ଐଶ୍ଵରୀକ ଶୃଙ୍ଖଳା
ଆଜିର ଚିନ୍ତା
ଯାତ୍ରା ୪:୧୮-୩୧
ମୋ' ପରିବାର ମଧ୍ୟରେ ଐଶ୍ଵରୀକ ଶୃଙ୍ଖଳାକୁ ମୁଁ କେତେ ଗୁରୁତ୍ୱ ଦେଉଛି ?
ମୋଶା ଯେଉଁ ଭଳି ଭାବରେ ପରମେଶ୍ୱରଙ୍କ କଥାକୁ ଏଡାଇ ଥିଲେ, ଏପରି ମନେ ହେଉଥଲା ଯେପରି ସେ ସେହି କାର୍ଯ୍ଯକୁ କରିବାକୁ ଆଦୌ ଇଚ୍ଛା ପ୍ରକାଶ କରୁ ନାହାନ୍ତି, ମାତ୍ର ପରମେଶ୍ୱର ତାଙ୍କୁ ଛାଡ଼ିଲେ ନାହିଁ । ସେଦିନ ଯଦି ମୋଶା ରାଜି ହୋଇ ନ ଥାନ୍ତେ ତେବେ ସେ ପରମେଶ୍ୱରଙ୍କ ମହାନ ଯୋଜନାରେ ଅଂଶ ହେବାର ସୁଯୋଗ ହାତଛଡ଼ା କରିଥାନ୍ତେ । ପରମେଶ୍ୱର ହୁଏତ ସେ ସୁଯୋଗ ଆଉ କାହାକୁ ଦେଇଥାନ୍ତେ, କିନ୍ତୁ ମୋଶା ଶେଷରେ ସେହି କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ ।
ବୟସ୍କଙ୍କୁ ସମ୍ମାନ : ମୋଶା ମିସରକୁ ଯିବା ପୂର୍ବରୁ ଶ୍ଵଶୁର ଯିଥ୍ରୋଙ୍କର ଅନୁମତି ମାଗୁଛନ୍ତି, ଆଉ ଯିଥ୍ରୋ ତାଙ୍କୁ ଅନୁମତି ପ୍ରଦାନ ମଧ୍ୟ କରୁଛନ୍ତି (୧୮ପଦ) । କ'ଣ ହୋଇଥାନ୍ତା ଯଦି ଯିଥ୍ରୋ ତାଙ୍କୁ ଅନୁମତି ଦେଇ ନ ଥାନ୍ତେ, ତେବେ ମୋଶା କ'ଣ ଯାଇ ନ ଥାନ୍ତେ ? ମୋଶା ନିଶ୍ଚୟ ଯାଇଥାନ୍ତେ । ଯଦି ଯିଥ୍ରୋ ମନା କରିଥାନ୍ତେ, ତେବେ ମୋଶା ପରମେଶ୍ୱରଙ୍କ ଆଜ୍ଞାକୁ ମନୁଷ୍ୟର ଆଜ୍ଞାଠାରୁ ବଡ଼ ମାନି ଯାତ୍ରା ଆରମ୍ଭ କରିଥାନ୍ତେ । ଯେହେତୁ ଯିଥ୍ରୋ ଗୃହରକର୍ତ୍ତା ଥିଲେ ତେଣୁ ଗୃହର କର୍ତ୍ତାଙ୍କର ନିଷ୍ପତ୍ତିକୁ ମୋଶା ଗୁରୁତ୍ବ ଦେଲେ କାରଣ, ସେ ସମୟରେ ପ୍ରାଚୀନମାନଙ୍କୁ ଓ ଗୃହରେ ଯେଉଁମାନେ ବଡ଼, ସେମାନଙ୍କୁ ଓ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦିଆଯାଉଥିଲା । ଆଜି ଆମ ସମାଜରେ ବୟସ୍କ ବୟସ୍କାମାନଙ୍କୁ ଆମେ କ'ଣ ସେପରି ସମ୍ମାନ ଦେଇପାରୁଛୁ ?
ଈଶ୍ଵରଙ୍କ ନିୟମ : ମୋଶାଙ୍କ ଯାତ୍ରା ଆରମ୍ଭରେ ହଠାତ୍ ଏକ ସମସ୍ୟା ସୃଷ୍ଟି ହୁଏ, ଯେଉଁ ଘଟଣା ବିଷୟରେ ବାଇବଲରେ ବେଶି କିଛି ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ନାହିଁ । ପଥ ମଧ୍ୟରେ ଯେଉଁ ସ୍ଥାନରେ ସେମାନେ ରାତ୍ରିଯାପନ କରନ୍ତି ସେଠାରେ ପରମେଶ୍ୱର ମୋଶାଙ୍କୁ ବଧ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସିପ୍ପରା ତତକ୍ଷଣାତ୍ ଆପଣା ପୁତ୍ରକୁ ସୁନ୍ନତ କରି ପରମେଶ୍ୱରଙ୍କ ସମ୍ମୁଖରେ ରଖନ୍ତି,ଯାହା ଫଳରେ ମୋଶାଙ୍କ ଜୀବନ ରକ୍ଷା ପାଏ (୨୪-୨୬) । ଏହି ବିଷୟ ମନରେ ଅନେକ ପ୍ରଶ୍ନ ସୃଷ୍ଟିକରେ । କିନ୍ତୁ ଏଥିରୁ ଏକ ବିଶେଷ ଶିକ୍ଷା ମିଳେ ଯେ, ପରମେଶ୍ୱର ଅବ୍ରାହମଙ୍କ ସହିତ ଯେଉଁ ସୁନ୍ନତ ବିଧି ସ୍ଥିର କରିଥିଲେ (ଆଦି ୧୭:୧୨), ମୋଶା ସେହି ନିୟମକୁ ଅବଜ୍ଞା କରିଥିଲେ । ଆଉ ମୋଶା, ଯାହାଙ୍କୁ ଈଶ୍ୱର ମନୋନୀତ କରିଥିଲେ ଇସ୍ରାଏଲର ମହାନ ଗୋଷ୍ଠୀର ଦାୟିତ୍ବ ନେବା ପାଇଁ, ସେ ନିଜକୁ ଏବଂ ନିଜ ପରିବାରକୁ ଐଶ୍ଵରୀକ ଶୃଙ୍ଖଳା ମଧ୍ୟରେ ଆବଦ୍ଧ କରିବା ଆବଶ୍ୟକ ଥିଲା । ଏଣୁ ଆସନ୍ତୁ, ନେତୃତ୍ୱ ନେବା ପୂର୍ବରୁ, ନିଜକୁ ଏବଂ ନିଜ ପରିବାରକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରୁ । ନଚେତ୍ ଈଶ୍ୱରଙ୍କ ଆଶୀର୍ବାଦ ବଦଳରେ ଆମେ କ୍ରୋଧର ପାତ୍ର ହୋଇଯିବୁ ।