BN

ଅନନ୍ୟ ପରମେଶ୍ୱର

 ଅନନ୍ୟ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୮:୧୬-୩୨


ଈଶ୍ଵରଙ୍କ ପ୍ରେମ, କାର୍ଯ୍ୟ ଓ ଗୁଣ କାହା ସହିତ ତୁଳନୀୟ ନୁହେଁ । 


ଈଶ୍ୱର ତାଙ୍କ ଲୋକମାନଙ୍କୁ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବାକୁ ବାରମ୍ବାର ଫାରୋଙ୍କୁ କହିଲେ ମଧ୍ୟ ସେଥିରେ ସେ ସମ୍ମତ ହୋଇନାହାନ୍ତି । 


ଅବଧ୍ୟତାର ଦଣ୍ଡ :

 ଫାରୋଙ୍କ ହୃଦୟରେ ଯଦିଓ ସଦାପ୍ରଭୁ କଠିନତା ଦେଇଥିଲେ ତଥାପି ଫାରୋ ଈଶ୍ୱରଙ୍କ ଦଣ୍ଡ ପରେ ଦଣ୍ଡ ପ୍ରେରଣକୁ ଅତି ହାଲୁକା ଭାବରେ ଗ୍ରହଣ କରିଥିଲେ । ଉକୁଣିଆ ପୋକ ମିସରୀୟମାନଙ୍କ ଦୁଃଖର କାରଣ ହେଲା । ମିସରୀୟ ମନ୍ତ୍ରଜ୍ଞମାନେ ଜଳକୁ ରକ୍ତ କଲେ, ବେଙ୍ଗ ମଧ୍ୟ କଲେ ମାତ୍ର ଉକୁଣିଆ ପୋକ କରିପାରିଲେ ନାହିଁ । ସେତେବେଳେ ସେମାନେ ବୁଝିଲେ ଏହା କେବଳ ସେମାନଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ଅଟେ ।


ଅପରିବର୍ତ୍ତନୀୟ ମନ : 

ଈଶ୍ଵର ସର୍ବେସର୍ବା, ସର୍ବଶକ୍ତିମାନ, ସର୍ବ ବିଷୟ ତାଙ୍କର ନିୟନ୍ତ୍ରଣାଧୀନ, ତାଙ୍କ ତୁଲ୍ୟ କେହି ନାହିଁ । ଏହାର ଚାକ୍ଷୁସ ପ୍ରମାଣ ପାଇଲେ ମଧ୍ୟ, ମନ୍ତ୍ରଜ୍ଞମାନେ ଈଶ୍ୱରଙ୍କ ଶକ୍ତିକୁ ସ୍ଵୀକାର କଲେ ମଧ୍ୟ ଫାରୋ ଆପଣା ହୃଦୟକୁ ଆହୁରି କଠିନ କଲେ । ଏହାପରେ ସଦାପ୍ରଭୁ ଦଂଶକାଦିର ବୃହତ୍ ଝାଙ୍କ ପଠାଇଲେ । ତାହା ଦେଶର ବହୁତ କ୍ଷତି ଘଟାଇଲା । ଦଣ୍ଡ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ଫାରୋ ତାହା ଅନୁଭବ କଲେ ମଧ୍ୟ ମନକୁ ପରିବର୍ତ୍ତନ କଲେ ନାହିଁ ।


ଅବିଶ୍ବାସର ମନ : 

ଆମର ପରମେଶ୍ୱର ସତ୍ୟ ଓ ଜୀବତ, ତାଙ୍କର କର୍ମ ସକଳ ଆଶ୍ଚର୍ଯ୍ୟ ଓ ଅବର୍ଣ୍ଣନୀୟ, ସେ ଅସାଧ୍ୟ ସାଧନକାରୀ ପରମେଶ୍ୱର । ସେଦିନ ମିସରୀୟ ମନ୍ତ୍ରଜ୍ଞମାନେ ଏହା ବିଶ୍ଵାସ କଲେ କିନ୍ତୁ ଫାରୋଙ୍କ ବିଶ୍ଵାସ ଜନ୍ମିଲା ନାହିଁ ।


ଆଜି ମଧ୍ୟ ଈଶ୍ଵରଙ୍କର ଏହିପରି ଅନେକ ଆଶ୍ଚର୍ଯ୍ୟକର୍ମ ଓ ଘଟଣା ଦେଖିଲେ ମଧ୍ୟ ଅନେକଙ୍କ ହୃଦୟ ଆଜି କଠିନ ହୋଇ ରହିଛି । କଷ୍ଟ, ଦଣ୍ଡ ଆସିଲେ ମଧ୍ୟ ଆମେ ମନ ପରିବର୍ତ୍ତନ କରୁ ନାହୁ । ଆଜିର ଏ ମହାମାରୀ ସମୟରେ ପ୍ରଭୁ ପ୍ରତ୍ୟେକଙ୍କୁ ମନ ପରିବର୍ତ୍ତନର ଜୀବନ ପ୍ରଦାନ କରନ୍ତୁ । 

ଶକ୍ତଗ୍ରୀବ ଫାରୋ

 ଶକ୍ତଗ୍ରୀବ ଫାରୋ

ଆଜିର ଚିନ୍ତା


ଯାତ୍ରା ୭:୧୪-୮:୧୫


ଜଟିଳ ପରିସ୍ଥିତିରେ ମୁ ଈଶ୍ୱରଙ୍କ ଚାଳନା ବୁଝିବାକୁ ଚେଷ୍ଟା କରିଛି କି ?


ଅନେକ ସମୟରେ ଈଶ୍ୱରଙ୍କ ପ୍ରତିଜ୍ଞା ସାଙ୍ଗେ ସାଙ୍ଗେ ସଫଳ ହୋଇ ନ ଥାଏ । ସେଥିପାଇଁ ନିରାଶ ନ ହୋଇ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ, କାରଣ ଈଶ୍ୱରଙ୍କ ସମୟ ଆମ ସମୟଠାରୁ  ଭିନ୍ନ । 


ଈଶ୍ଵରଙ୍କ ବାର୍ତ୍ତା : ସଦାପ୍ରଭୁ ମୋଶାଙ୍କୁ କହିଲେ ତୁମ୍ଭେ ଫାରୋଙ୍କୁ ନୀଳ ନଦୀ କୂଳରେ ସାକ୍ଷାତ କରି କୁହ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଏ ପର୍ଯ୍ୟନ୍ତ ମନୋଯୋଗ କରି ନାହ, ତେଣୁ ଆମ୍ଭେ ଯଷ୍ଟି ନଦୀର ଜଳ ଉପରେ ପକାଇ ତାକୁ ରକ୍ତମୟ କରିବା, ତେବେ ତୁମ୍ଭେ ସଦାପ୍ରଭୁଙ୍କୁ ଜାଣିବ । 


ଈଶ୍ଵରଙ୍କ ନିର୍ଦ୍ଦେଶ ପାଳନ : ହାରୋଣ ଆପଣା ଯଷ୍ଟି ଘେନି ମିସରର ସମସ୍ତ ଜଳାଶୟ ଉପରେ ହସ୍ତ ବିସ୍ତାର କରନ୍ତେ ସମୁଦାୟ ଜଳ ରକ୍ତ ହେଲା । ଏହା ଦେଖି ଫାରୋ ମନ୍ତ୍ରଜ୍ଞମାନଙ୍କ ଦ୍ଵାରା ଜଳକୁ ରକ୍ତ କଲେ ସତ କିନ୍ତୁ ମିସର ପ୍ରତି ଏହି ପ୍ରଥମ କ୍ଳେଶ ସେମାନଙ୍କୁ ଭୟଭୀତ କଲା ଏବଂ ସେମାନଙ୍କ ଧର୍ମୀୟ ବିଶ୍ଵାସ ପ୍ରତି ଏକ ଧକ୍କା ଥିଲା ।


ଈଶ୍ଵରଙ୍କ ନିର୍ଦ୍ଦେଶ ଉଲଙ୍ଘନ : ପ୍ରଥମ କ୍ଳେଶ ଶେଷ ହେବାକୁ ୭ ଦିନ ଲାଗିଲା । ତା' ପରେ ଦ୍ଵିତୀୟ ଦଣ୍ଡ ସଦାପ୍ରଭୁ ପ୍ରେରଣ କରି ଦେଶକୁ ବେଙ୍ଗରେ ପରିପୂର୍ଣ୍ଣ କଲେ । ସମଗ୍ର ମିସର ବେଙ୍ଗମୟ ହେଲା । ମନ୍ତ୍ରଜ୍ଞମାନେ ସମସ୍ୟା ବୃଦ୍ଧି କଲେ ସିନା ଲାଘବ କରିପାରିଲେ ନାହିଁ । ଫାରୋ ବିଶ୍ଵାସ କରୁଥିଲେ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ଆଶ୍ଚର୍ଯ୍ୟକର୍ମ କରୁଛନ୍ତି ଓ କରିବେ, ତେଣୁ ସେ ସେମାନଙ୍କୁ ଅନୁରୋଧ କଲେ ବେଙ୍ଗଦୂରୀକରଣ ନିମନ୍ତେ ପ୍ରାର୍ଥନା କର, ତେବେ ଆମ୍ଭେ ତୁମ୍ଭ ଲୋକମାନଙ୍କୁ ବଳିଦାନ କରିବା ନିମନ୍ତେ ଛାଡ଼ିବା । ମୋଶାଙ୍କର ବିଶ୍ଵାସଯୁକ୍ତ ପ୍ରାର୍ଥନା ପ୍ରଭୁ ଶୁଣିଲେ । ବିପଦମୁକ୍ତ ହେବାରୁ ଫାରୋଙ୍କର ହୃଦୟ ପୁଣି କଠିନ ହେଲା ଓ ସେମାନଙ୍କ ବାକ୍ୟରେ ମନଯୋଗ ନ କରି ଈଶ୍ୱରଙ୍କ ନିର୍ଦ୍ଦେଶକୁ ଉଲଂଙ୍ଗନ କଲେ ।


ବିଶ୍ୱାସୀମାନଙ୍କର ବିଶ୍ଵାସଯୁକ୍ତ ସରଳ ପ୍ରାର୍ଥନା ଆଜି ଅନେକ କଠିନମନାଙ୍କ ଜୀବନରେ ଆଶ୍ଚର୍ଯ୍ୟକର୍ମ ସାଧିତହେଉଛି, କିନ୍ତୁ ଫାରୋଙ୍କ ପରି ସେମାନଙ୍କ ହୃଦୟ ପରିବର୍ତ୍ତନ ହେଉ ନାହିଁ । 

ଈଶ୍ଵରଙ୍କ ମନୋନୀତ

 ଈଶ୍ଵରଙ୍କ ମନୋନୀତ

ଆଜିର ଚିନ୍ତା

ଯାତ୍ରା ୬:୨୮-୭:୧୩

ଈଶ୍ୱର ତାଙ୍କ ବ୍ୟବହାର ନିମନ୍ତେ ମୋତେ ମନୋନୀତ କରିଛନ୍ତି କି ?


ସଦାପ୍ରଭୁ ତାଙ୍କର ବ୍ୟବହାର ଯୋଗ୍ୟ ପାତ୍ରଙ୍କୁ ବିଭିନ୍ନ ପ୍ରକାର ଦାନ ଦେଇ ତାଙ୍କ ଗୌରବ ନିମନ୍ତେ ବ୍ୟବହାର କରିଥାନ୍ତି । ସଦାପ୍ରଭୁ ମୋଶା ଏବଂ ହାରଣଙ୍କୁ ତାଙ୍କର ବକ୍ତବ୍ୟ କଥା ଫାରୋଙ୍କ ନିକଟରେ ପ୍ରକାଶ କରିବା ପାଇଁ ନିଯୁକ୍ତ କରିଥିଲେ । 


ଈଶ୍ଵରଙ୍କ ନିର୍ଦ୍ଦେଶ : ଈଶ୍ଵର ମୋଶାଙ୍କୁ ଫାରୋଙ୍କ ନିକଟରେ ଈଶ୍ୱରଙ୍କ ମୁଖପାତ୍ର ହୋଇ କାର୍ଯ୍ୟ କରିବାକୁ ନିଯୁକ୍ତ କଲେ, ଯେପରି ଈଶ୍ୱରଙ୍କ ମୁଖର କଥା ଇସ୍ରାଏଲୀୟମାନଙ୍କ ନିକଟରେ ପ୍ରକାଶିତ ହେବ । ମୋଶା ଓ ହାରୋଣ ଈଶ୍ଵରଙ୍କ ନାମରେ କଥା କହିଲେ । ଈଶ୍ୱର ଯାହା ଆଜ୍ଞା ଓ ନିର୍ଦ୍ଦେଶ ଦେଲେ, ତାହା ସବୁ ମୋଶା ହାରୋଣଙ୍କୁ କହିଲେ, ଯେପରି ସେ ତାହା ଫାରୋଙ୍କୁ କହିବେ ।


ଈଶ୍ଵରଙ୍କ ଆଶ୍ଚର୍ଯ୍ୟ ଶକ୍ତି : ଈଶ୍ଵର ତାଙ୍କ ସେବକମାନଙ୍କୁ ଆଶ୍ଚର୍ଯ୍ୟକର୍ମ କରିବାରେ ଶକ୍ତି ପ୍ରଦାନ କରିଥାନ୍ତି । ଫାରୋ ଏହି ସ୍ଥାନରେ ଚିହ୍ନ ଦେଖିବାକୁ ଇଚ୍ଛା କଲେ । ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ହାରୋଣ ଯଷ୍ଟିକୁ ଦାସମାନଙ୍କ ସମ୍ମୁଖରେ ତଳେ ପକାଇଲେ, ତହିଁରେ ତାହା ସର୍ପ ହେଲା । ମିସରୀୟ ମନ୍ତ୍ରଜ୍ଞ ଓ ପଣ୍ଡିତମାନେ ମଧ୍ୟ ଆପଣା ଆପଣା ଯଷ୍ଟି ସବୁକୁ ସର୍ପ କଲେ । ମାତ୍ର ହାରୋଣଙ୍କ ଯଷ୍ଟି ଦ୍ଵାରା ସେମାନଙ୍କର ଯଷ୍ଟି ସବୁ ଗ୍ରାସିତ ହେଲେ । ଏଥିରୁ ପ୍ରମାଣିତ ହେଲା ଯେ, ସଦାପ୍ରଭୁଙ୍କ ଶକ୍ତି ସବୁଠାରୁ ଉର୍ଦ୍ଧ୍ବରେ । ତାଙ୍କ ଶକ୍ତି ଆଗରେ ସବୁକିଛି ହାରମାନେ । 


ଈଶ୍ୱର ଯାହାକୁ ଆହ୍ବାନ କରନ୍ତି, ସେମାନଙ୍କୁ ଆଶ୍ଚର୍ଯ୍ୟରୂପେ ବ୍ୟବହାର କରିଥାନ୍ତି । ଯେପରି ଯିରିମିୟ କହିଲେ "କାରଣ ମୁଁ

ତ ବାଳକ" ଯିଶାଇୟ କହିଲେ "ମୁଁ ଅଶୁଚି ଓଷ୍ଟାଧର ବିଶିଷ୍ଟ ମନୁଷ୍ୟ", ମୋଶା କହିଲେ "ମୁଁ ବାକ୍ୟ ପତି ନୁହେଁ"  ଯାତ୍ରା (୪:୧୦) । ଶମିରୋଣୀୟା ସ୍ତ୍ରୀ ମସୀହଙ୍କୁ ଚିହ୍ନି ଯେଉଁ ସାକ୍ଷ୍ୟ ଦେଲେ ତଦ୍ୱାରା ସେହି ନଗରର ଅନେକ ଲୋକ ଯୀଶୁଙ୍କୁ ବିଶ୍ଵାସ କଲେ । ପ୍ରଭୁ ଯୀଶୁ ଯଦି ଆମକୁ ଆହ୍ଵାନ ଦେଇ ମନୋନୀତ କରିଛନ୍ତି, ତେବେ ଆମର ବାକ୍ୟ ଓ ସାକ୍ଷ୍ୟ ଦ୍ଵାରା ସେ ଗୌରବାନ୍ଵିତ ହେବେ । 

ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

 ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୫:୨୨-୬:୧୩

ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ମୁଁ ପ୍ରତିକୂଳ ପରିସ୍ଥିତିରେ କିପରି ବିଶ୍ଵାସ କରୁଛି ? 


ମୋଶା ସଦାପ୍ରଭୁଙ୍କ ଦ୍ଵାରା ଆହ୍ୱାନପ୍ରାପ୍ତ ହୋଇ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ଏହି ସ୍ଥାନରେ ସେ ନିଜକୁ ଦୋଷାରୋପ କରି କହୁଛନ୍ତି, ମୋ' ଆସିବା ଦ୍ଵାରା ଲୋକମାନେ ଅମଙ୍ଗଳ ଭୋଗ କରୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ସଦାପ୍ରଭୁ ନିରୂପିତ ସମୟରେ ତାଙ୍କର ପ୍ରତିଜ୍ଞାକୁ ସଫଳ କରିଥାନ୍ତି । ତେଣୁ ସଦାପ୍ରଭୁ ମୋଶାଙ୍କୁ ଆହ୍ୱାନର ନୂତନ ଉତ୍ସାହ ପ୍ରଦାନ କରି ଆପଣାର ନିୟମ ପୁନଃସ୍ମରଣ କରାଇଛନ୍ତି । 


ଯିହୋବାଙ୍କ ପ୍ରତିଜ୍ଞା : ମୋଶା ଓ ଇସ୍ରାଏଲ ସନ୍ତାନମାନେ ବହୁତ୍ ଆର୍ଶୀବାଦର ଅଧିକାରୀ, କାରଣ ସେମାନେ ଯିହୋବାଃ ପରମେଶ୍ୱରଙ୍କ ପରିଚୟ ପାଇଛନ୍ତି । ପୂର୍ବେ ସେମାନେ ଅବ୍ରାହମ, ଇସହାକ ଓ ଯାକୁବର ସର୍ବଶକ୍ତିମାନ ପରମେଶ୍ୱର ବୋଲି ଜାଣିଥିଲେ । ମାତ୍ର ପରମେଶ୍ୱର ଏହି ସ୍ଥାନରେ ଚାରୋଟି ପ୍ରତିଜ୍ଞା ଦେଇଛନ୍ତି ।


୧. ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାର ବହନରୁ ନିସ୍ତାର କରିବା । 

୨.ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା । 

୩. ବିସ୍ତ୍ରୀର୍ଣ୍ଣବାହୁ ଓ ମହାଦଣ୍ଡ ଦ୍ଵାରା ଉଦ୍ଧାର କରିବା ।

୪. ଆମ୍ଭେ ତୁମ୍ଭମାନଙ୍କୁ ପ୍ରତିଜ୍ଞାତ ଦେଶକୁ ନେଇଯିବା । 


ପ୍ରତିଜ୍ଞାର ପ୍ରତିକାର : ଇସ୍ରାଏଲ ସନ୍ତାନମାନେ ଭାରବହନ ଓ ଦାସତ୍ୱର ପୀଡ଼ା ସକଶୁ ଏତେଦୂର ଭାଙ୍ଗି ପଡ଼ିଥିଲେ ଯେ, ସେମାନେ ମୋଶାଙ୍କର ବାକ୍ୟରେ ମନଯୋଗ କରୁ ନାହାନ୍ତି । ଈଶ୍ଵରଙ୍କ ପ୍ରତିଜ୍ଞାରେ ବିଶ୍ଵାସ କରିପାରୁନାହାନ୍ତି । ଅଧର୍ଯ୍ୟ ଓ କ୍ରୋଧ ସେମାନଙ୍କ ଆସ୍ଥାକୁ ଭାଙ୍ଗି ଦେଇଛି । ମୋଶା ମଧ୍ୟ ବିବେଚନା କରୁଛନ୍ତି ଯେ ଯଦିଓ ତାଙ୍କର ଶରୀର ଓ ମନ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସୁନ୍ନତ ଓ ଉତ୍ସର୍ଗୀକୃତ କିନ୍ତୁ ସେ ଅସୁନ୍ନତ ଓଷ୍ଠାଧାରୀ ମନୁଷ୍ୟ ତେଣୁ ଇସ୍ରାଏଲୀୟମାନେ ତାଙ୍କର କଥାକୁ ଗ୍ରହଣ କରୁ ନାହାନ୍ତି । ତେବେ ଫାରୋ କିପରି ତାଙ୍କ କଥା ଶୁଣିବେ ଏ ବିଷୟରେ ମନରେ ଦ୍ଵନ୍ଦ ସୃଷ୍ଟି ହେଉଛି । ସଦାପ୍ରଭୁ ମୋଶାଙ୍କ ପ୍ରଶ୍ନର ଉତ୍ତରରେ ଆହୁରି ପ୍ରତିଜ୍ଞା ପ୍ରଦାନ କଲେ । 


ଆମର ଏହି ବିଶ୍ଵାସ ରହିବା ଦରକାର ଯେ, ଆମର ପରମେଶ୍ୱର ବିଶ୍ଵସ୍ତ ପରମେଶ୍ୱର, ତାଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ତେଣୁ ଆମେ ଆମର ଆସ୍ଥା ହରାଇବା ନାହିଁ । 

ଦୃଷ୍ଟିପାତ

 ଦୃଷ୍ଟିପାତ

ଆଜିର ଚିନ୍ତା


ଯାତ୍ରା ୫:୧-୨୧


ସମସ୍ୟା ସମୟରେ ଆମେ କାହା ପ୍ରତି ଦୃଷ୍ଟିପାତ କରୁ ?


ଜଗତ ସମସ୍ୟାରେ ପରିପୂର୍ଣ୍ଣ । ପରମେଶ୍ବରଙ୍କଠାରେ ସମସ୍ୟା ବୋଲି ଶବ୍ଦ ନାହିଁ । ବିପକ୍ଷ ଶୟତାନ ସମସ୍ୟା ସୃଷ୍ଟି କରେ । 

ଅଜ୍ଞାନତା : ଜଗତ ଅଧିପତି ଆଜି ଜ୍ଞାନଚକ୍ଷୁକୁ ଅନ୍ଧ କରି ଦେଇଛି । ଯଦ୍ୱାରା ଆଜି ଅନେକେ ପରମେଶ୍ୱରଙ୍କୁ ଜାଣି ପାରୁ ନାହାଁନ୍ତି । ପ୍ରଥମଥର ନିମନ୍ତେ "ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର" ବୋଲି ଏ ସ୍ଥାନରେ ସମ୍ବୋଧନ କରାଯାଇଛି । ସେହି ପରମେଶ୍ୱରଙ୍କ ନିମନ୍ତେ ବଳିଦାନର ଆବଶ୍ୟକତାକୁ ଅମାନ୍ୟ କରିବାର କୁପରିଣାମ ସଂପର୍କରେ ଫାରୋଙ୍କୁ ମୋଶା କହିଲେ । 


ଅବଜ୍ଞା : ଜ୍ଞାନବାନ୍ କଥା ଶୁଣେ କିନ୍ତୁ ମୂର୍ଖ ଜ୍ଞାନ ଓ ଉପଦେଶ ତୁଚ୍ଛ କରେ । ଫାରୋ ଈଶ୍ୱରଙ୍କ ବାକ୍ୟ ପ୍ରତି ହେୟଜ୍ଞାନ କରି (୬-୧୪) ଲୋକମାନଙ୍କୁ ପାଳ ନ ଦେବା ପାଇଁ ଆଦେଶ  ଦେଇ ସେମାନଙ୍କ ଦୁର୍ଦ୍ଦଶା, ଦୁଃଶ୍ଚିନ୍ତା ଓ ସମସ୍ୟାକୁ ଆହୁରି ଜଟିଳ କରିଦେଲେ । କୁଟା ସଂଗ୍ରହ ନିମନ୍ତେ ଏଣେତେଣେ ଛିନ୍ନଭିନ୍ନ ହୋଇ ଦୈନିକ ନିରୁପିତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଲା । 


ଅନୁଗ୍ରହ : ୧୫ ପଦରେ ଲେଖାଯାଏ, ଫରୋଙ୍କ ନିକଟରେ କ୍ରନ୍ଦନ କିଛି ଫଳପ୍ରଦ ହେଲା ନାହିଁ । କାରଣ ଫାରୋଙ୍କ ହୃଦୟ କଠିନ ଥିଲା । କିନ୍ତୁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ ତାଙ୍କର ହୃଦୟ ଦୟାରେ ଭାରିଯାଏ, ସେ ଅନୁଗ୍ରହର ହସ୍ତ ପ୍ରସାରି ଦିଅନ୍ତି । ବାସ୍ତବରେ ମଣିଷ ଉପରେ ନିର୍ଭର କରିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ ।


ଜଗତରେ ଈଶ୍ୱରଙ୍କ ଲୋକମାନେ ସବୁବେଳେ ଦୁଃଖକଷ୍ଟ ସମସ୍ୟା ମଧ୍ୟ ଦେଇ ଯାଇଥାନ୍ତି, କିନ୍ତୁ ପ୍ରେରିତ ପାଉଲ କହନ୍ତି "ଯେତେବେଳେ ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନୋହୁ, ତାଡନାପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁ, ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁ (୨କର ୪:୮-୯) ।