BN

ଈଶ୍ୱରଙ୍କ ସହ ଚୁକ୍ତି

ଈଶ୍ୱରଙ୍କ ସହ ଚୁକ୍ତି

ଆଜିର ଚିନ୍ତା

ଯାତ୍ରା ୧୯:୧-୨୫

ମୋର ଈଶ୍ୱରଙ୍କ ସହିତ ଚୁକ୍ତିର ସର୍ତ୍ତଗୁଡ଼ିକ ମୁଁ ମାନିବାକୁ ପ୍ରସ୍ତୁତ କି ? 

ଇସ୍ରାଏଲୀୟମାନେ ମିସର ଦେଶରୁ ବାହାର ହୋଇ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେବା ପରେ, ଈଶ୍ଵର ମୋଶାଙ୍କୁ ଡାକି ଇସ୍ରାଏଲ ସନ୍ତାନଗଣ ନିକଟରେ ତାଙ୍କର ନିୟମର ଚୁକ୍ତିକୁ ପ୍ରକାଶ କରିବାକୁ ଆଜ୍ଞା ଦେଲେ । ପୂର୍ବରୁ ଈଶ୍ଵର ଅବ୍ରାହମ ଓ ତାଙ୍କର ବଂଶଧରମାନଙ୍କ ସହିତ ମଧ୍ୟ ଏହିପ୍ରକାର ନିୟମ କରିଥିଲେ (ଆଦି ୧୭:୧-୯) ବର୍ତ୍ତମାନ ଇସ୍ରାଏଲୀୟମାନେ ଯେପରି ସେହି ନିୟମକୁ ମାନି ଜୀବନଯାପନ କରିବେ ଓ ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ତାହା ସେ ଇଛା କରୁଥଲେ । 

ଈଶ୍ୱରଙ୍କ ରବରେ ମନଯୋଗ କରିବା : 

ଈଶ୍ଵର କିପରି ମୋଶାଙ୍କ ଦ୍ଵାରା ଆଶ୍ଚର୍ଯ୍ୟକର୍ମ କରି ମିସର ଦେଶରୁ ଇସ୍ରାଏଲୀୟମାନଙ୍କୁ ବାହାର କରୁ ଆଣିଲେ ଓ ସେମାନଙ୍କର ଯତ୍ନ ନେଲେ, ଏହା ତାଙ୍କର ମହାନ୍ ପ୍ରେମକୁ ପ୍ରକାଶ କରେ। ଆମ୍ଭମାନଙ୍କର ପ୍ରତ୍ୟେକଙ୍କର ଜୀବନରେ ଈଶ୍ୱରଙ୍କ ଏକ ଯୋଜନା ରହିଛି । ଯଦି ଆମ୍ଭେମାନେ ତାଙ୍କର ବାକ୍ୟ ଶୁଣି ସେହି ବାକ୍ୟରେ ମନଯୋଗ କରିବା, ତେବେ ସେ ଆମ୍ଭମାନଙ୍କର ପରମେଶ୍ୱର ହେବେ । ସେ ଆମ୍ଭମାନଙ୍କୁ ପ୍ରଚୁର ଆଶୀର୍ବାଦ କରିବେ ଓ ଆମ୍ଭମାନଙ୍କ ଦ୍ଵାରା ଅନ୍ୟମାନେ ମଧ୍ୟ ଆଶୀର୍ବାଦପ୍ରାପ୍ତ ହେବେ । 

ଈଶ୍ୱରଙ୍କ ଆଜ୍ଞା ପାଳନ କରିବା :

 ଈଶ୍ୱରଙ୍କ ମନୋନୀତ ଲୋକମାନେ ତାଙ୍କର ଆଜ୍ଞା ଓ ନିୟମଗୁଡ଼ିକୁ ପାଳନ କରନ୍ତୁ ବୋଲି ଈଶ୍ଵର ଇଚ୍ଛା କରନ୍ତି । ଯଦ୍ୱାରା ସେମାନେ ସଦାସର୍ବଦା ତାଙ୍କର ଲୋକ ହୋଇ ରହିବେ। ଇସ୍ରାଏଲର ବାଧ୍ୟତା ସେମାନଙ୍କ ନିମନ୍ତେ ଈଶ୍ଵରଙ୍କର ଭବିଷ୍ୟତ ଉଦ୍ଦେଶ୍ୟକୁ ସଫଳ କରିବାରେ ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ବିଷୟ ଥିଲା । ଈଶ୍ଵର ମିସରରୁ ସେମାନଙ୍କୁ ବାହାର କରି ଆଣିବା ଦିନଠାରୁ ତାଙ୍କର ପ୍ରେମ, ଦୟା, ସୁରକ୍ଷା ବଦଳରେ ସେମାନଙ୍କଠାରୁ ସେ ମଧ୍ୟ ପ୍ରେମ, ବାଧ୍ୟତା ଆଶା କରୁଥିଲେ (ଦ୍ଵି.ବିବରଣ ୬:୫) । ନୂତନ ନିୟମରେ ମଧ୍ୟ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ତାଙ୍କର ଆଜ୍ଞାଗୁଡ଼ିକୁ ପାଳନ କରି ପାପରୁ ପୃଥକୀକୃତ ଜୀବନ କାଟିବା ପାଇଁ ଆହ୍ଵାନ କରିଛନ୍ତି । 

ନିଜକୁ ପବିତ୍ର କରିବା :

 ଈଶ୍ୱରଙ୍କ ସମସ୍ତ ସର୍ତ୍ତଗୁଡ଼ିକୁ ଇସ୍ରାଏଲୀୟମାନେ ମାନିବା ପାଇଁ ସମ୍ମତ ହେଲେ । ତେଣୁ ସଦାପ୍ରଭୁଙ୍କୁ ସାକ୍ଷାତ କରିବାକୁ ଯିବା ପୂର୍ବରୁ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଓ ପ୍ରସ୍ତୁତ ହେବା ପାଇଁ ପରମେଶ୍ୱର ମୋଶାଙ୍କୁ ଆଜ୍ଞା ଦେଲେ । କାରଣ ପବିତ୍ରତା ବିନୁ ଈଶ୍ୱରଙ୍କ ଦର୍ଶନ କରିବା ଅସମ୍ଭବ ।  ଆଜି ଆମ୍ଭେମାନେ ପବିତ୍ର ଈଶ୍ଵରଙ୍କ ଛାମୁକୁ ଆସିବା ସମୟରେ ନିଜର ଜୀବନକୁ କେତେ ଅଧିକ ପବିତ୍ର ରଖିବା ଆବଶ୍ୟକ ତାହା ଚିନ୍ତାର ବିଷୟ । 

No comments:

Post a Comment

Kindly give your suggestions or appreciation!!!