ବିଶ୍ରାମବାରର ତାତ୍ପର୍ଯ୍ୟ
ଆଜିର ଚିନ୍ତା
ଲୁକ ୬:୧-୧୧
ବିଶ୍ରାମବାରକୁ ଆମେ କିପର ଭାବେ ପାଳନ କରୁଛୁ ?
ମୋଶାଙ୍କ ଦ୍ଵାରା ପ୍ରଦତ୍ତ ଦଶ ଆଜ୍ଞା ଯାହା ଈଶ୍ଵର ଇସ୍ରାଏଲ ଜାତି ନିମନ୍ତେ ପ୍ରଦାନ କରିଥିଲେ, ତାହା ଯାତ୍ରା ୨୦:୧-୧୭ ଓ ଦ୍ଵି. ବିବ. ୫:୬-୨୧ରେ ଲିପିବଦ୍ଧ ହୋଇଅଛି । ସେଥିମଧ୍ୟରୁ ୪ର୍ଥ ଆଜ୍ଞାଟି ହେଉଛି, "ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର" (ଯାତ୍ରା ୨୦: ୮ପଦ) ।
ବିଶ୍ରାମବାରର ତାତ୍ପର୍ଯ୍ୟ : ଛଅ ଦିନ କାର୍ଯ୍ୟ କରିବା ପରେ ପରମେଶ୍ଵର ସପ୍ତମ ଦିନ ବିଶ୍ରାମ ନେଲେ ( ଆଦି ୨:୩) । ଈଶ୍ୱର ବିଶ୍ରାମବାରକୁ ପବିତ୍ର ରୂପେ ପାଳନ କରିବାକୁ ଯେ ଆଜ୍ଞା ଦେଇଥିଲେ କେବଳ ସେତିକି ନୁହେଁ ପୁତ୍ର କନ୍ୟା, ଦାସ ଦାସୀ, ପଶୁ ଆଦି କେହି ପରିଶ୍ରମ କରିବେ ନାହିଁ, ଯେହେତୁ ବିଶ୍ରାମବାର ସଦାପ୍ରଭୁଙ୍କ ଆର୍ଶୀବାଦର ଦିନ (ଯାତ୍ରା ୩୧:୧୭) । ଯୀଶୁ କହିଲେ, "ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି" ଯାହା ଆଜି ଆମେ ଭୁଲି ଯାଇଛୁ । ଯେ ବ୍ୟବସ୍ଥା ଦେଲେ, ସେ କ'ଣ ବ୍ୟବସ୍ଥା ଭାଙ୍ଗି ପାରନ୍ତି ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ଜୀବନକୁ ପ୍ରାଧାନ୍ୟ ଦେଇଛନ୍ତି, ମନୁଷ୍ୟକୁ ବଞ୍ଚିବାକୁ ହେଲେ ଖାଦ୍ୟର ଆବଶ୍ୟକତା ରହିଛି, ଖାଦ୍ୟ ଖାଇବା ବ୍ୟବସ୍ଥା ଲଂଘନ ନୁହେଁ ବୋଲି ଯୀଶୁ ଶିଖନ୍ତି । ତେଣୁ ଆମେ ବିଶ୍ରାମବାରକୁ ବୁଦ୍ଧିର ସହିତ ପାଳନ କରିବା ଆବ୍ୟଶ୍ୟକ, ଯେପରି ପ୍ରଭୁଙ୍କର ଗୌରବ ନଷ୍ଟ ନ ହୁଏ ଓ ଆମେ ତାଙ୍କ ସହିତ ସହଭାଗିତାରେ ରହୁ ।
ବିଶ୍ରାମବାରରେ କାର୍ଯ୍ୟ : ବିଶ୍ରାମବାରରେ ଜଣେ ଲୋକର ଶୁଷ୍କ ହାତ ସୁସ୍ଥ କରିଥିବାରୁ ଶାସ୍ତ୍ରୀ, ଫାରୁଶୀମାନେ ବାଦାନୁବାଦ ଓ ସମାଲୋଚନା କରିବାକୁ ଲାଗିଲେ । କିନ୍ତୁ ଯୀଶୁ ସେମାନଙ୍କୁ ବୁଝାଇ ଦେବାକୁ ଚେଷ୍ଟା କଲେ ଯେ, ବିଶ୍ରାମ ବାରରେ ଭଲ କରିବା ଉଚିତ ନା ମନ୍ଦ କରିବା ? ପ୍ରାଣରକ୍ଷା କରିବା ନା ବିନାଶ କରିବା ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇଛନ୍ତି କିନ୍ତୁ ଶାସ୍ତ୍ରୀ ଓ ଫାରୁଶୀମାନେ ନିଜ ମଧ୍ୟରେ ଆଲୋଚନା କରି କ୍ରୋଧିତ ହେଲେ ଏବଂ ତାଙ୍କ ବିରୁଦ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ଚିନ୍ତା କଲେ । ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ଆମର ପ୍ରଥମ ଓ ପ୍ରଧାନ କାର୍ଯ୍ଯ ( ଦ୍ଵି. ବିବ.୫:୧୫) । ତେଣୁ ପ୍ରଭୁଙ୍କର ଏହି ଆଜ୍ଞାଟିକୁ ହାଲୁକା ଭାବରେ ନ ନେଇ, ପ୍ରଭୁଙ୍କ ସହିତ ଅଧିକ ସମୟ କାଟିବାକୁ ଯତ୍ନବାନ ହେଉ । ଯେହେତୁ ବିଶ୍ରାମବାରଟି ବିଶ୍ରାମ ପାଇଁ ଉଦ୍ଦିଷ୍ଟ, ତେଣୁ ଚେଷ୍ଟା କରୁ ସମସ୍ତ କାର୍ଯ୍ୟରୁ ନିଜକୁ ଅଲଗା କରି, ବିଶ୍ରାମ ନେଉ, କାରଣ ଏହା ଶରୀର ନିମନ୍ତେ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ ।