ଅନ୍ତର୍ବାସୀ ପରମେଶ୍ୱର
ଆଜିର ଚିନ୍ତା
ଯାତ୍ରା ୨୯:୨୨-୪୬
ଆଜି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କିପ୍ରକାର ନୈବେଦ୍ୟ ଓ ବଳିଦାନ ଉତ୍ସର୍ଗ କରିଅଛୁ ?
ବଳିଦାନ :
(୩୮ପଦ) ପ୍ରତିଦିନ ମେଷବଳି ଓ ରକ୍ତପାତ ଇସ୍ରାଏଲମାନଙ୍କର ଦୈନିକ ଶୁଚିକରଣ ବିଧିରୂପେ ପାଳିତ ହେଉଥିଲା । ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ମେଷସ୍ୱରୂପ ଆମର ସମସ୍ତ ପାପ ବହି ନେଇ ଯାଇଛନ୍ତି (ଯୋହନ ୧:୨୯) । ଆଜି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ, ଆମକୁ ପାପକ୍ଷମା ପରିତ୍ରାଣ ଦେବାରେ ସକ୍ଷମ ଅଟେ । ଈଶ୍ୱରଙ୍କ ମେଷଶାବକ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ରକ୍ତ ଆମ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଛି (୧ପିତର ୧୮-୧୮) ।
ଇମ୍ମାନୁୟେଲ :
ଈଶ୍ଵର ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରି ଆଣିବା ସମୟରେ ସେମାନଙ୍କୁ ପରିତ୍ୟାଗ କରିବା ବିଷୟ ଚିନ୍ତା କରି ନ ଥିଲେ । ସେ ସେମାନଙ୍କ ସହିତ ବାସ କରିବାକୁ ଚାହିଥିଲେ । ଈଶ୍ଵର ଲୋକମାନଙ୍କ ଦ୍ଵାରା ପ୍ରତିଦିନ ପୂଜା ପାଇବାର ଉପଯୁକ୍ତ ବୋଲି ପ୍ରାତଃକାଳ ଓ ସନ୍ଧ୍ୟାକାଳରେ ବଳିଦାନର ନିୟମ ଦିଆଯାଇଥିଲା । ଆମେ ଇସ୍ରାଏଲୀୟମାନଙ୍କୁଠାରୁ ଅଧିକ ଆଶୀର୍ବାଦପ୍ରାପ୍ତ ଅଟୁ । ଆଜି ସେ 'ଇମ୍ମାନୁୟେଲ' ଠାରୁ ମଧ୍ୟ ଆହୁରି ଅଧିକ ନିବିଡ଼ଭାବେ ଆମ ସଙ୍ଗେ ଜଡ଼ିତ ଅଛନ୍ତି । ସେ ଆମ ମଧ୍ୟରେ ଅର୍ଥାତ୍ ଆମ ହୃଦୟରେ ବାସ କରୁଛନ୍ତି । ଯେଉଁ ବିଶ୍ଵାସୀ ତାଙ୍କ ରକ୍ତରେ କ୍ଷମାପ୍ରାପ୍ତ, ତାହା ମଧ୍ୟରେ ସେ ବାସ କରନ୍ତି (୧ କର ୩:୧୬) ।
ଆମେ କ'ଣ ହୂଦୟରେ ବାସ କରୁଥିବା ଈଶ୍ୱରଙ୍କ ପ୍ରତି ପ୍ରତିଦିନ ପ୍ରଶଂସା, ଧନ୍ୟବାଦ ଓ ପୂଜାରେ ବଳି ଉତ୍ସର୍ଗ କରୁଛୁ ? ଆମର ଉପାସନା ପାଇଁ ପ୍ରଭୁ ଆମକୁ କେବେ ହେଁ ବାଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି ଆମେ ଆମର ଜୀବନକୁ ନିରୀକ୍ଷଣ କରୁ ତେବେ ଈଶ୍ଵରଙ୍କର ମହାନତା, ଅନୁଗ୍ରହ ଓ ପ୍ରେମକୁ ଦେଖିପାରିବା । ସେତେବେଳେ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହିବାକୁ ଲାଗିବ । ସ୍ବତଃ ଉପାସନାର ଇଚ୍ଛା ଜାଗ୍ରତ ହେବ ।