BN

ଘନିଷ୍ଟ ବନ୍ଧୁ

 ଘନିଷ୍ଟ ବନ୍ଧୁ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୦:୧-୨୩


ଅନ୍ୟମାନଙ୍କ ସହିତ ମୋର ବନ୍ଧୁତା ଜାଗତିକ ସ୍ୱାର୍ଥ ଉପରେ ଆଧାରିତ କି? 


ପ୍ରକୃତ ବନ୍ଧୁତା, ପ୍ରେମର ନିବିଡତା ଓ ସରଳ ବିଶ୍ଵାସ ଉପରେ ଆଧାରିତ । ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସେହିପରି ବନ୍ଧୁତା ଥିଲା  । ବର୍ତ୍ତମାନ ଜଗତରେ ଖ୍ରୀଷ୍ଟଙ୍କ ବିନା ସେପରି ବନ୍ଧୁ ଆଉ କେହି ନାହାଁନ୍ତି । ବିପଦ ସମୟରେ ଆମର ଅସହାୟତାର ହାତ କେବଳ ଆମର ପରମବନ୍ଧୁ ଖ୍ରୀଷ୍ଟ ହିଁ ଧରିଥା' ନ୍ତି । 


ଉତ୍ତମ ବନ୍ଧୁର ପରିଚୟ : 

ଦାଉଦ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ । ସଦାପ୍ରଭୁଙ୍କ ଉପରେ ତାଙ୍କର ନିର୍ଭର ଥିଲା ।  ଈଶ୍ଵର ଜଗତ କ୍ଷେତ୍ରରେ ତାଙ୍କୁ ଜଣେ ଉପଯୁକ୍ତ ବନ୍ଧୁ ଭାବରେ ଯୋନାଥନଙ୍କୁ ଯୋଗାଇଥିଲେ । ପଠିତ ଶାସ୍ତ୍ରାଂଶରେ ଆମେ ଯୋନାଥନଙ୍କ ଉପରେ ଦାଉଦଙ୍କର ବିଶ୍ଵାସ, ଭରସା ଓ ପ୍ରେମ ଦେଖିବାକୁ ପାଉଛୁ । ଦାଉଦ ସେଥିପାଇଁ ନିର୍ଭୟରେ ଶାଉଲଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ତାଙ୍କୁ ଜଣାଇବାକୁ ଭୟ କଲେ ନାହିଁ । ସେ ଯୋନାଥନଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । ଆଉ ଯୋନାଥନ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, "ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି" । ଆମର ଛୋଟ ବଡ ସମସ୍ୟାସବୁକୁ ନେଇ, ଆମେ ଯେତେବେଳେ ଆମର ପରମବନ୍ଧୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ତାଙ୍କ ସହିତ କଥାବାର୍ତ୍ତା କରୁ, ସେ ସମସ୍ୟାର ସମାଧାନରେ ସହାୟକ ହୁଅନ୍ତି ।


ଉତ୍ତମ ବନ୍ଧୁର ମନୋଭାବ : 

ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ ମଙ୍ଗଳସାଧନ କରିବାରେ ନିହିତ ଥାଏ । ଯୋନାଥନ ରାଜପୁତ୍ର ହେଲେ ମଧ୍ୟ ନିଃସ୍ଵାର୍ଥପର ଭାବରେ ନିଜ ବନ୍ଧୁର ମଙ୍ଗଳ ସାଧନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ସଦାପ୍ରଭୁ ଯେପରି ତାଙ୍କର ପିତାଙ୍କର ସଙ୍ଗୀ ହୋଇଅଛନ୍ତି, ସେପରି ଦାଉଦଙ୍କର ସହବର୍ତ୍ତୀ ହେଉନ୍ତୁ ବୋଲି ମଙ୍ଗଳ କାମନା କଲେ । ଦାଉଦଙ୍କୁ ସେ ଆପଣା ପ୍ରାଣ ସମାନ ପ୍ରେମ କରୁଥିଲେ । ସେଥିପାଇଁ ଯଦି ସେ ତାଙ୍କ ପିତାଙ୍କର ଇଚ୍ଛା ନ ଜଣାଇବେ, ତେବେ ସେ ସଦାପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ବୋଲି ଶପଥ କଲେ । ଦାଉଦଙ୍କ ନିକଟରେ ଯୋନାଥନ ମଧ୍ୟ ଆପଣାର ବିନତି ଜଣାଇଲେ ।


ସଦାପ୍ରଭୁ ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଆପଣାର ବନ୍ଧୁ ରୂପେ ଗ୍ରହଣ କରିଛନ୍ତି । ଆମ୍ଭମାନଙ୍କ ସହିତ ଆପଣା ପ୍ରତିଜ୍ଞା ରକ୍ଷା କରିବାରେ ସେ ସଦାବିଶ୍ଵସ୍ତ ଅଟନ୍ତି । ସେ ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ବରୂପ ହୋଇଅଛନ୍ତି ପୁଣି ଆମ୍ଭମାନଙ୍କର ନିରାପତ୍ତାର ଭାର ବହନ କରିଛନ୍ତି ।

ସଦାପ୍ରଭୁ ରକ୍ଷକ

 ସଦାପ୍ରଭୁ ରକ୍ଷକ

ଆଜିର ଚିନ୍ତା

୧ ଶାମୁୟେଲ ୧୯:୧-୨୪

ମୁଁ କ'ଣ ସଦାପ୍ରଭୁଙ୍କ ସୁରକ୍ଷା ଉପରେ ନିର୍ଭର ରଖେ ?


ଆଜିର ଶସ୍ତ୍ରାଂଶରେ ପ୍ରଭୁ ଯେ ଆମକୁ ସମସ୍ତ ଗତିରେ ସୁରକ୍ଷା ଦେବାକୁ ସମର୍ଥ ତାହା ଦାଉଦଙ୍କ ଜୀବନ ମାଧ୍ୟମରେ ପ୍ରକାଶ କରିଛନ୍ତି ।


ଘନିଷ୍ଟ ବନ୍ଧୁର ଆଚରଣ :

ଯୋନାଥନ ଦାଉଦଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ଥିଲେ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେ ଦାଉଦଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଡ଼ାଇଥିଲେ ଏବଂ ଏଥିପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ । ଈଶ୍ଵର ହେଉଛନ୍ତି ଆମର ଉତ୍ତମ ବନ୍ଧୁ । ସେ ଅବ୍ରାହମ୍ ଙ୍କ ବନ୍ଧୁ ଥିଲେ । ଗୀତ ରଚକ କହନ୍ତି "ଯେ ତୁମକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ….. କି ନିଦ୍ରା ଯିବେ ନାହିଁ"ଯୀଶୁ ଆମର ଘନିଷ୍ଟ ବନ୍ଧୁ, କାରଣ ସେ ଆମକୁ ପ୍ରେମ କରି ଆମ ପାଇଁ ନିଜର ପ୍ରାଣଦାନ କରି ବନ୍ଧୁର ପରିଚୟ ଦେଇଛନ୍ତି (ଯୋହନ ୧୫:୧୩-୧୪) । ମୁଁ ଯୀଶୁଙ୍କୁ ନିଜର ଘନିଷ୍ଟ ବନ୍ଧୁ ହିସାବରେ ମୋ ହୃଦୟରେ ଗ୍ରହଣ କରିପାରିଛି କି ?


ଜ୍ଞାନବତୀ ସ୍ତ୍ରୀର ଅବଦାନ : 

ଦାଉଦଙ୍କୁ ଶାଉଲଙ୍କ ହାତର ରକ୍ଷା କରିବା ଲାଗି ସର୍ବଦର୍ଶୀ ପରମେଶ୍ୱର ମିଖଲଙ୍କୁ ତାଙ୍କ ସ୍ତ୍ରୀ ଭାବେ ଯୋଗାଇଥିଲେ । ବାକ୍ୟରେ ଲେଖାଯାଏ "ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥାଇ" (ହିତ ୧୪:୧) । ଆହୁରି ମଧ୍ୟ ଲେଖାଯାଏ "ଯେଉଁ ଲୋକ ଭାର୍ଯ୍ୟା ପାଏ….ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ" (ହିତ ୧୮:୨୨) । ନିଜ ପାଇଁ ବିପଦ ଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନ କରି ମୀଖଲ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଶାଉଲଙ୍କ ଠାରୁ ଦାଉଦଙ୍କ ଜୀବନକୁ ରକ୍ଷା କରିଥିଲେ । ହେଲେ ଆଜିର ଜଗତ ସେପରି ସ୍ତ୍ରୀ ମାନଙ୍କୁ ଚାହିଁ ନ ଥାଏ । କେବଳ ଉଚ୍ଚ ଶିକ୍ଷା, ରୂପ ସୌନ୍ଦର୍ଯ୍ୟ, ପରିବାର ମର୍ଯ୍ୟାଦା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ୧ ପିତର ୩:୩-୪ ରେ ଲେଖାଯାଏ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ସ୍ତ୍ରୀ ମାନଙ୍କ ଅକ୍ଷୟ ଭୂଷଣ ହେଉ । ଆମେ ଯଦି ସୁରକ୍ଷା ପାଇବାକୁ ଚାହୁ, ତେବେ ସଦାପ୍ରଭୁଙ୍କ ଡେଣା ତଳେ ଆଶ୍ରୟ ନେବା । ଗୀତ ୩୨:୭ ରେ ଲେଖାଯାଏ ତୁମ୍ଭେ ସଙ୍କଟରୁ ମତେ ରକ୍ଷା କରିବ …. ।

ବିଜୟୀର ପୁରସ୍କାର

 ବିଜୟୀର ପୁରସ୍କାର

ଆଜିର ଚିନ୍ତା

୧ ଶାମୁୟେଲ ୧୮:୧-୧୬

ମୁଁ ଆଜି ପାପ ଉପରେ ବିଜୟ ଲାଭ କରିପାରିଛି କି ? 


ଦାଉଦଙ୍କୁ ଶାଉଲ ଏବଂ ତାଙ୍କ ଲୋକମାନେ ପ୍ରଥମେ ଭଲ ଭାବରେ ଜାଣି ନ ଥିଲେ କିନ୍ତୁ ଗଲୀୟାତକୁ ବଧ କଲା ଉତ୍ତାରେ ସମସ୍ତେ ତାଙ୍କୁ ଜାଣିଲେ ଓ ତାଙ୍କର ସୁଖ୍ୟାତି ଚାରିଆଡ଼େ ବ୍ୟାପିଗଲା । 


ବିଜୟ ସମ୍ମାନ ପ୍ରଦାନ କରେ :

ଗଲୀୟାତକୁ ବଧ କଲା ପରେ ଦାଉଦଙ୍କର ସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇଲା l ଶାଉଲଙ୍କ ପ୍ରଶ୍ନ "ଏ ଯୁବା କାହାର ପୁଅ" ଇଙ୍ଗିତ କରେ ଯେ, ଦାଉଦଙ୍କ ସଫଳତାରେ ତାଙ୍କ ପିତାମାତା ମଧ୍ୟ ସମ୍ମାନ ଓ ଗୌରବର ଅଧିକାରୀ ହୋଇଥିଲେ । ଏଥି ସହ ଯୋନାଥାନଙ୍କ ପରି ଜଣେ ଉତ୍ତମ ବନ୍ଧୁଙ୍କୁ ପାଇଲେ, ଯେ ଦାଉଦଙ୍କୁ ଆପଣା ଚୋଗା, ବସ୍ତ୍ର, ଖଡ୍ଗ, ଧନୁ ଓ କଟିବନ୍ଧନ ଦେଇ ନିଜ ପ୍ରାଣଠାରୁ ଅଧିକ ପ୍ରେମ କଲେ । ଶାଉଲ ଯୋଦ୍ଧାମାନଙ୍କ ଉପରେ ଦାଉଦଙ୍କୁ ନିଯୁକ୍ତି ଦେଲେ ଏବଂ ଶେଷରେ ଶାଉଲଙ୍କର ସେ ସେନାପତି ହେଲେ । ସର୍ବୋପରି ସମସ୍ତ ଇସ୍ରାଏଲ ଓ ଯିହୂଦାର ଲୋକମାନେ ଦାଉଦଙ୍କୁ ପ୍ରେମ କଲେ ।


ଈର୍ଷା ଶତ୍ରୁତା ସୃଷ୍ଟି କରେ :

ପଲେଷ୍ଟୀୟମାନଙ୍କୁ ବଧ କରି ଫେରିବା ବେଳେ ସ୍ତ୍ରୀ ମାନଙ୍କ ପ୍ରଶଂସା "ଶାଉଲ….. ଦାଉଦ ବଧ କଲେ ଅୟୁତ ଅୟୁତ" ଶୁଣି ଶାଉଲ ଈର୍ଷାନ୍ଵୀତ ହୋଇ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କୁଦୃଷ୍ଟି ରଖିଲେ । ଶତ୍ରୁ ହୋଇ ନିଜର ବର୍ଚ୍ଛା ଦ୍ଵାରା ଦାଉଦଙ୍କୁ ଦୁଇଥର ଆକ୍ରମଣ କରିଥିଲେ । ମାତ୍ର ସଦାପ୍ରଭୁ ଦାଉଦଙ୍କୁ ରକ୍ଷା କରିଥିଲେ । ଏହି ଈର୍ଷା ମନୋଭାବ ଯୋଗୁଁ ଶାଉଲଙ୍କର ଅବନତି ଘଟିଥିଲା । ବାକ୍ୟରେ ଲେଖାଯାଏ "ଈର୍ଷା ହାଡ଼ର କ୍ଷୟ ସ୍ଵରୂପ" (ହିତ ୧୪:୩୦ଖ) । ଏହି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି, ପ୍ରତିଶୋଧ ପରାୟଣ ନ ହୋଇ ଦାଉଦ ନିଜର କର୍ତ୍ତବ୍ୟ ଯଥାର୍ଥ ଭାବେ ସମ୍ପନ୍ନ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ମୁଁ କ'ଣ ଭାଙ୍ଗି ପଡ଼େ ନା ତା'ର ମୁକାବିଲା କରିବାକୁ ପ୍ରଭୁଙ୍କ ଦୟା ସିଂହାସନରୁ ଶକ୍ତି ସଂଗ୍ରହ କରି ଯଥାର୍ଥ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ ରଖେ । 

ଅବିଶ୍ବାସ ଭୟ ଆଣେ

 ଅବିଶ୍ବାସ ଭୟ ଆଣେ 

ଆଜିର ଚିନ୍ତା

୧ଶାମୁୟେଲ ୧୭:୧-୨୭

ପ୍ରତିକୂଳ ପରିସ୍ଥିତିରେ ମୁଁ ଭୟଭୀତ ହୁଏ କି ?


ମନୁଷ୍ୟ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ଵାସ ନ କରିବା ହେତୁ ଆମେ ଭୟଭୀତ ଓ ପରାଜିତ ହୋଇଥାଉ । 


ଭୟଭୀତ ଇସ୍ରାଏଲ :

 ଗଲିୟାତର ଶାରୀରିକ ଗଠନ, ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ର ଦେଖି ପୁଣି ତା'ର ବିକଟାଳ ରଣହୁଙ୍କାର ଶୁଣି, ଶାଉଲ ଓ ସମସ୍ତ ଇସ୍ରାଏଲ ସୈନ୍ୟମାନେ ଅତିଶୟ ହତାଶ ଏବଂ ଭୟଭୀତ ହୋଇଥିଲେ । କାରଣ ଈଶ୍ୱରଙ୍କ ଦ୍ଵାରା ସାଧିତ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ସେମାନେ  ଭୁଲି ଯାଇଥିଲେ । ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜର ବାହୁବଳ ଉପରେ ନିର୍ଭର କରୁଥିଲେ, ଫଳରେ ଗଲିୟାତ ଚାଳିଶଦିନ ଧରି ପ୍ରାତଃକାଳରେ ଏବଂ ସନ୍ଧ୍ୟାକାଳରେ ସେମାନଙ୍କୁ ଉପହାସ କରିବାକୁ ସୁଯୋଗ ପାଇଥିଲା ଓ ଈଶ୍ଵର ଅଗୌରବାନ୍ଵିତ ହୋଇଥିଲେ ।


ସତ୍ ସାହସୀ ଦାଉଦ :

ପ୍ରଚୁର ଧନ, କନ୍ୟା ସହିତ ବିବାହ ଓ ତାହାର ପିତୃଗୃହକୁ ନିଷ୍କର କରିବା ଆଦି ଲୋଭନୀୟ ପୁରସ୍କାର ପାଇଁ ନୁହେଁ ବରଂ ନିଜ ଲୋକମାନଙ୍କର ପୁଣି ଜୀବିତ ପରମେଶ୍ୱରଙ୍କର ଅପମାନ ଦାଉଦଙ୍କୁ ଗଭୀର ଆଘାତ ଓ ଗଲୀୟାତ ସହ ଯୁଦ୍ଧ କରିବାକୁ ପ୍ରେରଣା ଯୋଗାଇଥିଲା । ଆଜି ଗଲୀୟାତ ପରି ଅନେକ  ବିଷୟମାନ ଆମ ଜୀବନରେ ଏପରି କଠୋର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ନିରାଶ ହତାସ କରିଥାଏ । ଏପରି ଘଡିସନ୍ଧି ସମୟରେ, ଭୟ ନ କରି ବିଶ୍ଵାସରେ ସ୍ଥିର ରହି ଶୟତାନର ପ୍ରତିରୋଧ କରିବା ଆମ ସମସ୍ତ ଖ୍ରୀଷ୍ଟିୟାନର କର୍ତ୍ତବ୍ୟ । କେବଳ ସଦାପ୍ରଭୁଙ୍କ ଉପରେ ବିଶ୍ଵାସ ଓ ପ୍ରାର୍ଥନାରେ ନିର୍ଭର ରଖିବା ଦ୍ଵାରା ହିଁ ଆମେ ଜୟଯୁକ୍ତ ହୋଇପାରିବା । ଇସ୍ରାଏଲୀୟମାନେ ଗଲୀୟାତର ଉଚ୍ଚତାକୁ ଦେଖୁଥିଲେ ମାତ୍ର ଜୀବିତ ଈଶ୍ୱରଙ୍କ ମହାନତାକୁ ନୁହେଁ, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ପରମେଶ୍ୱର ଆମ୍ଭର ଆଶ୍ରୟ ଓ ବଳ ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ" (ଗୀତ ୪୬:୧) । ତେଣୁ ଆମ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭୟ ନ କରି ପ୍ରଭୁ ଯୀଶୁଙ୍କଠାରେ ଭରସା ରଖିବା ଦ୍ଵାରା ବିଜୟୀ ହୋଇପାରିବା । ମୋ' ଜୀବନରେ ଏହା ଦେଖାଯାଏ କି ?

ଈଶ୍ୱରଙ୍କ ମନୋନୟନ

ଈଶ୍ୱରଙ୍କ ମନୋନୟନ 

ଆଜିର ଚିନ୍ତା

୧ଶାମୁୟେଲ ୧୬:୧-୨୩

ମୋ' ଅନ୍ତଃକରଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଅଟେ କି ?

ଈଶ୍ଵର ଶାମୁୟେଲଙ୍କୁ ଶାଉଲଙ୍କ ପାଇଁ ଆଉ ରୋଦନ ନ କରି ଇସ୍ରାଏଲ ନିମନ୍ତେ ମନୋନୀତ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଅଭିଷେକ କରିବାକୁ ଆଦେଶ ଦେଇଥିଲେ । 

ଅନ୍ତଃକରଣଦର୍ଶୀ ଈଶ୍ଵର :

ଏହି କାର୍ଯ୍ୟ ଶାମୁୟେଲଙ୍କ ନିମନ୍ତେ ଅତି ବିପଦପୂର୍ଣ୍ଣ ଓ କଷ୍ଟକର ଥିଲା । ମାତ୍ର ଈଶ୍ଵର ତାଙ୍କୁ ବେଥଲିହିମସ୍ଥ ଯିଶୀଙ୍କ ଗୃହକୁ ଯାଇ ଯଥାର୍ଥ ଭାବରେ ସେହି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଈଶ୍ୱରଙ୍କ ବାଧ୍ୟ ହେବା ଆମକୁ ଅନେକ ସମୟରେ କଠିନ ପରି ମନେ ହେଲେ ମଧ୍ୟ, ଆମେ ଯଦି ନିଜ ବା ଅନ୍ୟ ଉପରେ ନିର୍ଭର ନ କରି, ପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବା, ସେ ଆମକୁ ତାଙ୍କ କାର୍ଯ୍ୟ ସାଧନ କରିବାକୁ ଶକ୍ତି, ଜ୍ଞାନ ଓ ସାହସ ଦେବେ । ଶାମୁୟେଲ ଯିଶୀଙ୍କର ପୂତ୍ରମାନଙ୍କୁ ଦେଖିବା ସମୟରେ ଈଶ୍ଵର ସେମାନଙ୍କର ବାହ୍ୟରୂପକୁ ନ ଦେଖି ବିଚାର କରିବାକୁ କହିଥିଲେ ଓ ଦାଉଦଙ୍କୁ ରାଜାଭିଷେକ କରିବାକୁ ଆଦେଶ ଦେଇଥିଲେ । ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ଈଶ୍ଵର ଅନ୍ତଃକରଣକୁ ଦେଖିପାରନ୍ତି ଓ ବୁଝିପାରନ୍ତି । ତେଣୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ହେବା ଉଚିତ୍ । ଈଶ୍ୱରଙ୍କ ପସନ୍ଦ ଯୋଗ୍ୟ ହେବା ସମୟରେ ନିମନ୍ତେ ଆମର ଅନ୍ତଃକରଣକୁ ପରିଷ୍କାର କରି ପବିତ୍ରତାର ସୌନ୍ଦର୍ଯ୍ୟରେ ସଜା ହେବା ଆବଶ୍ୟକ ।

ସୁଯୋଗର ସଦବ୍ୟବହାର :

ଅବାଧ୍ୟତା ହେତୁ ଈଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ି ଚାଲିଗଲେ ଓ ଏକ ମନ୍ଦ ଆତ୍ମା ତାଙ୍କ ଅନ୍ତରରେ ପ୍ରବେଶ କରି ତାଙ୍କୁ ବିରକ୍ତ କରିବାକୁ ଲାଗିଲା । ଏଣୁ ଶାଉଲଙ୍କ ସମ୍ମୁଖରେ ଠିଆ ହୋଇ ବୀଣାବାଦନ କରିବାକୁ ଜଣେ ନିପୁଣ ବୀଣା ବାଦକଙ୍କ ଅନ୍ୱେଷଣ କରାଗଲା ଓ ଦାଉଦଙ୍କୁ ଏଥି ନିମନ୍ତେ ବଛାଗଲା । ଶାଉଲ ତାଙ୍କୁ ନିଜର ଅସ୍ତ୍ରବାହକ ରୂପେ ନିଯୁକ୍ତି ଦେଇଥିଲେ । ଦାଉଦଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ବାସ କରୁଥିଲେ, ତେଣୁ ଦାଉଦଙ୍କ ସଙ୍ଗତି ପାଇଁ ଶାଉଲଙ୍କ ଶରୀରରୁ ମନ୍ଦ ଆତ୍ମା ଚାଲି ଯାଉଥିଲା । ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ସଦାପ୍ରଭୁଙ୍କ ଆତ୍ମା ଯାହାଠାରେ ଅଧିଷ୍ଠାନ କରନ୍ତି ସେ……... କ୍ଷତ ବାନ୍ଧି ପାରେ" (ଯିଶାୟ ୬୧:୧) । ସଦାପ୍ରଭୁ ଦାଉଦଙ୍କୁ ଜଣେ ସୁୁଶାସକ ହେବା ପାଇଁ ତାଲିମ୍ ଦେଇଥିଲେ । ଦାଉଦଙ୍କ ପରି ଆମେ ଯଦି ଆମର ପ୍ରତିଭାକୁ ତାଙ୍କ ପାଇଁ ବ୍ୟବହାର କରୁ ତାହା ଅନେକଙ୍କ ଆତ୍ମିକ ସୁସ୍ଥତା ଦିଗରେ ମହା ଔଷଧ ରୂପେ କାର୍ଯ୍ୟ କରିବ ।