BN

ଉଦ୍ଧାରକର୍ତ୍ତା ପରମେଶ୍ୱର

 ଉଦ୍ଧାରକର୍ତ୍ତା ପରମେଶ୍ୱର

ଆଜିର ଚିନ୍ତା

୧ ଶାମୁୟେଲ ୧୧:୧-୧୫

ବିପଦରୁ ଉଦ୍ଧାର ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ କି ? 


ଈଶ୍ଵର ଫାରୋଙ୍କ ହସ୍ତରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲା ପରି ଆମ୍ମୋନୀୟ ନାହଶ ହସ୍ତରୁ ଯାବେଶର ସମସ୍ତ ଲୋକଙ୍କୁ ରକ୍ଷା କରିବା ଲାଗି ଶାଉଲଙ୍କୁ ମୋନୋନୀତ ଓ ଶକ୍ତିଯୁକ୍ତ କରିଥିଲେ ।


ଶତ୍ରୁର ଭୟ : 

ଆମ୍ମୋନୀୟ ନାହଶ ଯାବେଶର ସମସ୍ତ ଲୋକଙ୍କର ଦକ୍ଷିଣ ଚକ୍ଷୁ ଉପାଡ଼ି ଦିଆଯିବାର ଭୟ ଦେଖାଇଥିଲା ଏବଂ ତା' ପରେ ସେମାନଙ୍କ ସହ ନିୟମ ସ୍ଥିର କରିବା ବୋଲି କହିଥିଲା । ଯାବେଶର ପ୍ରାଚୀନମାନେ ସାତଦିନ ସମୟ ମାଗିଥିଲେ । ଏହି ସମୟ ସୀମା ଭିତରେ କେହି ସେମାନଙ୍କୁ ଉଦ୍ଧାର ନ କଲେ ସେମାନେ ନାହଶର ବଶୀଭୂତ ହେବେ । ଶତ୍ରୁର ଭୟ ଯୋଗୁ ସମସ୍ତ ଲୋକ ରବ ଉଠାଇ କ୍ରନ୍ଦନ କଲେ । ସେମାନେ ଭାବିଥିଲେ ଯେ ସେମାନଙ୍କୁ ଉଦ୍ଧାର କରିବାକୁ ହୁଏତ କେହି ନାହିଁ । ମାତ୍ର ଈଶ୍ଵର ଶାଉଲଙ୍କ ଅନ୍ତରରେ କଥା କହିଲେ । କି ଉପାୟରେ ଇସ୍ରାଏଲକୁ ଉଦ୍ଧାର କରାଯିବ ସେହି ବୁଦ୍ଧି ପ୍ରଦାନ କଲେ । ଏକତା ହିଁ ବଳ । ଇସ୍ରାଏଲ ସନ୍ତାନଗଣକୁ ଏକଜୁଟ କରିବା ପାଇଁ ଶାଉଲ ବଳଦର ଖଣ୍ଡ ଖଣ୍ଡ ମାଂସ ଇସ୍ରାଏଲର ସର୍ବତ୍ର ପଠାଇଲେ ଏବଂ ତାଙ୍କର ଓ ଶାମୁୟେଲଙ୍କର ପଶ୍ଚାଦଗମନ କରିବାକୁ କହିଲେ । ଆମେ ଯେତେବେଳେ ଖ୍ରୀଷ୍ଟୀୟ ସହଭାଗିତାରୁ ଦୂରେଇ ଏକାକୀ ଜୀବନ କାଟୁ, ଶୟତାନ ଆମକୁ ପରୀକ୍ଷା ଓ ପ୍ରଲୋଭନରେ ପକାଇଥାଏ । ମାତ୍ର ଯେତେବେଳେ ସହଭାଗିତାର ଜୀବନ କାଟୁ, ଶୟତାନ ସହଜରେ ଆମକୁ ତା' ର ଦାସ  କରିପାରେନା । 


ଶତ୍ରୁ ହସ୍ତରୁ ଉଦ୍ଧାର : 

ଶାଉଲ ଇସ୍ରାଏଲ ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରି ଆମ୍ମୋନୀୟମାନଙ୍କୁ ସଂହାର କଲେ ଓ ଅନେକ ଛିନ୍ନ ଭିନ୍ନ ହେଲେ । ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ଇସ୍ରାଏଲ ସନ୍ତାନଗଣ ହୃଦୟଙ୍ଗମ କରିଥିଲେ ଯେ ଶାଉଲ ହିଁ ରାଜା ହେବାକୁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଅଟନ୍ତି । ସେମାନେ ଶାଉଲଙ୍କ ବିରୁଦ୍ଧରେ କଥା କହୁଥିବା ବ୍ୟକ୍ତିମାନଙ୍କୁ ବଧ କରିବାକୁ ଚାହିଁଲେ । ମାତ୍ର ଶାଉଲ ମନା କରିଥିଲେ । ସେମାନେ ଶାମୁୟେଲଙ୍କ ସହ ଗିଲ୍ ଗଲ୍ କୁ ଯାଇ ଶାଉଲଙ୍କୁ ରାଜା କରିଥିଲେ । 


ଆମକୁ ମଧ୍ୟ ଶତ୍ରୁ ଶୟତାନ ହସ୍ତରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ମାଣ୍ଡଳୀକ ଜୀବନରେ ରବ ଉଠାଇ ପ୍ରଭୁଯୀଶୁଙ୍କ ନିକଟରେ କ୍ରନ୍ଦନ କରିବାକୁ ପଡ଼ିବ । ଶାସ୍ତ୍ରରେ ଲେଖାଯାଏ, ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ…….ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳି ଦିଅ (ବିଳାପ ୨:୧୮) ।


ଈଶ୍ୱରଙ୍କ ଯୋଜନା

 ଈଶ୍ୱରଙ୍କ ଯୋଜନା 

ଆଜିର ଚିନ୍ତା

୧ ଶାମୁୟେଲ ୧୦:୧-୧୬

ଖ୍ରୀଷ୍ଟଙ୍କୁ ଗ୍ରହଣ କରି ମୁଁ ପରିବର୍ତ୍ତିତ ଜୀବନ କାଟୁଛି କି ? 


ଏକଦା ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରୁ ନ ଥିବା ଯୁବା ଝିଅଟି ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ନାନା କଟୁ କଥା କହୁଥିଲା । ସମୟାନୁକ୍ରମେ ସେ ଖୁବ୍ ଅସୁସ୍ଥ ହୋଇ ମୃତ୍ୟୁର ସମ୍ମୁଖୀନ ହେଲା । ମାତ୍ର ସେ ବଞ୍ଚିବାକୁ ଚାହୁଥିଲା । ସେ ସମୟରେ ତାର ଖ୍ରୀଷ୍ଟ ବିଶ୍ବାସୀ ମା' ଯୀଶୁଙ୍କଠାରେ ତାର ସୁସ୍ଥତା ପାଇଁ ପ୍ରାର୍ଥନା କଲେ ଏବଂ ତାକୁ ମଧ୍ୟ ବିଶ୍ଵାସ ସହ ପ୍ରାର୍ଥନା କରିବାକୁ କହିଲେ । ସେ ସୁସ୍ଥ ହେଲା । ତା' ଜୀବନ ସଂପୂର୍ଣ୍ଣ ପରିବର୍ତ୍ତିତ ହେଲା । 


ଈଶ୍ୱରଙ୍କ ଯୋଜନାକୁ ବୁଝିବା :

ସଦାପ୍ରଭୁଙ୍କ ଦ୍ଵାରା ଚାଳନା ପାଇ ଶାମୁୟେଲ ଶାଉଲଙ୍କୁ ତୈଳରେ ଅଭିଷିକ୍ତ କରିଥିଲେ । ତଥାପି ଶାଉଲ ସେହି ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ଶାମୁୟେଲ ତାଙ୍କୁ କେତୋଟି ଚିହ୍ନ ଦେଇଥିଲେ । ସେସବୁ ସଫଳ ହେଲା ପରେ ଯେପରି ଅନୁଭବ କରିବେ ଯେ ଈଶ୍ୱରଙ୍କ ଯୋଜନାନୁସାରେ ସେ ଇସ୍ରାଏଲର ରାଜା ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶାମୁୟେଲଙ୍କ କହିବାନୁସାରେ ସମସ୍ତ ଚିହ୍ନ ଗୁଡ଼ିକ ଘଟିଥିଲା । ଗଧ ମିଲିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ନେବଲ, ଦାରା, ବଂଶୀ ଓ ବୀଣା ନେଇ ଆସୁଥିବା ସେ ଭବିଷ୍ୟତବକ୍ତାଙ୍କର ଏକ ଦଳକୁ ସାକ୍ଷାତ କରି ଜାଣିପାରିଲେ ଯେ ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କ ସହିତ ରହିଛି ଓ ତାଙ୍କ ପାଇଁ ଏକ ଭିନ୍ନ ଯୋଜନା ରହିଛି  । 


ଈଶ୍ବରଙ୍କ ଯୋଜନାକୁ ଗ୍ରହଣ କରିବା : 

ସଦାପ୍ରଭୁଙ୍କ ଦତ୍ତ ଚିହ୍ନ ଦ୍ଵାରା ଶାଉଲ ଈଶ୍ୱରଙ୍କ ଯୋଜନାକୁ କେବଳ ବୁଝିପାରିଲେ ତାହା ନୁହେଁ ମାତ୍ର ରାଜା ହେବା ପାଇଁ ନିଜକୁ ପ୍ରସ୍ତୁତ କଲେ । ସେ ମଧ୍ୟ ଭବିଷ୍ୟତବକ୍ତା ପାଲଟି ଯାଇଥିଲେ । ଏହା ତାଙ୍କୁ ଜାଣିଥିବା ସମସ୍ତକୁ ଆଚମ୍ବିତ କରିଥିଲା । ଭବିଷ୍ୟତ୍ ବାକ୍ୟ ପ୍ରଚାର କରିବା ପରେ ଉଚ୍ଚସ୍ଥଳୀକୁ ଯାଇଥିଲେ । ସେଠାରେ  ସେ ଏବଂ ତାଙ୍କ ଯୁବା ସଙ୍ଗୀ ତାଙ୍କ ପିତୃବ୍ୟଙ୍କୁ ଭେଟିଥିଲେ । ତାଙ୍କର ପିତୃବ୍ୟତାଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ, ମାତ୍ର ଶାମୁୟେଲ ଇସ୍ରାଏଲର ରାଜତ୍ୱ ବିଷୟରେ ତାଙ୍କୁ କହିଥିବା ବିଷୟକୁ ସେ ଗୁପ୍ତ ରଖିଥିଲେ । ହୁଏତ ଈଶ୍ବର ଏହି ବୁଦ୍ଧି ତାଙ୍କୁ ପ୍ରଦାନ କରିଥିଲେ । କାରଣ ଈଶ୍ବର ମୋଶାଙ୍କୁ କହିଥିଲେ, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ କୃପା କରିବା । ଅତଏବ ନିଜ ଜୀବନରେ ଈଶ୍ବରଙ୍କ ଯୋଜନାକୁ ବୁଝି ଗ୍ରହଣ କରି ତାହାଙ୍କର ଗୌରବର କାରଣ ହେବା ।

ପରମେଶ୍ବର ଯୋଗାନ୍ତି

 ପରମେଶ୍ବର ଯୋଗାନ୍ତି

ଆଜିର ଚିନ୍ତା

୧ ଶାମୁୟେଲ ୯:୧୫-୨୭

ଈଶ୍ୱରଙ୍କ  ଇଚ୍ଛା ମୋ ଜୀବନରେ ସଫଳ ହେଉ ବୋଲି ପ୍ରାର୍ଥନା କରେ କି ? 


ଯେ କୌଣସି ସମସ୍ୟାରେ ପଡ଼ିଲେ ଆମେ ବ୍ୟତିବସ୍ତ ହୋଇପଡୁ । ତାହାର ସମାଧାନ କିପରି ଅତିଶୀଘ୍ର ହେବ, ଆମେ ଚିନ୍ତା କରିଥାଉ । ଶାସ୍ତ୍ରରେ ଲେଖାଯାଏ, ସବୁ ବିଷୟର କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି (ଉପଦେଶକ ୩:୧) । 


ଯୋଗାଇବା ପରମେଶ୍ୱର :

ଇସ୍ରାଏଲର ପ୍ରାଚୀନଗଣ ରାଜା ମାଗିବା ଦ୍ଵାରା ଈଶ୍ୱରଙ୍କୁ ଅଗ୍ରାହ୍ୟ କରି ଦୁଃଖ ଦେଇଥିଲେ ମଧ୍ୟ ସେ ଦୟାଳୁ ପିତା ଭାବେ ଶାଉଲଙ୍କୁ ରାଜା ହେବା ପାଇଁ ମନୋନୀତ କରିଥିଲେ । ଗଧ ହଜିବା ଅନ୍ତରାଳରେ ଶାଉଲଙ୍କ ପାଇଁ ପରମେଶ୍ୱରଙ୍କ ଏକ ମହାନ୍ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ (ରୋମୀୟ ୮:୨୮) । ଇସ୍ରାଏଲର ପ୍ରଥମ ରାଜା ଶାଉଲ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବାରୁ ଗଧ ଖୋଜୁ ଖୋଜୁ ଶାମୁୟେଲଙ୍କ ନିକଟକୁ ଚାଲି ଯାଇଥିଲେ । ଗଧ ମିଳିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ଶାଉଲ ଇସ୍ରାଏଲର ସମସ୍ତ ବାଞ୍ଚନୀୟ ବିଷୟ ପାଇବା ପାଇଁ ମନୋନୀତ ହୋଇଥିବାର ସୁୁସମ୍ବାଦ ଶାମୁୟେଲଙ୍କଠାରୁ ଅବଗତ ହୋଇଥିଲେ । ଏଭଳି ଆଶ୍ଚର୍ଯ୍ୟଜନକ ବିଷୟ ଶୁଣି ଗର୍ବିତ ନ ହୋଇ ନମ୍ର ଭାବରେ ଶାମୁୟେଲଙ୍କ ପାଖରେ ନିଜର ପରିଚୟ ସେ ରଖିଥିଲେ । 


ଉତ୍ତମ ବସ୍ତୁ ଦେବା ପରମେଶ୍ୱର :

ଈଶ୍ଵର ତାଙ୍କର ଇଚ୍ଛାନୁଯାୟୀ ଯାହାକୁ ଯାହା ଇଚ୍ଛା, ତାହା ଦେବା ପରମେଶ୍ୱର । ଶାଉଲଙ୍କୁ ଭେଟିବା ପରେ ଶାମୁୟେଲ ତାଙ୍କୁ ରାଜାର ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥିଲା । ଶାମୁୟେଲଙ୍କ ସଙ୍ଗେ ରାତ୍ରି କ୍ଷେପଣ କରି ଆଳାପ କରିବା ପାଇଁ ଶାଉଲ ସୁଯୋଗ ପାଇଥିଲେ । ଏକାନ୍ତରେ ଧାର୍ମିକ ଭବିଷ୍ୟତବକ୍ତାଙ୍କ ଠାରୁ ସଦାପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବାର ସୌଭାଗ୍ୟ ସେ ଲାଭ କରିଥିଲେ । 


ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ସଦାପ୍ରଭୁଙ୍କ ଏକ ନିର୍ଦ୍ଦିଷ୍ଟ ଯୋଜନା ରହିଛି । ସେ ତାହା କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ତାଙ୍କ ରାଜ୍ୟ ଓ ଧାର୍ମିକତା ପ୍ରଥମେ ଅନ୍ଵେଷଣ କରି ତାଙ୍କ ନିକଟରେ  ନିଜକୁ ସମର୍ପଣ କଲେ, ସେ ତାଙ୍କ ଇଚ୍ଛାକୁ ଆମ ଜୀବନରେ ସଫଳ କରିବାରେ ସାହାଯ୍ୟ କରିବେ । 

ବାଧ୍ୟତାର ପୁରସ୍କାର

ବାଧ୍ୟତାର ପୁରସ୍କାର

ଆଜିର ଚିନ୍ତା

୧ ମ ଶାମୁୟେଲ ୯:୧-୧୪

ବାଧ୍ୟତାର ଜୀବନ କାଟିବା ପାଇଁ ମୁଁ ସଚେତନ କି ?


ଶାଉଲ ଜଣେ ମହାବିକ୍ରମଶାଳୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ ଦେଖିବାକୁ ସୁନ୍ଦର ଥିଲେ ଏବଂ ଇସ୍ରାଏଲର ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ଵକୁ ଉଚ୍ଚ ଥିଲେ । କେବଳ ରୂପରେ ନୁହେଁ, ମାତ୍ର ଗୁଣରେ ମଧ୍ୟ ସୁନ୍ଦର ଥିଲେ । ପିତାଙ୍କ କଥାନୁଯାୟୀ ଗଧ ଖୋଜିବାକୁ ଯାଇଥିଲେ । ବାଧ୍ୟତା, ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । 

କର୍ତ୍ତବ୍ୟରେ ବିଶ୍ଵସ୍ତ : 

ଗଧ ଖୋଜିବା କାର୍ଯ୍ୟ ସାମାନ୍ୟ ହୋଇଥିଲେ ମଧ୍ୟ ଶାଉଲ ନିଜ କର୍ତ୍ତବ୍ୟରେ ବିଶ୍ଵସ୍ତ ଥିଲେ । ବିଭିନ୍ନ ସ୍ଥାନରେ ଗଧ ଖୋଜି ଅଧୌର୍ଯ୍ୟ ବା ବିରକ୍ତ ହୋଇ ନ ଥିଲେ କିଅବା କ୍ରୋଧ ପ୍ରକାଶ କରି ନ ଥିଲେ । ବରଂ ତାଙ୍କର ବିଳମ୍ବ ଯୋଗୁ ପିତା ହୁଏତ ବ୍ୟସ୍ତ  ହେଉଥିବେ, ଏହା ଭାବି ଗୃହକୁ ଫେରିଯିବାକୁ ଚାହିଁଥିଲେ ।

ସୁପରାମର୍ଶ ଗ୍ରହଣ : 

ଶାଉଲ ନିଜ ସଙ୍ଗୀ ଯୁବା ଲୋକର ସୁପରାମର୍ଶ ଗ୍ରହଣ କରି କାଳବିଳମ୍ବ ନ କରି ଏକଶେକଲ ରୂପାର ଚତୁର୍ଥାଶଂ ଦର୍ଶନୀ ରୂପେ ନେଇ ଶାମୁୟେଲଙ୍କୁ ଭେଟିବାକୁ ଯାଇଥିଲେ । ନଗରକୁ ଯିବା ବାଟରେ ଭେଟିଥିବା ଯୁବତୀମାନଙ୍କର କଥାନୁଯାୟୀ ଶାଉଲ ସେସ୍ଥାନକୁ ଯିବା ହେତୁ ସଦାପ୍ରଭୁ ଶାମୁୟେଲଙ୍କ ସହ ତାଙ୍କର ଭେଟ କରାଇ ଦେଇଥିଲେ । ଗଧ ହଜିବା ଓ ଗଧ ଖୋଜିବା ବିଷୟର ଅନ୍ତରାଳରେ ସଦାପ୍ରଭୁଙ୍କ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯଦିଓ ଇସ୍ରାଏଲୀୟମାନେ ରାଜାଭାବେ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରିଥିଲେ, କିନ୍ତୁ ସେ ସେମାନଙ୍କୁ ପରିତ୍ୟାଗ କରି ନ ଥିଲେ । ସେମାନଙ୍କ ପାଇଁ ରାଜାଭାବେ ଶାଉଲଙ୍କୁ ମନୋନୀତ କରିଥିଲେ ।  ସେଦିନ ଗଧ ଅପେକ୍ଷା ଅଧିକ ମହତ୍ତର ବିଷୟର ସମ୍ବାଦ ତାଙ୍କ ପାଇଁ ରଖାଯାଇଥିଲା ।

ଆମେ ମଧ୍ୟ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲେ, ପ୍ରଭୁ ଆମକୁ ବହୁତ ବିଷୟ ଉପରେ ନିଯୁକ୍ତି ଦେବେ । ଗୃହରେ ଓ କାର୍ଯ୍ୟକ୍ଷେତ୍ରରେ ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି, ବିଶ୍ଵସ୍ତଭାବେ ସେସବୁ ସମ୍ପାଦକ କରିବା ପାଇଁ ଆମେ ଯତ୍ନବାନ ହେଉ । ବାଇବଲରେ ଲେଖାଯାଏ, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ (ଏଫିସୀୟ ୬:୧) । ଆମର ବାଧ୍ୟତାର ଜୀବନ ହୁଏତ ଆମକୁ ଦିନେ ଏକ ଅସାଧାରଣ ବ୍ୟକ୍ତିରେ ପରିଣତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବ ।

ଉଚିତ୍ ବିଷୟ ମାଗିବା

 ଉଚିତ୍ ବିଷୟ ମାଗିବା

ଆଜିର ଚିନ୍ତା 

୧ ଶାମୁୟେଲ ୮:୧-୨୨

ମୁଁ ଈଶ୍ୱରଙ୍କ ଇଚ୍ଛାକୁ ଅଗ୍ରାଧିକାର ଦିଏ କି ? 


ଶାମୁୟେଲଙ୍କ ପୁତ୍ରମାନେ ଲାଞ୍ଚ ନେଇ ବିଚାର ବିପରୀତ କରିବାରୁ ଇସ୍ରାଏଲର ପ୍ରାଚୀନବର୍ଗ ଶାମୁୟେଲଙ୍କୁ ଏକ ରାଜା ଦେବା ନିମନ୍ତେ କହିଥିଲେ । ମାଗିବା ବିଷୟରେ ଶାସ୍ତ୍ରରେ ଲେଖାଯାଏ, ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହି ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ (ଉପଦେଶକ ୫:୧(କ)) ।


ସ୍ବେଚ୍ଛାଚାରୀ ଇସ୍ରାଏଲ :

ଇସ୍ରାଏଲ ମଧ୍ୟରେ ବିଚାର କାର୍ଯ୍ୟ କିପରି ନ୍ୟାୟ ଭାବରେ ହେବ ଏ ବିଷୟରେ ପ୍ରାଚୀନବର୍ଗ ଶାମୁୟେଲଙ୍କ ଦ୍ଵାରା ଈଶ୍ୱରଙ୍କୁ ପଚାରି ନ ଥିଲେ । ବରଂ ଜୀବିତ ଈଶ୍ୱରଙ୍କୁ ଜାଣି ନ ଥିବା ଅନ୍ୟ ଦେଶୀୟ ରାଜାମାନଙ୍କୁ ଅନୁସରଣ କରି ଏକ ରାଜା ମାଗିଥିଲେ । ଶାମୁୟେଲ ଏ ବିଷୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଈଶ୍ଵର ହିଁ ସେମାନଙ୍କର ଏକ ମାତ୍ର ରାଜା ଥିଲେ । ମାତ୍ର ସେମାନେ ତାଙ୍କୁ ଅଗ୍ରାହ୍ୟ କରି ନିଜ ସୁବିବେଚନାରେ ଆଉଜି ପଡ଼ିଥିଲେ । ସେମାନଙ୍କର ରାଜା ମାଗିବା ବିଷୟ ଈଶ୍ୱରଙ୍କୁ ବହୁତ ଦୁଃଖ ଦେଇଥିଲା । ସଦାପ୍ରଭୁଙ୍କ ଭୟକାରୀମାନଙ୍କ ପାଇଁ ଲେଖାଯାଏ, ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମକୁ ରକ୍ଷା କରିବ (ହିତ ୨:୧୧) । ସ୍ବେଚ୍ଛାଚାରୀ ଇସ୍ରାଏଲ ଅପରିଣାମଦର୍ଶୀ ଥିଲେ । ରାଜା ମାଗି ଦୁଃଖ କୁ ଡାକି ଆଣିଥିଲେ । 


ଦୟାବାନ୍ ଈଶ୍ଵର :

ଆଗାମୀ ବିପଦ ଓ ଦୁଃଖରୁ ଇସ୍ରାଏଲ ସନ୍ତାନମାନଙ୍କୁ  ରକ୍ଷା କରିବା ଲାଗି ଈଶ୍ଵର ଶାମୁୟେଲଙ୍କ ଦ୍ଵାରା ରାଜାର ବିଧି ସବୁ ଜଣାଇଲେ । ଯିଏ ରାଜା ହେବ, ସେ ସେମାନଙ୍କର ପୁତ୍ରକନ୍ୟା, ଦାସଦାସୀ, ଶସ୍ୟକ୍ଷେତ୍ର, ପଶୁସମ୍ପଦ ଓ ସର୍ବୋତ୍ତମ ଯୁବାପୁରୁଷ ମାନଙ୍କୁ ନେଇ ଆପଣା କାର୍ଯ୍ୟରେ ଲଗାଇବ । ଦୟାବାନ୍ ଈଶ୍ଵର ଇସ୍ରାଏଲୀୟମାନଙ୍କୁ ରାଜା ଦ୍ଵାରା ଶାସିତ ହେବାର କୁପରିଣାମ ବିଷୟ ଜଣାଇଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ରହିଲେ । ସେମାନେ ଭୁଲ ବିଷୟ ମାଗିଥିବାରୁ ପରବର୍ତ୍ତୀ ସମୟରେ ବହୁତ ଦୁଃଖ ପାଇଥିଲେ । ଅନେକ ସମୟରେ ଆମେ ମଧ୍ୟ ଆମର ଇଚ୍ଛା ପୂରଣ ପାଇଁ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ବିଷୟ ମଗିଥାଉ । ଆମ ଜୀବନକୁ ବିନାଶର ପଥରୁ ରକ୍ଷା କରିବା ପାଇଁ ଈଶ୍ୱର ପିତାମାତା ତଥା ତାଙ୍କ ବାକ୍ୟ ଦ୍ଵାରା ଆମକୁ ଚେତନା ଦେଇଥାନ୍ତି । ଆସନ୍ତୁ, ଅନୁଯୋଗ ଗ୍ରହଣ କରି ପାପ ପଥରୁ ଫେରୁ ଓ ପରିଣାମଦର୍ଶୀ ହେଉ । ଈଶ୍ୱରଙ୍କ ବାକ୍ୟ ପଢ଼ିବା ଓ ଶୁଣିବା ସେହି ବାକ୍ୟ ଆମକୁ ପାପ ପଥରୁ ରକ୍ଷା କରିବାରେ ସହାୟକ ହେବ ।