BN

ଗୁରୁତ୍ଵପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର

 ଗୁରୁତ୍ଵପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର 


ଆଜିର ଚିନ୍ତା


ଲୁକ ୨୪:୩୬-୫୩


ମୁଁ ଯୀଶୁଙ୍କ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ଆଗ୍ରହୀ ଅଟେ କି ?


ଯୀଶୁ ଯେ ଉଠିଅଛନ୍ତି - ଏ ବିଷୟରେ ଦୂତଙ୍କ ଘୋଷଣାକୁ ପ୍ରତିପାଦନ କରିବା ପାଇଁ ଯୀଶୁ ନିଜେ ମରିୟମଙ୍କୁ, ତାଙ୍କର ଶିଷ୍ୟମାନଙ୍କୁ ଓ ଅନେକ ଲୋକଙ୍କୁ ଦର୍ଶନ ଦେଇଥିଲେ । ତାଙ୍କର ପୁନରୁତ୍ଥାନର ପରବର୍ତ୍ତୀ ଦର୍ଶନରେ ସେ ଏହା ଦର୍ଶାଇଥିଲେ ଯେ ପ୍ରତ୍ୟେକ ମାନବର ଏକ ମୃତ୍ୟୁ ପରବର୍ତ୍ତୀ ଜୀବନ ଅଛି । ପୁଣି ଏହି ସମୟରେ ସେ ନିଜର ଶିଷ୍ୟମାନଙ୍କୁ ତାଙ୍କର ସାକ୍ଷୀ ହେବା ନିମନ୍ତେ ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇ ଜଗତ ମଧ୍ୟକୁ ପ୍ରେରଣ କରିଥିଲେ । 


ଅବିଶ୍ବାସୀ ଶିଷ୍ୟଗଣ :

 ଏହି ଶାସ୍ତ୍ରାଂଶର ୩୬-୪୩ ପଦରେ ଶିଷ୍ୟମାନଙ୍କର କେତେଗୁଡ଼ିଏ ପ୍ରତିକ୍ରିୟା ବର୍ଣ୍ଣିତ ଅଛି,  ଯେଉଁଗୁଡ଼ିକ ସେମାନଙ୍କର ଅବିଶ୍ୱାସକୁ ପ୍ରଦର୍ଶନ କରିଛି । ପ୍ରଥମତଃ, ଯୀଶୁ ରୁଦ୍ଧ ଦ୍ବାର ମଧ୍ୟ ଦେଇ ପ୍ରବେଶ କରିଥିବାରୁ, ସେମାନେ ତାଙ୍କୁ ଭୂତ ବୋଲି ଭାବିଥିଲେ । ଫଳରେ ସେମାନେ ଭୟଭୀତ ହୋଇଥିଲେ।  ଦ୍ଵିତୀୟରେ, ସେ ସେମାନଙ୍କୁ ତାଙ୍କର ମାଂସ, ଅସ୍ଥି, ହାତ ଓ ପାଦ ଦେଖାଇ ସେମାନଙ୍କ ମନରୁ ସନ୍ଦେହ ଦୂର କରିବା ପରେ ସେମାନେ ଆନନ୍ଦିତ ଓ ଚମକ୍ରୁତ ହୋଇଥିଲେ । ଯୀଶୁ ସେମାନଙ୍କ ସାକ୍ଷାତରେ ଭୋଜନ କରିଥିଲେ ଓ ଧର୍ମ ଶାସ୍ତ୍ରରୁ ତାଙ୍କ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଉଲ୍ଲେଖ କରି ସେମାନଙ୍କୁ ବୁଝାଇଥିଲେ । ଯେହେତୁ ସେମାନଙ୍କ ବୁଦ୍ଧି ରୂପ ଦ୍ଵାର ରୁଦ୍ଧ ଥିଲା, ସେଥିପାଇଁ ସେମାନେ ବୁଝିପାରୁ ନ ଥିଲେ । ଯୀଶୁ ପୁଣି ଥରେ ତାହା ବୁଝାଇବା ସଙ୍ଗେ ସଙ୍ଗେ ସେମାନଙ୍କ ବୁଦ୍ଧିରୂପ ଦ୍ଵାର ଉନ୍ମୁକ୍ତ କରିଥିଲେ ।


ଦାୟିତ୍ବ ହସ୍ତାନ୍ତର : 

ଶିଷ୍ୟମାନଙ୍କ ମନରୁ ସମସ୍ତ ଅବିଶ୍ବାସ ଓ ସନ୍ଦେହ ଦୂର ହୋଇଥିଲା । ଏହା ଜାଣିପାରି ଯୀଶୁ ସେମାନଙ୍କୁ ତାଙ୍କର ଶେଷ ଓ ମହାନ୍ ଆଦେଶ ଜଣାଇଥିଲେ । ସମସ୍ତ ଜାତିର ଲୋକଙ୍କୁ ସୁସମାଚାର ଜଣାଇବା ପାଇଁ ଓ ତାଙ୍କର ଶିଷ୍ୟ କରିବା ପାଇଁ ସେମାନଙ୍କୁ ପ୍ରେରଣ କରିଥିଲେ । ଏହାପରେ ସେ ସେମାନଙ୍କୁ ବେଥନିଆ ପର୍ଯ୍ୟନ୍ତ ନେଇଗଲେ ଓ ସେମାନଙ୍କୁ ଆଶୀର୍ବାଦ କରୁ କରୁ ସ୍ୱର୍ଗାରୋହଣ କରିଥିଲେ।  ଭୀତଗ୍ରସ୍ତ ଓ ଅବିଶ୍ବାସୀ ଶିଷ୍ୟମାନେ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ମହାନନ୍ଦରେ ଫେରିଗଲେ ଓ ମନ୍ଦିରରେ ରହି ଈଶ୍ୱରଙ୍କର ସ୍ତୁତି କରୁ କରୁ ଆଗାମୀ କାର୍ଯ୍ୟ ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିଥିଲେ । 


ଯୀଶୁ ଆଜି ମଧ୍ୟ ଆମ ମନରୁ ସମସ୍ତ ସନ୍ଦେହ ଓ ଅବିଶ୍ବାସ ଦୂର କରି ତାଙ୍କ କାର୍ଯ୍ୟରେ ଆମକୁ ବ୍ୟବହାର କରିପାରନ୍ତି । 

No comments:

Post a Comment

Kindly give your suggestions or appreciation!!!