BN

ନିଃସ୍ୱାର୍ଥପର

 ନିଃସ୍ୱାର୍ଥପର  

ଆଜିର ଚିନ୍ତା

ଋତ ୧:୧-୨୨

ସ୍ୱାର୍ଥ କ'ଣ ସମ୍ପର୍କଠାରୁ ବଡ଼ ? 


ନୟମୀ ତାଙ୍କ ସ୍ଵାମୀ ଏବଂ ଦୁଇ ପୁଅ ଦୁର୍ଭିକ୍ଷ ହେତୁ ନିଜ ଦେଶ ଛାଡ଼ି ମୋୟବ ଦେଶକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କ ସ୍ଵାମୀଙ୍କର ମୃତ୍ୟୁପରେ ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ ଏବଂ କାଳକ୍ରମେ ସେମାନଙ୍କର ମଧ୍ୟ ମୁତ୍ୟୁ ହୁଏ, ଆଉ ରହିଯାନ୍ତି କେବଳ ତିନି ଜଣ ମହିଳା । କିନ୍ତୁ ଏଠାରେ ଶାଶୁ ଓ ବୋହୂ ମଧ୍ୟରେ ଥିବା ମଧୁର ସମ୍ପର୍କ ଉଲ୍ଲେଖନୀୟ ।


ପ୍ରେମର ସମ୍ପର୍କ: 

ଶାଶୁ ନୟମୀ ଯିହୁଦାକୁ ଫେରିଯିବା ବାଟରେ ପୁତ୍ରବଧୂମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଅନୁରୋଧ କରିଲେ, କାରଣ ସେମାନଙ୍କର ବୟସ ଖୁବ୍ କମ୍ ଏବଂ ସେମାନେ ନିଜ ଦେଶରେ  ପୁନର୍ବାର ବିବାହ କରି ନିଜର ନୂତନ ପରିବାର ଆରମ୍ଭ କରିପାରିବେ । ନୟମୀ  ଚାହିଁଥିଲେ ନିଜର ବୃଦ୍ଧାବସ୍ଥାରେ ସେବା ଆଉ ଯତ୍ନ ପାଇବା ପାଇଁ ସେମାନଙ୍କୁ ନିଜ ପାଖରେ ରହିବା ପାଇଁ ଅନୁରୋଧ କରିପାରିଥାନ୍ତେ, କିନ୍ତୁ ନିଜର ସୁଖ ଆଉ ସ୍ୱାର୍ଥଠୁ ଅଧିକ ସେ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଲେ । ଏହା ନୟମୀଙ୍କର ନିଜର ପୁତ୍ରବଧୂମାନଙ୍କ ପ୍ରତି ଗଭୀର ପ୍ରେମକୁ ଦର୍ଶାଏ । ନୟମୀ ଶବ୍ଦର ଅର୍ଥ 'ମଧୁର' । ସେ ନିଜ ପୁତ୍ରବଧୂମାନଙ୍କ ସହିତ ପ୍ରେମର ମଧୁର ସମ୍ପର୍କ ସ୍ଥାପନ କରିପାରିଥିଲେ । ତାହା ଆଜି ଆମ ପରିବାର ନିମନ୍ତେ ଆଦର୍ଶ ଅଟେ ।


କର୍ତ୍ତବ୍ୟର ସମ୍ପର୍କ:

 ଶାଶୁଙ୍କର କଥାକୁ ଗ୍ରହଣ କରି ଅର୍ପା ଶାଶୁଙ୍କୁ ଶେଷଥର ପାଇଁ ଚୁମ୍ବନ ଦେଇ ବିଦାୟ ନେଲେ କିନ୍ତୁ ଲେଖାଯାଏ ଯେ "ଋତ ନୟମୀଙ୍କୁ ଧରି ରହିଲେ" (୧୪ ପଦ) । ଋତ ନିଜ ଶାଶୁଙ୍କ ସହିତ ମୃତ୍ୟୁ ପର୍ଯ୍ୟନ୍ତ ରହିବେ ଆଉ ତାଙ୍କୁ କେବେ ତ୍ୟାଗ କରିବେ ନାହିଁ, ତାହା ପ୍ରତିଜ୍ଞା କରିଥିଲେ । ଏହାଦ୍ଵାରା ଋତ ନିଜ ପରିବାର, ନିଜ ଦେଶ, ନିଜ ଜାତି ତଥା ଧର୍ମ (ଦେବତା ୧୫ ପଦ)କୁ ପରିତ୍ୟାଗ କରିଥିଲେ, ପୁଣି ନିଜ ଶାଶୁଙ୍କ ଲୋକମାନଙ୍କୁ ଓ ପରମେଶ୍ୱରଙ୍କୁ ନିଜର କରିପାରିଥିଲେ । ନୟମୀ ଆଉ ଋତଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଆମ୍ଭମାନଙ୍କୁ ପ୍ରେରଣା ଦିଏ, ଆମେ କିପରି ନିଜ ପରିବାରକୁ ପ୍ରେମ, ନିଃସ୍ୱାର୍ଥପରତା, ଆନୁଗତ୍ୟ ଓ ସମାଦର ଇତ୍ୟାଦି ଗୁଣଦ୍ୱାରା ବନ୍ଧିକି ରଖିପାରିବା । ଆଜି ଏହିସବୁ ଗୁଣଗୁଡ଼ିକର ଅଭାବ ହୁଏତ ଅନେକ ପରିବାର ମଧ୍ୟରେ ଭଗ୍ନାବସ୍ଥା ଆଣିଦେଇଛି, କିନ୍ତୁ ନୟମୀ ଓ ଋତଙ୍କର ମଧ୍ୟରେ ପରସ୍ପର ପ୍ରତି ଥିବା ପ୍ରଗାଢ଼ ପ୍ରେମ ଏବଂ ସମ୍ମାନ ସେମାନଙ୍କୁ ଈଶ୍ୱରଙ୍କର  ଅନୁଗ୍ରହ ଓ ଆର୍ଶୀବାଦର ଅଂଶୀ କରାଇଥିଲା ।

ମଣ୍ଡଳୀର କାର୍ଯ୍ୟପନ୍ଥା

 ମଣ୍ଡଳୀର କାର୍ଯ୍ୟପନ୍ଥା

ଆଜିର ଚିନ୍ତା

ପ୍ରେରିତ ୧୫:୧୨-୩୫


ମଣ୍ଡଳୀର ପ୍ରଚାର ଓ ପ୍ରସାର ପାଇଁ ମୁଁ କଣ ଉଦଯୋଗୀ ଅଟେ ? 


ଯିହୁଦୀମାନେ ପ୍ରଥମରେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରିଥିଲେ।  ସମୟକ୍ରମେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଦ୍ଵାରା ଅନେକ ଅଣଯିହୁଦୀମାନେ ମଧ୍ୟ ଖ୍ରୀଷ୍ଟଙ୍କୁ ବିଶ୍ଵାସ କଲେ । ମାତ୍ର ଯିହୁଦୀ ମତାବଲମ୍ବିମାନେ ସହଜରେ ସେମାନଙ୍କୁ ଗ୍ରହଣ କରିପାରୁ ନ ଥିଲେ । ତେଣୁ ସେମାନେ ଅଣଯିହୁଦୀମାନଙ୍କୁ ଅନେକ ସର୍ତ୍ତ ଓ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ । ଯାହାର ଫଳସ୍ୱରୁପ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପିତ ହେବାରେ ବାଧା ଉପୁଜୁ ଥିଲା । ତେଣୁ ଏହି ସମସ୍ୟାର ପାଇଁ ଯିରୁଶାଲମ ଏକ ଅଧିବେଶନ ହୋଇଥିଲା । 


ସଠିକ୍ ପଦକ୍ଷେପ : 

ପାଉଲ ଓ ବର୍ଣ୍ଣବବା ପ୍ରକାଶ କଲେ ଯେ, ସ୍ଵୟଂ ଈଶ୍ଵର ଅଣଯିହୁଦୀମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କାର୍ଯ୍ୟ ସାଧନ କରିଛନ୍ତି । ତେଣୁ ଅନେକ ଅଣଯିହୁଦୀ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଛନ୍ତି । ପାଉଲ ଓ ବର୍ଣ୍ଣବବା କେବଳ ମାଧ୍ୟମ ଅଟନ୍ତି । ପିତର ଓ ଯାକୁବ ମଧ୍ୟ ଏହି କଥାକୁ ସମର୍ଥନ କଲେ । ଅଣଯିହୁଦୀମାନେ ଯେପରି ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ, ତାହା ସ୍ଵୟଂ ଈଶ୍ଵର ଚାହାଁନ୍ତି ଓ ସେମାନଙ୍କୁ ମନୋନୀତ ମଧ୍ୟ କରିଅଛନ୍ତି । 


ମନୋନୀତ ଲୋକଙ୍କୁ ପ୍ରେରଣ :

ଯେଉଁମାନେ ଈଶ୍ୱରଙ୍କ ବାକ୍ୟରେ ନିପୁଣ ଓ ଯେଉଁମାନଙ୍କର ଈଶ୍ୱରଙ୍କୁ ବାକ୍ୟ ଓ ବ୍ୟବସ୍ଥା ବିଷୟରେ ସୂକ୍ଷ୍ମ ଜ୍ଞାନ ଅଛି ଏପରି ଯିହୁଦା ଓ ଶୀଲାକୁ ମନୋନୀତ କରି ମଣ୍ଡଳୀ ଲୋକମାନଙ୍କ ମଧ୍ୟକୁ ପଠାଇଲେ । ଯେପରି ସେମାନେ ଈଶ୍ୱରଙ୍କ ବାକ୍ୟର ନିଗୁଡ଼ତତ୍ତ୍ଵ ବିଷୟରେ ଲୋକଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଇବେ । ଶୀଲା ନିଜେ ଜଣେ ଭାବବାଦୀ ହୋଇଥିବାରୁ ଅନେକ କଥା ଦ୍ଵାରା ଭାଇମାନଙ୍କୁ ଉତ୍ସାହ ଦେଇ ସୁସ୍ଥିର କଲେ । 


ଆମ  ମଣ୍ଡଳୀ ଆଜି ଏପରି ମନୋନୀତ ଲୋକମାନଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରେରଣ କରିବା ଆବଶ୍ୟକ । ଆମେ ମଧ୍ୟ ନିଜକୁ ବାକ୍ୟରେ ଏପରି ସୁୁଶିକ୍ଷିତ କରି ଅନ୍ୟ ନିକଟରେ ଈଶ୍ଵରଙ୍କର ସାକ୍ଷୀ ହୋଇପାରିବା ।

ଆଦର୍ଶ ମିଶନାରୀ

ଆଦର୍ଶ ମିଶନାରୀ

ଆଜିର ଚିନ୍ତା

ପ୍ରେରିତ ୧୪:୨୧-୨୮

ମିଶନାରୀ ହେବାର ଯୋଗ୍ୟତା ମୋର ଅଛି କି ? 


ପାଉଲ ଓ ବର୍ଣ୍ଣବବା ଯେଉଁ କାର୍ଯ୍ୟ ନିମନ୍ତେ ପବିତ୍ର ଆତ୍ମା ଆହ୍ଵାନ କରିଥିଲେ, ତାହା କରିବା ପାଇଁ ମଣ୍ଡଳୀ ସେମାନଙ୍କୁ ହସ୍ତାର୍ପଣ କରି ପ୍ରେରଣ କରିଥିଲେ (ପ୍ରେରିତ ୧୩:୨-୩) । ଯାହାର ଫଳସ୍ୱରୂପ ପାଉଲ ଓ ବର୍ଣ୍ଣବବା ୩ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରଥମ ମିଶନାରୀ ଯାତ୍ରା କରିଥିଲେ । 

I

ଅନେକଙ୍କୁ ଶିଷ୍ୟ କର :

ପ୍ରଭୁ ଯୀଶୁଙ୍କର ଶେଷ ଆଦେଶ ତୁମ୍ଭେ ସମଗ୍ର ମାନବ ଜାତି ନିକଟକୁ ଯାଅ ଓ ସେମାନଙ୍କୁ ମୋ ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର । ପାଉଲ ଓ ବର୍ଣ୍ଣବବା ସେମାନଙ୍କର ପ୍ରଥମ ମିଶନାରୀ ଯାତ୍ରା ସମୟରେ ଏହି ପ୍ରଧାନ ଆଜ୍ଞା ଉପରେ ଗୁରୁତ୍ବ ଦେଇ ତାହା ପାଳନ କରିଥିଲେ । 


ଆଗାମୀ ତାଡନା ନିମନ୍ତେ ପ୍ରସ୍ତୁତି :

କେବଳ ଯେ ଶିଷ୍ୟ କରି ସେମାନଙ୍କୁ ଛାଡ଼ି ଦେବା ତାହା ନୁହେଁ, ମାତ୍ର ଆଗାମୀ କ୍ଳେଶ ଓ ପରୀକ୍ଷା ନିମନ୍ତେ ସେମାନଙ୍କର ବିଶ୍ଵାସକୁ ଦୃଢ଼ କରି ସଦା ପ୍ରସ୍ତୁତ ରହିବା ନିମନ୍ତେ ସେମାନଙ୍କୁ ଶିକ୍ଷିତ କରିବା । ଏହା ମଧ୍ୟ ଏକ ମିଶନାରୀର ଗୁରୁଦାୟିତ୍ବ ଅଟେ ଯାହା ପାଉଲ କରିଥିଲେ । ତେଣୁ ୨ ତୀମଥି ୩:୧୨ରେ ପାଉଲ ଲେଖିଲେ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଧର୍ମଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡନା ଭୋଗ କରିବେ । 


ପ୍ରାଚୀନମାନଙ୍କୁ ନିଯୁକ୍ତି :

ମିଶନାରୀମାନଙ୍କ ଅନୁପସ୍ଥିତିରେ ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଦାନ କରି ବିଶ୍ଵାସରେ ଦୃଢ଼ କରାଇବା ନିମନ୍ତେ ପାଉଲ ଉପବାସ ପ୍ରାର୍ଥନା କରି ପ୍ରାଚୀନମାନଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କଲେ (୨୩ପଦ) ।


ଉତ୍ସାହ ପ୍ରଦାନକାରୀ :

ପାଉଲ ଓ ବର୍ଣ୍ଣବବା ସେମାନଙ୍କ ଦ୍ଵାରା ସ୍ଥାପିତ ମଣ୍ଡଳୀରେ ଉପସ୍ଥିତ ହୋଇ ମଣ୍ଡଳୀକୁ ଏକତ୍ର କରି ସେମାନଙ୍କୁ ନିଜର ସାକ୍ଷ୍ୟ ଓ ବାକ୍ୟ ଦ୍ଵାରା ଈଶ୍ୱରଙ୍କୁ ଗୌରବାନ୍ଵିତ କରିବା ସଙ୍ଗେ ସଙ୍ଗେ ମଣ୍ଡଳୀର ସମସ୍ତଙ୍କୁ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କାର୍ଯ୍ୟ କରିବା ପାଇଁ ଉତ୍ସାହ ପ୍ରଦାନ କଲେ । 


ଆଜି ଈଶ୍ୱରଙ୍କ ରାଜ୍ୟ ବିସ୍ତାର ନିମନ୍ତେ ଈଶ୍ୱରଙ୍କୁ ସାହାଯ୍ୟ ମାଗି ଅନେକଙ୍କୁ ତାଙ୍କ ରାଜ୍ୟର ଅଂଶୀ କରାଇବା ଆମର ଦାୟିତ୍ଵ ଓ ଲକ୍ଷ୍ୟ ହେବା ଉଚିତ୍ ।

ସୁସମାଚାର ଘୋଷଣା

 ସୁସମାଚାର ଘୋଷଣା

ଆଜିର ଚିନ୍ତା

ପ୍ରେରିତ ୧୪:୧-୨୦

ସୁସମାଚାର ପ୍ରଚାର ନିମନ୍ତେ ମୁଁ ଉଦଯୋଗୀ କି ? 


ପ୍ରେରିତ ୧୩, ୧୪ ପର୍ବ ପାଉଲଙ୍କର ପ୍ରଥମ ମିଶନାରୀ ଯାତ୍ରା ବିଷୟରେ ବର୍ଣ୍ଣନା କଲେ । ଇକନିୟରେ ଯିହୁଦୀ ମତାବଲମ୍ବି ଲୋକ ବସବାସ କରୁଥିବାରୁ ସେଠାରେ ସମାଜ ଗୃହ ଥିଲା, ମାତ୍ର ଲୁସ୍ତ୍ରା ଓ ଦର୍ବୀ ରେ ସମାଜ ଗୃହ ନ ଥିଲା । 


ସମସ୍ତ ଜାତି ନିକଟରେ ଘୋଷଣା :

ସ୍ୱର୍ଗାରୋହଣ ପୂର୍ବରୁ ଯୀଶୁଙ୍କର ଶେଷ ଆଜ୍ଞାନୁସାରେ ( ମାର୍କ ୧୬:୧୫) ପାଉଲ ଓ ବର୍ଣ୍ଣବବା ସେମାନଙ୍କ ପ୍ରଥମ ମିଶନାରୀ ଯାତ୍ରାରେ ଯିହୁଦୀ, ଅଣଯିହୁଦୀ, ଗ୍ରୀକ୍ ସମସ୍ତଙ୍କ ନିକଟରେ ପ୍ରଭୁ ଯୀଶୁଙ୍କର ଜନ୍ମ ଠାରୁ ପୁନରୁତ୍ଥାନ ପର୍ଯ୍ୟନ୍ତ ସମସ୍ତ ବାକ୍ୟ ପ୍ରଚାର କଲେ ଓ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଲୋକ ବିଶ୍ୱାସ କଲେ । ପାଉଲ ଓ ବର୍ଣ୍ଣବବା ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ ଓ ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ନିଜର ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ (୩ପଦ) । ତେଣୁ ପାଉଲ ଏଫୀସୀ ୪:୧୭ରେ କହନ୍ତି, ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦତ୍ତ ହୋଇଛି । 


ତାଡ଼ନାର ସମ୍ମୁଖୀନ : 

ଯେଉଁମାନେ ପାଉଲ ଓ ବର୍ଣ୍ଣବବାଙ୍କ କଥାରେ ବିଶ୍ଵାସ କଲେ ନାହିଁ, ସେମାନେ ଅଧ୍ୟକ୍ଷଙ୍କ ସହିତ ମିଶି ପାଉଲ ଓ ବର୍ଣ୍ଣବବାଙ୍କ ଉପରେ ଦୌରାତ୍ମ୍ୟ କଲେ ଓ ପଥର ଫୋପାଡ଼ି ମାରିବାକୁ ଚେଷ୍ଟା କଲେ । ବ୍ୟକ୍ତିଗତ ଜୀବନରେ ମୁଁ କ'ଣ ସୁସମାଚାର ନିମନ୍ତେ ତାଡ଼ନାଭୋଗ କରିବାକୁ ପ୍ରସ୍ତୁତ କି ? 


ଈଶ୍ୱରଙ୍କୁ ଗୌରବ ଦେବା : 

ଆମର ଈଶ୍ଵର ସାରା ବିଶ୍ବ ବ୍ରହ୍ମାଣ୍ଡସାରାର ସୃଷ୍ଟିକର୍ତ୍ତା । ସେ ଆଦି ଓ ଅନ୍ତ । ସେ ରାଜାମାନଙ୍କର ରାଜା ଓ ପ୍ରଭୂମାନଙ୍କର ପ୍ରଭୁ ଅଟନ୍ତି । ପାଉଲଙ୍କ ଦ୍ଵାରା ମାତୃଗର୍ଭରୁ ଖଞ୍ଜ ବ୍ୟକ୍ତିର ସୁସ୍ଥତା କେବଳ ଏହା ପ୍ରତିବାଦିତ କରେ ଯେ କେବଳ ଈଶ୍ବର ହିଁ ଏହି ଆଶ୍ଚର୍ଯ୍ୟକାରୀ ଅଟନ୍ତି ଓ ସେ ସତ୍ୟ, ଜୀବନ୍ତ, ସେ ହିଁ ସମସ୍ତ ଗୌରବ ପାଇବାର ଯୋଗ୍ୟ ଅଟନ୍ତି । ଆଜି ଆମେ ସତ୍ୟ ଈଶ୍ଵରଙ୍କୁ ଗୌରବ ଦେଉଛୁ ନା ମନୁଷ୍ୟର ଗୌରବ କରୁଛୁ ? ଆମ ଜୀବନର କର୍ତ୍ତା କେବଳ ସ୍ଵୟଂ ଈଶ୍ବର । ଆମର ଚକ୍ଷୁ ସଦା ତାଙ୍କ ପ୍ରତି ସ୍ଥିର ରହିବା ଆବଶ୍ୟକ । 

ଅଳ୍ପ ମନୋନୀତ

ଅଳ୍ପ ମନୋନୀତ

ଆଜିର ଚିନ୍ତା

ପ୍ରେରିତ ୧୩:୪୨-୫୨

ମୁଁ କ'ଣ ସ୍ୱର୍ଗରାଜ୍ୟର ସ୍ଥାନ ପାଇବା ପାଇଁ ଯୋଗ୍ୟ? 


ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହୋଇ ଆସୁଅଛି; ଯେଉଁମାନେ ମନୋନୀତ, ସେହି ଅଳ୍ପସଂଖ୍ୟକ ହିଁ ଅନୁଗ୍ରହରେ ବିଶ୍ଵାସରେ ସ୍ଥିର ରୁହନ୍ତି ଓ ଈଶ୍ୱରଙ୍କ ରାଜ୍ୟରେ ସ୍ଥାନ ସୁରକ୍ଷିତ କରନ୍ତି । 

ସୁସମାଚାର ଶୁଣିବାକୁ ଆଗ୍ରହ : 

ପାଉଲ ଓ ବର୍ଣ୍ଣବବାଙ୍କ ଶକ୍ତିଯୁକ୍ତ ଶିକ୍ଷା ଶୁଣି ଲୋକେ ଅନେକ ସଂଖ୍ୟାରେ ବିଶ୍ଵାସ କଲେ ଓ ପୁନର୍ବାର ତାହା ଶୁଣିବାକୁ ପ୍ରବଳ ଆଗ୍ରହରେ ବିନତି କଲେ । ଆମେ ଦେଖିପାରୁ ଯେ ଯିହୁଦୀମାନଙ୍କ ଅପେକ୍ଷା ଯିହୁଦୀ ମତବଲମ୍ବୀ ବିଜାତିମାନେ ସୁସମାଚାର ଶୁଣିବାକୁ ଅଧିକ ଆଗ୍ରହ ପ୍ରକାଶ କଲେ । ଯିହୁଦୀମାନଙ୍କର ଅନାଗ୍ରହ ଓ ବିଜାତିମାନଙ୍କର ସୁସମାଚାର ପ୍ରତି ଆଗ୍ରହ ଦେଖି ଏହା କୁହାଯାଇପାରେ ଯେ ଅନେକ ଯେଉଁମାନେ ଆପଣାକୁ ପ୍ରଥମ ବୋଲି ଭାବନ୍ତି, ସେମାନେ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ପ୍ରଥମ ହେବେ (ମାଥିଉ ୨୦:୧୬) । 

ଈର୍ଷାତୁର ଯିହୁଦୀ:

ପରବର୍ତ୍ତୀ ବିଶ୍ରାମବାରରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଏକାଠି ହେବା ଦେଖି ଯିହୁଦୀମାନେ ଈର୍ଷାନ୍ଵିତ ହେଲେ । ସେମାନେ ନିନ୍ଦା କଲେ, ପ୍ରତିବାଦ କଲେ, ପ୍ରଧାନ ଓ ସମ୍ଭ୍ରାନ୍ତ ଲୋକଙ୍କୁ ଉତ୍ତେଜିତ କଲେ, ସେମାନଙ୍କୁ ତଡ଼ି ଦେଲେ, ଉପରୋକ୍ତ ସମସ୍ତ ବିଷୟ ସୁସମାଚାର ପ୍ରଚାର କରିବାର ମୂଲ୍ୟ ଅଟେ । ଜଣେ ପ୍ରକୃତ ସୁସମାଚାର ପ୍ରଚାରକ ଏହି ସମସ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ଥାଏ । 

ଈଶ୍ୱରଙ୍କ କାର୍ଯ୍ୟ:

ଏହି ସମସ୍ତ ଘଟଣାର ପୃଷ୍ଠଭୂମିରେ କିନ୍ତୁ ଈଶ୍ଵର ତାଙ୍କ କାର୍ଯ୍ୟ କରୁଥିଲେ । କାରଣ ସେ କେବଳ ଯିହୁଦୀମାନଙ୍କର ନୁହନ୍ତି ବରଂ ବିଜାତିମାନଙ୍କର ମଧ୍ୟ ଈଶ୍ଵର ଅଟନ୍ତି (ରୋମୀ ୩:୨୯) । ଅଣଯିହୁଦୀମାନେ ଆନନ୍ଦରେ ସୁସମାଚାରକୁ ଗ୍ରହଣ କଲେ(୪୮ପଦ) । ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା (୪୯ପଦ) । ଅଣଯିହୁଦୀମାନେ ଅନନ୍ତ ଜୀବନର ପ୍ରାପ୍ତିରେ ବିଶ୍ଵାସ କଲେ (୪୮ପଦ) । ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ (୫୨ପଦ) । 


ସୁସମାଚାର ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଯେତେ ବାଧା ଆସିଲେ ହେଁ ପ୍ରଭୁ ତାଙ୍କର କାର୍ଯ୍ୟ ସାଧନ କରିବେ ଏବଂ ଯେଉଁ ଅଳ୍ପ ମନୋନୀତ ଅଛନ୍ତି, ସେମାନଙ୍କୁ ସେ ପରିତ୍ରାଣ ଦେବେ ।