BN

ଧନ୍ୟବାଦ ସୂଚକ ପ୍ରାର୍ଥନା

ଧନ୍ୟବାଦ ସୂଚକ ପ୍ରାର୍ଥନା

ଆଜିର ଚିନ୍ତା

୧ଶାମୁୟେଲ ୨:୧-୧୧

ମଙ୍ଗଳଦାନ ଗୁଡ଼ିକ ସ୍ମରଣ କରି ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ କି ?


ହାନ୍ନା ଜଣେ ଦୁଃଖିନୀ ନାରୀ ଥିଲେ । ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବା ପୁଣି ସ୍ବାମୀ ଦ୍ଵିତୀୟ ବିବାହ କରିବା ଏବଂ ସପତ୍ନୀର କଟୁ ମନ୍ତବ୍ୟ ତାଙ୍କୁ ଦୁଃଖିତ, ତିକ୍ତମନା କରିଥିଲା । ମାତ୍ର ସେ ପ୍ରଭୁଙ୍କ ନିକଟରେ ନିଜର ସମସ୍ୟାକୁ ରଖିଲେ । ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଲେ ଏବଂ ଉତ୍ତର ମଧ୍ୟ ଦେଲେ, ସେଥିପାଇଁ ସେ ଈଶ୍ଵରଙ୍କର ସ୍ତୁତିବାଦ କଲେ ।


ପରିତ୍ରାଣକାରୀ ପରମେଶ୍ୱର (୧ପଦ) :

ଈଶ୍ଵର ପରିତ୍ରାଣକାରୀ ପରମେଶ୍ୱର ଅଟନ୍ତି ଏକଥା ପ୍ରଭୁ ଯୀଶୁଙ୍କ ଜନ୍ମର ଯୀଶୁଙ୍କ ଅନେକ ବର୍ଷ ପୂର୍ବରୁ ହାନ୍ନାଙ୍କ ମୁଖ ଦ୍ଵାରା ପ୍ରକାଶିତ ହୋଇଥିଲା । ଶିଶୁ ଯୀଶୁଙ୍କୁ କୋଳରେ ଧରି ଶିମିୟୋନ ପ୍ରାର୍ଥନା କରିଥିଲେ, ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି (ଲୂକ ୨:୩୦) । ଆମେ ସେହି ପରିତ୍ରାଣକାରୀ ପରମେଶ୍ୱରଙ୍କଠାରେ ବିଶ୍ଵାସ କରି ଆନନ୍ଦ କରୁଛୁ କି ?


ଅତୁଳନୀୟ ପରମେଶ୍ୱର (୨ପଦ) :

  ମୋଶାଙ୍କୁ ଈଶ୍ଵର କୁହନ୍ତି, ଆମ୍ଭେ ସ୍ଵୟଂମ୍ଭୁ (ଆମ୍ଭେ ଅଛୁ) ରାଜା ଦାଉଦ କହନ୍ତି, ତୁମ୍ଭ ତୁଲ୍ୟ କିଏ ଅଛି? (ଗୀତ ୭୧:୧୯) । ହାନ୍ନା ମଧ୍ୟ କହନ୍ତି, ଆମ୍ଭମାନଙ୍କ ପରମେଶ୍ବରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ (୨ପଦ) । ସେହି ପବିତ୍ର ଓ ଅତୁଳନୀୟ ପରମେଶ୍ୱରଙ୍କୁ ଆମେ ମାନ୍ୟ କରୁଛୁ କି ?


ସର୍ବଜ୍ଞ ପରମେଶ୍ୱର (୩ପଦ) :

ଗୁପ୍ତ ବିଷୟ ସବୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର (ଦ୍ଵି: ବିବ ୨୯:୨୯) । ସେ ଆମ ହୃଦୟ ଓ ମନର ସବୁ କଥା ଜାଣନ୍ତି । 


ମୃତ୍ୟୁଞ୍ଜୟୀ ପରମେଶ୍ୱର (୬ପଦ) :


ମୃତ୍ୟୁ ଓ ଜୀବନ ଈଶ୍ୱରଙ୍କ ଅଧୀନ, ସେ ଜୀବନଦାତା । ଯୀଶୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ (ଯୋହନ ୧୧:୨୫) । ଯେ ତାହାଙ୍କ ଠାରେ ବିଶ୍ଵାସ କରେ ସେ ଯଦ୍ୟପି ମରେ, ତଥାପି ବଞ୍ଚିବ । ରକ୍ଷାକାରୀ ପରମେଶ୍ୱର (୯ପଦ) : ସେ ସବୁ ଗତିରେ ଆମକୁ ରକ୍ଷା କରନ୍ତି (ଗୀତ ୯୧:୧୦) । ସେ ଆମର ରକ୍ଷକ (ଗୀତ ୧୨୧:୫) । ତାଙ୍କର ସୁରକ୍ଷାର ଡେଣା ତଳେ ଆମେ ଆଶ୍ରୟ ନେଉଛୁ  କି ?


ଆରାଧନା ଓ ବଳିଦାନ

ଆରାଧନା ଓ ବଳିଦାନ


ଆଜିର ଚିନ୍ତା

୧ଶାମୁୟେଲ ୧:୧-୨୦

ଈଶ୍ୱରଙ୍କ ମଙ୍ଗଳଦାନ ସବୁକୁ ସ୍ମରଣ କରି ଆମେ ତାଙ୍କର ଆରାଧନା କରୁଛୁ କି ?


ଇସ୍ରାଏଲ ଲୋକମାନେ ବର୍ଷକୁ ପ୍ରାୟ ତିନିଥର ସେମାନଙ୍କ ଉପାସନାର ପୀଠକୁ ଯାଉଥିଲେ । ବିଚାରକର୍ତ୍ତା ମାନଙ୍କର ଶାସନ ସମୟରେ ସେମାନେ ଶିଲୋରେ ବଳିଦାନ ଉତ୍ସର୍ଗ କରୁଥିଲେ । ଯାଜକ ଏଲୀ ଓ ତାଙ୍କର ଦୁଇପୁତ୍ର ହଫନି ଓ ପୀନହସ ସେଠାରେ ଯାଜକୀୟ ସେବାକାର୍ଯ୍ୟ କରୁଥିଲେ ।  


ଆରାଧନା :

ଇସ୍ରାଏଲ ଗୋଷ୍ଠୀ ପତ୍ର କୁଟୀର ପର୍ବ ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏକତ୍ର ହେଉଥିଲେ । ଇଲକାନା ତାଙ୍କ ପରିବାର ସହ ଏହି ସମୟରେ ଶୀଲୋକୁ ଯାଇଥିଲେ । ଭକ୍ତ ଦାଉଦ କହନ୍ତି, ହେ ପ୍ରଭୁ, ମୋ ଓଷ୍ଠାଧର ଫିଟାଅ ତହିଁରେ ମୋ' ମୁଖ ତୁମ୍ଭର ପ୍ରଶଂସା କରିବ (ଗୀତ ୫୧:୧୫) । ଈଶ୍ୱରଙ୍କ ପ୍ରଶଂସା କରିବାକୁ ଏକ ବଳୀ ଭାବରେ ଗ୍ରହଣ କରାଯାଏ (ଏବ୍ରୀ ୧୩:୫) । ଏହା ତାଙ୍କ ନାମ ସ୍ଵୀକାରକାରୀ ଓଷ୍ଠାଧରର ଫଳ ଅଟେ । ଈଶ୍ଵର ମହାନ୍, ପବିତ୍ର, ଆଶ୍ଚର୍ଯ୍ୟ କର୍ମକାରୀ, ମଙ୍ଗଳଦାନକାରୀ, ରୋଗସୁସ୍ଥକାରୀ, ପରିତ୍ରାଣ ପ୍ରଦାନକାରୀ, ଦୟାବାନ, କରୁଣାମୟ ଇତ୍ୟାଦି ଅନ୍ୟ ନାମରେ ବାଇବଲ ରେ ପରିଚିତ ଅଟନ୍ତି । ତାହାଙ୍କ ନାମ ସହ ଅନ୍ୟ କୌଣସି ନାମ ତୁଳନୀୟ ନୁହେଁ । ତାହାଙ୍କ କାର୍ଯ୍ୟ ଅନନ୍ୟ (ଗୀତ ୧୦୪:୨୪) । ଆମ ପରିବାର ଈଶ୍ୱରଙ୍କ ମଙ୍ଗଳଦାନକୁ ସ୍ମରଣ କରି ତାଙ୍କର ଆରାଧନା କରୁଛୁ କି ? 


ବଳିଦାନ :

ଈଶ୍ୱରଙ୍କୁ ପ୍ରଦତ୍ତ ଉପହାର ବଳିଦାନ ଅଟେ ଭଗ୍ନଆତ୍ମା ଈଶ୍ୱରଙ୍କ ଗ୍ରାହ୍ୟବଳୀ (ଗୀତ ୫୧:୧୭) । ସେଦିନ  ହାନ୍ନାଙ୍କ ଉତ୍ସର୍ଗୀକୃତ ବଳିଦାନ ଯଥାର୍ଥ ଥିଲା । ସେ ତିକ୍ତ ମନା ଓ ବେଦନାଗ୍ରସ୍ତ ହୋଇ ରୋଦନ କରୁଥିଲେ । ଆପଣା ପ୍ରାଣର ବେଦନା ଢାଳିଥିଲେ । ପ୍ରଭୁ ଯୀଶୁ କ୍ରୁଶ  ବହି କଳବାରୀ କୁ ଯିବା ବାଟରେ  କହିଥିଲେ, ହେ ଯିରୁଶାଲମର କନ୍ୟାଗଣ ଆପଣା ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କର । ଆମେ ଆମ ପରିବାରର ମୁକ୍ତି ପାଇଁ ଈଶ୍ୱରଙ୍କ ନିକଟରେ ଡାକ ପକାଉଛୁ ତ ? 



ଭିନ୍ନ ପରିଚୟ

 ଭିନ୍ନ ପରିଚୟ

ଆଜିର ଚିନ୍ତା

ଋତ ୪:୨-୨୨

ଆମେ କିପରି ଆମ କାର୍ଯ୍ୟ ଦ୍ଵାରା ଭିନ୍ନ ପରିଚୟ ସୃଷ୍ଟି କରିପାରିବା ? 


ଋତ ପୁସ୍ତକର ପୂର୍ବ ପୃଷ୍ଟଭୂମି ଅନୁଯାୟୀ ଇସ୍ରାଏଲୀୟମାନଙ୍କ ଈଶ୍ୱରଙ୍କ ମନୋନୀତ ଜାତି ଭାବରେ ଗଣନା କରାଯାଉଥିଲା । ମାତ୍ର ବିଦେଶୀୟମାନଙ୍କ ପ୍ରତି ସେମାନେ ଭେଦଭାବ ପରାୟଣ ଥିଲେ । କିନ୍ତୁ ଋତ ନିଜର କାର୍ଯ୍ୟ ଦ୍ଵାରା ସେସବୁକୁ ବଦଳାଇ ଦେଇଥିଲେ । 


ଆନୁଗତ୍ୟର ଫଳ: 

ଋତଙ୍କର ବିବାହ ବୋୟଜଙ୍କ ସହିତ ଅନୁଷ୍ଠିତ ହେଲା । ବୋୟଜ, ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ସମଗ୍ର ନଗର ଦ୍ବାରବର୍ତ୍ତୀ ଲୋକ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗ୍ରହଣ କଲେ । ଈଶ୍ଵର ଋତଙ୍କୁ ଇସ୍ରାଏଲର ବଂଶ ବୃଦ୍ଧିକରିଣୀ କରନ୍ତୁ ବୋଲି ସେମାନେ ଆଶୀର୍ବାଦ କରିଲେ । ଇସ୍ରାଏଲୀୟମାନେ ନିଜକୁ ଶ୍ରେଷ୍ଠ ମଣି ବିଦେଶୀମାନଙ୍କ ପ୍ରତି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ମାତ୍ର ୠତ ଜଣେ ବିଦେଶିନୀ ମହିଳା ହୋଇ ମଧ୍ୟ ତାଙ୍କ ଜୀବନ ଏତେ ସୁନ୍ଦର ଥିଲା ଯେ, ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଯେତେବେଳେ ଆମେ ଗୋଟିଏ ଅଜଣା ସ୍ଥାନରେ, ଅଜଣା ଲୋକମାନଙ୍କ ମଧ୍ୟରେ ରହିବା ଆରମ୍ଭ କରୁ, ସେତେବେଳେ ଆମ୍ଭମାନଙ୍କର କେଉଁପ୍ରକାର ବ୍ୟବହାର ଆମକୁ ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ କରାଇପାରିବ, ତାହା ଚିନ୍ତା କରିବା । ଯଦି ସେପ୍ରକାର ସ୍ଥାନରେ ଆମେ ଆଖ ପାଖରେ ଥିବା ଲୋକମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିପାରି ନାହୁ, ତେବେ ନିଜକୁ ସମୀକ୍ଷା କରିବା ଯେ ଆମର ଭୁଲ କେଉଁଠି ରହିଲା । 


ଇସ୍ରାଏଲ ଇତିହାସରେ ସ୍ଥାନ : 

ୠତ ଇସ୍ରାଏଲର ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଥିଲେ ଯଦ୍ୱାରା ୠତଙ୍କ ନାମ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀରେ ମଧ୍ୟ ଉଲ୍ଲେଖ କରାଯାଏ (ମାଥିଉ ୧:୧୫) । ୠତଙ୍କ ଗର୍ଭରୁ ଜନ୍ମିଥିବା ପୁତ୍ର ଓବେଦ୍, ଦାଉଦଙ୍କ ପିତାମହ, ଯିଶୀଙ୍କ ପିତା ଥିଲେ । ଏହି ସମ୍ପୂର୍ଣ୍ଣ ବିବରଣୀ ୠତଙ୍କର ଉତ୍ତମତା, ସାଧୁତା, ବିଶ୍ଵାସ, ତ୍ୟାଗ ଓ ପ୍ରେମର ପୁରସ୍କାର ସ୍ୱରୁପେ ତାଙ୍କୁ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଏକ ନୂତନ ଏବଂ ସ୍ବତନ୍ତ୍ର ପରିଚୟ ମିଳିଥିଲା । ପରମେଶ୍ବର ତାଙ୍କ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବୈଧବ୍ୟ ଅବସ୍ଥାର ନୂତନ ପରିବାର ଗଠନ କରିବା ନିମନ୍ତେ ଏକ ମୁକ୍ତି କର୍ତ୍ତାଙ୍କର ବଂଶଧର ମାତାମହୀ ହେବାର ଗୌରବ ପ୍ରଦାନ କଲେ । ତେଣୁ ଆମ ଜୀବନର ଉତ୍ତମତା ଆମ ଜୀବନରେ ଆଶୀର୍ବାଦ ଆଣିଦିଏ ପୁଣି ତାହା ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହୋଇଥାଏ । ଆମେ ଯଦି ଆମ ଆହ୍ଵାନରେ ବିଶ୍ଵସ୍ତ, ତେବେ ଆମେ ଈଶ୍ୱରଙ୍କର ବୋଲି ଏହି ଜଗତରେ ପ୍ରତିଷ୍ଠିତ ହେବା ।

ତ୍ୟାଗର ପୁରସ୍କାର

 ତ୍ୟାଗର ପୁରସ୍କାର 

ଆଜିର ଚିନ୍ତା

ୠତ ୨:୧-୨୩

ମୁଁ କଣ ନିଜ କର୍ତ୍ତବ୍ୟ ସାଧନରେ ଏବଂ ସାମାଜିକ ସମ୍ପର୍କ ରକ୍ଷା କରିବାରେ ବିଶ୍ଵସ୍ତ ?


ୠତଙ୍କର ନିଜ ଦେଶ, ପରିବାର ଓ ଜ୍ଞାତି କୁଟୁମ୍ବଙ୍କୁ ତ୍ୟାଗ କରି ନୟମୀଙ୍କ ସହିତ ଜୀବନ ଅତିବାହିତ କରିବାର ନିଷ୍ପତ୍ତି ହୁଏତ ଅଯୁକ୍ତିକର ମାତ୍ର ଉତ୍ତମ ବିଷୟ ନିମନ୍ତେ ତ୍ୟାଗ ଅନେକ ସମୟରେ ଯେ କେତେ ଆଶୀର୍ବାଦ ଆଣେ ତାହା ଆମେ ଆଜିର ପାଠରୁ ଦେଖିପାରୁଛୁ । 


ନୟମୀ ନିକଟରେ ଅନୁଗ୍ରହ ପାତ୍ରୀ:

 ପରମେଶ୍ୱର ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବେଥଲିମର ଶସ୍ୟକ୍ଷେତ୍ରକୁ ବାଛିଲେ । ମୋୟାବ ଦେଶରୁ ଯିହୁଦା ଦେଶକୁ ଫେରିବା ପରେ ୠତ ଉପାର୍ଜନ କରିବାର ଆବଶ୍ୟକତା ଅନୁଭବ କରି  ଶସ୍ୟକ୍ଷେତ୍ରରେ ଯାଇ କର୍ମ କରିବା ପାଇଁ ନିଜ ଶାଶୁଙ୍କର ଅନୁମତି ନେଉଛନ୍ତି । କାରଣ ସେ ଜାଣିଥିଲେ ଯେ ସେହି ପରିବାର ମଧ୍ୟରେ କାର୍ଯ୍ୟ କରିବା ନିମନ୍ତେ କେହି ପୁରୁଷ ନାହାନ୍ତି ଆଉ ନୟମୀ ମଧ୍ୟ ବୃଦ୍ଧା, ତେଣୁ ପରିବାରର ସବୁ ଦୟିତ୍ୱକୁ ତୁଲାଇବା ପାଇଁ ସେ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରି, ପରିବାରର ପ୍ରତିପୋଷଣ ନିମନ୍ତେ କାର୍ଯ୍ୟ କରିବାକୁ ବାହାରୁଛନ୍ତି । ବାକ୍ୟରେ ଲେଖାଯାଏ ଯେ ଗୁଣବତୀ ସ୍ତ୍ରୀ ପରିବାରକୁ ଆହାର ଯୋଗାଏ (ହିତ ୩୧:୧୫) । ଯଦିଓ ସେହି କାର୍ଯ୍ୟରେ ଋତଙ୍କ ପ୍ରତି ଅପମାନ ଓ ବିପଦ ଥିଲା ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ ଓ ତାହାଙ୍କ ଯୋଜନା କାର୍ଯ୍ୟକାରୀ କରୁଥିଲେ । ୠତଙ୍କର ଏହି ତ୍ୟାଗପୂର୍ଣ୍ଣ ଜୀବନ ଓ ନୟମୀଙ୍କ ପ୍ରତି ଗଭୀର ପ୍ରେମ ହେତୁ ୠତ ନୟମୀଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ ।

 

ବୋୟଜଙ୍କ ନିକଟରେ ଅନୁଗ୍ରହ ପାତ୍ରୀ:

ବୋୟଜ ନାମକ ଜଣେ ନିକଟ କୁଟୁମ୍ବ କ୍ଷେତ୍ରରେ ଶସ୍ୟଛେଦକ ମାନଙ୍କ ସହିତ ଅବିରତ କାର୍ଯ୍ୟରତ ରହିବା ଦ୍ଵାରା ସେ ଯେ ଜଣେ ପରିଶ୍ରମୀ ସ୍ତ୍ରୀ ଥିଲେ ତାହା ଜଣାପଡେ ।  ଅଳ୍ପ ଦିନ ମଧ୍ୟରେ ତାଙ୍କ ସୁଗୁଣ ଅନ୍ୟମାନେ ଜାଣିପାରିଲେ । ଋତଙ୍କର ପରିଶ୍ରମ ତଥା ଉପାର୍ଜନ କରିବାର ସ୍ଵଭାବ ପୁଣି ବିଶ୍ଵସ୍ତତାର କାର୍ଯ୍ୟ ଯୋଗୁଁ ସେ ବୋୟଜଙ୍କର ଦୃଷ୍ଟିଗୋଚର ହୋଇଥିଲେ ପୁଣି ଅନୁଗ୍ରହ ପାତ୍ର ହୋଇଥିଲେ । ମିଳିଥିବା ଭଜାଶସ୍ୟ ନିଜେ ସବୁ ଭୋଜନ ନ କରି ଶାଶୁଙ୍କ ନିମନ୍ତେ ସଞ୍ଚୟ କରିବା ଦ୍ୱାରା ଶାଶୁଙ୍କ ପ୍ରତି ତାଙ୍କ ପ୍ରେମ ପ୍ରମାଣିତ ହୁଏ । ଅନ୍ୟଦେଶୀୟା କନ୍ୟା ହୋଇ ମଧ୍ୟ ଯିହୁଦା ପ୍ରଦେଶର ଲୋକମାନଙ୍କ ସହିତ ତାଙ୍କର ବ୍ୟବହାର ଓ ଶାଶୁଙ୍କ ପ୍ରତି ଭକ୍ତି ତାଙ୍କୁ ଅନେକ ଆଶୀର୍ବାଦର ଅଧିକାରୀ କରାଇଥିଲା । ଆମେ କ'ଣ ଆଜି ଋତଙ୍କ ଭଳି ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ଏବଂ କର୍ମମୟ ଜୀବନ କାଟିବାରେ ସଫଳ ହୋଇପାରିଛୁ ? ସେ ଭଳି ଜୀବନ ଆମକୁ ଉଭୟ ମନୁଷ୍ୟ ଏବଂ ଈଶ୍ୱରଙ୍କ ଅନୁଗ୍ରହପାତ୍ର ହେବାରେ ସାହାଯ୍ୟ କରିବ । 

ନିଃସ୍ୱାର୍ଥପର

 ନିଃସ୍ୱାର୍ଥପର  

ଆଜିର ଚିନ୍ତା

ଋତ ୧:୧-୨୨

ସ୍ୱାର୍ଥ କ'ଣ ସମ୍ପର୍କଠାରୁ ବଡ଼ ? 


ନୟମୀ ତାଙ୍କ ସ୍ଵାମୀ ଏବଂ ଦୁଇ ପୁଅ ଦୁର୍ଭିକ୍ଷ ହେତୁ ନିଜ ଦେଶ ଛାଡ଼ି ମୋୟବ ଦେଶକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କ ସ୍ଵାମୀଙ୍କର ମୃତ୍ୟୁପରେ ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ ଏବଂ କାଳକ୍ରମେ ସେମାନଙ୍କର ମଧ୍ୟ ମୁତ୍ୟୁ ହୁଏ, ଆଉ ରହିଯାନ୍ତି କେବଳ ତିନି ଜଣ ମହିଳା । କିନ୍ତୁ ଏଠାରେ ଶାଶୁ ଓ ବୋହୂ ମଧ୍ୟରେ ଥିବା ମଧୁର ସମ୍ପର୍କ ଉଲ୍ଲେଖନୀୟ ।


ପ୍ରେମର ସମ୍ପର୍କ: 

ଶାଶୁ ନୟମୀ ଯିହୁଦାକୁ ଫେରିଯିବା ବାଟରେ ପୁତ୍ରବଧୂମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଅନୁରୋଧ କରିଲେ, କାରଣ ସେମାନଙ୍କର ବୟସ ଖୁବ୍ କମ୍ ଏବଂ ସେମାନେ ନିଜ ଦେଶରେ  ପୁନର୍ବାର ବିବାହ କରି ନିଜର ନୂତନ ପରିବାର ଆରମ୍ଭ କରିପାରିବେ । ନୟମୀ  ଚାହିଁଥିଲେ ନିଜର ବୃଦ୍ଧାବସ୍ଥାରେ ସେବା ଆଉ ଯତ୍ନ ପାଇବା ପାଇଁ ସେମାନଙ୍କୁ ନିଜ ପାଖରେ ରହିବା ପାଇଁ ଅନୁରୋଧ କରିପାରିଥାନ୍ତେ, କିନ୍ତୁ ନିଜର ସୁଖ ଆଉ ସ୍ୱାର୍ଥଠୁ ଅଧିକ ସେ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଲେ । ଏହା ନୟମୀଙ୍କର ନିଜର ପୁତ୍ରବଧୂମାନଙ୍କ ପ୍ରତି ଗଭୀର ପ୍ରେମକୁ ଦର୍ଶାଏ । ନୟମୀ ଶବ୍ଦର ଅର୍ଥ 'ମଧୁର' । ସେ ନିଜ ପୁତ୍ରବଧୂମାନଙ୍କ ସହିତ ପ୍ରେମର ମଧୁର ସମ୍ପର୍କ ସ୍ଥାପନ କରିପାରିଥିଲେ । ତାହା ଆଜି ଆମ ପରିବାର ନିମନ୍ତେ ଆଦର୍ଶ ଅଟେ ।


କର୍ତ୍ତବ୍ୟର ସମ୍ପର୍କ:

 ଶାଶୁଙ୍କର କଥାକୁ ଗ୍ରହଣ କରି ଅର୍ପା ଶାଶୁଙ୍କୁ ଶେଷଥର ପାଇଁ ଚୁମ୍ବନ ଦେଇ ବିଦାୟ ନେଲେ କିନ୍ତୁ ଲେଖାଯାଏ ଯେ "ଋତ ନୟମୀଙ୍କୁ ଧରି ରହିଲେ" (୧୪ ପଦ) । ଋତ ନିଜ ଶାଶୁଙ୍କ ସହିତ ମୃତ୍ୟୁ ପର୍ଯ୍ୟନ୍ତ ରହିବେ ଆଉ ତାଙ୍କୁ କେବେ ତ୍ୟାଗ କରିବେ ନାହିଁ, ତାହା ପ୍ରତିଜ୍ଞା କରିଥିଲେ । ଏହାଦ୍ଵାରା ଋତ ନିଜ ପରିବାର, ନିଜ ଦେଶ, ନିଜ ଜାତି ତଥା ଧର୍ମ (ଦେବତା ୧୫ ପଦ)କୁ ପରିତ୍ୟାଗ କରିଥିଲେ, ପୁଣି ନିଜ ଶାଶୁଙ୍କ ଲୋକମାନଙ୍କୁ ଓ ପରମେଶ୍ୱରଙ୍କୁ ନିଜର କରିପାରିଥିଲେ । ନୟମୀ ଆଉ ଋତଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଆମ୍ଭମାନଙ୍କୁ ପ୍ରେରଣା ଦିଏ, ଆମେ କିପରି ନିଜ ପରିବାରକୁ ପ୍ରେମ, ନିଃସ୍ୱାର୍ଥପରତା, ଆନୁଗତ୍ୟ ଓ ସମାଦର ଇତ୍ୟାଦି ଗୁଣଦ୍ୱାରା ବନ୍ଧିକି ରଖିପାରିବା । ଆଜି ଏହିସବୁ ଗୁଣଗୁଡ଼ିକର ଅଭାବ ହୁଏତ ଅନେକ ପରିବାର ମଧ୍ୟରେ ଭଗ୍ନାବସ୍ଥା ଆଣିଦେଇଛି, କିନ୍ତୁ ନୟମୀ ଓ ଋତଙ୍କର ମଧ୍ୟରେ ପରସ୍ପର ପ୍ରତି ଥିବା ପ୍ରଗାଢ଼ ପ୍ରେମ ଏବଂ ସମ୍ମାନ ସେମାନଙ୍କୁ ଈଶ୍ୱରଙ୍କର  ଅନୁଗ୍ରହ ଓ ଆର୍ଶୀବାଦର ଅଂଶୀ କରାଇଥିଲା ।