BN

ଉତ୍ତମ ସମ୍ପର୍କ

 ଉତ୍ତମ ସମ୍ପର୍କ

ଆଜିର ଚିନ୍ତା 

ପ୍ରେରିତ ୨୦:୧୭-୩୮

ଆତ୍ମିକ ଅଭିବୃଦ୍ଧି ପାଇଁ ମୁଁ ଖ୍ରୀଷ୍ଟୀୟ ସହଭାଗିତାରେ ଯୋଗ ଦେଉଛି କି ?


ନିଜ ଚେଷ୍ଟାରେ ଜଣେ ଖ୍ରୀଷ୍ଟ ବିଶ୍ଵାସୀ ତାର ଜୀବନର ସମସ୍ତ ସମସ୍ୟାର ସମାଧାନ କରିବା ସମ୍ଭବାପର ନୁହେଁ । ପ୍ରଭୁ ଯୀଶୁ ହିଁ ସମସ୍ତ ସମସ୍ୟାର ସମାଧାନ ଅଟନ୍ତି । ତେଣୁ ପାଉଲ ନମ୍ର ଭାବରେ ପରିତ୍ରାଣର ସମ୍ବାଦକୁ ଲୋକମାନଙ୍କୁ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲେ । 


ପଛଘୁଞ୍ଚା ନ ଦେବା : 

ବହୁତ ଦୁଃଖଭୋଗ କରିବା ସହ କାରାଗାରସ୍ଥ ହେବାକୁ ପଡିବ ବୋଲି ପବିତ୍ର ଆତ୍ମା ପାଉଲଙ୍କୁ ଜଣାଉଥିଲେ ମଧ୍ୟ ସେ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ଦେଉ ନ ଥିଲେ । ତାଙ୍କର ଏହି ବଳିଷ୍ଠ ଚରିତ୍ର, ତାଡନା ପାଉଥିବା ଏଫିସୀୟ ମଣ୍ଡଳୀର ପ୍ରାଚୀନମାନଙ୍କ ନିମନ୍ତେ ଏକ ଉତ୍ତମ ଆଦର୍ଶ ଥିଲେ । ଜାଗତିକ ସଫଳତା ଆନନ୍ଦ ଦିଏ । ମାତ୍ର ଧନ, ମାନ ଓ ସମ୍ମାନରେ ବିଫଳତା ଆସିଲେ, ଆମ ଜୀବନ ବିଫଳ ହୋଇଗଲା ବୋଲି ମନେ କରୁ । କିନ୍ତୁ ପାଉଲ ଭାବୁଥିଲେ ଈଶ୍ୱରଙ୍କ ନିମନ୍ତେ ତାଙ୍କ ଜୀବନ ବ୍ୟବହୃତ ହୋଇ ନ ପାରିଲେ, ତାହା ମୂଲ୍ୟହୀନ ଅଟେ । ପାଇବା ଅପେକ୍ଷା ଦେବା ଉପରେ ଆମେ ଗୁରୁତ୍ଵ ଦେବା ଉଚିତ୍ । 


ଲକ୍ଷ୍ୟ ରଖି ଆଗେ ବଢ଼ିବା :

ପ୍ରେରିତ ପାଉଲ ଈଶ୍ୱରଙ୍କ କାର୍ଯ୍ୟ ସାଧନ କରିବାର ଏକମାତ୍ର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରାଣପଣ କରୁଥିଲେ । ଏପରିକି ସେ ନିଜର ପ୍ରାଣକୁ ପ୍ରିୟଜ୍ଞାନ ନ କରି ସବୁ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ । ଆଜି ମଧ୍ୟ ପ୍ରଭୁ ସେହିପରି କାର୍ଯ୍ୟକାରୀମାନଙ୍କୁ ଚାହୁଛନ୍ତି । ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନେ ଯେପରି ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ଜୀବନଯାପନ କରିବା ନିମନ୍ତେ ଶିକ୍ଷା, ଚେତନା ଓ ଉତ୍ସାହ ଦେବେ, ସେଥିପାଇଁ ସେମାନଙ୍କୁ ଶିକ୍ଷା ଦେଲେ । ପ୍ରତ୍ୟେକ ମଣ୍ଡଳୀର ନେତା ମାନେ ଏହି ଦାୟିତ୍ବ ବହନ କରିବା ଅତି ଜରୁରୀ ଅଟେ । ଖ୍ରୀଷ୍ଟଙ୍କ ଆଦର୍ଶ ଓ ଶିକ୍ଷା ଦ୍ଵାରା ମଣ୍ଡଳୀକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ଆବଶ୍ୟକ । 


ସହଭାଗୀତା ରକ୍ଷା କରିବା :

ବିଶ୍ବାସୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ହେଉଛି, ପାଉଲଙ୍କ ଜୀବନର ଅତି ଉତ୍ତମ ଏବଂ ଅନୁକରଣୀୟ ଆଦର୍ଶ । ସେ କେବଳ ବିଶ୍ବାସୀମାନଙ୍କୁ ପ୍ରେମ କରୁ ନ ଥିଲେ, ମାତ୍ର ସେମାନଙ୍କର ଯତ୍ନ ନେବା ସହ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଥିଲେ । ଉତ୍ତମ ସହଭାଗିତା ଆତ୍ମିକ ଜୀବନର ଅଭିବୃଦ୍ଧିର ସହାୟକ ଅଟେ।

ପ୍ରସ୍ତୁତ ଜୀବନ

 ପ୍ରସ୍ତୁତ ଜୀବନ 

ଆଜିର ଚିନ୍ତା

ପ୍ରେରିତ ୨୧:୧-୧୬

ଅନ୍ୟମାନଙ୍କ ନିମନ୍ତେ ମୁଁ ମନୋଯୋଗୀ ଅଟେ କି ? 


ପାଉଲ, ସାକ୍ଷ୍ୟ ଓ ବାକ୍ୟ ମାଧ୍ୟମରେ ଯେ ଲୋକମାନଙ୍କୁ ସାହାଯ୍ୟ କଲେ, ତା' ନୁହେଁ, ମାତ୍ର ନିଜେ ପରିଶ୍ରମ କରି ଦାନ ମାଧ୍ୟମରେ ମଧ୍ୟ ଦରିଦ୍ରମାନଙ୍କର ଯତ୍ନ ନେଉଥିଲେ । 


ଅନ୍ୟ ନିମନ୍ତେ ମନୋଯୋଗୀ :

ପାଉଲ ଅନ୍ୟମାନଙ୍କର ଆତ୍ମିକ ଜୀବନ ବିଷୟରେ ଅଧିକ ମନୋଯୋଗୀ ଥିଲେ । ତେଣୁ ଯାତ୍ରା ପଥରେ ମଧ୍ୟ ସେ ସୁଯୋଗ ବାହାର କରି ବିଶ୍ବାସୀମାନଙ୍କର ଯତ୍ନ ନେଉଥିଲେ । ସୋର ରେ ଜାହାଜ କିଛି ସମୟ ନିମନ୍ତେ ରହିବାରୁ ସେ ଶିଷ୍ୟମାନଙ୍କୁ ଖୋଜି ସେମାନଙ୍କ ସହିତ ସାକ୍ଷାତ କଲେ । ସେମାନଙ୍କୁ ଶିକ୍ଷା, ପରାମର୍ଶ ଓ ଉତ୍ସାହ ଦେବା ସହିତ ପ୍ରାର୍ଥନା କଲେ । ପତଲମାଇରେ ମଧ୍ୟ ସେ ଭାଇମାନଙ୍କ ସାଙ୍ଗରେ ଗୋଟିଏ ଦିନ ବିତାଇଲେ । ପୁଣି କାଇସରିଆକୁ ଆସି ସୁସମାଚାର ପ୍ରଚାରକ ଫିଲିପଙ୍କ ଗୃହରେ ଅନେକ ଦିନ ରହି ବିଶ୍ଵାସୀମାନଙ୍କ ସହିତ ସହଭାଗିତାରେ ସମୟ ବିତାଇ ସେମାନଙ୍କୁ ଉତ୍ସାହିତ କଲେ । ତେଣୁ ଲୋକମାନଙ୍କଠାରୁ ସେ ବିଦାୟ ନେଇ ଅନ୍ୟତ୍ର ଯିବାକୁ ବାହାରିବା ସମୟରେ ସେମାନେ ଦୁଃଖ କରିବା ସହ ରୋଦନ କରୁଥିଲେ । ଆମେ ଅନ୍ୟମାନଙ୍କ ବିଷୟରେ ମନୋଯୋଗ କରୁଛୁ ନା ନିଜର ସ୍ବାର୍ଥସିଦ୍ଧି ପାଇଁ ବ୍ୟସ୍ତ ରହିଛୁ ? 


ସଂପୂର୍ଣ୍ଣ ସମର୍ପଣ : 

ପବିତ୍ର ଆତ୍ମା ବିଶ୍ବାସୀମାନଙ୍କୁ ପାଉଲଙ୍କ ସମ୍ମୁଖରେ ଥିବା ତାଡ଼ନା ବିଷୟରେ ଜଣାଉଥିବାରୁ ସେମାନେ ତାଙ୍କୁ ଯିରୁଶାଲମକୁ ନ ଯିବାକୁ ଅନୁରୋଧ କଲେ । କାଇସରିଆରେ ଥିବା ସମୟରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସି ପାଉଲ ଓ ଯିରୁଶାଲମରେ କିପରି ତାଡ଼ନା ଭୋଗ କରିବେ, ସେ ବିଷୟରେ ତାଙ୍କୁ ଜଣାଇଲେ । ଏକଥା ଶୁଣି ସମସ୍ତେ ତାଙ୍କୁ ଯିରୁଶାଲମକୁ ନ ଯିବା ନିମନ୍ତେ ବିନତୀ କଲେ । ମାତ୍ର ସେ କହିଲେ, ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୁଶାଲମରେ କେବଳ ବନ୍ଦୀ ହେବକୁ ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି । ପ୍ରଭୁ ଆମଠାରୁ ସମ୍ପର୍ଣ୍ଣ  ସମର୍ପିତ ଜୀବନ ଚାହୁଛନ୍ତି । 


ଦୃଢ଼ ସିଦ୍ଧାନ୍ତ :

ପ୍ରିୟ ଲୋକମାନଙ୍କର କ୍ରନ୍ଦନ ଓ ବାରମ୍ବାର ବିନତୀ ସହ ଅନୁରୋଧ ଶୁଣି ମଧ୍ୟ ପାଉଲ ନିଜ ସିଦ୍ଧାନ୍ତ ରୁ କ୍ଷାନ୍ତ ହେଲେ ନାହିଁ, ବରଂ ଆନନ୍ଦ ମନରେ ତାଡ଼ନା ସହ୍ୟ କରି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷ୍ୟ ବହନ କରିବା ନିମନ୍ତେ ଯିରୁଶାଲମକୁ ଯାତ୍ରା କଲେ । ଦୃଢ଼ ସିଦ୍ଧାନ୍ତ ନ ନେଲେ, ଆମେ ପ୍ରଭୁଙ୍କର ମନରମତ କାମ କରି ପାରିବା ନାହିଁ । 

ତାଡନାର ସମ୍ମୁଖୀନ

 ତାଡନାର ସମ୍ମୁଖୀନ 

ଆଜିର ଚିନ୍ତା

ପ୍ରେରିତ ୧୯:୨୧-୪୧

ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ ଅଛି କି ?


ପ୍ରେରିତ ପାଉଲ ଯେଉଁ ସ୍ଥାନକୁ ପ୍ରଚାର କରିବାକୁ ଯାଉଥିଲେ, ସେଠାରେ ରୋମୀୟ ଶାସନର ପ୍ରଭାବକୁ ଦେଖୁଥିଲେ । ସେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ଯୀଶୁଙ୍କ ବିଷୟରେ ଅନ୍ୟମାନଙ୍କୁ କହିବାକୁ ଇଚ୍ଛା କରୁଥିବାରୁ ଶକ୍ତିଶାଳୀ ରୋମ୍ କୁ ଯିବାକୁ ଚାହୁଥିଲେ । 


ପ୍ରତିବାଧା ସୃଷ୍ଟି ହେଲା :

ପାଉଲ, ତିମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପ୍ରେରଣ କରି କିଛି ସମୟ ପାଇଁ ଆସିଆରେ ରହିଲେ । ସେ ଏଫୀସରେ ପ୍ରଚାର କରୁଥିବା ସମୟରେ ଦୀମୀତ୍ରିୟ ନାମକ ଜଣେ ସ୍ଵର୍ଣ୍ଣକାର ଆର୍ତ୍ତେମୀୟ ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲେ । ସେଥିରେ ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ ହେଉଥିଲା । ପାଉଲଙ୍କ ଶିକ୍ଷାରେ ଅନେକେ ଯୀଶୁଙ୍କୁ ଗ୍ରହଣ କରିବା ଦେଖି ସେମାନେ ଭୟଭୀତ ହେଉଥିଲେ ମଧ୍ୟ ସେମାନେ ପାଉଲଙ୍କ ଶିକ୍ଷାର ପ୍ରତିବାଧା କରିପାରୁ ନ ଥିଲେ । ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କଲେ ସେମାନଙ୍କର ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ରହିଛି ବୋଲି ମନେ କରି ସେମାନେ ଲୋକମାନଙ୍କୁ ମତାଇ ଗଣ୍ଡଗୋଳ ଆରମ୍ଭ କଲେ । ସେମାନେ କହିଲେ, ପାଉଲଙ୍କ ପ୍ରଚାର ହେତୁ ଆର୍ତ୍ତେମୀୟଙ୍କର ମହିମାର ଗ୍ଲାନି ଘଟିପାରେ । ନଗରଯାକ ଗଣ୍ଡଗୋଳରେ ପୂର୍ବ ହେଲା । 


ରକ୍ଷାର ପଥ ଖୋଲିଲା :

ତାଡ଼ନାରୁ ପଳାୟନ କରିବାକୁ ଯୀଶୁ କହିନାହାନ୍ତି, ମାତ୍ର ସେ ଉଦ୍ଧାରର ପଥ ଖୋଲିବେ ବୋଲି କହିଛନ୍ତି । ସେ ଏକୁଟିଆ କାମ କରିବାକୁ ଛାଡ଼ି ଦିଅନ୍ତି ନାହିଁ । ମାତ୍ର ସେ ସଙ୍ଗରେ ଥାଆନ୍ତି (ମାଥିଉ ୨୮:୨୦ ) । ଦୀମୀତ୍ରିୟ ନିଜର ସ୍ବାର୍ଥସିଦ୍ଧି ନିମନ୍ତେ ନିଜକୁ ଜଣେ ଦେଶପ୍ରେମୀ ଓ ଧର୍ମ ସୁରକ୍ଷାକାରୀ ନେତା ବୋଲି ପରିଚୟ ଦେଇ ମହା ଗଣ୍ଡଗୋଳ ସୃଷ୍ଟି କଲେ । ଏହା ଶୁଣି ପ୍ରେରିତ ପାଉଲ ସେଠାକୁ ଯିବାକୁ ସାହସର ସହିତ ବାହାରିଲେ । ମାତ୍ର ଅନ୍ୟମାନେ ତାଙ୍କୁ ବାଧା ଦେବାରୁ ସେ ଯାଇପାରିଲେ ନାହିଁ । ମାତ୍ର ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଆରିସ୍ତାର୍ଖ ଓ ଗାୟଙ୍କୁ ବ୍ୟବହାର କରି ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କଲେ । ପ୍ରେରିତ ପାଉଲଙ୍କ ପ୍ରଚାର ହେତୁ ଅନେକେ ମାନ୍ୟଗଣ୍ୟ ଲୋକମାନେ ମଧ୍ୟ ଯୀଶୁଙ୍କୁ ବିଶ୍ଵାସ କରିବାର ସୁଯୋଗ ପାଇଲେ । ଯଦି ପ୍ରତିକୂଳ ପରିସ୍ଥିତିର ଭୟ ଆମକୁ ଅନ୍ୟ ନିକଟରେ ସୁସମାଚାର ପହଞ୍ଚାଇବାରେ ବାଧା ଦେଉଛି, ତେବେ ତାହା ଅତ୍ୟନ୍ତ ପରିତାପର ବିଷୟ ଅଟେ ।

ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

 ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

ଆଜିର ଚିନ୍ତା

ପ୍ରେରିତ ୧୯:୧୧-୨୦

ମୋର ଜୀବନ ଶୈଳୀ ପ୍ରଭୁଙ୍କ ବାକ୍ୟ ବୃଦ୍ଧିର ସହାୟକ ହେଉଛି କି ?


ଅନେକ ଏଫିସୀୟ ଭୂତ ପ୍ରେତ ଦୂରୀକରଣ ଏବଂ କୁହୁକ କର୍ମରେ ନିଜକୁ ନିଯୋଗ କରି ଲୋକମାନଙ୍କଠାରୁ ଭୂତ ଆତ୍ମା ବାହାର କରିବା ଦ୍ୱାରା ଟଙ୍କା ଉପାର୍ଜନ କରୁଥିଲେ ।


ମନ୍ଦ କାର୍ଯ୍ୟର ପ୍ରତିକ୍ରିୟା :

ସ୍କେବା ନାମକ ଜଣେ ଯିହୁଦୀୟ ପ୍ରଧାନ ଯାଜକ ଥିଲେ । ତାଙ୍କର ସାତୋଟି ପୁଅ ଏହିପରି କାର୍ଯ୍ୟ କରୁଥିଲେ । ସେହିପରି ସମୟରେ ଈଶ୍ଵର ପାଉଲଙ୍କ ଦ୍ଵାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ କଲେ । ଏହା ଦେଖି ଈଶ୍ୱରଙ୍କଠାରୁ ଆଗତ ପବିତ୍ର ଆତ୍ମା ଯେ ଅଧିକ ଶକ୍ତିଶାଳୀ ଅଟନ୍ତି, ତାହା ସେମାନେ ଜାଣିପାରିଲେ । କାରଣ ପାଉଲଙ୍କଠାରୁ ଅଣା ଯାଇଥିବା ରୁମାଲ୍ କିମ୍ବା ଗାମୁଛା ଦ୍ଵାରା ରୋଗୀମାନେ ସୁସ୍ଥ ହେଉଥିଲେ ଓ ଦୁଷ୍ଟ ଆତ୍ମାଗୁଡ଼ିକ ବାହାରି ଯାଉଥିଲେ । ଯୀଶୁଙ୍କୁ ନ ଜାଣି ତାଙ୍କର ନାମକୁ ବ୍ୟବହାର କରିବା ଅତି ମାରାତ୍ମକ ବିଷୟ ଅଟେ । ତେଣୁ ସେହି ଭୂତିଡ଼ିଆମାନଙ୍କୁ ଦୁଷ୍ଟତା କହିଲା, ଆମେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଜାଣୁ, ମାତ୍ର ତୁମ୍ଭେମାନେ କିଏ ? ମନୁଷ୍ୟକୁ ପରିବର୍ତ୍ତନ କରିବାର ଶକ୍ତି କେବଳ ଯୀଶୁଙ୍କଠାରେ ଅଛି । ତେଣୁ ତାଙ୍କୁ ବିଶ୍ଵାସ କରି ନିଜକୁ ତାଙ୍କଠାରେ ସମର୍ପଣ କଲେ, ଆମର ଜୀବନ ଶୈଳୀ ପରିବର୍ତ୍ତିତ ହୋଇଯିବ ଏବଂ ଆମେ ପ୍ରଭୁଙ୍କ ହାତରେ ବ୍ୟବହାର ଉପଯୋଗୀ ଜଣେ ବ୍ୟକ୍ତି ହୋଇପାରିବା । 


ମନ୍ଦରୁ ପୃଥକ ରହିବା :

ଏଫିସ ନଗର ଯାଦୁବିଦ୍ୟା, କୁହୁକକର୍ମ ଏବଂ ଭୂତ ଦୂରୀକରଣର କେନ୍ଦ୍ରସ୍ଥଳୀ ଥିଲା । ଏହା ଅର୍ଥ ଉପାର୍ଜନର ଏକ ଉପାୟ ଥିଲା । ମାତ୍ର ଈଶ୍ଵର ଏହିସବୁ ବିଷୟକୁ ସ୍ପଷ୍ଟ ଭାବରେ ବାରଣ କରିଛନ୍ତି (୨ବିବ ୨୮:୯-୧୩) । ଜଣେ ବିଶ୍ବାସୀ ଏହିସବୁରୁ ସମ୍ପୂର୍ଣ୍ଣ ପୃଥକ ରହିବା ଅତି ଜରୁରୀ ଅଟେ । ମାତ୍ର ଏବେ ମଧ୍ୟ ଖ୍ରୀଷ୍ଟୀୟ ପରିବାରଗୁଡ଼ିକରେ ନାନା ପ୍ରକାର ଅନ୍ଧ ବିଶ୍ଵାସର ପ୍ରଚଳନ ପରିଲକ୍ଷିତ ହୁଏ । ତେଣୁ ସେମାନେ ସୂତା, ଫିତା, କନା ଆଦି ଚିହ୍ନକୁ ବ୍ୟବହାର କରନ୍ତି । ଶୟତାନ ଅତି ଚତୁର ଓ ଶକ୍ତିଶାଳୀ ଅଟେ । ତେଣୁ ସେ ଏହିସବୁ ଦ୍ଵାରା ବିଶ୍ବାସୀମାନଙ୍କ ଜୀବନରେ ପରୋକ୍ଷ ଭାବରେ କାର୍ଯ୍ୟ କରି ସେମାନଙ୍କୁ ପ୍ରଭୁଙ୍କଠାରୁ ଦୂରେଇ ରଖେ । ମାତ୍ର ଈଶ୍ୱରଙ୍କର ଶକ୍ତି ସବୁଠାରୁ ମହାନ୍ ଅଟେ । (୧ଯୋହନ ୪:୪, ପ୍ରକାଶିତ ୨୦:୧୦) । ତେଣୁ ଆମେ ଏହିସବୁ ଦୁର୍ବଳତାର ବନ୍ଧନରୁ ମୁକ୍ତ ହେବା ଅତି ଜରୁରୀ ଅଟେ । ତାହା କଲେ ଆମର ଜୀବନ ଦ୍ଵାରା ପ୍ରଭୁଙ୍କ ବାକ୍ୟର ବୃଦ୍ଧି ହେବ ଏବଂ ଆମ ଜୀବନର ସାକ୍ଷ୍ୟ ଓ ବାକ୍ୟ ଅନେକଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦେବ । 

ସୁସମାଚାରର କାର୍ଯ୍ୟ

 ସୁସମାଚାରର କାର୍ଯ୍ୟ

ପ୍ରେରିତ ୧୮:୧୭-୨୮

ଆଜିର ଚିନ୍ତା

ଅନ୍ୟମାନଙ୍କୁ ସୁସମାଚାର ଦେବାକୁ ମୁଁ ପଛଘୁଞ୍ଚା ଦେଉଛି କି ? 


ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ସଙ୍ଗରେ ନେଇ ପାଉଲ ଏଫୀସକୁ ଗଲେ । ସେଠାରେ ସେମାନଙ୍କୁ ଛାଡ଼ି ଦେଇ ସେ ସମାଜ ଗୃହରେ ଯିହୁଦୀମାନଙ୍କୁ ଉପଦେଶ ଦେବା ପରେ ଏଫୀସରୁ ବିଦାୟ ନେଲେ । ଏହିଠାରେ ତାଙ୍କର ଦ୍ଵିତୀୟ ମିଶନାରୀ ଯାତ୍ରା ଶେଷ ହେଲା ଏବଂ ତୃତୀୟ ମିଶନାରୀ ଯାତ୍ରା ଆରମ୍ଭ ହେଲା । 


ଆତ୍ମିକ ସମ୍ପର୍କ : 

ବିଶ୍ବାସୀମାନଙ୍କ ପ୍ରତି କର୍ତ୍ତବ୍ୟ କରିବାରେ ସେ ଖୁବ୍ ଉଦଯୋଗୀ ଥିଲେ । ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଉପଦେଶ ଓ ଶିକ୍ଷା ଦେବା ସହିତ ସାନ୍ତ୍ଵନା, ପ୍ରେରଣା ଓ ଉତ୍ସାହ ଦେବାକୁ ପାଉଲ ଚେଷ୍ଟା କରୁଥିଲେ । ନାନା ପ୍ରକାର ଅସୁବିଧା ସତ୍ତ୍ୱେ ସେ ଯାତ୍ରା ପଥରେ ସେମାନଙ୍କୁ ଭେଟି, ସେମାନଙ୍କ ସହିତ ସହଭାଗିତା କରିବା ନିମନ୍ତେ କେତେଗୁଡ଼ିଏ ମଣ୍ଡଳୀକୁ ଯାଇଥିଲେ । ତାହା  ସେମାନଙ୍କୁ ପ୍ରଭୂରେ ସ୍ଥିର ରହି ବୃଦ୍ଧି ପାଇବାକୁ ସାହାଯ୍ୟ କରୁଥିଲା । ବିଶ୍ବାସୀମାନେ ପରସ୍ପର ସହିତ ସହଭାଗିତା କରିବା ଅତି ଜରୁରୀ ଅଟେ । କାରଣ ଆତ୍ମିକ ଜୀବନର ଅଭିବୃଦ୍ଧି ସହାୟକ ଅଟେ । 


ଉପଯୁକ୍ତଶିକ୍ଷା :

ଆପଲ୍ଲ ଜଣେ ସୁବକ୍ତା ଓ ଧର୍ମ ଶାସ୍ତ୍ରରେ ନିପୁଣ ଥିଲେ । ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ । ତେଣୁ ପ୍ରୀସ୍କିଲା ଓ ଆକ୍ଵିଲା ତାଙ୍କୁ ସାଙ୍ଗରେ ରଖି ଅଧିକ ସୁକ୍ଷ୍ମ ରୂପେ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଲେ । ତତ୍ପରେ ଆପଲ୍ଲ ଯିହୁଦୀମାନଙ୍କୁ, ଯୀଶୁ ଯେ ଖ୍ରୀଷ୍ଟ, ଏହାର ପ୍ରମାଣ ଦେଇ ଦୃଢ଼ ଭାବରେ ଶିକ୍ଷା ଦେବାକୁ ଲାଗିଲେ । ବାକ୍ୟର ଜ୍ଞାନରେ ଉପଯୁକ୍ତ ଭାବରେ ଶିକ୍ଷିତ ପୁଣି ଅନୁଭୂତି ପ୍ରାପ୍ତ ନ ହେଲେ ଆମେ ସଠିକ୍ ଭାବରେ, ପୁଣି ଦୃଢତାର ସହିତ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିପାରିବା ନାହିଁ । 


ଫଳାଫଳ : 

ସୁସମାଚାର ପ୍ରଚାର ଏକ ନିକୃଷ୍ଟ ଅଥବା କଷ୍ଟକର କାର୍ଯ୍ୟ ନୁହେଁ । ଏହା ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦିଏ । ଏତଦ୍ଵାରା ଆକ୍ଵିଲା ଓ ପ୍ରୀସ୍କିଲା ଏବଂ ଆପଲ୍ଲଙ୍କ ପରି ଉଦଯୋଗୀ ଓ ପ୍ରଭାବଶାଳୀ ନେତାମାନଙ୍କୁ ପ୍ରସ୍ତୁତ କରାଯାଇପାରେ । ପ୍ରଭୁ ବିଶ୍ବାସୀକୁ ବ୍ୟବହାର କରି ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣି ଦିଅନ୍ତି । ତେଣୁ ଆମେ ବିପରୀତ ଭାବରେ ଚିନ୍ତା କରି ଭୟଭୀତ ହେବା ଅନୁଚିତ୍  ।