BN

ଉତ୍ତମ ନେତୃତ୍ଵ

  ଉତ୍ତମ ନେତୃତ୍ଵ

 ଆଜିର ଚିନ୍ତା


 ଯାତ୍ରା ୩୨:୧୫-୩୫


ନେତୃତ୍ଵର ଗୁରୁଦାୟିତ୍ଵ ମୁଁ ବୁଝିପାରିଛି କି? 

  

ନେତାମାନଙ୍କୁ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରିବାକୁ ପଡେ । ମଣ୍ଡଳୀର ବିଶ୍ବାସୀ ଓ ବିଶ୍ବାସିନୀମାନଙ୍କ ଜୀବନ ଦେଖିଲେ ଜଣାପଡେ ଯେ ଆମ ଜୀବନରେ ଅନେକ ଦୁର୍ବଳତା ରହିଛି । ଆମେ ନିୟମିତ ଉପାସନା ଯାଉ । ପ୍ରାର୍ଥନା କରୁ, ବାଇବଲ ଅଧ୍ୟୟନ କରୁ ସତ, କିନ୍ତୁ ଆମର ମୌଳିକ ଜୀବନ ପରିବର୍ତ୍ତନ ହୋଇ ନ ଥାଏ । ଆମେ ଶକ୍ତିହୀନ, ଆତ୍ମନିର୍ଭରଶୀଳ, ଆତ୍ମଧାର୍ମିକ, ବିଶୃଙ୍ଖଳିତ ଜୀବନ ଯାପନ କରିବାକୁ ଭଲ ପାଇଥାଉ । ତେଣୁ ନିଜକୁ ଶୃଙ୍ଖଳିତ କରିବା ସହଜ ବିଷୟ ନୁହେଁ ।


ଆଦର୍ଶ ନେତା : 

ମୋଶାଙ୍କ ନେତୃତ୍ୱ ଜୀବନରେ ଏଭଳି ପରିସ୍ଥିତି ଦେଖା ଦେଇଥିଲା । ସେ ଈଶ୍ବରଙ୍କ ସାନ୍ନିଧ୍ୟରେ ରହି ତାଙ୍କର ମହିମା, ଗୌରବ ଓ ପବିତ୍ରତା ଦେଖିଥିଲେ ଓ ଅନୁଭବ କରିଥିଲେ । ସେ ଯେତେବେଳେ ପର୍ବତରୁ ଓହ୍ଲାଇଲେ ଇସ୍ରାଏଲୀୟମାନଙ୍କର ଘୃଣ୍ୟ ପାପ ଦେଖିଥିଲେ । ସେମାନଙ୍କର ଜଘନ୍ୟ ପାପ ଦେଖି ମୋଶା ବିବ୍ରତ ଓ ବୋଝଗ୍ରସ୍ତ ହୋଇଥିଲେ । କାରଣ ସେହି ପାପର ପରିଣାମ ଅତି ଭୟଙ୍କର ଥିଲା । ତତ୍ କ୍ଷଣାତ ସେ ସେମାନଙ୍କର ପାପ ପାଇଁ ନିଜକୁ ଦାୟୀ କରିଥିଲେ।


ଉଦ୍ଧାରକାରୀ ନେତା :

 ଏକ ଉତ୍ତମ ପାଳକର ନ୍ୟାୟ, ସେ ଇସ୍ରାଏଲୀୟମାନଙ୍କୁ ପାପରୁ ଫେରିବା ପାଇଁ ଆହ୍ଵାନ ଦେଲେ ଓ ସେମାନଙ୍କ ସପକ୍ଷରେ କାର୍ଯ୍ୟ କରିଥିଲେ । ସେ ଈଶ୍ବରଙ୍କ ନିକଟର ଇସ୍ରାଏଲୀୟମାନଙ୍କ ସପକ୍ଷରେ ବିନତି କରିଥିଲେ । ସେ 'ଜୀବନ ପୁସ୍ତକ' ରୁ ତାଙ୍କର ନାମ କାଟିବା ପାଇଁ ଈଶ୍ବରଙ୍କ ନିକଟର ପ୍ରାର୍ଥନା କଲେ । ଏହି ପ୍ରାର୍ଥନା ଇସ୍ରାଏଲୀୟମାନଙ୍କ ପାଇଁ ମୋଶାଙ୍କ ହୃଦୟରେ ଥିବା ପ୍ରେମକୁ ପ୍ରକାଶ କରେ । ଇସ୍ରାଏଲୀୟମାନଙ୍କର କ୍ଷମା ଏବଂ ରକ୍ଷା ପାଇଁ ନିଜର ଜୀବନକୁ ବଳି କରିବାର ଇଛା ତାଙ୍କ ନେତୃତ୍ଵର ଏକ ମୁଖ୍ୟ ଗୁଣ ଥିଲା । 


ଆଜିର ଶାସ୍ତ୍ରାଂଶ ମୋଶାଙ୍କ ଜୀବନ ଓ ଆଦର୍ଶ ମାଧ୍ୟମରେ ଆମ୍ଭମାନଙ୍କୁ ପ୍ରେରଣା ଦିଏ ଯେ, ଆମେ ଏକ ଉତ୍ତମ ପାଳକ, ଉତ୍ତମ ନେତା, ଉତ୍ତମ ବିଶ୍ବାସୀ ବିଶ୍ଵସିନୀ ଭାବରେ ଅନ୍ୟ ମାନଙ୍କର ଆଧ୍ୟାତ୍ମିକ ଅବସ୍ଥା ବିଷୟରେ ସଚେତନ ହୋଇପାରିବା ଓ ସେମାନଙ୍କର ପରିବର୍ତ୍ତନ ନିମନ୍ତେ ମନୋଯୋଗୀ ହୋଇପାରିବା । 


ଈଶ୍ଵର ଦୀର୍ଘସହିଷ୍ଣୁ

 ଈଶ୍ଵର ଦୀର୍ଘସହିଷ୍ଣୁ

ଆଜିର ଚିନ୍ତା

ଯାତ୍ରା ୩୨:୧-୧୪


ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ନିବେଦନ କରନ୍ତି ବୋଲି ମୁଁ ଜାଣିଛି କି ? 


ଯଦି ଆମେ ଧୈର୍ଯ୍ୟର ସହ ଈଶ୍ଵରଙ୍କର ଅପେକ୍ଷା କରିବା, ତେବେ ସେ ଆମର ଚିନ୍ତା, ଭାବନା ଓ କଲ୍ପନାରୁ ଅଧିକ ମହତ୍ ବିଷୟ ଆମ ପାଇଁ ସାଧନ କରିବେ । କିନ୍ତୁ ମନୁଷ୍ୟ ଯେ ଆମ୍ଭେମାନେ, ଆମ୍ଭେମାନେ ସର୍ବଦା ତରବର ହୋଇଥାଉ । ଆଜିର ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଯେ, ମନୁଷ୍ୟ ଯେତେବେଳେ ଅସ୍ଥିର ଓ ତରବର ହୋଇ କାର୍ଯ୍ୟ କରେ, ସେ ନିଜକୁ ଧ୍ଵଂସ ଆଡ଼କୁ ନେଇଯାଏ । 


ମନୁଷ୍ୟର ମୂଢତା : 


ଇସ୍ରାଏଲୀୟମାନେ ମୋଶାଙ୍କର ଫେରିବା ବିଳମ୍ବ ହେବାରୁ ଅନ୍ୟ ଈଶ୍ଵରଙ୍କ ବିଷୟରେ କଳ୍ପନା କଲେ ଏବଂ ପରିଶେଷରେ ଏକ ସୁବର୍ଣ୍ଣ ବାଛୁରୀକୁ ଈଶ୍ଵର ଭାବରେ ଗ୍ରହଣ କଲେ । ଏହି ନୂତନ ଈଶ୍ୱରଙ୍କୁ  ଦେଖି ସେମାନେ ଆନନ୍ଦିତ ହେଲେ, ମୂର୍ତ୍ତି ଆଗରେ ନିଜର ବଳି ଉତ୍ସର୍ଗ କଲେ, ଅପବିତ୍ର ଭାବରେ ନୃତ୍ୟଗାନ କରି ନିଜ ନିଜକୁ ଅପବିତ୍ର କଲେ । ସତ୍ୟ ଈଶ୍ୱରଙ୍କ ବଦଳରେ ଏକ ହସ୍ତ ନିର୍ମିତ ମୂର୍ତ୍ତିର ପୂଜା କରି ଈଶ୍ୱରଙ୍କ ବିରୁଦ୍ଧରେ ଜଘନ୍ୟ ପାପ କରି ଈଶ୍ୱରଙ୍କ କ୍ରୋଧର ପାତ୍ର ହେଲେ । ମୋଶା ସେମାନଙ୍କର କାର୍ଯ୍ୟର ଜଘନ୍ୟତା କେତେ ବଡ଼ ଓ ତାହାର ପରିଣାମ କ'ଣ ହେବ, ତାହା ବୁଝିପାରିଲେ । ସେ ସେମାନଙ୍କ ପାପ ନିମନ୍ତେ ଈଶ୍ଵରଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଏବଂ ଏକ ଭୟାବହ ଦଣ୍ଡରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ । ଈଶ୍ଵର ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରି ନ ଥିଲେ । 


ମନୁଷ୍ୟର ସ୍ୱେଚ୍ଛାଚାରିତା :


ଅନ୍ୟ ପକ୍ଷରେ, ହାରୋଣ ଇସ୍ରାଏଲୀୟମାନଙ୍କର ଇଛା ନିକଟରେ ନିଜକୁ ସମର୍ପଣ କଲେ, ଈଶ୍ୱରଙ୍କ ଗୌରବକୁ ପ୍ରାଧାନ୍ୟ ନ ଦେଇ ଏକ ମୂର୍ତ୍ତି ନିର୍ମାଣ କରି ଇସ୍ରାଏଲୀୟମାନଙ୍କୁ ପାପ କରିବାକୁ ପ୍ରୋତ୍ସାହିତ କଲେ । 


ଆମେ ନିଜକୁ ପରୀକ୍ଷା କରିବା, ଆମେ କଣ ନିଜର ଆତ୍ମିକ ଜୀବନରେ ଅସ୍ଥିର ଓ ବିଚଳିତ ହୋଇ ନିଜ ଇଚ୍ଛାରେ ଜଗତର ବିଷୟବସ୍ତୁ, ଧନ ଓ ମାନ ସମ୍ମାନକୁ ଈଶ୍ୱରଙ୍କ ସ୍ଥାନ ଦେଇଅଛୁ । ଯଦି ନେତୃତ୍ୱ ସ୍ଥାନରେ ଅଛୁ, ତେବେ ହରୋଣଙ୍କ ପରି ଈଶ୍ୱରଙ୍କ ପଲକୁ ବିପଥରେ ଯିବା ପାଇଁ ପ୍ରୋତ୍ସାହତ ଦେଉଛୁ ଅବା ମୋଶାଙ୍କ ପରି ଈଶ୍ୱରଙ୍କ ପଲକୁ ସୁରକ୍ଷା ଓ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ବିନତି କରୁଅଛୁ । ଆତ୍ମିକ ଓ ଜାଗତିକ ଜୀବନରେ ଅନେକ ପରିସ୍ଥିତିର ଚାପରେ ଆମେ ଭୁଲ ପଦକ୍ଷେପ ଗ୍ରହଣ କରିଥାଉ । କିନ୍ତୁ ଈଶ୍ଵର ଚାହାଁନ୍ତି ଯେ ଆମେ ତାଙ୍କର ଅପେକ୍ଷା କରି ତାଙ୍କର ପ୍ରେରଣା ଓ ଶକ୍ତି ବଳରେ ନିଜକୁ ପରିଚାଳନା କରିବା ।

ସୁରକ୍ଷା ପ୍ରଦାନକାରୀ ଈଶ୍ୱର

 ସୁରକ୍ଷା ପ୍ରଦାନକାରୀ ଈଶ୍ୱର

ଆଜିର ଚିନ୍ତା

ଗୀତ ୪୪:୧-୨୬

ମୋର ପ୍ରକୃତ ସାହାଯ୍ୟକାରୀ କିଏ ? 


ସାଧାରଣତଃ, ଯଦି ଅରାଜକତା ଓ ପାପର ମାତ୍ରା ବଢିଚାଲେ, ତେବେ ବିଫଳତା ଓ ହାହାକାର ବଢ଼ିଚାଲେ, ମାତ୍ର ଈଶ୍ଵରପରାୟଣତା ଦେଖାଗଲେ, ରାଜ୍ୟରେ ସମୃଦ୍ଧି ଓ ସଫଳତା ଦେଖାଯାଏ । ଏ ଗୀତରେ ଈଶ୍ୱରଙ୍କ ଲୋକମାନେ କଷ୍ଟ ପାଆନ୍ତି ଓ ପରେ ଈଶ୍ଵର କିପରି ଉଦ୍ଧାର କରନ୍ତି ତାହାହିଁ ଲେଖାଯାଏ । 



ଅତୀତର ଅନୁଭୁତି (୧-୮) :

 ଅତୀତରେ ଇସ୍ରାୟେଲୀୟମାନଙ୍କୁ ଶତ୍ରୁମାନଙ୍କ ହସ୍ତରୁ ଈଶ୍ଵର କିପରି ରକ୍ଷା କରିଥିଲେ ଓ ତାଙ୍କର ଅନୁଗ୍ରହ, ଦକ୍ଷିଣହସ୍ତ କିପରି ବିପକ୍ଷମାନଙ୍କୁ ଲଜ୍ଜିତ କରି, ମନୋନୀତମାନଙ୍କୁ ରୋପଣ କରିଥିଲେ, ତାହା ଗୀତରଚକ ମନେ ପକାଉଛନ୍ତି । ଅତୀତର ଅନୁଭୁତି ଆମକୁ ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବାକୁ ସାହାଯ୍ୟ କରିଥାଏ କି ? 


ବର୍ତ୍ତମାନର ପରିସ୍ଥିତି (୯-୧୬) : 

ଇମୋରୀୟ ଓ ମୋୟାବୀୟମାନଙ୍କ ଦୃଷ୍ଟିରେ ଆମେ ବିଦ୍ରୁପର ପାତ୍ର । ସେମାନଙ୍କ ଖାଦ୍ୟ ନିମନ୍ତେ ଆମେ ମେଷଗଣ ତୁଲ୍ୟ । ସେମାନଙ୍କ ଦୃଷ୍ଟିରେ ଆମେ ଅପମାନିତ, ତିରସ୍କୃତ, ଲଜ୍ଜିତ ଓ ନ୍ୟୁନୀକୃତ । ସେମାନେ ବିଦ୍ରୁପ କରି କହନ୍ତି, ତୁମ୍ଭର ପରମେଶ୍ୱରଙ୍କ ପ୍ରତିଜ୍ଞା ସକଳ ମୂଲ୍ୟହୀନ । ଏହା ଗୀତରଚକଙ୍କୁ  ବ୍ୟଥିତ କରୁଛି । 


ଈଶ୍ୱରଙ୍କ ସହାନୁଭୂତି ନିମନ୍ତେ ପ୍ରାର୍ଥନା (୧୭-୨୬) :

ଯଦ୍ୟପି ଦିନଯାକ ଆମେ ମାନସିକ ଭାବେ, ଶାରୀରିକ ଭାବେ ଓ ଆତ୍ମିକ ଭାବେ ହତ ହେଉଅଛୁ ଓ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ହୋଇଅଛୁ । ତଥାପି ଆମେ ତୁମଠୁ ବିମୁଖ ହୋଇ ନାହୁ କିଆବା ପଥଭ୍ରଷ୍ଟ ହୋଇ ନାହୁ, ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ । ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ ଓ ଆମ୍ଭମାନଙ୍କ ପ୍ରାର୍ଥନା ଶୁଣୁ ନାହଁ ? ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭମାନଙ୍କୁ ମୁକ୍ତ କର । ଦୁଃଖ ବା ସମସ୍ୟା ଆସିଲେ, ଈଶ୍ୱରଙ୍କଠାରେ ପ୍ରାର୍ଥନା କଲେ, ସେ ଆମକୁ ସାହାଯ୍ୟ କରିବା ନିମନ୍ତେ ସଦାପ୍ରସ୍ତୁତ, ଏହା ମୁଁ ବିଶ୍ଵାସ କରେ କି ?

ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

 ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

କଲସୀୟ ୩:୧୨-୧୭


ମୋର ଆଚରଣ ଓ ଉଚ୍ଚାରଣରେ ମୁଁ ପ୍ରଭୁଙ୍କୁ ଗୌରବ ଦେଇ ଥାଏ କି ?


ସଂପୃକ୍ତ ଅଂଶରେ ପାଉଲ ବିଶ୍ଵାସୀମାନଙ୍କୁ ପ୍ରେମକୁ ଖ୍ରୀଷ୍ଟିୟାନର ଚିହ୍ନ ସ୍ଵରୂପେ ପରିଧାନ କରିବା ନିମନ୍ତେ ଉତ୍ସାହିତ କରନ୍ତି । ତାହା ସହିତ ପରସ୍ପରକୁ କ୍ଷମା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଅଛନ୍ତି। 


ପରସ୍ପରକୁ କ୍ଷମା କରିବା : 

ଜଣେ ଅନେକ ଗୁଣୀ, ଅନୁଭବୀ, ପ୍ରଭାବଶାଳୀ, କ୍ଷମତା ସମ୍ପନ୍ନ ହୋଇଥିଲେ ମଧ୍ୟ, କ୍ଷମା ଦେବାର ସ୍ଵଭାବ ନ ଥିଲେ ଈଶ୍ଵରଙ୍କର ପ୍ରୀତିଭୋଜନ ହୋଇପାରିବେ ନାହିଁ (ମାଥିଉ ୬:୧୫) । ଏହା ବ୍ୟବହାରିକ ଖ୍ରୀଷ୍ଟିୟାନ ହେବା ଦିଗରେ ଏକ ପ୍ରଧାନ ପଦକ୍ଷେପ ଅଟେ । କ୍ଷମା ଦେବା ସହଜ ବିଷୟ ନୁହଁ, କିନ୍ତୁ ଏହା ଅସମ୍ଭବ ମଧ୍ୟ ନୁହେଁ । ପଠିତ ଶାସ୍ତ୍ରାଂଶରେ ଏହି ସମସ୍ୟାର ସମାଧାନକୁ ନେଇ ପ୍ରେରିତ ପାଉଲ ଖ୍ରୀଷ୍ଟ ଯୀଶୁଙ୍କର କ୍ଷମାର କାର୍ଯ୍ୟକୁ ସ୍ମରଣ କରାଇ, ସେହି ପ୍ରକାରେ କରିବା ପାଇଁ କୁହନ୍ତି । ଯଦି ଆମେ କ୍ରୁଶରେ ଯୀଶୁଙ୍କର ଆମ ନିମନ୍ତେ କରାଯାଇଥିବା ପ୍ରାୟଶ୍ଚିତକୁ ଆଖି ଆଗରେ ରଖିବା, ତେବେ ନିଶ୍ଚିତ ଅନ୍ୟକୁ କ୍ଷମା ଦେଇପାରିବା । 


ଖ୍ରୀଷ୍ଟୀୟ ପ୍ରେମରେ ପରିପୂର୍ଣ୍ଣ ହେବା : 

ଯେତେବେଳେ ଆମ ହୃଦୟ ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ଓ ନିଷ୍ଠାରେ ପରିପୂର୍ଣ୍ଣ ହୋଇ ରହିବ, ସେତେବେଳେ ଆମେ ଆମର ପ୍ରତିବାଦୀମାନଙ୍କୁ ମଧ୍ୟ ପ୍ରେମ କରିବା ପାଇଁ ସମର୍ଥ ହେବା । କାରଣ ପ୍ରେମର ଅନେକ ବୈଶିଷ୍ଟ୍ୟ ରହିଅଛି (୧ କର ୧୩:୪-୮), ଏହା ବହୁଳ ପାପ ଆଚ୍ଛାଦନ କରେ (୧ପିତର ୪:୮), ଆମକୁ ସିଦ୍ଧ ହେବାକୁ ସାହାଯ୍ୟ କରେ ଓ ଶାନ୍ତି ପଥରେ କଢାଏ (କଲସୀୟ ୩:୧୪-୧୫) । ଏହି ପ୍ରେମକୁ ଆମ ହୃଦୟରେ ସଞ୍ଚାରଣ କରିବା ନିମନ୍ତେ, ଆମ ପ୍ରତିବାଦୀମାନଙ୍କ ପାଇଁ ପ୍ରତିଦିନ ପ୍ରାର୍ଥନା କରିବା ଯଦ୍ଵରା ସେମାନଙ୍କ ଦୁର୍ବ୍ୟବହାର ପ୍ରତିବଦଳରେ ଆମେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିପାରିବା (ରୋମୀ ୧୨:୧୪-୨୧) ।


ଖ୍ରୀଷ୍ଟଙ୍କ ଜ୍ଞାନରେ ପରିପୂର୍ଣ୍ଣ ହେବା :

ଆମେ ନିଜ ଜ୍ଞାନରେ ପରିଚାଳିତ ନ ହୋଇ, ଯେତେବେଳେ ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହୋଇ ତାଙ୍କ ସାନ୍ନିଧ୍ୟରେ ସମୟ ବ୍ୟତୀତ କରିଥାଉ, ସେତେବେଳେ ପବିତ୍ର ଆତ୍ମା ଆମ ମଧ୍ୟରେ ଅଦ୍ଭୁତ ଭାବରେ କାର୍ଯ୍ୟ କରିଥାନ୍ତି ଓ ଆମେ ସ୍ୱତଃପ୍ରବୃତ ଭାବରେ କ୍ଷମା ଦେବା ନିମନ୍ତେ ଆଗଭବ ହେଉ । ଆସନ୍ତୁ ବିଳମ୍ବ ନ ହେଉଣୁ ନିଜକୁ ପ୍ରସ୍ତୁତ କରିବା ।