ଆଜ୍ଞାପାଳନ
ଆଜିର ଚିନ୍ତା
ଯାତ୍ରା ୨୦:୧-୨୬
ମୁଁ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛି କି ?
ଆଧ୍ୟାତ୍ମିକ ଭାବେ ପରିଚାଳିତ ହେବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ଆମର ପଥ ପ୍ରଦର୍ଶକ । ମନୁଷ୍ୟର ଧର୍ମମୟ ଜୀବନ, ଓ ଆଚରଣକୁ ଈଶ୍ୱରଙ୍କ ଆଜ୍ଞା ପ୍ରଭାବିତ କରିଥାଏ । ସ୍ୱର୍ଗସ୍ଥ ପିତା ଆମର ନୈତିକ ଆଚରଣ ଦ୍ଵାରା ତାହାଙ୍କ ଆଜ୍ଞା ପ୍ରତି ଥିବା ବିଶ୍ଵସ୍ତତାକୁ ପରଖି ଥା' ନ୍ତି । ଈଶ୍ଵର ଆମ ବାଧ୍ୟତା ଅବାଧ୍ୟତାର ପରିମାପକ ଅଟନ୍ତି । ସେ ଆମ ବାଧ୍ୟତାର ପୁରସ୍କାର ଦାତା ଓ ଅବାଧ୍ୟତାର ପ୍ରତିଫଳଦାତା ।
ଯାତ୍ରା ୨୦ ପର୍ବରେ ବର୍ଣ୍ଣିତ ଈଶ୍ଵରଦତ୍ତ ୧୦ ଗୋଟି ଆଜ୍ଞା ମଧ୍ୟରୁ ପ୍ରଥମ ଚାରୋଟି ଆଜ୍ଞା ଈଶ୍ୱରଙ୍କ ପ୍ରତି ଆମର ଆଚରଣ ଓ ପରବର୍ତ୍ତୀ ଛଅଟି ଆଜ୍ଞା ଆମର ପରସ୍ପର ପ୍ରତି ବ୍ୟବହାରକୁ ଦର୍ଶାଇଥିଲେ ।
ଈଶ୍ୱରଙ୍କ ପ୍ରତି ମନୁଷ୍ୟର କର୍ତ୍ତବ୍ୟ :
ଈଶ୍ୱରଙ୍କ ବାକ୍ୟ ପବିତ୍ର ନ୍ୟାୟସଙ୍ଗତ ଓ ଉତ୍ତମ (ରୋମୀ ୭:୧୨) । ଏହି ଆଜ୍ଞାଗୁଡିକ ଇସ୍ରାଏଲ ଓ ସମଗ୍ର ମାନବ ଜାତି ନିମନ୍ତେ ଈଶ୍ୱରଙ୍କ ଉପହାର ସ୍ୱରୂପ । ଯଦି ଆମେ ଏହି ଆଦେଶଗୁଡ଼ିକ ପାଳନ କରୁ ତେବେ ଜଗତ ପରିବର୍ତ୍ତିତ ଓ ସୁନ୍ଦର ହେବା ସହ ଈଶ୍ଵରଙ୍କ ନିମନ୍ତେ ଆମ ଜୀବନ ପବିତ୍ର ହେବ ଓ ଆମେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହୋଇପାରିବା । ମନୁଷ୍ୟ ପ୍ରତି ଈଶ୍ୱରଙ୍କ ମନୋଭାବ ଓ ଇଚ୍ଛାକୁ ପ୍ରକାଶ କରୁଥିବା ଏହି ଦଶଗୋଟି ଆଜ୍ଞା ମନୁଷ୍ୟକୁ ପଥ କଢ଼ାଇ ନେଉଥିବା ଏକ ଦୀପ ସଦୃଶ୍ୟ । ଏହା ଆମ ନୈତିକ ବିଫଳତା ଓ ତ୍ରାଣକର୍ତ୍ତାଙ୍କ ଆବଶ୍ୟକତାକୁ ଦର୍ଷାଉଥିବା ଦର୍ପଣ ଅଟେ । ତେଣୁ ସେହି ଅଦ୍ୱିତୀୟ ଈଶ୍ୱରଙ୍କୁ ଆମେ ପ୍ରେମ ଓ ସମାଦର କରିବା ଆବଶ୍ୟକ ।
ସହମାନବ ପ୍ରତି କର୍ତ୍ତବ୍ୟ :
ଖ୍ରୀଷ୍ଟଙ୍କ ଈଶ୍ଵରତତ୍ତ୍ୱକୁ ଗ୍ରହଣ, ସ୍ଵୀକାର ଓ ଈଶ୍ୱରଙ୍କ ଆଜ୍ଞପାଳନ ଖ୍ରୀଷ୍ଟୀୟ ବିଶ୍ଵାସ ମୂଳତତ୍ତ୍ୱ । ଫିଲିପୀୟ ୩:୬ - ନିଜକୁ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ପରିଚୟ ଦେଉଥିବା ପାଉଲ, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକତା ପ୍ରାପ୍ତି ବିଷୟରେ ସୂଚନା ଦେଇଛନ୍ତି । ତେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ସହ ବାକ୍ୟକୁ ପାଳନ କରିବା ଦ୍ୱାରା ଜଣେ ଉପଯୁକ୍ତ ଖ୍ରୀଷ୍ଟୀୟ ଜୀବନ କାଟିପାରିବ । ଯଦ୍ଵାରା ସହମାନବ ପ୍ରତିଥିବା ତା' ର କର୍ତ୍ତବ୍ୟକୁ ପାଳନ କରିପାରିବ ।