BN

ସ୍ଵଗୌରବ ରକ୍ଷଣ ପରମେଶ୍ୱର

 ସ୍ଵଗୌରବ ରକ୍ଷଣ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୩୦:୧୭-୩୮


ଈଶ୍ଵର ନିଜର ଗୌରବ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତି ନାହିଁ ।


ଗତ ପାଠରେ ଆମେ ଯାଜକମାନଙ୍କର ଶୁଚିକରଣ ପ୍ରକ୍ରିୟା ବିଷୟରେ ଶୁଣିଥିଲୁ । ଆଜି ସେହିପରି ଆଉ କେତେକ ଶୁଚିକରଣ ବିଷୟ ଅଧ୍ୟୟନ କରିବା । ସେଥିମଧ୍ୟରେ ଜଳ, ତୈଳ ଓ ଧୂପ ଅନ୍ୟତମ । 


ପିତ୍ତଳ ଜଳ କୁଣ୍ଡ ବା ପ୍ରକ୍ଷାଳନ କୁଣ୍ଡ (୧୭-୨୧): ଯେତେବେଳେ ଯାଜକ ସ୍ନାନ ସାରି ନିଜର ପୋଷାକ ପିନ୍ଧି ପ୍ରଭୁଙ୍କର ସେବା କରିବାକୁ ସମାଗମ ତମ୍ବୁ ମଧ୍ୟକୁ ପ୍ରବେଶ କରୁଥିଲେ, ତାଙ୍କ ପ୍ରବେଶ ପଥ ମଧ୍ୟରେ ଥିଲା ଏହି ପ୍ରକ୍ଷାଳନ ଜଳ କୁଣ୍ଡ । ଯାଜକ ନିଜର ହସ୍ତ, ପାଦ ପ୍ରକ୍ଷାଳନ କରି ଭିତରକୁ ପ୍ରବେଶ କରୁଥିଲେ । ଏହା ଆମ ପାଇଁ ଏକ ଶିକ୍ଷଣୀୟ ବିଷୟ । ଆମେ ଉପାସନାଳୟ ମଧ୍ୟରେ ପ୍ରବେଶ କରିବା ସମୟରେ ସେହି ପବିତ୍ର ଈଶ୍ୱରଙ୍କ ଉପସ୍ଥିତିକୁ ଅନୁଭବ କରି, ଉପାସନାଳୟ ମଧ୍ୟକୁ ପ୍ରବେଶ କରିଥାଉ କି ? 


ଅଭିଷେକାର୍ଥକ ତୈଳ (୨୨-୩୩) : 

ଏହି ଅଭିଷେକାର୍ଥକ ତୈଳ କେଉଁଠୁ ଆସିବ ଓ ତାହା କିପରି ତିଆରି ହେବ ସ୍ୱୟଂ ପରମେଶ୍ୱର ଜଣାଇ ଥିଲେ । ତାହା କ'ଣ ପାଇଁ ଓ କେଉଁ କେଉଁ ସ୍ଥାନରେ ବ୍ୟବହାର ହେବ ତାହା ମଧ୍ୟ ଜଣାଇ ଥିଲେ । ମାତ୍ର ତାହା ସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନ ଥିଲା । ଯଦି କେହି ଠିକ୍ ସେହି ଭଳି ତୈଳ ପ୍ରସ୍ତୁତ କରି ନିଜ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିବ ତେବେ ତାକୁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରାଯିବ (୩୩ପଦ) । ଏହା ପରମେଶ୍ବରଙ୍କ ଆଦେଶ ଥିଲା । 


ନିର୍ମଳ ପବିତ୍ର ସୁଗନ୍ଧି ଧୂପ (୩୪-୩୮) :

 ଅଭିଷେକାର୍ଥକ ତୈଳ ଭଳି, ନିର୍ମଳ ପବିତ୍ର ସୁଗନ୍ଧି ଧୂପ ତିଆରି କରିବା ବିଷୟରେ ପରମେଶ୍ୱର ମୋଶାଙ୍କୁ ବିଷଦ ଭାବରେ ଜଣାଇ ଥିଲେ । ଏହା ମଧ୍ୟ କେବଳ ଈଶ୍ୱରଙ୍କ ସେବାରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା । ଯଦି କେହି ଠିକ୍ ସେହିଭଳି ସୁଗନ୍ଧି ଧୂପ ତିଆରି କରି ଆପଣା ନିମନ୍ତେ ବ୍ୟବହାର କରିବାକୁ ଚେଷ୍ଟା କରିବ, ତାକୁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରାଯିବ ୩୮ ପଦ । ଏହା ପ୍ରମାଣ କରେ ଯେ, ଈଶ୍ୱର ସ୍ଵଗୌରବ ରକ୍ଷଣେ ଉଦଯୋଗୀ ପରମେଶ୍ୱର ଅଟନ୍ତି, ସେ ଆପଣା ଗୌରବ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତି ନାହିଁ (ଯାତ୍ରା ୩୪:୧୪) ।


No comments:

Post a Comment

Kindly give your suggestions or appreciation!!!