ଖ୍ରୀଷ୍ଟଙ୍କ ମହାନତା
ଆଜିର ଚିନ୍ତା
କଲସୀୟ ୧:୧୫-୨୩
ମୁଁ ଖ୍ରୀଷ୍ଟଙ୍କ ପରିତ୍ରାଣ କାର୍ଯ୍ୟକୁ ହୃଦୟଙ୍ଗମ କରିଛି କି ?
ଖ୍ରୀଷ୍ଟ ଆମ୍ଭମାନଙ୍କୁ ଅନ୍ଧକାର ଶକ୍ତିକୁ ଉଦ୍ଧାର କରି ଜୀବନର ଲକ୍ଷ୍ୟ ଯେ ଖ୍ରୀଷ୍ଟଙ୍କ ରାଜ୍ୟ, ସେଥିରେ ପ୍ରବେଶ କରାଇ ଅଛନ୍ତି । ପାପକ୍ଷମା ଓ ପୁନର୍ଜନ୍ମର ଅନୁଭୂତି ଦ୍ଵାରା ଆମେ ଖ୍ରୀଷ୍ଟଙ୍କର ଈଶ୍ଵରତ୍ଵ, ମହାନତା ଓ ବ୍ୟକ୍ତିତ୍ୱ, ବିଷୟରେ ଜାଣିବାର ସୁଯୋଗ ପାଇଅଛୁ । ଯୋହନ ୧:୧ ଅନୁସାରେ ଯୀଶୁ ଆଦ୍ୟରେ ଥିଲେ, ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ଈଶ୍ଵର । ସେହି ବାକ୍ୟ ଦେହବନ୍ତ ହୋଇ ଧରାପୃଷ୍ଟକୁ ଆସି ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରାଇଲେ । ଅନନ୍ତ ପାପରୁ ଉଦ୍ଧାର କରି ଅନନ୍ତ ଜୀବନର ମାର୍ଗ ଦେଖାଇଲେ ଏବଂ ସେ ଯେ ପଥ, ସତ୍ୟ ଓ ଜୀବନ ତାହା ପ୍ରତିପାଦିତ କଲେ l ଫିଲିପ୍ ଙ୍କୁ ଯୀଶୁ ପ୍ରଶ୍ନର ଉତ୍ତର ଦେଲେ "ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଛି" (ଯୋହନ ୧୦:୩୦) ।
ମଣ୍ଡଳୀ ଓ ଖ୍ରୀଷ୍ଟଙ୍କ ସଂପର୍କ :
ସର୍ବୋପରି ପାଉଲ ପ୍ରତିପାଦନ କରନ୍ତି ଯେ ମଣ୍ଡଳୀରୂପ ଶରୀରର ଖ୍ରୀଷ୍ଟ ହେଉଛନ୍ତି ମସ୍ତକ । ତେଣୁ ମହାନ୍ ଈଶ୍ଵର, ମହାନ୍ ସୃଷ୍ଟିକର୍ତ୍ତା ଓ ମହାନ୍ ଉଦ୍ଧାରକର୍ତ୍ତା ରୂପେ ପୂର୍ବରେ ଈଶ୍ଵର ବିହୀନ ଥିଲୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ପାପରୂପକ ମୃତ୍ୟୁରୁ ନିଜ ମୃତ୍ୟୁଭୋଗ ଦ୍ଵାରା ଉଦ୍ଧାର କରି ଈଶ୍ୱରଙ୍କ ସହିତ ସଂସ୍ଥାପନ କରିଅଛନ୍ତି । ଏହି ସିଦ୍ଧାନ୍ତ ଅଟଳ ଅଟେ । ତେଣୁ ଅନ୍ୟ ଶିକ୍ଷା ବା ପ୍ରରୋଚନାରେ ବିଚଳିତ ନ ହେବା ପାଇଁ ପାଉଲ କଲସୀ ମଣ୍ଡଳୀକୁ ପରାମର୍ଶ ଦିଅନ୍ତି ଯେପରି ସେମାନେ ବିଶ୍ଵାସରେ ସ୍ଥିର ଓ ବଦ୍ଧମୂଳ ହୋଇ ରହିବେ ।
ଖ୍ରୀଷ୍ଟ ବିଶ୍ୱାସୀ ଓ ଖ୍ରୀଷ୍ଟଙ୍କ ସଂପର୍କ :
ପତ୍ରର ଆରମ୍ଭରେ ପାଉଲ କଲସୀୟ ମଣ୍ଡଳୀର ବିଶ୍ୱାସୀଙ୍କୁ ସେମାନଙ୍କର ଧର୍ଯ୍ୟ ଓ ପ୍ରେମର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେ ସୁସମାଚାରର ଗଭୀରତାକୁ ବୁଝାଇବାକୁ ଯାଇ କହନ୍ତି, ଖ୍ରୀଷ୍ଟ ଯୀଶୁ ଈଶ୍ୱରଙ୍କ ପୁତ୍ର ନିଜ ଶରୀରକୁ କ୍ରୁଶରେ ବଳିଦାନ କଲେ, ଯେପରି ତାହାଙ୍କର ପ୍ରାୟଶ୍ଚିତରେ ବିଶ୍ଵାସ କରିବା ଦ୍ଵାରା ଆମେ ପାପକ୍ଷମା ପାଇ ଈଶ୍ୱରଙ୍କ ସହ ପୁନର୍ବାର ମିଳିତ ହୋଇପାରିବା । ଆମେ ଆଉ ଆମର ନୋହୁ, ଆମେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା କିଣା ଯାଇ ପାପରୁ ମୁକ୍ତ ହୋଇଅଛୁ ।