କାର୍ଯ୍ୟ କରିବାର ଏକାଗ୍ରତା
ଆଜିର ଚିନ୍ତା
ପ୍ରେରିତ ୨୦:୧-୧୬
ଅନ୍ୟମାନଙ୍କ ନିକଟରେ ସୁସମାଚାର ପହଞ୍ଚାଇବାକୁ ମୁଁ କଣ କରୁଛି ?
ପ୍ରେରିତ ପାଉଲ ଗ୍ରୀସ୍ ରେ ଥିବା ସମୟରେ ଅଧିକ ସମୟ କରିନ୍ତୀରେ ରହି କାର୍ଯ୍ୟ କଲେ । ସେ ରୋମ୍ କୁ ଯାଇପାରି ନ ଥିଲେ ମଧ୍ୟ ସେଠାସ୍ଥିତ ମଣ୍ଡଳୀର ଉତ୍ତମ ପରିଚାଳନା ନିମନ୍ତେ ପରିତ୍ରାଣ ଓ ବିଶ୍ଵାସ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା କରି ଚିଠି ଲେଖିଥିଲେ ।
ଉତ୍ସାହ ଦେବା :
ପ୍ରଭୁଙ୍କର ଇଛାମୟ ଜୀବନଯାପନ କରିବା ସହ ତାଙ୍କ ନିମନ୍ତେ କାର୍ଯ୍ୟ କରି ଅନ୍ୟମାନଙ୍କୁ ଉତ୍ସାହ ଦେବାର ଆବଶ୍ୟକତାକୁ ପାଉଲ ହୃଦୟଙ୍ଗମ କରିଥିଲେ । ତେଣୁ ସେ ବାରମ୍ବାର ନୂତନ ବିଶ୍ବାସୀ ମାନଙ୍କୁ ଡାକି ସେମାନଙ୍କୁ ବହୁତ ଉତ୍ସାହ ଦେଉଥିଲେ । ଏହା ଦ୍ଵାରା ବିଶ୍ବାସୀମାନେ ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଥିଲେ ମଧ୍ୟ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ପ୍ରେରଣା ପାଉଥିଲେ । ଫଳରେ ତାଙ୍କର ଅନୁପସ୍ଥିତିରେ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ସେ ନିଜେ ପ୍ରାଣପଣ କରୁଥିଲେ । ପୁଣି ତାଙ୍କର ଉଦଯୋଗ, ପ୍ରେମପୂର୍ଣ୍ଣ ପରାମର୍ଶ ଓ ଉତ୍ତମ ସମ୍ପର୍କ ହେତୁ ବିଶ୍ବାସୀମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ବିଶ୍ଵସ୍ତ ଭାବରେ କାର୍ଯ୍ୟ କରୁଥିଲେ । ଜଣେ ବିଶ୍ବାସୀ ଭାବରେ ଅନ୍ୟକୁ ଯୀଶୁଙ୍କ ସମ୍ବନ୍ଧରେ ଜଣାଇବା ନିମନ୍ତେ ଆମେ ମନୋଯୋଗୀ ହେବା ସହିତ ଯେଉଁମାନେ ଏହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉତ୍ସାହ ଦେବା ଏବଂ ସାହାଯ୍ୟ କରିବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ ।
ପରିଶ୍ରମ କରିବା :
ସୁସମାଚାର ପ୍ରଚାର ନିମନ୍ତେ ପାଉଲ ବ୍ୟଗ୍ର ଥିଲେ । ତେଣୁ ସେ ସୁଯୋଗ ଖୋଜି ବୁଲୁଥିଲେ ଏବଂ ସୁଯୋଗ ପାଇଲେ ତାର ସଦ୍ ବ୍ୟବହାର କରୁଥିଲେ । ସେଥିପାଇଁ ସେ ତ୍ରୋୟାରେ ଲୋକମାନଙ୍କୁ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ । ପବିତ୍ର ଆତ୍ମା ତାଙ୍କୁ ଏପରି ଶକ୍ତିର ସହ ବ୍ୟବହାର କରୁଥିଲେ ଯେ, ଲୋକେ ଏକାଗ୍ର ଭାବରେ ବସି ତାଙ୍କର ଶିକ୍ଷା ଶୁଣୁଥିଲେ । ସେହି ସମୟରେ ଇଉତୁକ ନାମକ ଜଣେ ଯୁବକ ଝରକା ଉପରେ ବସି ଶିକ୍ଷା ଶୁଣିଥିଲା । ସେ ନିଦ୍ରାଗ୍ରସ୍ତ ହୋଇ ତୃତୀୟ ମହଲାରୁ ତଳକୁ ପଡ଼ି ମୃତ୍ୟୁଭୋଗ କଲା, ମାତ୍ର ପାଉଲ ସଙ୍ଗେ ସଙ୍ଗେ ତଳକୁ ଉହ୍ଲାଇ ତାହାକୁ ଜୀବିତ ବୋଲି କହିଲେ । ତତ୍ପରେ ସେ ପୁନର୍ବାର ପ୍ରଭାତ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ଖ୍ରୀଷ୍ଟଙ୍କ ପ୍ରେମ ତାଙ୍କୁ ବଶରେ ରଖିଥିବାରୁ ସେ ଏହିପରି ଅକ୍ଲାନ୍ତ ପରିଶ୍ରମ କରିବାକୁ ସମର୍ଥ ହେଉଥିଲେ ।