BN

ଦୃଷ୍ଟିପାତ

 ଦୃଷ୍ଟିପାତ

ଆଜିର ଚିନ୍ତା


ଯାତ୍ରା ୫:୧-୨୧


ସମସ୍ୟା ସମୟରେ ଆମେ କାହା ପ୍ରତି ଦୃଷ୍ଟିପାତ କରୁ ?


ଜଗତ ସମସ୍ୟାରେ ପରିପୂର୍ଣ୍ଣ । ପରମେଶ୍ବରଙ୍କଠାରେ ସମସ୍ୟା ବୋଲି ଶବ୍ଦ ନାହିଁ । ବିପକ୍ଷ ଶୟତାନ ସମସ୍ୟା ସୃଷ୍ଟି କରେ । 

ଅଜ୍ଞାନତା : ଜଗତ ଅଧିପତି ଆଜି ଜ୍ଞାନଚକ୍ଷୁକୁ ଅନ୍ଧ କରି ଦେଇଛି । ଯଦ୍ୱାରା ଆଜି ଅନେକେ ପରମେଶ୍ୱରଙ୍କୁ ଜାଣି ପାରୁ ନାହାଁନ୍ତି । ପ୍ରଥମଥର ନିମନ୍ତେ "ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର" ବୋଲି ଏ ସ୍ଥାନରେ ସମ୍ବୋଧନ କରାଯାଇଛି । ସେହି ପରମେଶ୍ୱରଙ୍କ ନିମନ୍ତେ ବଳିଦାନର ଆବଶ୍ୟକତାକୁ ଅମାନ୍ୟ କରିବାର କୁପରିଣାମ ସଂପର୍କରେ ଫାରୋଙ୍କୁ ମୋଶା କହିଲେ । 


ଅବଜ୍ଞା : ଜ୍ଞାନବାନ୍ କଥା ଶୁଣେ କିନ୍ତୁ ମୂର୍ଖ ଜ୍ଞାନ ଓ ଉପଦେଶ ତୁଚ୍ଛ କରେ । ଫାରୋ ଈଶ୍ୱରଙ୍କ ବାକ୍ୟ ପ୍ରତି ହେୟଜ୍ଞାନ କରି (୬-୧୪) ଲୋକମାନଙ୍କୁ ପାଳ ନ ଦେବା ପାଇଁ ଆଦେଶ  ଦେଇ ସେମାନଙ୍କ ଦୁର୍ଦ୍ଦଶା, ଦୁଃଶ୍ଚିନ୍ତା ଓ ସମସ୍ୟାକୁ ଆହୁରି ଜଟିଳ କରିଦେଲେ । କୁଟା ସଂଗ୍ରହ ନିମନ୍ତେ ଏଣେତେଣେ ଛିନ୍ନଭିନ୍ନ ହୋଇ ଦୈନିକ ନିରୁପିତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଲା । 


ଅନୁଗ୍ରହ : ୧୫ ପଦରେ ଲେଖାଯାଏ, ଫରୋଙ୍କ ନିକଟରେ କ୍ରନ୍ଦନ କିଛି ଫଳପ୍ରଦ ହେଲା ନାହିଁ । କାରଣ ଫାରୋଙ୍କ ହୃଦୟ କଠିନ ଥିଲା । କିନ୍ତୁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ ତାଙ୍କର ହୃଦୟ ଦୟାରେ ଭାରିଯାଏ, ସେ ଅନୁଗ୍ରହର ହସ୍ତ ପ୍ରସାରି ଦିଅନ୍ତି । ବାସ୍ତବରେ ମଣିଷ ଉପରେ ନିର୍ଭର କରିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ ।


ଜଗତରେ ଈଶ୍ୱରଙ୍କ ଲୋକମାନେ ସବୁବେଳେ ଦୁଃଖକଷ୍ଟ ସମସ୍ୟା ମଧ୍ୟ ଦେଇ ଯାଇଥାନ୍ତି, କିନ୍ତୁ ପ୍ରେରିତ ପାଉଲ କହନ୍ତି "ଯେତେବେଳେ ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନୋହୁ, ତାଡନାପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁ, ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁ (୨କର ୪:୮-୯) ।

No comments:

Post a Comment

Kindly give your suggestions or appreciation!!!