ସତ୍ୟ ଉପାସନା
ଆଜିର ଚିନ୍ତା
ଯାତ୍ରା ୩୦:୧-୧୬
ଆମ ଉପାସନା ପଦ୍ଧତି ବାହ୍ୟିକ ନା ଆନ୍ତରିକ ?
ପୂର୍ବକାଳରେ ସମାଜ ଓ ଲୋକଙ୍କ ନିମନ୍ତେ ପାରମ୍ପରିକ ରୀତିନୀତିର ପ୍ରୟୋଜନ ଥିଲା । ଯୀଶୁଖ୍ରୀଷ୍ଟଙ୍କ ଆଗମନ ପରେ ଆମକୁ ନିଜ ପଥ ମନୋନୀତ କରିବାର ସ୍ୱାଧୀନତା ଦିଆଯାଇଛି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଆମେ ଅନନ୍ତ ଜୀବନର ଅଧିକାରୀ ହେବା, ନଚେତ୍ ଅନନ୍ତ ବିନାଶର ସମ୍ମୁଖୀନ ହେବା ।
ଧୂପବେଦୀ :
ପୁରାତନ ନିୟମରେ ଉଲ୍ଲିଖିତ ଧୂପବେଦୀକୁ ନୂତନ ନିୟମର ପରିପ୍ରେକ୍ଷୀରେ ଆଲୋଚନା କଲେ ଜାଣିବା ଯେ, ଧୂପ ଆମ ଆତ୍ମିକ ଜୀବନ ସହ ତୁଳନୀୟ । ମାନବ ଆତ୍ମାର ସୁଗନ୍ଧି ହିଁ ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ । ହୃଦୟ ଯଦି ନାନା କଳୁଷତାରେ ପୂର୍ଣ୍ଣ ଥିବ, ଈଶ୍ଵର ସେ ହୃଦୟର ଉପାସନା ଗ୍ରହଣ କରିବେ ନାହିଁ । ନିରାଡମ୍ବର ଉପାସନା ଓ ଈଶ୍ୱରଙ୍କ ବେଦି (ପାଦ) ତଳେ ଅଧିକ ସମୟ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ କ୍ଷେପନ କରିବା ଈଶ୍ବର ଅପେକ୍ଷା କରନ୍ତି ।
ବିଚ୍ଛେଦ ବସ୍ତ୍ର :
ସମସ୍ତଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ପ୍ରତିବର୍ଷ ଥରେ ବିଚ୍ଛେଦ ବସ୍ତ୍ରର ଅପର ପାର୍ଶ୍ଵକୁ ଯାଇ ମହାଯାଜକ ଈଶ୍ଵରଙ୍କ କାର୍ଯ୍ୟ ନିକଟରେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରୁଥିଲେ । କିନ୍ତୁ ଯୀଶୁ ଖ୍ରୀଷ୍ଟ ତାଙ୍କ କ୍ରୁଶୀୟ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ଵାରା ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ବିଚ୍ଛେଦ ବସ୍ତ୍ରର ବାଧା ଦୂର କରିଛନ୍ତି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଈଶ୍ୱରଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ ହୋଇପାରିବେ ।
ସୁଗନ୍ଧି ଧୂପ :
ସେତେବେଳେ ଦିନରେ ଦୁଇଥର ଧୂପ ଉତ୍ସର୍ଗ ହେଉଥିଲା । ହୁଏତ ପଶୁରକ୍ତ ଓ ପୋଡ଼ା ମାଂସରେ ଦୁର୍ଗନ୍ଧ ଦୂର କରିବା ନିମିତ୍ତ ଏହା ପ୍ରୟୋଜନ ଥିଲା । ଆମ ପାପର ଦୁର୍ଗନ୍ଧ ଦୂର କରିବା ନିମନ୍ତେ ଅନ୍ତରର ସ୍ତୁତି, ବନ୍ଦନା ଓ ପ୍ରାର୍ଥନା ହିଁ ଆମର ସୁଗନ୍ଧି ଧୂପ। ଏ ପ୍ରକାର ଧୂପ ଆମ ଆଧ୍ୟାତ୍ମିକ ଜୀବନକୁ ଉନ୍ନତତ୍ତର କରିବ ଓ ଆମର ଉପାସନା ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହେବ । ବାହ୍ୟିକ ରୀତିନୀତିରେ ଈଶ୍ଵର ସନ୍ତୁଷ୍ଟ ନୁହନ୍ତି । ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କହିଛନ୍ତି ଯେ କେବଳ ଆତ୍ମା ଓ ସତ୍ୟରେ ଉପାସନା ହିଁ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ।