BN

ଈଶ୍ୱରଙ୍କ ମନୋନୟନ

ଈଶ୍ୱରଙ୍କ ମନୋନୟନ 

ଆଜିର ଚିନ୍ତା

୧ଶାମୁୟେଲ ୧୬:୧-୨୩

ମୋ' ଅନ୍ତଃକରଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଅଟେ କି ?

ଈଶ୍ଵର ଶାମୁୟେଲଙ୍କୁ ଶାଉଲଙ୍କ ପାଇଁ ଆଉ ରୋଦନ ନ କରି ଇସ୍ରାଏଲ ନିମନ୍ତେ ମନୋନୀତ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଅଭିଷେକ କରିବାକୁ ଆଦେଶ ଦେଇଥିଲେ । 

ଅନ୍ତଃକରଣଦର୍ଶୀ ଈଶ୍ଵର :

ଏହି କାର୍ଯ୍ୟ ଶାମୁୟେଲଙ୍କ ନିମନ୍ତେ ଅତି ବିପଦପୂର୍ଣ୍ଣ ଓ କଷ୍ଟକର ଥିଲା । ମାତ୍ର ଈଶ୍ଵର ତାଙ୍କୁ ବେଥଲିହିମସ୍ଥ ଯିଶୀଙ୍କ ଗୃହକୁ ଯାଇ ଯଥାର୍ଥ ଭାବରେ ସେହି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଈଶ୍ୱରଙ୍କ ବାଧ୍ୟ ହେବା ଆମକୁ ଅନେକ ସମୟରେ କଠିନ ପରି ମନେ ହେଲେ ମଧ୍ୟ, ଆମେ ଯଦି ନିଜ ବା ଅନ୍ୟ ଉପରେ ନିର୍ଭର ନ କରି, ପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବା, ସେ ଆମକୁ ତାଙ୍କ କାର୍ଯ୍ୟ ସାଧନ କରିବାକୁ ଶକ୍ତି, ଜ୍ଞାନ ଓ ସାହସ ଦେବେ । ଶାମୁୟେଲ ଯିଶୀଙ୍କର ପୂତ୍ରମାନଙ୍କୁ ଦେଖିବା ସମୟରେ ଈଶ୍ଵର ସେମାନଙ୍କର ବାହ୍ୟରୂପକୁ ନ ଦେଖି ବିଚାର କରିବାକୁ କହିଥିଲେ ଓ ଦାଉଦଙ୍କୁ ରାଜାଭିଷେକ କରିବାକୁ ଆଦେଶ ଦେଇଥିଲେ । ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ଈଶ୍ଵର ଅନ୍ତଃକରଣକୁ ଦେଖିପାରନ୍ତି ଓ ବୁଝିପାରନ୍ତି । ତେଣୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ହେବା ଉଚିତ୍ । ଈଶ୍ୱରଙ୍କ ପସନ୍ଦ ଯୋଗ୍ୟ ହେବା ସମୟରେ ନିମନ୍ତେ ଆମର ଅନ୍ତଃକରଣକୁ ପରିଷ୍କାର କରି ପବିତ୍ରତାର ସୌନ୍ଦର୍ଯ୍ୟରେ ସଜା ହେବା ଆବଶ୍ୟକ ।

ସୁଯୋଗର ସଦବ୍ୟବହାର :

ଅବାଧ୍ୟତା ହେତୁ ଈଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ି ଚାଲିଗଲେ ଓ ଏକ ମନ୍ଦ ଆତ୍ମା ତାଙ୍କ ଅନ୍ତରରେ ପ୍ରବେଶ କରି ତାଙ୍କୁ ବିରକ୍ତ କରିବାକୁ ଲାଗିଲା । ଏଣୁ ଶାଉଲଙ୍କ ସମ୍ମୁଖରେ ଠିଆ ହୋଇ ବୀଣାବାଦନ କରିବାକୁ ଜଣେ ନିପୁଣ ବୀଣା ବାଦକଙ୍କ ଅନ୍ୱେଷଣ କରାଗଲା ଓ ଦାଉଦଙ୍କୁ ଏଥି ନିମନ୍ତେ ବଛାଗଲା । ଶାଉଲ ତାଙ୍କୁ ନିଜର ଅସ୍ତ୍ରବାହକ ରୂପେ ନିଯୁକ୍ତି ଦେଇଥିଲେ । ଦାଉଦଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ବାସ କରୁଥିଲେ, ତେଣୁ ଦାଉଦଙ୍କ ସଙ୍ଗତି ପାଇଁ ଶାଉଲଙ୍କ ଶରୀରରୁ ମନ୍ଦ ଆତ୍ମା ଚାଲି ଯାଉଥିଲା । ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ସଦାପ୍ରଭୁଙ୍କ ଆତ୍ମା ଯାହାଠାରେ ଅଧିଷ୍ଠାନ କରନ୍ତି ସେ……... କ୍ଷତ ବାନ୍ଧି ପାରେ" (ଯିଶାୟ ୬୧:୧) । ସଦାପ୍ରଭୁ ଦାଉଦଙ୍କୁ ଜଣେ ସୁୁଶାସକ ହେବା ପାଇଁ ତାଲିମ୍ ଦେଇଥିଲେ । ଦାଉଦଙ୍କ ପରି ଆମେ ଯଦି ଆମର ପ୍ରତିଭାକୁ ତାଙ୍କ ପାଇଁ ବ୍ୟବହାର କରୁ ତାହା ଅନେକଙ୍କ ଆତ୍ମିକ ସୁସ୍ଥତା ଦିଗରେ ମହା ଔଷଧ ରୂପେ କାର୍ଯ୍ୟ କରିବ । 

ଉତ୍ତମ ଯୁଦ୍ଧରେ ପ୍ରାଣପଣ

 ଉତ୍ତମ ଯୁଦ୍ଧରେ ପ୍ରାଣପଣ

ଆଜିର ଚିନ୍ତା

ପ୍ରେରିତ ୨୮:୧୭-୩୧

ଜଗତର ଏହି ଶେଷ ସମୟରେ ମୁଁ ଈଶ୍ୱରଙ୍କ ମନରମତ ଜୀବନ କାଟୁଛି କି ?


ବନ୍ଦୀ ଅବସ୍ଥାରେ, ଦୀର୍ଘ ଦୀନ ଜଳଯାତ୍ରା ପରେ ପାଉଲ ରୋମ ସାମ୍ରାଜ୍ୟର ପ୍ରମୁଖ ଶକ୍ତି କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ସ୍ମରଣୀୟ ଯାତ୍ରା ସମୟରେ ସେ ନିର୍ଭୟରେ ଈଶ୍ୱରଙ୍କ ରାଜ୍ୟ ଓ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଥିଲେ (୩୧ପଦ) । ପାଉଲଙ୍କ ମତରେ, ବାକ୍ୟ ପ୍ରଚାରରେ ବାଧା ଯେମିତି ନିଶ୍ଚିତ, ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଫଳତା ମଧ୍ୟ ସେତିକି ସୁୁନିଶ୍ଚିତ । ଏହି ପୁସ୍ତକଟିର ଅଦ୍ଭୁତ ଭାବେ ପରିସମାପ୍ତି ଘଟିଛି । କାଇସରଙ୍କ ସହ ଦୀର୍ଘ ସମୟ ବାକ୍ୟ ବିନିମୟ ପରେ ମଧ୍ୟ ସେପରି କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିବାର ଉଲ୍ଲେଖ ନାହିଁ । ଏପରିକି ପାଉଲଙ୍କ ଶେଷ ଦଶା କ'ଣ ହେଲା, ସେ ରୋମ୍ ରେ ମୃତ୍ୟୁବରଣ କଲେ ନା ତାଙ୍କୁ ମୁକ୍ତ କରାଗଲା; ସେ ବିଷୟ ମଧ୍ୟ ଅସ୍ପଷ୍ଟ ।


ଅସମ୍ପୂର୍ଣ୍ଣ ସେବାକାର୍ଯ୍ୟ :

ମନେ ହୁଏ ଲେଖକ ଲୁକଙ୍କର ଏହା ଏକ ଇଚ୍ଛାକୃତ ସର୍ଜନା ଅବା ସାହିତ୍ୟିକ ଶୈଳୀ । ସେ ବାସ୍ତବରେ କାହାଣୀର ଅନ୍ତ ନ ଆଣି କିଛିଟା ବିରାମ ଆଣିଛନ୍ତି । ମୂଳ ବିଷୟ ହେଲା, ସେତେବେଳେ ରୋମ ପୃଥିବୀର କେନ୍ଦ୍ରସ୍ଥଳ ଥିଲା, ପ୍ରାନ୍ତ ନୁହେଁ (ପ୍ରେରିତ ୧:୮) । ଏଣୁ ସେବାକାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇ ନାହିଁ । 


ଆମର ଦାୟିତ୍ବ :

ରିଲେ ବା ପାଳି ଦୌଡ଼ରେ ଜଣେ ଦୌଡ଼ଳି ତା' ନିମନ୍ତେ ନିର୍ଦ୍ଧାରିତ ସୀମାରେଖାରେ ତା'ର ପରବର୍ତ୍ତୀ ବ୍ୟକ୍ତିଙ୍କୁ ଯଷ୍ଟି ବଢ଼ାଇ ଏଥର ତୁମ ପାଳି ବୋଲି କହି ଦୌଡ଼ ଚାଲୁ ରଖିବାକୁ ଅନୁରୋଧ କରିଥାଏ । ଠିକ୍ ସେହିପରି ଏଠାରେ ଲେଖକଙ୍କର ମୁଖ୍ୟ ଅଭିପ୍ରାୟ ହେଲେ ପୃଥିବୀକୁ ସୁସମାଚାର ମାଧ୍ୟମରେ ପରିବର୍ତ୍ତିତ କରିବା ଓ ଅସାମାନ୍ୟ ଦାୟିତ୍ବ ଆମ୍ଭମାନଙ୍କ ଭଳି ପାଠକମାନଙ୍କ ଉପରେ ନ୍ୟସ୍ତ କରିବା । 


ସର୍ବୋକୃଷ୍ଟ ଆହ୍ଵାନ :

ଏହି ପୁସ୍ତକର ଅନ୍ତିମ ଅଂଶ କେବଳ ଆମର ଧ୍ୟାନ ଆକର୍ଷଣ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରତ୍ୟକ୍ଷଭାବେ ଆହ୍ଵାନ କରେ, ଯେପରି ପିତର ଓ ପାଉଲଙ୍କ ପଦାଙ୍କ ଅନୁସରଣ କରି, ଆମେ ସୁସମାଚାର ପ୍ରଚାର ଏବଂ ପ୍ରସାରରେ ନିଜ ନିଜକୁ ବିଶ୍ଵସ୍ତ ଭାବେ ନିୟୋଜନ କରିବା । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ, ତେଣୁ କାହାଣୀ ମଧ୍ୟ ଅସମ୍ପୂର୍ଣ୍ଣ । ସୁସମାଚାର ପ୍ରଚାର କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରଖିବା ବର୍ତ୍ତମାନ ଆମର ନିଜସ୍ଵ, ନିର୍ଦ୍ଦିଷ୍ଟ ତଥା ବ୍ୟକ୍ତିଗତ ଦାୟିତ୍ବ ।

ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

 ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

ଆଜିର ଚିନ୍ତା

ପ୍ରେରିତ ୨୮:୧-୧୬

ନିଜର ଅସମୟରେ, ମୁଁ ଅନ୍ୟକୁ ସାହାଯ୍ୟ କରିବାକୁ ପ୍ରୟାସ କରିଥାଏ କି ?


ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ବେ, ପ୍ରାଣପଣ ଉଦ୍ୟମ କରି ଯାତ୍ରୀମାନେ ନିରାପଦରେ ମେଲିତୀ ଦ୍ଵୀପରେ ପହଞ୍ଚିଲେ । ସ୍ଥାନୀୟ ଅଧିବାସୀମାନେ ଯାତ୍ରୀମାନଙ୍କୁ ଅତଭୁତ୍ ପୂର୍ବ ସମ୍ବର୍ଦ୍ଧନା ଜଣାଇଲେ । ପୁଣି ନିଆଁ ଜଳାଇବା ସମୟରେ ଏକ ବିଷଧର ସାପ ପାଉଲଙ୍କ ହାତକୁ କାମୁଡ଼ି ଝୁଲି ରହିଲା । ମାତ୍ର ତାଙ୍କର କିଛି କ୍ଷତି ହେଲା ନାହିଁ । ବରଂ ତଦ୍ୱାରା ଖ୍ୟାତି ବଢ଼ିଗଲା । ପୁଣି ସେହି ଦ୍ଵୀପରେ ମୁଖ୍ୟ ପୁବ୍ଲୀୟଙ୍କ ପୀଡ଼ିତ ଓ ଶଯ୍ୟାଶାୟୀ ପିତାଙ୍କୁ ପାଉଲ ପ୍ରାର୍ଥନା କରି ସୁସ୍ଥ କଲେ । ଏହି ସମ୍ବାଦ ଦ୍ଵୀପରେ ବ୍ୟାପିଯିବାରୁ, ଅବଶିଷ୍ଟ ଅସୁସ୍ଥ ଲୋକମାନେ ମଧ୍ୟ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ । 


ସେବାକାର୍ଯ୍ୟର ଉପକାରୀତା :

ସେହି ଦ୍ଵୀପରେ ପାଉଲଙ୍କ ସେବାକାର୍ଯ୍ୟ ଚମକପ୍ରଦ ସଫଳତା ଲାଭ କରିଥିଲା । ଯଦ୍ଵାରା ସ୍ଥାନୀୟ ଅଧିବାସୀମାନେ ଆଗାମୀ ରୋମଯାତ୍ରା ନିମନ୍ତେ ଯାତ୍ରୀମାନଙ୍କର ସମସ୍ତ ଆବଶ୍ୟକୀୟ ବସ୍ତୁ ହୃଷ୍ଟଚିତ୍ତରେ ଯୋଗାଇ ଦେଇଥିଲେ । ସେମାନଙ୍କର ଏହି ମହାନୁଭବତା ପାଉଲଙ୍କର ପ୍ରଚାରିତ ସୁସମାଚାରର ପ୍ରଭାବ ପ୍ରମାଣ କରିଥାଏ । ମେଲିତୀ ଦ୍ୱୀପର ଅନୁଭୂତି ପାଉଲଙ୍କ ସମଗ୍ର ସେବାକାର୍ଯ୍ୟ ସମୟର ରଣନୀତି ସ୍ଥିର କରିବାରେ ଅତ୍ୟନ୍ତ ସହାୟକ ହୋଇଥିଲା । ପୁବ୍ଲୀୟଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଓ ବାକ୍ୟ ଦ୍ଵାରା ଏପରି ପ୍ରଭାବିତ କରିଥିଲେ ଯେ, ସେ ଉଭୟ ପାଉଲ ଓ ତାଙ୍କ ପ୍ରଚାରିତ ସୁସମାଚାରକୁ ସ୍ପଷ୍ଟ ସମର୍ଥନ ଓ ଅନୁମୋଦନ କରିଥିଲେ । ମେଲିତୀ ଦ୍ୱୀପରେ ପାଉଲଙ୍କ ତିନିମାସର ରହଣୀକାଳ ମଧ୍ୟରେ ସ୍ଥାନୀୟ ଅଧିବାସୀମାନେ ଆତ୍ମିକ ଭାବେ ପ୍ରଭାବିତ ହେବା ସହ ସାମାଜିକ ଭାବେ ମଧ୍ୟ ଉପକୃତ ହୋଇଥିଲେ । 


ଶକ୍ତିଯୁକ୍ତ ସେବାକାର୍ଯ୍ୟ :

ଏହି ଘଟଣା ସହିତ ପାଉଲଙ୍କ କରିନ୍ଥୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର ଅନେକଟା ସମାନତା ରହିଛି । ପାଉଲ ଦୃଢ଼ତାର ସହ କୁହନ୍ତି, "ନିଜ ଜ୍ଞାନଗାରିମା ଅବା ମନୋହର ବାକ୍ୟ ଦ୍ଵାରା ସେମାନଙ୍କୁ ପ୍ରବର୍ତ୍ତାଇବାକୁ ନୁହେଁ ମାତ୍ର ପବିତ୍ର ଅତ୍ମାଙ୍କ ଶକ୍ତି ପ୍ରଦର୍ଶନ ହିଁ ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା (୧କରିନ୍ଥୀ ୨:୧-୧୫) । ପରିଶେଷରେ ପାଉଲ ରୋମରେ ପ୍ରବେଶ କରନ୍ତେ ତାଙ୍କୁ ପୃଥକ ଭାବେ ଭଡ଼ାଘରେ ରହିବାକୁ ଅନୁମତି ପ୍ରଦାନ କରାଗଲା । ପାଉଲ ସେଠାରେ ବିଶ୍ବାସୀ ଭ୍ରାତାମାନଙ୍କ ସହ ମିଳିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ନିଶ୍ଚିତ ହେଲେ । ଆଜି ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରଭୁ ଆମକୁ ଯେଉଁ ସୁଯୋଗ ଦେଉଛନ୍ତି, ତାହା ଜାଣି ପ୍ରଭୁଙ୍କ ଶକ୍ତିରେ ଓ ତାହାଙ୍କ ଗୌରବ ନିମନ୍ତେ ସୁଯୋଗର ସଦ୍ ବ୍ଯବହାର କରୁ ।

ଧନ୍ୟବାଦ ଅର୍ପଣ

 ଧନ୍ୟବାଦ ଅର୍ପଣ

ଆଜିର ଚିନ୍ତା

ପ୍ରେରିତ ୨୭:୪୪

ଦୁଃଖ, ନିରାଶା, ବିଫଳତା ମଧ୍ୟରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ କି ?


ଧନ୍ୟବାଦ ଜ୍ଞାପନ ଏକ ଶକ୍ତିଶାଳୀ ସାକ୍ଷ୍ୟ :

ସମୁଦ୍ରରେ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ପ୍ରତିକୂଳ ପରିବେଶରେ ଦୀର୍ଘ ୧୪ ଦିନ ଧରି ଜାହାଜର ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଉପବାସ ରହିଥିଲେ । ସେହି ଦୁର୍ବିସହ ପରିସ୍ଥିତିରେ ପାଉଲ କିଛି ଖାଇବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ । ପୁଣି ରୋଟୀ ଘେନି ସର୍ବସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଭୋଜନ କରିବାକୁ ଲାଗିଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଉତ୍ସାହିତ ହୋଇ ଭୋଜନ କଲେ (୩୫,୩୬ ପଦ) । ତେବେ ସେହି ସମ୍ବେଦନଶୀଳ ପରିସ୍ଥିତିରେ, ସର୍ବ ସମକ୍ଷରେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଭୋଜନ ଗ୍ରହଣ, ନିଶ୍ଚିତ ଭାବେ ତାଙ୍କର ଈଶ୍ୱରଙ୍କ ଠାରେ ଅଗାଧ ଅସ୍ଥା, ବିଶ୍ବାସର ଦୃଢ଼ ନିଦର୍ଶନ ଥିଲା । ସେହିଭଳି ସମ୍ବେଦନଶୀଳ ମୁହୁର୍ତ୍ତରେ ପାଉଲଙ୍କ ଆଚରଣ, ତାଙ୍କ ସୁସମାଚାର ପ୍ରଚାରକ ଅନନ୍ୟ ଶୈଳୀ ଯଥାର୍ଥ ଭାବେ ପରିପ୍ରକାଶ କରେ । ଏହି ଦୃଷ୍ଟାନ୍ତ ତାଙ୍କ ଜୀବନର ମୂଳ ଲକ୍ଷ୍ୟ, ଆଦର୍ଶ ଓ ମହାନ ସେବା କାର୍ଯ୍ୟର ପରିଚାୟକ (ଲୁକ ୨୨-୧୯) । 


ଅନନ୍ୟ ସାକ୍ଷୀ: 

ଦୂତଙ୍କ ପ୍ରଦତ୍ତ ପାଉଲଙ୍କ ବାର୍ତ୍ତା, "ଜାହାଜ କଠିଣ ଚଟାଣରେ ଲାଗି ନଷ୍ଟ ହେବ, ମାତ୍ର କାହାରି ହେଲେ ପ୍ରାଣନାଶ ହେବ ନାହିଁ," ଅବିକଳ ସାକାର ହେଲା  । ପାଉଲ ଯେ ନିଶ୍ଚିତ ଭାବେ ଐଶ୍ୱରୀକ ଶକ୍ତି  ଓ କ୍ଷମତାର ଅଧିକାରୀ ଏହା ସମସ୍ତଙ୍କର ଦୃଢ଼ ବୋଧ ହେଲା । ସର୍ବପ୍ରକାର ପ୍ରତିକୂଳ ପରିସ୍ଥିତିରେ, ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜଣେ ଆଦର୍ଶ ଦୁଃଖଭୋଗୀ ସାକ୍ଷୀ ରୂପେ ଅକୁଣ୍ଠିତ ଚିତ୍ତରେ କାର୍ଯ୍ୟ କରିଥିଲେ । ଜୀବନର ଦୁଃଖ, ଦୁର୍ଦ୍ଦଶା, ନିରାଶା ବିଫଳତା ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ଏକ ଶକ୍ତିଶାଳୀ ସାକ୍ଷ୍ୟ ଭାବେ ବିବେଚିତ ହୋଇଥାଏ ।


ଭରସାର ଉତ୍ସ :

 ଆଜିର ଏହି କଳୁଷିତ, ନୈତିକତାଶୂନ୍ୟ, ଭୀତିପୂର୍ଣ୍ଣ ମହାମାରୀ ଜନିତ ଆଶାହୀନ ଜାଗତିକ ପରିବେଶ ମଧ୍ୟରେ ଆମେ କିପରି ପାଉଲଙ୍କ ଭଳି,ଖ୍ରୀଷ୍ଟଙ୍କ ରାଜ୍ୟର ଗୌରବ ନିମନ୍ତେ ଅନେକଙ୍କ ପାଇଁ ଆଶା, ଶାନ୍ତି, ସାନ୍ତ୍ଵନା ଓ ଭରସାର ଦୃଢ଼ ଉତ୍ସ ହୋଇପାରିବା ତାହା ଚିନ୍ତା କରୁ ।

ଅସ୍ଥିରତା ମଧ୍ୟରେ ସୁସ୍ଥିରତା

 ଅସ୍ଥିରତା ମଧ୍ୟରେ ସୁସ୍ଥିରତା 

ଆଜିର ଚିନ୍ତା

ପ୍ରେରିତ ୨୭:୧-୨୬

ଆଜି ମୁଁ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର ଓ ପ୍ରସାରରେ ଉଦଯୋଗୀ କି ?


ପାଉଲ ବନ୍ଦୀ ଅବସ୍ଥାରେ ଜାହାଜରେ ରୋମ କୁ ଯାତ୍ରା କରିବା ସମୟରେ, ଆଦ୍ରିଆ ସମୁଦ୍ରରେ ୧୪ ଦିନ ଧରି ପ୍ରବଳ ଝଡ ବତାସର ସମ୍ମୁଖୀନ ହୋଇଥିଲେ । ଯାତ୍ରୀମାନେ ନିରାଶ, ଅବସନ୍ନ ହୋଇ ଜୀବନର ଆଶା ପରିତ୍ୟାଗ କରିଥିଲେ । ସେହିଭଳି ଭୀତିପ୍ରଦ ସମୟରେ ଜଣେ ଦୂତ ପାଉଲଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ଘୋଷଣା କଲେ, "ପାଉଲ ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ନିଶ୍ଚୟ ଠିଆ ହେବାକୁ ପଡ଼ିବ"..... (ପଦ ୨୪) । ପାଉଲଙ୍କର ଏହି ସମ୍ବାଦ ସେହି ସଙ୍ଗୀନ ମୁହୂର୍ତ୍ତରେ ନିତାନ୍ତ ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ସହଯାତ୍ରୀମାନଙ୍କ ଅନ୍ତରରେ ବଞ୍ଚିବାର କ୍ଷୀଣ ଆଶା ସଂଚାର କରିଥିଲା ।


ଆସ୍ଥା ଓ ନିର୍ଭରଶୀଳତା :

ଏଠାରେ ବର୍ଣ୍ଣିତ ଦୃଶ୍ୟର, ଯୀଶୁଙ୍କର ଝଡ଼ ଶାନ୍ତ କରିବା ଦୃଶ୍ୟ ସହ ଅନେକ ସାମଞ୍ଜସ୍ୟ ରହିଛି (ଲୁକ ୮:୨୨-୨୫) । ଯଦିଓ ପାଉଲ ନିଜେ ଏହି ଝଡ଼କୁ ଶାନ୍ତ କରି ନ ଥିଲେ, ତଥାପି ତାଙ୍କର ଆତ୍ମିକ ସ୍ଥିରତା ଓ ଈଶ୍ୱରଙ୍କଠାରେ ଦୃଢ଼ ଆସ୍ଥା ସକଶୁ, ଘୋର ସଙ୍କଟଜନକ ପରିସ୍ଥିତିରେ ସୁଦ୍ଧା ସେ ସହଯାତ୍ରୀ ମାନଙ୍କ ଅନ୍ତରରୁ ମୃତ୍ୟୁର ଆଶଙ୍କା ଦୂର କରି, ଆଶା ଓ ଉତ୍ସାହର ବାତାବରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ । 


ଈଶ୍ଵର ବିଶ୍ୱାସ୍ୟ :

ଜୀବନଯାତ୍ରାରେ ରୋଗ, ଦୁଃଖ, ସମସ୍ୟା ରୂପକ ସକଳ ଝଡ଼, ବତାସ ମଧ୍ୟରେ ଈଶ୍ଵର ଆମକୁ ତାଙ୍କର ଶାନ୍ତି, ସାନ୍ନିଧ୍ୟ, ସୁରକ୍ଷା ଓ କ୍ଷମତା ମଧ୍ୟ ପ୍ରଦାନ କରିଥାନ୍ତି । ସୁସମାଚାର ପ୍ରଚାର ନିମନ୍ତେ ଆଜି ଆମ ନିକଟରେ ଯେଉଁ ସୁଯୋଗ ଉପଲବ୍ଧ ଅଛି, ଆମେ ତାହାର ସଦବ୍ୟବହାର କରିପାରୁଛୁ କି ?


ଜୀବନର ମୁଖ୍ୟ ଉଦ୍ଦେଶ୍ୟ :

କାଇସରଙ୍କୁ ସୁସମାଚାର ଦ୍ଵାରା ପ୍ରଭାବିତ କରି ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ନିଶ୍ଚିତ ହୃଦବୋଧ କରାଇବା ପାଉଲଙ୍କର ଚରମ ଲକ୍ଷ୍ୟ ଥିଲା । ଈଶ୍ୱରଙ୍କ ଯୋଜନା ଓ ନିଜର ଅଧ୍ୟବସାୟ ଓ ରୋମୀୟ ବିଚାର ପଦ୍ଧତିରେ ଅତିରିକ୍ତ ବିଳମ୍ୱିତ ପ୍ରକ୍ରିୟା ସକାଶୁ ପାଉଲ ପରିଶେଷରେ କାଇସରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେଲେ (ପ୍ରେରିତ ୨୫:୧୨,୨୬:୩୧-୩୨) ।


ଆଜିର ସମାଜରେ ଖ୍ରୀଷ୍ଟଙ୍କ ମହିମା ପ୍ରଚାର ଓ ପ୍ରସାର ନିମନ୍ତେ ଆମେ କେତେଦୂର ବିଶ୍ଵସ୍ତ ହୋଇପାରିଛୁ ।