିଲେ । ସଦାପ୍ରଭୁ, ତାଙ୍କୁ ଅପରାଧ ସ୍ଵୀକାର କରି ଫେରି ଆସିବାକୁ ସଚେତନ କରାଉଥିଲେ । ସେ ଅନେକ ସମୟରେ ନିଜର ଭୁଲ୍ କୁ ସ୍ଵୀକାର କରୁଥିଲେ ସତ, ମାତ୍ର ଅନୂତପ୍ତ ହୋଇ କ୍ଷମା ପ୍ରାର୍ଥନା ସହିତ ପାପକୁ ପରିତ୍ୟାଗ କରିପାରୁ ନ ଥିଲେ । ଶେଷରେ ପ୍ରଭୁଙ୍କୁ ମଧ୍ୟ  ପରିତ୍ୟାଗ କରି ନିଜେ ବିପଦର ସମ୍ମୁଖୀନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦର ମୁହଁକୁ ଠେଲି ଦେଇଥିଲେ । ତାଙ୍କ ଚକ୍ଷୁ ସମ୍ମୁଖରେ ତାଙ୍କର ତିନି ପୁଅ ହତ ହେଲେ । ନିଜେ ମଧ୍ୟ ଧନୁର୍ଦ୍ଧରମାନଙ୍କ ଦ୍ଵାରା ଆହତ ହୋଇ, ଆପଣାକୁ ଖଡ୍ଗ ଉପରେ ପକାଇ ଆତ୍ମହତ୍ୟା କଲେ । ବାସ୍ତବରେ ସଦାପ୍ରଭୁଙ୍କ କ୍ରୋଧରୁ କିଏ ପଳାୟନ କରିପାରେ ।


ଉପକାର ସ୍ମରଣ କରିବା :

ଶାଉଲ, ସଦାପ୍ରଭୁଙ୍କର ଉପକାରକୁ ବିସ୍ମରଣ କରି ବିନଷ୍ଟ ହେଲେ । ପଲେଷ୍ଟିୟମାନେ ତାଙ୍କର ମସ୍ତକକୁ ଚ୍ଛେଦନ କରି ମୃତ ଶରୀରକୁ ବୈଥଶାନ ପ୍ରାଚୀରରେ ଟଙ୍ଗାଇ ଦେଲେ । ମାତ୍ର ଯାବେଶ ଗିଲିୟଦୀୟ ମାନେ, ଶାଉଲଙ୍କ ଠାରୁ ପାଇଥିବା ଉପକାରକୁ ସ୍ମରଣ କରି ରାତ୍ରିଯାକ ଯାତ୍ରା କରି ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସଂଗ୍ରହ କରି ଆଣି ଯାବେଶ ରେ ଦଗ୍ଧ କଲେ ଓ ଅସ୍ଥି ନେଇ ଯାବେଶସ୍ଥ ଝାଉଁଗଛ ମୂଳରେ ପୋତି ସାତଦିନ ପର୍ଯ୍ୟନ୍ତ ଶୋକ କରି ଆପଣାର କୃତଜ୍ଞତା ଅର୍ପଣ କଲେ ।


"ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା" (ଯାକୁବ ୧:୨୨), ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ, ବିଶ୍ବାସୀନି ମାନଙ୍କର କର୍ତ୍ତବ୍ୟ । ଏହାହିଁ ହେଉଛି କଠିନତମ ପଦକ୍ଷେପ । ଏପରି କଲାବେଳେ ଶୟତାନ ନିଶ୍ଚିତ ରୂପେ ଆମ ସହିତ ଯୁଦ୍ଧ କରିବ। ଆମେ ଯଦି ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇ ସେହି ବାକ୍ୟକୁ ଜୀବନରେ ପ୍ରତିଫଳନ କରିବା, ତେବେ ଆମେ କେବେହେଁ ପରାଜିତ ହେବା ନାହିଁ ।

ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

 ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

ଆଜିର ଚିନ୍ତା

୧ ଶାମୁୟେଲ ୩୦ : ୧- ୩୧

ମୁଁ ସବୁବେଳେ ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ଅଟେ କି ?


ସଦାପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି (ଏବ୍ରୀ ୧୨:୬)  ।


ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା : 

ସଦାପ୍ରଭୁ ଦାଉଦଙ୍କୁ ଏକ ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କଲେ । ଆଶ୍ବସ୍ତ ହୋଇ ସିକ୍ଲଗକୁ ଫେରି ଆସି ସେ ଅନ୍ୟ ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ । ତାଙ୍କ ଅନୁପସ୍ଥିତିରେ ତଥା ଅଜ୍ଞାତରେ, ଅମାଲେକୀୟମାନେ ପ୍ରତିଶୋଧ ନେବା ପାଇଁ ତାଙ୍କର ବସତି ନଗରକୁ ପୋଡ଼ିଜାଳି ଧ୍ବଂସ କରି ସାନବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ । ଦାଉଦ ଓ ତାଙ୍କର ସଙ୍ଗୀମାନେ ମାନସିକଭାବେ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଲେ । ସେମାନଙ୍କର ଶାରୀରିକ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲା । ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦାଉଦଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ବାହାରିଲେ । ଦାଉଦ ବିଚଳିତ ନ ହୋଇ ପରମେଶ୍ବରଙ୍କ ନିକଟରେ ସମର୍ପିତ ହୋଇ ଶକ୍ତିପ୍ରାପ୍ତ ହେଲେ  ଈଶ୍ୱରଙ୍କ ଆଜ୍ଞାମତେ ସେହି ସୈନ୍ୟଦଳର ପଛେ ପଛେ ଯାଇ ହୃତ ସମସ୍ତଙ୍କୁ ଉଦ୍ଧାର କରିବା ସହିତ, ଲୁଟଦ୍ରବ୍ୟ ସବୁ ଫେରାଇ ଆଣିଲେ । 


ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେବା :

ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦାଉଦ ଈଶ୍ୱରଙ୍କର ସନ୍ତୋଷଜନକ ଦୁଇଟି କାର୍ଯ୍ୟ କରିଛନ୍ତି । ବିଷୋର ନଦୀ ପରି ହୋଇ ଯିବା ସମୟରେ ଜଣେ ଅମାଲେକୀୟ ମୁନିବ ଦ୍ଵାରା ପରିତ୍ୟକ୍ତ ଜଣେ ମିସ୍ରୀୟ ଯୁବା ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତା'ର ଜୀବନ ରକ୍ଷା କଲେ । ନିଜ ପ୍ରିୟଜନଙ୍କ ପାଇଁ କେବଳ ଚିନ୍ତା କରି ବାଟ ଭାଙ୍ଗି ଚାଲିଯାଇଥିଲେ, ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥାନ୍ତା । ପ୍ରତିଦାନର ଆଶା ନ ରଖି ଅନ୍ୟମାନଙ୍କ ଆଡ଼କୁ ସାହାଯ୍ୟର ହାତ ବଢାଇଲେ, ଆମେ ସଦାପ୍ରଭୁଙ୍କଠାରୁ  ଆବଶ୍ୟକତାରୁ ଅଧିକ ପ୍ରାପ୍ତ ହୋଇଥାଉ । ସେହିପରି କ୍ଳାନ୍ତ ହୋଇ ପଛରେ ରହିଯାଇଥିବା ସଙ୍ଗୀମାନଙ୍କୁ  ଯୁଦ୍ଧରୁ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର କୁଶଳବାର୍ତ୍ତା ବୁଝିଲେ । ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହିତ ଲୁଟଦ୍ରବ୍ୟର ମଧ୍ୟ ଅଂଶୀ କରାଇଲେ । ଆଉ ସେ ସଦାପ୍ରଭୁଙ୍କ ଦ୍ଵାରା ବହୁଗୁଣରେ ଆଶୀର୍ବାଦପ୍ରାପ୍ତ ହେଲେ । ଅନ୍ୟଠାରୁ ଗ୍ରହଣ କରିବା ଅପେକ୍ଷା, ଦାନ ଦେବା ଦ୍ଵାରା ଆମେ ଅଧିକ ଆଶୀର୍ବାଦପ୍ରାପ୍ତ ହୋଇଥାଉ ।

ଅବାଧ୍ୟତାର ପରିଣାମ

 ଅବାଧ୍ୟତାର  ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୨୮:୧-୨୫


ମୁଁ ପରମେଶ୍ବରଙ୍କ ରବ ପ୍ରତି ମନୋଯୋଗୀ ହୋଇ କାର୍ଯ୍ୟ କରୁଅଛି କି ?


ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ତଥା ଅଭିଷିକ୍ତ ରାଜା ଥିଲେ ଶାଉଲ । ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହୋଇ ଗୌରବ ଓ ମହିମାର ଅଧିକାରୀ କରିଥିଲେ । ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରାଜତ୍ଵ କରିବା ପାଇଁ ସୁଯୋଗ ଦେଇଥିଲେ । ମାତ୍ର ସେ ସଦାପ୍ରଭୁଙ୍କଠାରୁ ବିମୁଖ ହୋଇ ଅବାଧ୍ୟ ହେଲେ । ତହିଁର ପରିଣାମ ଆମେ ପଠିତ ଶାସ୍ତ୍ରାଂଶରେ ଦେଖିବାକୁ ପାଉଛୁ । 


ଅବାଧ୍ୟତାର ଫଳ : 

ଗିଲବୋୟ ଉପତ୍ୟକାରେ ଯେତେବେଳେ  ପଲେଷ୍ଟୀୟ ଓ ଇସ୍ରାଏଲୀୟ ସେନାବାହିନୀ ପରସ୍ପରର ସମ୍ମୁଖୀନ ହେଲେ, ସେତେବେଳେ ଶାଉଲ ଯୁଦ୍ଧାସ୍ତ୍ରରେ ସୁସଜ୍ଜିତ ପଲେଷ୍ଟୀୟମାନଙ୍କର ବିଶାଳ ସୈନ୍ୟବାହିନୀକୁ ଦେଖି ଭୟଭୀତ ହୋଇ ସଦାପ୍ରଭୁଙ୍କୁ ପରାମର୍ଶ ମାଗିଲେ । ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ବାରମ୍ବାର ସଦାପ୍ରଭୁଙ୍କର ଆଜ୍ଞାକୁ ସେ ଅବଜ୍ଞା କରିସାରିଥିଲେ । ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କରି ନ ଥିଲେ । ସଦାପ୍ରଭୁଙ୍କର ଅଭିଷିକ୍ତ ଯାଜକମାନଙ୍କୁ ହତ୍ୟା କରିଥିଲେ।  ସଦାପ୍ରଭୁ ଆଉ ତାଙ୍କର ନିବେଦନ ପ୍ରତି ମନୋଯୋଗ କଲେ ନାହିଁ । ସପ୍ନ କି ଦର୍ଶନରେ ସୁଦ୍ଧା ତାଙ୍କୁ କୌଣସି ମନ୍ତ୍ରଣା ଅବା ଚାଳନା ପ୍ରଦାନ କଲେ ନାହିଁ । ଆମେ ଯଦି ନିଜ ଇଚ୍ଛାନୁଯାୟୀ ଜୀବନ କାଟିବା, ତେବେ ସଦାପ୍ରଭୁ ପରମେଶ୍ୱର ଆମର ପ୍ରାର୍ଥନାରେ ମଧ୍ୟ ମନୋଯୋଗ କରିବେ ନାହିଁ । 


ଭୁଲ୍ ନିଷ୍ପତି :

ଶାଉଲ ବ୍ୟବସ୍ଥା ଲଂଘନ ପରି ଏକ ଭୁଲ୍ ନିଷ୍ପତି ନେଇ, ଅନ୍ୟ ଏକ ଜଘନ୍ୟ ପାପ କରି ବସିଲେ । ଯେଉଁ ଭୂତୁଡ଼ିଆମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ଶରଣାପନ୍ନ ହେଲେ । ଛଦ୍ମ ବେଶରେ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଲୋକ ନିକଟକୁ ଯିବା ଦ୍ଵାରା ନିଜକୁ ତଥା ସଦାପ୍ରଭୁଙ୍କୁ ଅସ୍ବୀକାର କଲେ । ଭବିଷ୍ୟତବକ୍ତାଙ୍କର ଆତ୍ମାକୁ ଉଠାଇ ଆଣି, ପରମେଶ୍ୱରଙ୍କ ଇଛା ଜାଣିବା ପାଇଁ ମନସ୍ଥ କଲେ । ସଦାପ୍ରଭୁ ଶାମୁୟେଲଙ୍କ ଆତ୍ମା ଦ୍ଵାରା ସଦାପ୍ରଭୁ ଯେ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଓ ତାଙ୍କର ରାଜ୍ୟ ଦାଉଦଙ୍କୁ ଦେଇଅଛନ୍ତି ବୋଲି ଜଣାଇଲେ । ଏହା ଶୁଣି ସେ ଭୟଭୀତ ହୋଇପଡ଼ିଲେ ଓ ତାଙ୍କର ବଳ କ୍ଷୀଣ ହେବାକୁ ଲାଗିଲା । ବାରମ୍ବାର ଆଜ୍ଞା ଲଂଘନ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ଶାମୁୟେଲ ଓ ଦାଉଦ ତାଙ୍କୁ ସଚେତନ କରାଇଥିଲେ । ସଦାପ୍ରଭୁ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଏବଂ ଉତ୍ତର ଦେଉନାହାନ୍ତି ଏହା ସେ ନିଜେ ସ୍ଵୀକାର କରୁଥିଲେ, ତଥାପି ଭୁଲ୍ ପଥରୁ ଫେରି ଆସିପାରିଲେ ନାହିଁ ।

ଦୁର୍ବଳ ବିଶ୍ଵାସ

 ଦୁର୍ବଳ ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୭:୧-୧୨


ମୋର ଦୁର୍ବଳ ବିଶ୍ଵାସ ମତେ ପଥଭ୍ରଷ୍ଟ କରୁଅଛି କି ?


ସଦାପ୍ରଭୁ ଆମର ସୁରକ୍ଷାର ଭାର ବହନ କରିଛନ୍ତି । ଏହି ସତ୍ୟ ଆମ୍ଭମାନଙ୍କୁ ଜ୍ଞାତ ଅଛି; ତଥାପି ଶୟତାନ ଆମ୍ଭମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଥାଏ । ଆମର ବିଶ୍ବାସ ଦୁର୍ବଳ ହୋଇଯାଏ । ଆମେ ଭୟରେ ଭୁଲ୍ ସିଦ୍ଧାନ୍ତ ଗ୍ରହଣ କରି ଦୁଖଃଭୋଗ କରିଥାଉ । ପରମେଶ୍ବରଙ୍କ ଦ୍ଵାରା ମନୋନୀତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ସେ କେବେ ହେଁ ପରିତ୍ୟାଗ କରନ୍ତି ନାହିଁ ।


ଦାଉଦଙ୍କ ଦୁର୍ବଳତା :

ଶାଉଲଙ୍କ କବଳରୁ ରକ୍ଷା ପାଇବା ପାଇଁ, ଦାଉଦଙ୍କୁ ବହୁ ଘାତପ୍ରତିଘାତ ମଧ୍ୟରେ ଯିବାକୁ ପଡ଼ିଥିଲା । ସଦାପ୍ରଭୁ କିନ୍ତୁ ସମସ୍ତ ପରିସ୍ଥିତିରେ ତାଙ୍କର ସହବର୍ତ୍ତୀ ହୋଇଥିଲେ । ଭୁଲ୍ ପଦକ୍ଷେପ ନେବାକୁ ବାରଣ କରୁଥିଲେ । ଅବୀଗଲଙ୍କ ମାଧ୍ୟମରେ ମଧ୍ୟ ଏହି ବିଷୟରେ ସଚେତନ କରାଇ ଦେଇଥିଲେ । ଶାଉଲଙ୍କ ଦ୍ଵାରା ବିନଷ୍ଟ ହେବାର ଭୟକୁ ପ୍ରାଧlନ୍ୟ ଦେଇ ଦାଉଦ ପଲେଷ୍ଟୀୟ ରାଜା ଆଖୀଶଙ୍କର ଶରଣାଗତ ହେଲେ । ଈଶ୍ଵର ଯେ ତାଙ୍କୁ ମନୋନୀତ କରିଛନ୍ତି ଓ ତାଙ୍କୁ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରିଅଛନ୍ତି, ଏହା ଭୁଲିଗଲେ । ତାଙ୍କର ଏହି ସିଦ୍ଧାନ୍ତରେ ସେ ଓ ତାଙ୍କର ସଙ୍ଗୀମାନେ ଶତ୍ରୁମାନଙ୍କ ରାଜ୍ୟରେ ଶରଣାର୍ଥି ହୋଇ ରହିଲେ। 


ଦାଉଦଙ୍କ ଚତୁରତା :

ସଦାପ୍ରଭୁଙ୍କଠାରୁ ଆମେ ଯେତେ ଦୂରକୁ ଗଲେ ମଧ୍ୟ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ । ଆମର ଦୁର୍ବଳତାରେ ତାଙ୍କର ବଳ ସିଦ୍ଧ ହୁଏ । ଶତ୍ରୁ ରାଜ୍ୟରେ ସେ ଦାଉଦଙ୍କୁ ଇସ୍ରାଏଲ ନିମନ୍ତେ ବିନିଯୋଗ କଲେ । ରାଜା ଆଖୀଶଙ୍କୁ ଅନୁରୋଧ କରି ଦାଉଦ ପଲେଷ୍ଟୀୟ ରାଜଧାନୀ ଗାଥରେ ନ ରହି, ଯିହୂଦୀୟମାନଙ୍କର ପୂର୍ବେ ଅଧିକୃତ ସିକ୍ଲଗରେ ରହିଲେ ।  ଯୋଜନା କରି ଇସ୍ରାଏଲର ଶତ୍ରୁ ଦେଶଗୁଡ଼ିକୁ ଆକ୍ରମଣ କରି ଅଧିକାର କରିବାକୁ ଲାଗିଲେ । ପ୍ରମାଣ ଲୋପ କରିବା ପାଇଁ ଯିହୂଦୀ ଲୋକମାନଙ୍କୁ ରକ୍ଷା କରି ସେମାନଙ୍କ ସହିତ ରହୁଥିବା ଅନ୍ୟ ଜାତିର ଲୋକମାନଙ୍କୁ ସଂପୂର୍ଣ୍ଣ ରୂପେ ମାରି ଦେଇଥିଲେ । ସାବଧାନତାର ସହିତ ଆଖୀଶଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଇସ୍ରାଏଲୀୟ ସହରଗୁଡ଼ିକୁ ଆକ୍ରମଣ କରି ଅବରୋଧ କରୁଛନ୍ତି ବୋଲି କହି ଆଖୀଶଙ୍କର ପ୍ରିୟଭୋଜନ ହେବାକୁ ଲାଗିଲେ । 


ପରିସ୍ଥିତିକୁ ଭୟ ନ କରି, ପରମେଶ୍ବରଙ୍କ ଉପରେ ଦୃଢ଼ ବିଶ୍ଵାସ ସ୍ଥାପନ କଲେ, କେହି ଆମକୁ ବିନଷ୍ଟ କରିପାରିବ ନାହିଁଈଶ୍ଵର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି (୨ତିମଥି ୧:୭) । ତେଣୁ ଆମର ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ ରଖି ଗନ୍ତବ୍ୟ ପଥରେ ଧାବମାନ ହେଉ । 

ସ୍ଥିର ବିଶ୍ଵାସ

 ସ୍ଥିର ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୬:୧-୨୫


ସବୁ ଅବସ୍ଥାରେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିବାକୁ ମୁଁ ଚେଷ୍ଟା କରୁଛି କି ?


ଦାଉଦ ଭୟଭକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ । ତାଙ୍କର ଇଚ୍ଛାମତ ଜୀବନଯାପନ କରି ତାଙ୍କର ମନର ମତ ହୋଇପାରିଥିଲେ । କ୍ଳେଶ ଓ ତାଡ଼ନାର ସମ୍ମୁଖୀନ ହେବା ସମୟରେ ସେ ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କ ଶରଣାଗତ ହେବା ଉତ୍ତମ (ଗୀତ ୧୧୮:୮) ଜାଣି, କାର୍ଯ୍ୟ କରି ସଦାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ବାସ କରୁଥିଲେ । 


ମହାନ ବ୍ୟକ୍ତିତ୍ଵ :

ଶାଉଲ ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜା ଥିଲେ । ମାତ୍ର ସେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିଲେ ନାହିଁ । ନିଜକୁ ଅସୁରକ୍ଷିତ ମନେ କଲେ । ସଦାପ୍ରଭୁଙ୍କ ଆଜ୍ଞା ଅମାନ୍ୟ କରି ଦାଉଦଙ୍କୁ ବଧ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ । ବନଛାଗର ଶୈଳ ସବୁରେ ତାଙ୍କୁ ଖୋଜୁଥିବା ସମୟରେ, ଗୋଟିଏ ଗୁମ୍ଫା ଭିତରେ, ସଦାପ୍ରଭୁ ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ସମର୍ପଣ କଲେ । ହେଲେ ଦାଉଦ ତାଙ୍କୁ ବଧ କରି ନ ଥିଲେ । ପୁନଃ ସିଫୀୟମାନଙ୍କ ଠାରୁ ସୂଚନା ପାଇଁ ସୀଫ୍ ପ୍ରାନ୍ତରରେ ଉପସ୍ଥିତ ହୋଇ ତିନି ସହସ୍ର ଯୋଦ୍ଧାଙ୍କ ସହିତ ହଖୀଲା ପର୍ବତରେ ଛାଉଣୀ ସ୍ଥାପନ କଲେ । ସେସମୟରେ ମଧ୍ୟ ସଦାପ୍ରଭୁ ଶାଉଲଙ୍କୁ ନିଦ୍ରାଗ୍ରସ୍ତ ଅବସ୍ଥାରେ ଦାଉଦଙ୍କ ହସ୍ତରେ ସମର୍ପି ଦେଲେ । ତଥାପି ଦାଉଦ, ସଦାପ୍ରଭୁଙ୍କର ଅଭିଷିକ୍ତଙ୍କ ପ୍ରତି ହସ୍ତ ଉଠାଇ ନ ଥିଲେ । ସେ ଜାଣିଥିଲେ, ସଦାପ୍ରଭୁ ତାଙ୍କୁ ସୁରକ୍ଷା ଦେବେ । ଶାଉଲଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି, ଦାଉଦ ନିଜର ମହାନତା ପ୍ରକାଶ କରିଥିଲେ ।


ମହାନ୍ ବିଶ୍ଵାସ :

ଦାଉଦ ଜାଣିଥିଲେ ଯେ ସଦାପ୍ରଭୁଙ୍କ ପ୍ରତିକୂଳରେ ହସ୍ତ ଉଠାଇବା ଏକ ଅକ୍ଷମଣୀୟ ଅପରାଧ । କେବଳ ସଦାପ୍ରଭୁ ହିଁ ତାଙ୍କର ମୃତ୍ୟୁ କିପରି ହେବ, ତାହା ସ୍ଥିର କରି ଥା' ନ୍ତି । ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାଏ, ସେ ଶାପଗ୍ରସ୍ତ ହୁଏ । ଆଉ ଯେକେହି ଅଭିଷିକ୍ତ ବ୍ୟକ୍ତିଙ୍କର ଜୀବନକୁ ବହୁମୂଲ୍ୟ ମନେ କରେ, ତାର ଜୀବନ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ହୋଇଯାଏ । ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ପ୍ରମାଣେ ଫଳ ଦିଅନ୍ତି । ଏସମସ୍ତ ବିଷୟ ଜାଣି, ଦାଉଦ ପରମେଶ୍ୱରଙ୍କ ଅଧିକାରକୁ ନିଜ ହାତକୁ ନେଇ ନ ଥିଲେ । 


କଥା ଏବଂ କାର୍ଯ୍ୟ ଉଭୟରେ ଦାଉଦ ସଦାପ୍ରଭୁଙ୍କୁ ଗୌରବ ଦେଇ ଆଶୀର୍ବାଦ ପ୍ରାପ୍ତ ହେଲେ ଓ ଶାଉଲଙ୍କୁ ସଦାପ୍ରଭୁ ପରିତ୍ୟାଗ କଲେ ।