BN

ସାକ୍ଷ୍ୟର ଶକ୍ତି

 ସାକ୍ଷ୍ୟର ଶକ୍ତି 

ଆଜିର ଚିନ୍ତା

ପ୍ରେରିତ ୨୪:୧-୨୭

 ସାଂପ୍ରତିକ ସମାଜରେ ମୁଁ ଖ୍ରୀଷ୍ଟଙ୍କ ସାକ୍ଷୀ ହୋଇ ପାରିଛି କି ?


ଯିରୂଶାଲମରେ ପାଉଲ ଦୃଢ଼ ସାହସ ଓ ନିର୍ଭୀକତାର ସହ ଜନସମୂହ ଓ ଯିହୁଦୀ ମହାସଭା ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ କାଇସରୀଆକୁ ସ୍ଥାନାନ୍ତର କରାଯାଇ ତାଙ୍କୁ ଫେଲିକସଙ୍କ କର୍ତ୍ତୁକ  ବିଚରତା ହେବା ପାଇଁ ନିମନ୍ତେ ଅଣାଗଲା । ଓକିଲ ତର୍ତ୍ତୁଲ ପାଉଲଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି, ସମ୍ରାଟଙ୍କ ବିରୋଧରେ ଜନତାଙ୍କୁ ପ୍ରବର୍ତ୍ତାଇବା ଓ ମନ୍ଦିର ଅଶୁଚି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିଲେ । ମାତ୍ର ପାଉଲଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ ନ୍ୟାୟପରତାରେ ପୂର୍ଣ୍ଣ ଥିଲା ।


ଈଶ୍ଵରଙ୍କ ମାର୍ଗ :

 ପାଉଲଙ୍କ ସ୍ୱପକ୍ଷସମର୍ଥନ ଜନିତ ପ୍ରତିକ୍ରିୟା ମୁଖ୍ୟତଃ ସେ କିଏ, କ'ଣ କ'ଣ କାର୍ଯ୍ୟ କରିଛନ୍ତି, ବିଶେଷତଃ ଈଶ୍ଵର ତାଙ୍କ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କରିଛନ୍ତି, ତାହା ବ୍ୟକ୍ତିଗତ ସାକ୍ଷ୍ୟ ଉପରେ ଆଧାରିତ ଥିଲା (୧୧-୨୧) । ସେ ଯେ ଈଶ୍ଵରଙ୍କ 'ମାର୍ଗ' ର ଜଣେ ବିଶ୍ଵସ୍ତ ଅନୁଗାମୀ ତାହା ମଧ୍ୟ ସ୍ପଷ୍ଟ କରିଥିଲେ । ଏହି ଅଂଶରେ ଆମେ ବ୍ୟକ୍ତିଗତ ସାକ୍ଷ୍ୟର ଅସୀମ, ଅଖଣ୍ଡ ଶକ୍ତିର ପ୍ରଭାବ ଦେଖିବାକୁ ପାଇଥାଉ । ଈଶ୍ଵର ଆମ ଜୀବନରେ କ'ଣ କରିଛନ୍ତି, ଆମ ମାଧ୍ୟମରେ କ'ଣ କରିଛନ୍ତି, ତାଙ୍କ ଆମ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହାହିଁ ଆଜି ଆମ ପାଇଁ ଅର୍ଥପୂର୍ଣ୍ଣ ଅଟେ । ଆମର ଆତ୍ମିକ ଅନୁଭୂତି ଓ ଶିକ୍ଷା, ଆମେ ନିଃସଙ୍କୋଚରେ ଅନ୍ୟମାନଙ୍କୁ ଅଂଶୀ କରାଇବା ଆବଶ୍ୟକ । 


ଦୁଃସାହସିକ ଆବେଦନ : 

ଆତ୍ମ ସମର୍ଥନ ଜନିତ ନିଜ ବକ୍ତବ୍ୟ ଉପସ୍ଥାପିତ କରିବା ପରେ ପାଉଲ ଅନପେକ୍ଷିତ ଭାବେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସମ୍ପର୍କରେ, ଫେଲିକସଙ୍କ ସଙ୍ଗରେ ନିଭୃତରେ ଆଲୋଚନା ନିମନ୍ତେ ଅପୂର୍ବ ସୁଯୋଗ ପ୍ରାପ୍ତ ହୋଇଛନ୍ତି  । ଏଠାରେ ଏକ ଅସାଧାରଣ ତଥା ଦୁଃସାହସିକ ବିଷୟ ଉଲ୍ଲେଖ ଯୋଗ୍ୟ । ଫେଲିକସଙ୍କ ଉପରେ ନିଜର ଭବିଷ୍ୟତ ସମ୍ପୂର୍ଣ ନିର୍ଭର କରୁଥିବା ସତ୍ତ୍ୱେ ପାଉଲ ନିର୍ଭୟ ତଥା ଦୃଢତାର ସହ ତାଙ୍କୁ ଯୀଶୁଙ୍କ ଶିକ୍ଷା ଅବଗତ କରାଇଥିଲେ ।

ପ୍ରାୟତଃ ସରଳ ବ୍ୟକ୍ତିଗତ ଜୀବନର ଅନୁଭୂତିର ଶକ୍ତି ଓ ପ୍ରଭାବ, ଅନେକ ବିଦ୍ୱାନ ବ୍ୟକ୍ତିମାନଙ୍କର ଅସଙ୍ଗତ ଯୁକ୍ତି, ତ୍ରୁଟିପୂର୍ଣ୍ଣ  ଚିନ୍ତାଧାରା ଓ ମନୋଭାବକୁ ଆୟତ୍ତ ଓ ନିୟନ୍ତ୍ରଣ କରିବା ସହ ଦୂର କରିବାରେ ମଧ୍ୟ  ସମର୍ଥ ଓ ସହାୟକ ହୋଇଥାଏ । ଈଶ୍ଵରଙ୍କ ବାକ୍ୟ ହିଁ ସୁସମାଚାର, ଜୀବନ୍ତ, ତୀକ୍ଷ୍ମ ଓ ହୃଦୟର ପରିଭେଦକ (ଏବ୍ରୀ ୪:୧୨) ।


ଯୋଜନା ସଫଳକାରୀ ଈଶ୍ଵର

 ଯୋଜନା ସଫଳକାରୀ ଈଶ୍ଵର

ଆଜିର ଚିନ୍ତା

ପ୍ରେରିତ ୨୨:୨୨-୨୩:୧୧

ଈଶ୍ୱରଙ୍କ ଯୋଜନାକୁ ସଫଳ କରିବାକୁ ମୁଁ ଚେଷ୍ଟା କରୁଛି କି ?


ଈଶ୍ୱରଙ୍କ ଯୋଜନା ଅନୁସାରେ ବିଜାତୀୟମାନେ ପାଉଲଙ୍କ ଦ୍ଵାରା ସୁସମାଚାର ଶୁଣିବାର ସୁଯୋଗ ପାଇଲେ ।


ସୁରକ୍ଷାକାରୀ ଈଶ୍ବର :

ଲୋକମାନେ ପାଉଲଙ୍କ କଥା ଶୁଣି ଚିତ୍କାର କରି କହିଲେ, ଏହି ବ୍ୟକ୍ତି ବଞ୍ଚିବା ଉଚିତ୍ ନୁହେଁ? । ସେମାନେ ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ଫୋପାଡ଼ିବାକୁ ଲାଗିଲେ । ଏଣୁ ସହସ୍ର ସେନାପତି ତାଙ୍କୁ ଗଡ଼ ଭିତରକୁ ନେଇଗଲେ । ସେ ବିଦ୍ରୋହର ସଠିକ୍ କାରଣ ଜାଣିବା ନିହାତି ନିମନ୍ତେ ତାଙ୍କୁ କୋରଡ଼ା ପ୍ରହାର ଦ୍ଵାରା ପରୀକ୍ଷା କରିବାକୁ ଆଦେଶ ଦେଲେ । କୋରଡ଼ା ପ୍ରହାର ପାଇଁ ବାନ୍ଧିଲା ଉତ୍ତାରେ ପାଉଲ ଶତ ସେନାପତିଙ୍କୁ କହିଲେ, ବିଚାର ଦ୍ଵାରା ଦୋଷୀ ବୋଲି ପ୍ରମାଣିତ ନ କରି ଜଣେ ରୋମୀୟକୁ ବେତ୍ରାଘାତ କରିବା ନିୟମ ବିରୁଦ୍ଧ ଅଟେ । ପାଉଲ ଜନ୍ମରୁ ଜଣେ ରୋମୀୟ ବୋଲି ଜାଣି ଶାସକମାନେ ତାଙ୍କୁ ବେତ୍ରାଘାତ କରିବାରୁ ନିବୃତ୍ତ ହେଲେ । ଏପରି ହେଲା ଯେ ସେ ବନ୍ଧନ ମୁକ୍ତ ହେଲେ ଏବଂ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଡାକି ତାଙ୍କ ସମ୍ମୁଖରେ ତାଙ୍କୁ କଥା କହିବାକୁ ସୁଯୋଗ ଦିଆଗଲା । ପବିତ୍ର ଅତ୍ମାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତି ।


ସାହାଯ୍ୟକାରୀ ଈଶ୍ବର :

ପାଉଲ ଉପସ୍ଥିତ ସମସ୍ତଙ୍କୁ ଭ୍ରାତୃବୃନ୍ଦ ବୋଲି ସମ୍ବୋଧନ କରି ଈଶ୍ୱରଙ୍କ ସାକ୍ଷାତରେ ଯଥାର୍ଥ ଆଚାରବ୍ୟବହାର କରିଛନ୍ତି ବୋଲି କହିବାରୁ ମହାଯାଜକ ହାନାନ୍ ତାହାଙ୍କ ମୁଖରେ ଆଘାତ କରିବାକୁ ଲୋକମାନଙ୍କୁ ଆଜ୍ଞା ଦେଲେ । ମାତ୍ର ପାଉଲ ସାହସର ସହିତ ଉତ୍ତମ ବ୍ୟବହାର ଦେଖାଇ ନିଜକୁ ଜଣେ ଫାରୁଶୀ ବୋଲି କହି ଯାହା ଯଥାର୍ଥ ତାହା ଜଣାଇଲେ । ଫାରୂଶୀ ଏବଂ ସାଦ୍ଦୁକୀମାନଙ୍କ ମଧ୍ୟରେ ବିବାଦ ଘଟିଲା । କାରଣ ସାଦ୍ଦୁକୀମାନେ ପୁନରୁତ୍ଥାନ ନାହିଁ କିମ୍ବା ଦୂତ ଅବା ଆତ୍ମା ନାହିଁ ବୋଲି କହୁଥିଲେ, ମାତ୍ର ଫାରୁଶୀମାନେ ଉଭୟକୁ ସ୍ଵୀକାର କରୁଥିଲେ । ଫଳରେ ପରସ୍ପର ମଧ୍ୟରେ ବାକ୍ ଯୁଦ୍ଧ ହେଲା । କେତେକ ଶାସ୍ତ୍ରୀ କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁ, ବରଂ କୌଣସି ଆତ୍ମା ଅବା ଦୂତ ତାହା ସହିତ କଥାବାର୍ତ୍ତା କରିଛନ୍ତି । ତେଣୁ ମହା ବିବାଦ ଘଟିଲା । କାଳେ ଲୋକମାନେ ପାଉଲଙ୍କୁ ବଧ କରି ଦେବେ, ଏହି ଭୟରେ ତାଙ୍କୁ ଗଡ଼ ଭିତରକୁ ନିଆଗଲା । ଈଶ୍ଵର ସର୍ବଦା ସବୁ ବିଷୟକୁ ନିୟନ୍ତ୍ରଣ କରିବାକୁ ସମର୍ଥ ଅଟନ୍ତି 


ନିର୍ଭୀକ ସାକ୍ଷୀ

 ନିର୍ଭୀକ ସାକ୍ଷୀ

ଆଜିର ଚିନ୍ତା

ପ୍ରେରିତ ୨୧:୩୭-୨୨:୨୧

ମୁଁ ଅନ୍ୟମାନଙ୍କୁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛି କି ?


ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ସମୟରେ ସେ ଗ୍ରୀକ୍ ଭାଷାରେ କଥା କହିବାରୁ ସେମାନେ ଜାଣିପାରିଲେ ଯେ ସେ ଜଣେ ଅଯଥା ଗଣ୍ଡଗୋଳକାରୀ ବ୍ୟକ୍ତି ନୁହନ୍ତି । ମାତ୍ର ସେ ଜଣେ ଯିହୁଦୀ ଅଟନ୍ତି । 


ସତ୍ୟତାକୁ ଘୋଷଣା କରିବା :

ପାଉଲ କାହାର ପ୍ରତିବାଦ କରିବା ପରିବର୍ତ୍ତେ ସେ ଜଣେ ଯିହୂଦୀ ପୁଣି ତା ନଗରର ଲୋକ ଅଟନ୍ତି ଏହା ସ୍ଵୀକାର କରି କହିଲେ, ଏହି ଲୋକମାନଙ୍କୁ କଥା କହିବାକୁ ମୋତେ ଅନୁମତି ଦେବାକୁ ନିବେଦନ କରୁଛି । ଅନୁମତି ପାଇଲା ପରେ ସେମାନେ ଯେପରି ବୁଝିପାରିବେ, ଏଥିପାଇଁ ପାଉଲ ଏବ୍ରୀ ଭାଷାରେ ଲୋକମାନଙ୍କୁ କହିବାକୁ ଲାଗିଲେ । ଏହାଦ୍ବାରା ସେ ଯେ ଜଣେ ନଇଷ୍ଠିକ ଯିହୂଦୀ ପୁଣି ଯିହୂଦୀମାନଙ୍କର ବ୍ୟବସ୍ଥା ଓ ପ୍ରଥାକୁ ସମ୍ମାନ ଦିଅନ୍ତି, ତାହା ସେମାନଙ୍କୁ ଜଣାଇ ଦେଲେ । ସଫଳତାର ସହ ସୁସମାଚାର ପ୍ରଚାର ନିମନ୍ତେ ଶ୍ରୋତାମାନଙ୍କର ଗ୍ରହଣୀୟ ଭାଷାରେ ଜ୍ଞାନ ମଧ୍ୟ ଆବଶ୍ୟକ ଅଟେ । ସେ ସାହସର ସହିତ ସେମାନଙ୍କୁ କହିଲେ, ମୁଁ ଜଣେ ଯିହୂଦୀ, ପୁଣି ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମନୁସାରେ ଗମଲୀୟଲଙ୍କ ଦ୍ଵାରା ଶିକ୍ଷାପ୍ରାପ୍ତ ଅଟେ । ଆପଣାମାନଙ୍କ ପରି ମୁଁ ମଧ୍ୟ ଉଦଯୋଗୀ ହୋଇ ଏଥିପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କ ମାର୍ଗରେ ଥିବା ଲୋକମାନଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି ।ଏହିସବୁ କଥା କହିବାରୁ ଶ୍ରୋତାଗଣ ଆଗ୍ରହରେ ତାଙ୍କ କଥା ଶୁଣିବାକୁ ଲାଗିଲେ । ଯୀଶୁଙ୍କ ବିଷୟରେ ପ୍ରଚାର କରିବା ପୂର୍ବରୁ ଉପସ୍ଥିତ ଶ୍ରୋତାମାନଙ୍କୁ ନିଜ ଜୀବନରେ ପରିଚୟ ଦେବା ଆବଶ୍ୟକ । 


ସାକ୍ଷ୍ୟ ଦେବା :

ଲୋକମାନେ ଦୋଷାରୋପ କରିବା ନିମନ୍ତେ ମନଦେଇ ତାଙ୍କର କଥା ଶୁଣୁଥିଲେ । ପାଉଲ ନିର୍ଭୀକ ଭାବରେ ତାଙ୍କ ଜୀବନର ସାକ୍ଷ୍ୟ ସେମାନଙ୍କୁ ଦେଲେ । ଈଶ୍ଵର କିପରି ଦମ୍ମେସକ ନିକଟରେ ତାଙ୍କୁ ଡାକି ତାଙ୍କର ପରିଚୟ ଦେଲେ ତାହା ପୂଙ୍ଖାନୁପୁଙ୍ଖ ଭାବରେ ସେମାନଙ୍କୁ କହିଲେ । ପୁଣି ଯିରୁଶାଲମ ମନ୍ଦିରରେ ପାଇଥିବା ଦର୍ଶନ ଏବଂ ଆଦେଶ ସମ୍ବନ୍ଧରେ ମଧ୍ୟ ଜଣାଇଲେ । ସେ କହିଲେ, ଦିନ ଥିଲା ମୁଁ ଖ୍ରୀଷ୍ଟ ବିଶ୍ବାସୀ ସ୍ତିଫାନଙ୍କର ମୃତ୍ୟୁ ସମୟରେ ସେଠାରେ ଠିଆ ହୋଇ ତାହାକୁ ସମର୍ଥନ କରିଥିଲି । କିନ୍ତୁ ଏବେ ପ୍ରଭୁ ମୋତେ ବିଜାତୀୟମାନଙ୍କ ନିକଟକୁ ଯାଇ ଏକମାତ୍ର ସତ୍ୟ ପ୍ରଭୁଙ୍କ ବିଷୟରେ ଜଣାଇବାକୁ ପ୍ରେରଣ କରିଛନ୍ତି । ଏହା ଶୁଣି ବିଦ୍ରୋହୀମାନଙ୍କର କ୍ରୋଧ ତାଙ୍କ ପ୍ରତି ପ୍ରଜ୍ଜ୍ଵଳିତ ହେଲା । ପ୍ରତିବାଦ ଓ ତାଡ଼ନା ସତ୍ତ୍ବେ ଆମେ ସତ୍ୟସାକ୍ଷୀ ହେଉ ବୋଲି ଈଶ୍ଵର ଚାହାଁନ୍ତି । 

ଉତ୍ତମ ବୁଝାମଣା

 ଉତ୍ତମ ବୁଝାମଣା 

ଆଜିର ଚିନ୍ତା

ପ୍ରରିତ ୨୧: ୧୭-୨୬

ମୁଁ ଉତ୍ତମ ବୁଝାମଣା ଯଥାର୍ଥ କାର୍ଯ୍ୟ କରିବାକୁ ଚେଷ୍ଟା କରେ କି ? 


ପାଉଲ ଯିରୁଶାଲମରେ ପହଞ୍ଚିଲେ । ପରଦିନ ସେ ଅନ୍ୟମାନଙ୍କ ସହ ଯୀଶୁଙ୍କର ଭାଇ ଯାକୁବଙ୍କ ଗୃହକୁ ଗଲେ । ସେ ଯିରୁଶାଲମ ମଣ୍ଡଳୀର ଜଣେ ନେତା ଥିଲେ । ସେଠାରେ ସେ ସମସ୍ତ ପ୍ରାଚୀନମାନଙ୍କ ସହିତ କଥାବାର୍ତ୍ତା ହେଲେ । 


ବିରୋଧାତ୍ମକ ଚିନ୍ତାଧାରା : 

ସେଠାରେ ମଣ୍ଡଳୀ ମଧ୍ୟରେ ଅଣ ଯିହୁଦୀ ବିଶ୍ବାସୀ ମାନଙ୍କ ନିମନ୍ତେ ସୁନ୍ନତ ବିଧି ପ୍ରଚଳନ ଥିଲା । ପାଉଲ ଏହି ବିଧି ଅନୁଯାୟୀ କାର୍ଯ୍ୟ ନ କରି ମୋଶାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି ବୋଲି ଜନରବ ହେଉଥିଲା । ମାତ୍ର ତାହା ସତ୍ୟ ନ ଥିଲା । ତେଣୁ ପାଉଲ ଯିହୁଦୀମାନଙ୍କର ପ୍ରଥାକୁ ବିରୋଧ କରୁନାହାନ୍ତି ବୋଲି ଜଣାଇବା ନିମନ୍ତେ ସେମାନଙ୍କର ଶୁଚିକରଣ ପ୍ରଥାକୁ ପାଳନ କରି ନିଜକୁ ଶୂଚି କଲେ, ଯେପରି ସୁସମାଚାର କାର୍ଯ୍ୟ ବାଧାପ୍ରାପ୍ତ ନ ହୁଏ । ଫଳରେ ମଣ୍ଡଳୀରେ ଶାନ୍ତି ସ୍ଥାପନ ହେଲା । ପାଉଲ ଜଣେ ଦୃଢ଼ ଖ୍ରୀଷ୍ଟ ବିଶ୍ବାସୀ ଥିଲେ, ତଥାପି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ନିମନ୍ତେ ସେ କେତେଗୁଡ଼ିଏ ନୀତି ନିୟମରେ ଆପଣାକୁ ସାମିଲ କଲେ (୧କର ୯:୧୯-୨୩) । ଆମେ କୌଣସିମତେ ଆମର ଯଥାର୍ଥ ବିଶ୍ଵାସମତକୁ ଭଙ୍ଗ କରିବା ଉଚିତ୍ ନୁହେଁ, ବରଂ ମଣ୍ଡଳୀ ମଧ୍ୟରେ ଶାନ୍ତି ରକ୍ଷା କରି ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରି ନିଷ୍ପତି ନେବା ଉଚିତ୍ ।


ଉତ୍ତମ ବୁଝାମଣା :

ଯିହୁଦୀମାନେ ଭାବୁଥିଲେ, ଯେଉଁମାନେ ପୂରାତନ ନିୟମରେ ଥିବା ନିୟମସବୁ ପାଳନ କରିବେ, ସେମାନେ ପରିତ୍ରାଣ ପାଇବେ । ପାଉଲ ଏହି ନିୟମକୁ ଅଗ୍ରାହ୍ୟ କଲେ । ସେ ଜଣାଇଦେଲେ, ଈଶ୍ଵର ମହାଅନୁଗ୍ରହରେ ଆମ୍ଭମାନଙ୍କୁ ବିନାମୂଲ୍ୟରେ ପରିତ୍ରାଣ ଦେଇଛନ୍ତି । ଆମେ କେବଳ ବିଶ୍ଵାସରେ ତାହା ଗ୍ରହଣ କଲେ, ପରିତ୍ରାଣ ପ୍ରାପ୍ତ ହେବା । କିନ୍ତୁ ନିୟମ ଆମକୁ ଆମର ଦୋଷ ଦେଖାଇ ଦିଏ, ମାତ୍ର ଆମକୁ ପରିତ୍ରାଣ ଦେଇପାରିବେ ନାହିଁ । ପୁରାତନ ନିୟମ ଯୀଶୁଖ୍ରୀଷ୍ଟଙ୍କର ଆସିବା ବିଷୟରେ ଶିକ୍ଷା ଦେଇଛି । ଯୀଶୁ ଜଗତକୁ ଆସି ବ୍ୟବସ୍ଥାକୁ ସଫଳ କଲେ ଏବଂ ପାପର ଦଣ୍ଡ ନିଜ ଉପରେ ନେଇ ଆମକୁ ଦଣ୍ଡମୁକ୍ତ ହେବାରେ ସୁଯୋଗ ଦେଲେ । ବ୍ୟବସ୍ଥା ଆମକୁ ଭଲମନ୍ଦର ଜ୍ଞାନ ଦିଏ ଓ ଉତ୍ତମ ଜୀବନଯାପନ କରିବାକୁ ଚାଳନା ଦିଏ । ବିନା ଯୁକ୍ତିତର୍କରେ, ପ୍ରେମରେ ଓ ସରଳ ଭାବରେ ସେ ଲୋକମାନଙ୍କୁ ବୁଝାଇବାରୁ, ସେ ସେମାନଙ୍କ ନିକଟରେ ସୁସମାଚାର ଦେଇପାରିଲେ । 


କାର୍ଯ୍ୟ କରିବାର ଏକାଗ୍ରତା

 କାର୍ଯ୍ୟ କରିବାର ଏକାଗ୍ରତା

ଆଜିର ଚିନ୍ତା

ପ୍ରେରିତ ୨୦:୧-୧୬

ଅନ୍ୟମାନଙ୍କ ନିକଟରେ ସୁସମାଚାର ପହଞ୍ଚାଇବାକୁ ମୁଁ କଣ କରୁଛି ? 


ପ୍ରେରିତ ପାଉଲ ଗ୍ରୀସ୍ ରେ ଥିବା ସମୟରେ ଅଧିକ ସମୟ କରିନ୍ତୀରେ ରହି କାର୍ଯ୍ୟ କଲେ । ସେ ରୋମ୍ କୁ ଯାଇପାରି ନ ଥିଲେ ମଧ୍ୟ ସେଠାସ୍ଥିତ ମଣ୍ଡଳୀର ଉତ୍ତମ ପରିଚାଳନା ନିମନ୍ତେ ପରିତ୍ରାଣ ଓ ବିଶ୍ଵାସ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା କରି ଚିଠି ଲେଖିଥିଲେ । 


ଉତ୍ସାହ ଦେବା :

ପ୍ରଭୁଙ୍କର ଇଛାମୟ ଜୀବନଯାପନ କରିବା ସହ ତାଙ୍କ ନିମନ୍ତେ କାର୍ଯ୍ୟ କରି ଅନ୍ୟମାନଙ୍କୁ ଉତ୍ସାହ ଦେବାର ଆବଶ୍ୟକତାକୁ ପାଉଲ ହୃଦୟଙ୍ଗମ କରିଥିଲେ । ତେଣୁ ସେ ବାରମ୍ବାର ନୂତନ ବିଶ୍ବାସୀ ମାନଙ୍କୁ ଡାକି ସେମାନଙ୍କୁ ବହୁତ ଉତ୍ସାହ ଦେଉଥିଲେ । ଏହା ଦ୍ଵାରା ବିଶ୍ବାସୀମାନେ ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଥିଲେ ମଧ୍ୟ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ପ୍ରେରଣା ପାଉଥିଲେ । ଫଳରେ ତାଙ୍କର ଅନୁପସ୍ଥିତିରେ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ସେ ନିଜେ ପ୍ରାଣପଣ କରୁଥିଲେ । ପୁଣି ତାଙ୍କର ଉଦଯୋଗ, ପ୍ରେମପୂର୍ଣ୍ଣ ପରାମର୍ଶ ଓ ଉତ୍ତମ ସମ୍ପର୍କ ହେତୁ ବିଶ୍ବାସୀମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ବିଶ୍ଵସ୍ତ ଭାବରେ କାର୍ଯ୍ୟ କରୁଥିଲେ । ଜଣେ ବିଶ୍ବାସୀ ଭାବରେ ଅନ୍ୟକୁ ଯୀଶୁଙ୍କ ସମ୍ବନ୍ଧରେ ଜଣାଇବା ନିମନ୍ତେ ଆମେ ମନୋଯୋଗୀ ହେବା ସହିତ ଯେଉଁମାନେ ଏହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉତ୍ସାହ ଦେବା ଏବଂ ସାହାଯ୍ୟ କରିବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ ।


ପରିଶ୍ରମ କରିବା :

ସୁସମାଚାର ପ୍ରଚାର ନିମନ୍ତେ ପାଉଲ ବ୍ୟଗ୍ର ଥିଲେ । ତେଣୁ ସେ ସୁଯୋଗ ଖୋଜି ବୁଲୁଥିଲେ ଏବଂ ସୁଯୋଗ ପାଇଲେ ତାର ସଦ୍ ବ୍ୟବହାର କରୁଥିଲେ । ସେଥିପାଇଁ ସେ ତ୍ରୋୟାରେ ଲୋକମାନଙ୍କୁ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ । ପବିତ୍ର ଆତ୍ମା ତାଙ୍କୁ ଏପରି ଶକ୍ତିର ସହ ବ୍ୟବହାର କରୁଥିଲେ ଯେ, ଲୋକେ ଏକାଗ୍ର ଭାବରେ ବସି ତାଙ୍କର ଶିକ୍ଷା ଶୁଣୁଥିଲେ । ସେହି ସମୟରେ ଇଉତୁକ ନାମକ ଜଣେ ଯୁବକ ଝରକା ଉପରେ ବସି ଶିକ୍ଷା ଶୁଣିଥିଲା । ସେ ନିଦ୍ରାଗ୍ରସ୍ତ ହୋଇ ତୃତୀୟ ମହଲାରୁ ତଳକୁ ପଡ଼ି ମୃତ୍ୟୁଭୋଗ କଲା, ମାତ୍ର ପାଉଲ ସଙ୍ଗେ ସଙ୍ଗେ ତଳକୁ ଉହ୍ଲାଇ ତାହାକୁ ଜୀବିତ ବୋଲି କହିଲେ । ତତ୍ପରେ ସେ ପୁନର୍ବାର ପ୍ରଭାତ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ଖ୍ରୀଷ୍ଟଙ୍କ ପ୍ରେମ ତାଙ୍କୁ ବଶରେ ରଖିଥିବାରୁ ସେ ଏହିପରି ଅକ୍ଲାନ୍ତ ପରିଶ୍ରମ କରିବାକୁ ସମର୍ଥ ହେଉଥିଲେ ।