ପରମେଶ୍ବରଙ୍କ ପରିଚୟ
ଆଜିର ଚିନ୍ତା
ଯାତ୍ରା ୩:୧୩-୨୨
ମୋ' ଜୀବନରେ ମହାନ ପରମେଶ୍ୱରଙ୍କ ପ୍ରକୃତ ପରିଚୟ ପାଇଛି କି ?
ମିସରୀୟମାନଙ୍କ ସହିତ ରହିବା ଦ୍ଵାରା ମୋଶା ପରମେଶ୍ୱରଙ୍କ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ପରମେଶ୍ୱରଙ୍କୁ ଜାଣିବାର କୌତୁହଳ ଆଉ ତାଙ୍କ ପରିଚୟ ଅନ୍ୟମାନଙ୍କୁ ଦେବାର ଜିଜ୍ଞାସା ତାଙ୍କ ମନରେ ଜାତ ହେବା ଯୋଗୁ ସେ ପରମେଶ୍ୱରଙ୍କୁ ତାଙ୍କ ପରିଚୟ ମାଗିଥିଲେ, ଯାହାର ଉତ୍ତରରେ ପରମେଶ୍ୱର ତାଙ୍କୁ ନିଜର ପରିଚୟ ଦେଇଥିଲେ ।
ସ୍ୱୟମ୍ଭୁ ପରମେଶ୍ୱର : ପରମେଶ୍ୱର ମୋଶାଙ୍କୁ କହିଲେ ଯେ "ଆମ୍ଭେ ଯେ ଅଛୁ ସେ ଅଛୁ, ଆମ୍ଭେ ସ୍ଵୟମ୍ଭୁ" । ପରମେଶ୍ୱରଙ୍କୁ କୌଣସି ନାମ ଦିଆଯାଇ ପାରିବ ନାହିଁ ବା କୌଣସି ସୀମା ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ । ସେ ଅନନ୍ତ, ଅନନ୍ୟ, ଅସୀମ ଓ ଯାହାଙ୍କୁ କେହି ସୃଷ୍ଟି କରି ନାହିଁ, ସେ ହିଁ ସୃଷ୍ଟିକର୍ତ୍ତା ।
ଅପରିବର୍ତ୍ତନୀୟ ପରମେଶ୍ୱର : ପରମେଶ୍ୱର ଯେ ମୋଶାଙ୍କୁ ଦର୍ଶନ ଦେଇଅଛନ୍ତି ଆଉ ଇସ୍ରାଏଲୀୟମାନଙ୍କୁ ତାଙ୍କ ପରିଚୟ ଦେବାକୁ ପରମେଶ୍ୱର ତାଙ୍କୁ କହିଲେ ଯେ, ସେ ଅବ୍ରାହାମ, ଇସହାକ ଓ ଯାକୁବର ପରମେଶ୍ୱର ଅଟନ୍ତି (୧୫,୧୬ ପଦ) । ସେ ପୁରୁଷାନୁକ୍ରମେ ଥାଆନ୍ତି ଆଉ ସେ କାଲି ଥିଲେ, ସେ ଆଜି ଅଛନ୍ତି ଆଉ ସେ ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ । ତାଙ୍କର କୌଣସି ପରିବର୍ତ୍ତନ ନାହିଁ ।
ତତ୍ତ୍ଵାନୁସନ୍ଧାନକାରୀ ପରମେଶ୍ୱର : ୧୬ ପଦରେ ପରମେଶ୍ୱର ମୋଶାଙ୍କୁ ଜଣାନ୍ତି ଯେ, ସେ ତତ୍ତ୍ଵାନୁସନ୍ଧାନକାରୀ ଅଟନ୍ତି। କାରଣ ସେ ଇସ୍ରାଏଲୀୟମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କର କଷ୍ଟ ଆଉ କ୍ରନ୍ଦନ ସେ ଦେଖିଛନ୍ତି । ତେଣୁ ସେ ସେମାନଙ୍କ ନିମନ୍ତେ ଚିନ୍ତା କରି ସେମାନଙ୍କୁ ମିସରରୁ ଉଦ୍ଧାର କରିବାକୁ ଏବଂ ସେମାନଙ୍କୁ ଏକ ଉତ୍ତମ ଆଉ ସେମାନଙ୍କ ନିଜସ୍ଵ ଦେଶରେ ସ୍ଥାପନ କରିବାକୁ ଯୋଜନା କରିଛନ୍ତି ।
ଆଜି ଆମ୍ଭେମାନେ ଧନ୍ୟ ଯେ, ଆମେ ଏହିଭଳି ପରମେଶ୍ୱରଙ୍କର ସେବା ଆଉ ଉପାସନା କରିବାର ସୁଯୋଗ ପାଇଛୁ, ଯାହାଙ୍କର ମହାନତା ଆମ୍ଭମାନଙ୍କର ବୁଝିବା ବା କଳ୍ପନା କରିବା ଶକ୍ତିଠାରୁ ବାହାରେ । କିନ୍ତୁ ଏତେ ମହାନ୍ ପରମେଶ୍ୱର ହୋଇ ମଧ୍ୟ ସେ ଆମ ଭଳି ମନୁଷ୍ୟଙ୍କ ପାଇଁ ମନାଯୋଗୀ ହୋଇ ଆମ ପାପ ପାଇଁ ଆପଣା ଏକମାତ୍ର ପୁତ୍ରଙ୍କୁ ବଳି ଦେଇ ଆମକୁ ପରିତ୍ରାଣ ଦେଲେ । ଆଜି ମନୁଷ୍ୟ ହିସାବରେ ଆମେ ତାଙ୍କୁ କିପରି ସମ୍ମାନ ଦେଉଛୁଁ ?
No comments:
Post a Comment
Kindly give your suggestions or appreciation!!!