BN

ସାଲିସ ନ କର

 ସାଲିସ ନ କର

ଆଜିର ଚିନ୍ତା


ଯାତ୍ରା ୨:୧୧-୨୫


ନିଜର ସ୍ବାର୍ଥ ପାଇଁ ମୁଁ ସତ୍ୟର ବିରୁଦ୍ଧରେ ଯାଇଛି କି ? 


ମୋଶା ଯଦି ଫାରୋଙ୍କ ଗୃହରେ ଥାନ୍ତେ, ତେବେ ଉପଯୁକ୍ତ ସମୟରେ ସେ ନିଜେ ମଧ୍ୟ ଫାରୋ ହୋଇ ପାରି ଥାନ୍ତେ, ଆଉ ତା' ପରେ ସେ ଇସ୍ରାଏଲୀୟ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବନ୍ଦ କରିପାରିଥାନ୍ତେ । କାରଣ ଅତୀତରେ ମଧ୍ୟ ସେ ଯୋଷେଫଙ୍କୁ ସେଭଳି ବ୍ୟବହାର କରିଛନ୍ତି, ମାତ୍ର ଈଶ୍ୱରଙ୍କ ଯୋଜନା ଭିନ୍ନ ଥିଲା । 


ଦୂର୍ବଳର ସପକ୍ଷ : ମୋଶା ବୁଝି ସାରିଥିଲେ କେଉଁମାନେ ନିରୀହ ଆଉ କେଉଁମାନେ ଅତ୍ୟାଚାରୀ । କେଉଁମାନଙ୍କର ସପକ୍ଷରେ ଛିଡ଼ା ହେବେ । ଯାହାର ପରିଣାମ ସ୍ଵରୂପେ  ଫାରୋ ତାଙ୍କୁ ବଧ କରିବାକୁ ଅନୁମତି ଦେଲେ । ମୋଶା ମିସରୀୟ ପ୍ରତିଷ୍ଠା ଓ ଅଧିପତ୍ୟ ପ୍ରତି ଲାଳାୟିତ ନ ଥିଲେ, ସେଥିପାଇଁ ସେ ମିସରୀୟମାନଙ୍କ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଥିଲେ । ଆମେ ମଧ୍ୟ ଅନେକ ସମୟରେ କୌଣସି ଲାଭ ଆଶାରେ ବା ନିଜର ସ୍ବାର୍ଥ ପୁୁରଣ ପାଇଁ ଭୁଲ୍ ବିଷୟଗୁଡ଼ିକୁ ଦେଖି ମଧ୍ୟ ତା'ର ପ୍ରତିବାଦ ନ କରି ନୀରବ ରହୁ । ଆଜି ଜଗତରେ ସବୁ କ୍ଷେତ୍ରରେ ଅନ୍ୟାୟ ଓ ଅତ୍ୟାଚାର, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ସେମାନେ କେବେ ହେଲେ ଅନ୍ୟାୟ ସହିତ ସାଲିସ କରିପାରିବେ ନାହିଁ । ହୁଏତ ଆମେ କାହାରି ବିଚାର କରିପାରିବା ନାହିଁ ମାତ୍ର ସତ୍ୟ ସପକ୍ଷରେ ଠିଆ ହେବା ଖ୍ରୀଷ୍ଟ ବିଶ୍ୱାସୀର ଗୋଟିଏ ଗୁଣ ହେବା ଆବଶ୍ୟକ । 


ପ୍ରବାସୀର ଜୀବନ : ମୋଶା ହୁଏତ କେବେ ହେଲେ ଭାବି ନ ଥିବେ ଯେ ଦିନେ ତାଙ୍କୁ ଏଭଳି କିଛି କର୍ମ କରିବାକୁ ପଡ଼ିବ, ଯାହା ଦ୍ଵାରା ସେ ଫାରୋଙ୍କର ଶତ୍ରୁ ପାଲଟି ଯିବେ । ମୋଶାଙ୍କର ଉଦଯୋଗ ଗୋଟିଏ ଭୟଙ୍କର କାର୍ଯ୍ୟକୁ କଢ଼ାଇ ନେଲା । ସେ ଜଣେ ମିସ୍ରିୟର ମୃତ୍ୟୁର କାରଣ ହେଲେ, ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ମାଗିବା ଆବଶ୍ୟକ । ନିଜ ଲୋକମାନଙ୍କ ପାଇଁ ସେ ଫାରୋଙ୍କ ପରିବାର ଚ୍ୟୁତ ହେବା ସହିତ ରାଜମହଲର ସୁଖ ଓ ସମୃଦ୍ଧିକୁ ଛାଡ଼ି ଏକ ପ୍ରବାସୀ ଭାବେ ମିଦୀୟନ ଦେଶରେ ବାସ କରିବାକୁ ଲାଗିଲେ । ପ୍ରକୃତରେ ଯେଉଁମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ଆଉ ପୃଥକୀକୃତ, ସେମାନଙ୍କ ଜୀବନରେ ଅନେକ ତ୍ୟାଗ ଆଉ ସଂଘର୍ଷ ଥାଏ, କାରଣ ସେସବୁ ଦ୍ଵାରା ହିଁ ଈଶ୍ଵର ସେମାନଙ୍କୁ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଯାଉଥିବା ପରିସ୍ଥିତି ନିମନ୍ତେ ପ୍ରସ୍ତୁତ କରନ୍ତି । ତେଣୁ ଦୁଖର ଜୀବନ ମଧ୍ୟରେ ଆମେ ପ୍ରଭୁଙ୍କ ଇଛା ବୁଝିବା ପାଇଁ ଚେଷ୍ଟା କରୁ । 


No comments:

Post a Comment

Kindly give your suggestions or appreciation!!!