ଭୟଙ୍କର ହସ୍ତ
ଆଜିର ଚିନ୍ତା
ଯାତ୍ରା ୯: ୧-୨୬
ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଅତି ଭୟଙ୍କର ବିଷୟ ।
ଇସ୍ରାଏଲୀୟମାନଙ୍କ ଉଦ୍ଧାରର ମୂଳ ରହସ୍ୟ ଥିଲା ଈଶ୍ୱରଙ୍କ ପ୍ରେମ । ସେ ତାଙ୍କ ଲୋକମାନଙ୍କ କ୍ଲେଶ, ଯନ୍ତ୍ରଣା ଓ ରୋଦନ ପ୍ରତି ସଦା ସଚେତନ । ସେ ସେମାନଙ୍କ ଉଦ୍ଧାର ନିମନ୍ତେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ରକ୍ଷା କରିବା ପାଇଁ ସେ ଯତ୍ନବାନ ଥିଲେ ।
ପଶୁପଲରେ ଆଘାତ :
ସଦାପ୍ରଭୁ ଯେଉଁ ସମୟ ନିରୂପଣ କରିଥିଲେ ସେହି ସମୟରେ ମହାମାରୀ ମିସ୍ରୀୟ ଲୋକମାନଙ୍କର ପଶୁପଲକୁ ଆଘାତ କଲା । ସମସ୍ତ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଲା, ମାତ୍ର ଫାରୋ ଜାଣିଲେ ଯେ ଇସ୍ରାଏଲୀୟ ମାନଙ୍କର କୌଣସି ପଶୁ ମରି ନାହାନ୍ତି ।
ଶରୀରରେ ଆଘାତ :
ମୋଶା ଈଶ୍ୱରଙ୍କ ଆଜ୍ଞାନୁସାରେ ମୁଷ୍ଟିପୂର୍ଣ୍ଣ ଭାଟିର ଭସ୍ମ ନେଇ ଫାରୋଙ୍କ ସାକ୍ଷାତରେ ଆକାଶ ଆଡ଼କୁ ବିଞ୍ଚି ଦେଲେ ସେତେବେଳେ ଷଷ୍ଠଦଣ୍ଡ ରୂପେ ଦାହଯୁକ୍ତ ବଥ ମିସ୍ରୀୟ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ହେଲା । ପରମେଶ୍ୱରଙ୍କ ଦଣ୍ଡ ଯେ ନିର୍ଦ୍ଧିଷ୍ଟଭାବେ ମିସ୍ରୀୟମାନଙ୍କ ପ୍ରତି ଘଟୁଛି ଏବଂ ଇସ୍ରାଏଲୀୟମାନେ ଯେ ସୁରକ୍ଷା ପାଉଛନ୍ତି ଏହା ସେମାନେ ସ୍ପଷ୍ଟରୂପେ ଦେଖିଲେ ଓ ଅନୁଭବ କଲେ ।
ପରାକ୍ରମୀ ପରମେଶ୍ୱର :
ସଦାପ୍ରଭୁ ନିଜର ସାର୍ବଭୌମତ୍ୱକୁ ପ୍ରକାଶ କରି କହନ୍ତି "ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ ଏହା ତୁମ୍ଭେମାନେ ଜ୍ଞାତ ହେବ" । ପୁନର୍ବାର ସେ କହନ୍ତି "ମାତ୍ର ତୁମ୍ଭକୁ ଆମ୍ଭର ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତନ ହେବ ଏଥିପାଇଁ ଆମ୍ଭେ ତୁମ୍ଭଙ୍କୁ ସ୍ଥାପନ କରି ରଖିଅଛୁ" ।
ଅଜ୍ଞାର ବାଧ୍ୟତା :
୨୦-୨୧ ପଦରେ ଆମେ ଈଶ୍ୱରଙ୍କ ବାକ୍ୟକୁ ମାନିବା ଓ ନ ମାନିବାର ପ୍ରଭେଦ ଦେଖିବାକୁ ପାଉଛୁ । ଫାରୋଙ୍କ ଦାସମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା ଓ ତା'ର ପଶୁସମ୍ପଦ ରକ୍ଷା ପାଇଲା ।
ଈଶ୍ଵରଙ୍କ ଅନୁଯୋଗକୁ ଆମେ ଆମ ଜୀବନରେ ଉଦ୍ଧାର ନିମନ୍ତେ ଉଦ୍ଦିଷ୍ଟ ବୋଲି ବିଚାର କରୁଛୁ କି ? ଯେଉଁମାନେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କରନ୍ତି ବା ପାଳନ କରନ୍ତି, ସେମାନେ ଓ ସେମାନଙ୍କ ପରିବାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ।