ଗୌରବର କାର୍ଯ୍ୟ
ଆଜିର ଚିନ୍ତା
ଲୁକ ୯:୩୭-୫୦
ଯୀଶୁ କ'ଣ ମୋ' ଜୀବନ ଦ୍ଵାରା ଗୌରବାନ୍ୱିତ ହୁଅନ୍ତି ?
ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ସବୁବେଳେ ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ ବାକ୍ୟ ଦ୍ଵାରା ସଚେତନ କରୁଛନ୍ତି ।
ଶକ୍ତିର କାର୍ଯ୍ୟ : ଶିଷ୍ୟମାନେ ଯେଉଁ କାର୍ଯ୍ଯ କରିବାକୁ ଅସମର୍ଥ ହେଲେ, ଯୀଶୁ ନିଜେ ତାହା ସାଧନ କରିଥିଲେ । ସେ ଭୂତଗ୍ରସ୍ତ ବାଳକର ପିତାଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ପୁତ୍ରକୁ ସୁସ୍ଥ କରିବା ଦ୍ୱାରା ନିଜେ ମହାଶକ୍ତିର ପରିଚୟ ଦେଇଥିଲେ । ଯୀଶୁ ଏଠାରେ ଶିଷ୍ୟମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ, ଉପବାସ ଓ ପ୍ରାର୍ଥନା ବିନା କୌଣସି ଶକ୍ତିର କାର୍ଯ୍ୟ କରାଯାଇ ପାରେ ନାହିଁ, ଏହି ଶିକ୍ଷା ଆମ୍ଭମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଜଗତରେ ବିଜୟୀ ଜୀବନ କାଟିବାକୁ ହେଲେ, ଉପବାସ ଓ ପ୍ରାର୍ଥନା ଆମ ଜୀବନର ମୂଳ ମନ୍ତ୍ର ହେବା ପ୍ରୟୋଜନ ।
ଆତ୍ମିକ ଜ୍ଞାନ : ସୁସ୍ଥତା ପାଇଁ ବିଶ୍ଵାସର ଆବଶ୍ୟକତାକୁ ଯୀଶୁ ସବୁବେଳେ ଗୁରୁତ୍ବ ଦେଉଥିଲେ । ଯୀଶୁଙ୍କ ସାହାଯ୍ୟରେ ପିଲାଟି ସୁସ୍ଥତା ଲାଭ କରିଥିଲା, ମାତ୍ର ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ବୋଲି ନୁହେଁ କିନ୍ତୁ ବିସ୍ମୟର କାର୍ଯ୍ୟ ରୂପେ ଦେଖିଲେ, ଯୀଶୁ ତାଙ୍କ ଆଗମନର ଉଦ୍ଦେଶ୍ୟ, ମୃତ୍ୟୁ ତଥା ପୁନରୁତ୍ଥାନ ବିଷୟ ଶିଷ୍ୟମାନଙ୍କୁ କହିଲେ, ସେମାନେ ତାହା ବୁଝିପାରୁ ନ ଥିଲେ ଏବଂ ତାଙ୍କୁ ପରିବାର ମଧ୍ୟ ଭୟ କରୁଥିଲେ । ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟ ବୁଝିବାରେ ଅସମର୍ଥ ହେଲେ, ପ୍ରାର୍ଥନାରେ ପ୍ରଭୁଙ୍କୁ ଜ୍ଞାନ ମାଗିବା । ବାକ୍ୟକୁ ବୁଝିବାକୁ ଓ ଆତ୍ମିକ ଜ୍ଞାନରେ ବୃଦ୍ଧି ଲାଭ କରିବାକୁ ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା ଭିକ୍ଷା କରିବା ।
ସବୁଠାରୁ ଶ୍ରେଷ୍ଠ : ଫଳ ଭାରରେ ବୃକ୍ଷ ନଇଁ ଗଲା ପରି ବିଶ୍ୱାସୀ ନମ୍ରଶୀଳ ହେବା ଆବଶ୍ୟକ । ଯଦିଓ ୪୪ ପଦରେ ନିଜର ଦୁଃଖଭୋଗ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସୂଚନା ଦେଇଥିଲେ କିନ୍ତୁ ତାହା ସେମାନେ ବୁଝିବାକୁ ଅସମର୍ଥ ଥିଲେ। କାରଣ କିଏ ଶ୍ରେଷ୍ଠ ଏହି ବିଷୟରେ ସେମାନଙ୍କ ମଧ୍ୟରେ ବାଦାନୁବାଦ ଥିଲା, କିନ୍ତୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ ଗୋଟିଏ ସାନ ପିଲାର ଦୃଷ୍ଟାନ୍ତ ମାଧ୍ୟମରେ ବୁଝାଇ ଦେଇଥିଲେ, ଯେ ନିଜକୁ ସାନପିଲା ପରି ନମ୍ର କରେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଶ୍ରେଷ୍ଠ । ଛୋଟ ପିଲାପରି ସରଳ ଓ ନମ୍ର ହେଲେ ପ୍ରଭୁ ଆମକୁ ସେହି ଶ୍ରେଷ୍ଠ ସ୍ଥାନ ଦେବେ ।