BN

ଗୌରବ ବିହୀନ ଜୀବନ

 ଗୌରବ ବିହୀନ ଜୀବନ

ଆଜିର ଚିନ୍ତା

ଆମର ଗୌରବ ମୁକୁଟ ତଳେ ପଡ଼ିଯାଇଛି କି ? 


ଅତୀତରେ ରାଜା ମହାରାଜାମାନେ ସେମାନଙ୍କର ଗୌରବ କୀର୍ତ୍ତିକୁ ଅକ୍ଷୁୁର୍ଣ୍ଣ ରଖିବାକୁ ଯତ୍ନ କରି ଆସୁଥିଲେ । ପ୍ରକୃତରେ ପରାଜିତ ଜୀବନ ବେଦନାଯୁକ୍ତ । ଯିରିମିୟ ୧୩:୧୮ରେ ଲେଖାଯାଏ, ରାଜା ଓ ରାଜମାତାଙ୍କୁ କୁହ, ତୁମ୍ଭ ଗୌରବ ମୁକୁଟ ତଳେ ପଡ଼ିଅଛି । ଏଲି ଯାଜକ ଦୀର୍ଘ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ (୧୮ପଦ) ହେଲେ ବୃଦ୍ଧ ଓ ଗତବୟସ୍କ ଅବସ୍ଥାରେ ତାଙ୍କ ପରାଜୟକୁ ସେ ସହ୍ୟ କରିପାରିଲେ ନାହିଁ । 


ଗୌରବଯୁକ୍ତ ଇସ୍ରାଏଲ ପରାଜୟ : 

ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଶକ୍ତିଯୁକ୍ତ ହୋଇ ପରକ୍ରାନ୍ତ ବ୍ୟାଧ ସ୍ୱରୂପ ଶତ୍ରୁମାନଙ୍କୁ ପାଦତଳେ ଦଳିତ କରିଥିଲେ । କିନ୍ତୁ ସେମାନଙ୍କ ପାପ, ଅବାଧ୍ୟତା ସେମାନଙ୍କୁ ପରାଜୟର ପଥକୁ ଠେଲି ଦେଲା । ଗୀତ ୮୯:୩୨ରେ ଲେଖାଯାଏ, ଆମ୍ଭେ ଯଷ୍ଟି ଦ୍ଵାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ଵାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା । ଆମର ଅପରାଧ, ଆମର ଅଧର୍ମ ଆମକୁ ଗୌରବ ବିହୀନ କରି ପକାଇଛି କି ? 


ଗୌରବ ମୁକୁଟର ପରାଜୟ : 

ଏଲି ଯାଜକଙ୍କ ମୃତ୍ୟୁ ହେଲା । ତାଙ୍କ ଦୁଇ ପୁତ୍ର ଏକ ଦିନରେ ମଲେ । ନିୟମ ସିନ୍ଦୁକ ବନ୍ଦୀତ୍ୱାବସ୍ଥାରେ ରହିଲା । ଏକଥା ପିନହସଙ୍କ ସ୍ତ୍ରୀ ସହ୍ୟ କରିପାରିଲେ ନାହିଁ । ସ୍ବାମୀ ହତ ହେବା ବିଷୟରେ ସେ ଚିନ୍ତିତ ନ ଥିଲେ, କିନ୍ତୁ ଈଶ୍ୱରଙ୍କ ଗୌରବ ଇସ୍ରାଏଲ ମଧ୍ୟରୁ ଚାଲିଗଲା ବୋଲି ସେ ବ୍ୟାକୁଳ ଓ ଶୋକୁତୁର ଥିଲେ । ସେ ତାର ନବଜାତ ପୁତ୍ରର ନାମ 'ହୀନ ଗୌରବ' ରଖିଲେ । 


ଆମେ ଆଜି ଈଶ୍ୱରଙ୍କୁ ପରିତ୍ୟାଗ କରି ଦୁଃଖ ଯନ୍ତ୍ରଣା ମଧ୍ୟରେ ଅଛୁ କି ? ଆମ୍ଭେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବ ସ୍ୱରୂପଙ୍କୁ ବଦଳ କରିଅଛୁ କି ?  (ଯିରିମିୟ ୨:୧୧) । 

ଦୁଷ୍ଟତାର ପ୍ରତିଫଳ

 ଦୁଷ୍ଟତାର ପ୍ରତିଫଳ

ଆଜିର ଚିନ୍ତା

୧ ଶାମୁ ୪:୧-୧୧

ଆମ ଜୀବନରେ ଦୁଃଖ ଓ ପରାଜୟ ଆସେ କାହିଁକି ? 


ପ୍ରାୟ ସତୁରୀ ଖ୍ରୀଷ୍ଟାବ୍ଦର କଥା । ରୋମୀୟ ବାହିନୀ ପବିତ୍ର ନଗରୀ ଯିରୁଶାଲମ ଆକ୍ରମଣ କଲେ, ନଗରକୁ ଦଗ୍ଧ କଲେ । ଯିହୁଦୀୟ ମାନଙ୍କୁ ହତ୍ୟା କଲେ । ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀୟାନମାନଙ୍କ ଉପରେ ପ୍ରବଳ ତାଡନା ଓ ନିର୍ଯାତନା କରାଗଲା । ହେଲେ ସେହି ରୋମ ସାମ୍ରାଜ୍ୟର ଖୁବ୍ ଶୀଘ୍ର ପତନ ହେଲା । ଦୁଷ୍ଟତାର ପ୍ରତିଫଳ ଶୀଘ୍ର ମିଳିଥାଏ । ଏହିପରି କାହିଁକି ହୁଏ ? 


ଈଶ୍ୱରଙ୍କ ଅନୁଗ୍ରହକୁ ଅପେକ୍ଷା : 

ଶାମୁୟେଲ ଯେ ଭବିଷ୍ୟତ ବକ୍ତା ହେବା ପାଇଁ ନିଯୁକ୍ତ ହୋଇଅଛନ୍ତି, ଏହା ସମସ୍ତ ଇସ୍ରାଏଲ ଜ୍ଞାତ ହୋଇଥିଲେ (୩:୨୦) ସାନ ଶାମୁୟେଲ ଯେ ଶିଲୋରେ ପୁନର୍ବାର ଈଶ୍ୱରଙ୍କ ଦର୍ଶନ ପାଇଛନ୍ତି, ଏକଥା ଭଲ ରୂପେ ଇସ୍ରାଏଲ ଜାଣିଥିଲେ (୩:୨୧) । ତଥାପି ପାଲେଷ୍ଟିୟ ମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ସଜାଇବା ସମୟରେ ଏଲି ଯାଜକ କିମ୍ବା ତାଙ୍କ ପୁତ୍ରମାନେ ଈଶ୍ୱରଙ୍କ ଇଚ୍ଛା ଲୋଡିଲେ ନାହିଁ । ଈଶ୍ୱରଙ୍କୁ ଓ ତାଙ୍କ ଭବିଷ୍ୟତବକ୍ତାକୁ ଉପେକ୍ଷା କରି  ଦୁଃଖ ଭୋଗୀଥାଉ ।


ଈଶ୍ୱରଙ୍କ ଉପସ୍ଥିତିକୁ ଉପେକ୍ଷା :

ସେ ସମୟରେ ନିୟମ ସିନ୍ଦୁକକୁ ପବିତ୍ର ରୂପେ ମାନ୍ୟ କରାଯାଉଥିଲା । ନିୟମ ସିନ୍ଦୁକର ଉପସ୍ଥିତି ଈଶ୍ୱରଙ୍କ ଉପସ୍ଥିତି ସହ ସମାନ ବିବେଚନା କରାଯାଉଥିଲା । ଈଶ୍ୱରଙ୍କ ଇଚ୍ଛାକୁ ନ ଲୋଡ଼ି ସେମାନେ ନିୟମ ସିନ୍ଦୁକ ଛାଉଣୀକୁ ନେଲେ । ଦୁଷ୍ଟ ଭାଇ ପବିତ୍ର ନିୟମ ସିନ୍ଦୁକ ସହ ରହିଥିଲେ । ପବିତ୍ର ଈଶ୍ଵର ଅପବିତ୍ର ସମାଜରେ ରହି ନ ଥା'ନ୍ତି । ଇସ୍ରାଏଲ ମୁଖରେ ମହା ଜୟଧନ୍ବୀ କରୁଥିଲେ, ମାତ୍ର ଈଶ୍ଵର ସେମାନଙ୍କ ମଧ୍ୟରେ ନ ଥିଲେ । 


ଦୁଷ୍ଟତାର ପରିଣତି : 

ଦୁଷ୍ଟତାର ପରିଣତି ଭୟଙ୍କର ପତନ ହୋଇଥାଏ  । ଇସ୍ରାଏଲ ର ଅସଂଖ୍ୟ ସୈନ୍ୟ ସେଦିନ ମୃତାହତ ହେଲେ । ସିନ୍ଦୁକ ବିଜାତୀୟ ମାନଙ୍କ ହସ୍ତକୁ ଗଲା । ଏଲିଙ୍କର ଦୁଷ୍ଟ ପୁତ୍ରମାନେ ହତ ହେଲେ । ଶତ୍ରୁମାନଙ୍କ ମଧ୍ୟରେ ସେମାନଙ୍କ ସତ୍ୟ ଈଶ୍ୱରଙ୍କ ସାକ୍ଷ୍ୟ ନଷ୍ଟ ହେଲା । ଆମ ଜୀବନରେ ଏପରି ପରିସ୍ଥିତି ଆସିଯାଇ ନାହିଁ ତ ? 

ଈଶ୍ୱରଙ୍କ ଆହ୍ଵାନ

 ଈଶ୍ୱରଙ୍କ ଆହ୍ଵାନ 

ଆଜିର ଚିନ୍ତା ୧ ଶାମୁ ୩:୧-୨୧

ଆମେ କଣ ଈଶ୍ୱରଙ୍କ ଆହ୍ୱାନର ଯୋଗ୍ୟ ଆଚରଣ କରୁଛୁ ? 


ସାଧୁ ସୁନ୍ଦର ସିଂ ଜଣେ ନୈଷ୍ଠିକ ଶିଖ୍ ଯୁବକ ଥିଲେ । ଯୁବା ଅବସ୍ଥାରେ ସେ ବାଇବଲକୁ ପୋଡ଼ି ପକାଇଲେ । କିନ୍ତୁ ସେ ଯେତେବେଳେ ସତ୍ୟ ଈଶ୍ଵର କିଏ, ଏହା ଜାଣିବାକୁ ଚାହିଁଲେ, ରାତ୍ର ସମୟରେ ପ୍ରଭୁ ଯୀଶୁ ନିଜେ ତାଙ୍କୁ ଦର୍ଶନ ଦେଲେ । ତାଙ୍କ ନାମ ଧରି ଡ଼ାକିଲେ । ସେ ଯୀଶୁଙ୍କର ପରିଚୟ ପାଇଲେ । ଭାରତ ଓ ତିବ୍ଦତ୍ ରେ ଜଣେ ଶକ୍ତିଶାଳୀ ମିଶନାରୀ ରୂପେ କାର୍ଯ୍ୟ କଲେ । 


ଏଲି ଯାଜକଙ୍କ ସମୟରେ ଈଶ୍ଵର କାହାରିକୁ ଏପରି ପ୍ରକାଶ୍ୟ ଦର୍ଶନ ଦ୍ଵାରା କଥା କହି ନ ଥିଲେ । କୌଣସି ଭାବବାଦୀ ମଧ୍ୟ ନ ଥିଲେ । ସାନ ବାଳକ ଶାମୁୟେଲଙ୍କୁ ସଦାପ୍ରଭୁ ଡ଼ାକିଲେ ଏବଂ ତାଙ୍କ ସହ କଥା ହେଲେ । ଶାମୁୟେଲଙ୍କ ଜୀବନରେ କ'ଣ ସ୍ଵତନ୍ତ୍ରତା ଥିଲା, ତାହା ଦେଖିବା । 


ସେବାର ଜୀବନ (୧୦ପଦ) :

ଶାମୁୟେଲଙ୍କ ମା ହାନ୍ନା ତାଙ୍କୁ ଈଶ୍ୱରଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଅତି ଛୋଟବେଳୁ ତାଙ୍କୁ ଈଶ୍ୱରଙ୍କ ସେବାକାର୍ଯ୍ୟ ପାଇଁ ମନ୍ଦିରରେ ଛାଡ଼ି ଦେଇଥିଲେ । ଶାମୁୟେଲ ମନ୍ଦିର ମଧ୍ୟରେ ରହି ବିଶ୍ଵସ୍ତ ସେବକ ଭାବେ ସେବାକାର୍ଯ୍ୟ କରୁଥିଲେ । ଆମ ଜୀବନକୁ ଉସର୍ଗୀକୃତ ସେବକଭାବେ ପ୍ରଭୁଙ୍କ ସେବାରେ ଲଗାଉଅଛୁ କି ? 


ଜାଗ୍ରତ ଜୀବନ (୩ପଦ) : 

ରାତ୍ରି କାଳରେ ସମସ୍ତେ ଶୋଇଯିବା ପରେ ଈଶ୍ଵର ଶାମୁୟେଲଙ୍କୁ ଡ଼ାକିଲେ । ସାନ ଶାମୁୟେଲ ଜାଣି ନ ଥିଲେ ଯେ କିଏ ତାଙ୍କୁ ଡାକୁଛନ୍ତି । ତଥାପି ସେ ତାଙ୍କ ଡାକ ଶୁଣିବା ମାତ୍ରେ ଉଠିଥିଲେ । ଯେତେଥର ପ୍ରଭୁ ତାଙ୍କୁ ଡାକିଛନ୍ତି, ସେତେଥର ସେ ତତକ୍ଷଣାତ୍ ଉଠିଛନ୍ତି ଓ ପ୍ରତ୍ୟୁତ୍ତର ଦେଇଛନ୍ତୁ, ମୁଁ ଏଠାରେ ଅଛିଆମ କଣ ଆଜି ପ୍ରଭୁଙ୍କ ରବ ପ୍ରତି ଜାଗ୍ରତ ଓ ମନୋଯୋଗୀ ହୋଇଛୁ ? 


ନମ୍ରତାର ଜୀବନ (୧୦ପଦ):

ଚତୁର୍ଥ ଥର ଡାକରେ ସେ ଅତି ସରଳ ଓ ନମ୍ର ଭାବରେ ଉତ୍ତର ଦେଲେ, କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି । ସେ ନମ୍ରଭାବେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଲେ ଓ ତାଙ୍କ ରବ ଶୁଣିଲେ । ଆମେ ଆଜି ଈଶ୍ୱରଙ୍କ ସମ୍ମୁଖରେ ଓ ମନୁଷ୍ୟମାନଙ୍କ ମଧ୍ୟରେ ନମ୍ରତାର ଜୀବନ କରୁଛୁ କି ? ନମ୍ର ଲୋକେ ଧନ୍ୟ କାରଣ ସେମାନେ ପ୍ରଥିବୀର ଅଧିକାର ହେବେ (ମାଥିଉ ୫:୫) ।

ଈଶ୍ୱରଙ୍କ ଗୌରବ

 ଈଶ୍ୱରଙ୍କ ଗୌରବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨:୨୭-୩୬

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ଅଟନ୍ତି  ।


ଈଶ୍ୱର ଏକ ଅନନ୍ୟ ବ୍ୟକ୍ତିତ୍ଵ । ସେ କାହା ସଙ୍ଗେ ତୁଳନୀୟ ନୁହନ୍ତି । ସେ ସୃଷ୍ଟିକର୍ତ୍ତା, ସର୍ବଜ୍ଞାତା, ସର୍ବଦର୍ଶୀ, ସର୍ବ ବିଦ୍ୟମାନ । ସେ ଆଦି ଓ ଅନ୍ତ । ସେ ମନ୍ତ୍ରଣାରେ ମହାନ୍ ଓ ଜ୍ଞାନରେ ଆଶ୍ଚର୍ଯ୍ୟ । ମନୁଷ୍ୟ ଧୂଳିମାତ୍ର ହେଲେ ମଧ୍ୟ ଅତିଶୟ ଗର୍ବୀ ଓ ଉଦ୍ଧତ୍ ସ୍ୱଭାବର ।


ଅବିଶ୍ୱସ୍ତ ସେବକ : 

ଏଲି ଯାଜକଙ୍କ ଦୁଇ ପୁଅ ଅବିଶ୍ୱସ୍ତ ଓ ଦୌରାତ୍ମ୍ୟକାରୀ ଥିଲେ । ସେମାନେ ଈଶ୍ୱରଙ୍କୁ ଅଗ୍ରାହ୍ୟ କଲେ । ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ । ଏଲି ଯାଜକ ପୁତ୍ରମାନଙ୍କୁ ଚେତନା ଦେଇ ବିପଥ ଗମନରୁ ଫେରାଇବା ପରିବର୍ତ୍ତେ ସେମାନଙ୍କର ଗୌରବ କଲେ । ପରୋକ୍ଷଭାବେ ପୁଅମାନଙ୍କର ଦ୍ଵାରା ହେଉଥିବା ନୈବେଦ୍ୟ ଚୋରୀରେ ଭାଗୀଦାର ଥିଲେ । ସେଥିପାଇଁ ଈଶ୍ୱର ଏହି ଅବିଶ୍ୱସ୍ତ  ସେବକମାନଙ୍କୁ, ଜଣେ ଭବିଷ୍ୟଦବକ୍ତାଙ୍କ ମୁଖ ଦ୍ଵାରା କଥା କହିଲେ । ଈଶ୍ୱର କିପରି ଭୟଙ୍କରଭାବେ ଦଣ୍ଡ ଦେବାକୁ ଯାଉଛନ୍ତି, ସେ ବିଷୟରେ ମଧ୍ୟ ଚେତନା ଦେଲେ ।


ବିଶ୍ୱସ୍ତ ସେବକ:

 ଈଶ୍ୱର ତାଙ୍କ ମନର ମତ ଏକ ଜଣ ବିଶ୍ୱସ୍ତ ସେବକ ଉତ୍ପନ୍ନ କରିବାକୁ ଚାହିଁଲେ । ଯେ କି ତାଙ୍କର ମନ ଓ ହୃଦୟ ଅନୁସାରେ କାର୍ଯ୍ୟ କରିବ । ସେ ସାନ ଶାମୁୟେଲ ଥିଲେ । ଈଶ୍ୱର ଚାହାଁନ୍ତି ତାଙ୍କ ସେବକମାନେ ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତୁ । ଭକ୍ତ ଦାଉଦ କହନ୍ତି, "ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ" (ଗୀତ ୪୦: ୮) ।


ଗୌରବମୟ ଈଶ୍ୱର: 

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ପରମେଶ୍ୱର । ସେ ତାଙ୍କର ଗୌରବ ଅନ୍ୟକୁ ଦିଅନ୍ତି ନାହିଁ (ଯିଶାଇୟ ୪୮ :୧୧ ଓ ୪୨:୮) । ଯେଉଁମାନେ ତାଙ୍କର ଗୌରବ କରନ୍ତି, ସେ ସେମାନଙ୍କର ଗୌରବ କରନ୍ତି (୩୦ ପଦ) । ରାଜା ଦାଉଦ କହନ୍ତି, ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର (ଗୀତ ୨୯:୨) । ଆମେ ଆଜି ଆମ ସେବା କାର୍ଯ୍ୟ ଦ୍ଵାରା, ଆମ ଜୀବନ ଦ୍ଵାରା, ଆମ ପରିବାରର ଜୀବନ ଦ୍ଵାରା ଜୀବନ ଦ୍ଵାରା ଈଶ୍ୱରଙ୍କୁ ଗୌରବ ଦେଉଛୁ କି ?

ଈଶ୍ୱରଙ୍କ ବିରୁଦ୍ଧରେ ପାପ

 ଈଶ୍ୱରଙ୍କ ବିରୁଦ୍ଧରେ ପାପ

ଆଜିର ଚିନ୍ତା

୧ ଶାମୁୟେଲ ୨:୧୨-୨୬


ଆମେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରି ତାଙ୍କ ଦୃଷ୍ଟିରେ ଅଗ୍ରାହ୍ୟ ହୋଉଛୁ କି ? 


ଈଶ୍ୱରଙ୍କ ସେବା ନିମନ୍ତେ ମନୋନୀତ ଯାଜକମାନେ ସ୍ୱତନ୍ତ୍ର ଥିଲେ । ସେମାନେ ସଦାସର୍ବଦା ନମ୍ର ଓ ପବିତ୍ର ଜୀବନ କାଟୁଥିଲେ । ଏଲି ଯାଜକଙ୍କ ବୃଦ୍ଧା ଅବସ୍ଥାରେ ତାଙ୍କର ଦୁଇ ପୁଅ ହଫନି ଓ ପୀନହସ୍ ଙ୍କ ଉପରେ ଯାଜକ ଭାର ଅର୍ପିତ ହୋଇଥିଲା । କିନ୍ତୁ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅଗ୍ରାହ୍ୟ ହେଲେ । ଏହାର କାରଣ କ'ଣ ? 


ସେମାନେ ପାପାଧମ ସନ୍ତାନ ଥିଲେ (୧୨ପଦ) :


ସେମାନେ ଅତ୍ୟାଚାରୀ ଓ ବ୍ୟଭିଚାରୀ ଥିଲେ । ସେମାନେ ସମାଗମତମ୍ବୁ ମଧ୍ୟରେ ସେବାକାରୀଣୀ ସ୍ତ୍ରୀ ଲୋକମାନଙ୍କ ସହିତ ମନ୍ଦ କାର୍ଯ୍ୟ କଲେ । ବ୍ୟଭିଚାରୀମାନଙ୍କର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାର ଅଧିକାର ନାହିଁ (ପ୍ରକାଶିତ ୨୨:୧୫) । ଏହି ପାପ ଈଶ୍ୱରଙ୍କ ପବିତ୍ର ମନ୍ଦିରକୁ ଅଶୁଚି କରିବା ସହ ସମାନ (୧କର ୬:୧୮,୧୯ ଓ ଏବ୍ରୀ ୧୩:୪) । 


ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ(୧୨) :


ସେମାନେ ସଦାପ୍ରଭୁଙ୍କୁ ସ୍ଵୀକାର କଲେ ନାହିଁ କି ମାନ୍ୟ କଲେ ନାହିଁ । ତୀତସ ୧:୧୬ରେ ଲେଖାଯାଏ, ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ଵୀକାର କରନ୍ତି, କିନ୍ତୁ କାର୍ଯ୍ୟ ଦ୍ଵାରା ଈଶ୍ୱରଙ୍କୁ ଅସ୍ବୀକାର କରୁଥିଲେ । ରାଜା ଦାଉଦ ତାଙ୍କ ପୁଅ ଶଲୋମନ୍ ଙ୍କୁ ଦେଇଥିବା ଶେଷ ଉପଦେଶରେ କହନ୍ତି, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ (୧ମ ବଂଶା ୨୮:୯) । ଈଶ୍ୱରଙ୍କୁ ଓ ଖ୍ରୀଷ୍ଟ ଯୀଶୁଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ (ଯୋହନ ୧୭:୩) । 


ସେମାନେ ସଦାପ୍ରଭୁଙ୍କ  ନୈବେଦ୍ୟ ତୁଚ୍ଛ ଜ୍ଞାନ କଲେ (୧୭ପଦ) : 


ପବିତ୍ର ନୈବେଦ୍ୟକୁ ତୁଚ୍ଛ ଜ୍ଞାନ କରିବା ଏକ ପାପ ଅଟେ । ପବିତ୍ର ପ୍ରଭୁଭୋଜ ସେହିପରି ଏକ ବିଧି, ଯେ କେହି ଅଯୋଗ୍ୟ ଭାବେ ଏହାକୁ ଗ୍ରହଣ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ (୧କର ୧୧:୨୭ ଓ ୩୦)  ।


ସେମାନେ ଈଶ୍ୱରଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉ ଥିଲେ(୨୪ପଦ) : 


ଭ୍ରାନ୍ତ ଶିକ୍ଷା ଦେବା ଓ ଅନ୍ୟମାନଙ୍କୁ ଈଶ୍ୱରଙ୍କଠାରୁ ବିପଥ ଗାମୀ କରାଇବା ପାପ ଅଟେ । ରାଜା ମନଃଶୀ ଯିହୁଦା ବଂଶକୁ ବିପଥଗାମୀ କରାଇ ପାପ କରିଥିଲେ (୨ବଂଶା ୩୩:୬-୯) ।