BN

ସୁସମାଚାର କାର୍ଯ୍ୟ

 ସୁସମାଚାର କାର୍ଯ୍ୟ

ଆଜିର ଚିନ୍ତା


ଲୁକ ୫:୧-୧୧


ସୁସମାଚାର କାର୍ଯ୍ୟରେ ମୋର କି ଭୂମିକା ରହିଛି ? 


ଈଶ୍ଵରଙ୍କ ବାକ୍ୟ ଶୁଣିବା ପାଇଁ ଲୋକମାନେ ଯୀଶୁଙ୍କ ଉପରେ ମାଡ଼ି ପଡୁଥିଲେ । ବର୍ତ୍ତମାନ ସେହିପରି ଆଗ୍ରହ ନାହିଁ । ଧାରାବାହିକ ଜୀବନ ଏବଂ ଶିଥିଳତାର ଜୀବନ ଦେଖାଯାଉଛି । ସୁସମାଚାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଈଶ୍ୱରଙ୍କ ବାକ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ସମସ୍ତଙ୍କ ନିକଟରେ ବାକ୍ୟ ଯେପରି ପହଞ୍ଚି ପାରିବ ଏଥିପାଇଁ ଖ୍ରୀଷ୍ଟୀୟ ବିଶ୍ଵାସୀର ଦାୟୀତ୍ଵ ରହିଛି । ମୁଁ ଉଦ୍ଧାର ପାଇଛି, ଅନ୍ୟମାନେ ଯେପରି ମନ ପରିବର୍ତ୍ତନ କରିବେ, ସେଥିପାଇଁ ମୋତେ ଉଦ୍ୟମ କାରିବାକୁ ପଡ଼ିବ । 


ସୁସମାଚାର କାର୍ଯ୍ୟରେ ସହଭାଗୀ: ଶିମୋନ ତାଙ୍କର ନୌକାକୁ ଦେଇ ଯୀଶୁଙ୍କର ସୁସମାଚାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଗାଲିଲୀ ହ୍ରଦ କୂଳରେ ଦୁଇଟି ନୌକା ଥିଲା କିନ୍ତୁ ଯୀଶୁ ଶିମୋନଙ୍କର ନୌକାକୁ ମନୋନୀତ କଲେ । ସେ ଯେଉଁ କାର୍ଯ୍ୟ ପାଇଁ ପ୍ରେରିତ ହୋଇଥିଲେ ସେଥିପ୍ରତି ସେ ବିଶେଷ ମନୋଯୋଗୀ ଥିଲେ । ନୌକାଟି ଉତ୍ତମ କାର୍ଯ୍ୟରେ ବ୍ୟବହୃତ ହୋଇ ପାରିଥିଲା । ପ୍ରଭୁ ଆମର ଜୀବନରେ ଯାହା କିଛି ଦେଇଛନ୍ତି ସେହି ସମସ୍ତ ବିଷୟକୁ ସୁସମାଚାର କାର୍ଯ୍ୟରେ ଶିମୋନଙ୍କ ପରି ବ୍ୟବହାର କରିବାକୁ ପଡ଼ିବ । ତେବେ ଯାଇ ସୁସମାଚାର କାର୍ଯ୍ୟ ଆଗେଇ ପାରିବ । 


ଆଶୀର୍ବାଦର ଅଧିକାରୀ: ଶିମୋନ ଯୀଶୁଙ୍କର କଥାରେ ବାଧ୍ୟ ହେଲେ । ସାରା ରାତି ପରିଶ୍ରମ କରି ବିଫଳ ହୋଇଥିଲେ । କିନ୍ତୁ ସେ କହିଲେ "ଆପଣଙ୍କ କଥାରେ ମୁଁ ଜାଲ ପକାଇବି" (୫ପଦ) । ଯେଉଁ ଜାଗାରେ ବିଫଳ ହୋଇଥିଲେ, ସେହି ସ୍ଥାନରେ ସଫଳତା ପାଇ ପାରିଥିଲେ ବହୁତ ମାଛ ଦ୍ଵାରା ଜାଲ ଛିଣ୍ଡିବାକୁ ଲାଗିଲା । ସେ ବାଧ୍ୟ ହେଲେ ଏବଂ ବିଶ୍ଵାସ ମଧ୍ୟ କଲେ । ନୌକା ବୁଡ଼ିବାକୁ ଲାଗିଲା ଈଶ୍ଵର ଉଚ୍ଛୁଳା ଆଶୀର୍ବାଦ କରିଥାନ୍ତି । ଯୀଶୁଙ୍କର କାର୍ଯ୍ୟ ଏବଂ ଶିକ୍ଷା ଶିମୋନଙ୍କର ଜୀବନକୁ ପରିବର୍ତ୍ତନ କରିଥିଲା । ସେ ନିଜକୁ ପାପୀ ବୋଲି ଅନୁଭବ କଲେ ଏବଂ ନିଜର ପାପ ସ୍ଵୀକାର କଲେ । ସେ ଯୀଶୁଙ୍କର ଶିଷ୍ୟ ହେଲେ ଏବଂ ମନୁଷ୍ୟ ଧରିବା ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ସେ ନିଜର ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ । ଆମେ ଯଦି ପ୍ରଭୁଙ୍କର ଆଶୀର୍ବାଦ ପାଇଛୁ ତେବେ ଅନ୍ୟକୁ ସେଥିରେ ସହଭାଗୀ କରାଉ । 


ଶକ୍ତିର କାର୍ଯ୍ୟ

 ଶକ୍ତିର କାର୍ଯ୍ୟ

ଆଜିର ଚିନ୍ତା

ଲୁକ ୪:୩୧-୪୪


ଯୀଶୁଙ୍କ ଶକ୍ତିର କାର୍ଯ୍ୟକୁ ମୁଁ କିପରି ଅନୁଭବ କରିପାରିଛି ? 


ଯୀଶୁ ତାଙ୍କର ସେବାକାର୍ଯ୍ୟ ପାଇଁ ଗାଲିଲୀ ସମୁଦ୍ର କୂଳରୁ ପ୍ରଥମ ୪ ଜଣ ଶିଷ୍ୟଙ୍କୁ ମନୋନୀତ କରିଥିଲେ । ଗାଲିଲୀ ଏବଂ ଯିହୁଦା ଦେଶର ସମାଜ ଗୃହରେ ସେ ଶିକ୍ଷା ଦେଉଥିଲେ । ତାହାଙ୍କ ଶିକ୍ଷାରେ ଲୋକମାନେ ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ କାରଣ ତାହାଙ୍କର ବାକ୍ୟ ଅଧିକାରଯୁକ୍ତ ଥିଲା । ପିତାଙ୍କଠାରୁ ସେ ଏକ ଈଶ୍ୱର ଦତ୍ତ ଅଧିକାର ପ୍ରାପ୍ତ ହୋଇଥିଲେ । ଶିଷ୍ୟମାନଙ୍କୁ ଏବଂ ତାଙ୍କର ଅନୁଗାମୀମାନଙ୍କୁ ମଧ୍ୟ ଯୀଶୁ ଅଧିକାର ଦେଇଥିଲେ । ଆଜିର ପଠନରେ ଦୁଇଟି ଘଟଣାରେ ଯୀଶୁଙ୍କ ଅସୀମ ଶକ୍ତି ଏବଂ ଅଧିକାର ବିଷୟ ଲେଖାଯାଇଛି ।


ଶକ୍ତିପୁର୍ଣ୍ଣ  କାର୍ଯ୍ୟ: ଆଶୁଚି ଆତ୍ମାମାନେ ଯୀଶୁଙ୍କୁ ଜାଣୁଥିଲେ ଏବଂ ସେ ଯେ ଈଶ୍ଵରଙ୍କ ପୁତ୍ର ଅଟନ୍ତି ଏହା ସ୍ୱୀକାର କରୁଥିଲେ । ଜଣେ ମନ୍ଦ ଆତ୍ମା ଦ୍ଵାରା ଆକ୍ରାନ୍ତ ବ୍ୟକ୍ତି ସମାଜ ଗୃହରେ ଉପସ୍ଥିତ ଥିଲେ । ଲୋକମାନେ ଯୀଶୁଙ୍କର ବାକ୍ୟ ଶୁଣିବା ସମୟରେ ସେ ଚିତ୍କାର କରୁଥିଲା । ଯୀଶୁଙ୍କ ମୁଖର ଧମକ ଦ୍ଵାରା ଲୋକଟି ସୁସ୍ଥତା ପାଇଥିଲା । ଯେଉଁମାନେ ତାଙ୍କର ସ୍ପର୍ଶ ପାଉଥିଲେ ସେମାନେ ସୁସ୍ଥତା ଲାଭ କରୁଥିଲେ । ଯୀଶୁଙ୍କ ବାକ୍ୟର ଯେଉଁ ଶକ୍ତି ରହିଛି ତାହା ମୁଁ କିପରି ଅନୁଭବ କରୁଛି । ବର୍ତ୍ତମାନ ମଧ୍ୟ ଜଗତର ମନ୍ଦ ଶକ୍ତି କାର୍ଯ୍ୟରତ ଅଛି । ଏହାକୁ ଦୂର କରିବା ପାଇଁ ଯୀଶୁଙ୍କର ନିକଟକୁ ଆସିବାକୁ ପଡ଼ିବ ପୁଣି ତାହାଙ୍କ ଶକ୍ତିରେ ବିଶ୍ଵାସ କରିବାକୁ ପଡ଼ିବ । 


ଶକ୍ତିରେ ପରିପୂର୍ଣ୍ଣ: ଏହି ସ୍ଥାନରେ ଯୀଶୁଙ୍କର ପ୍ରାର୍ଥନାର ଜୀବନକୁ ଦେଖି ପାରୁଛୁ । ସେ ନିର୍ଜ୍ଜନ ସ୍ଥାନରେ ପ୍ରାର୍ଥନା କରୁଥଲେ ଏବଂ ପିତାଙ୍କଠାରୁ ଶକ୍ତିପ୍ରାପ୍ତ ହେଉଥିଲେ । କ୍ରୃଶ ଉପରେ ତାହାଙ୍କୁ ଯେଉଁ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିବ, ସେଥିପାଇଁ ସେ ପ୍ରାର୍ଥନା କରି ପିତାଙ୍କଠାରୁ ଶକ୍ତି ପାଇଥିଲେ । ଅନେକ ସମୟରେ ଆମର ଜୀବନରେ ଅସୁସ୍ଥତା ଆସିଥାଏ । ଶିମୋନଙ୍କର ଶାଶୁଙ୍କର ଶାରୀରିକ ଅସୁସ୍ଥତାକୁ ଧମକ ଦେଇ ଯୀଶୁ ଦୂର କରିଥିଲେ । ସୁସ୍ଥତା ପାଇଁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ବଦଳରେ ଆମେ ମନୁଷ୍ୟର ସାହାର୍ଯ୍ୟ ନେଇଥାଉ । ଆମର ପ୍ରାର୍ଥନାର ଜୀବନ ହିଁ ଆମକୁ ଶକ୍ତି ଦେଇଥାଏ । ଶକ୍ତିର ଜୀବନ ଏବଂ ପ୍ରାର୍ଥନାର ଜୀବନ ପ୍ରଭୁ ଆମଠାରୁ ଆଶା କରନ୍ତି । ଏଥିପାଇଁ ଆମେ ସଚେତନ ହେବା କି ? 

ପ୍ରାରମ୍ଭିକ ସେବାକାର୍ଯ୍ଯ

 ପ୍ରାରମ୍ଭିକ ସେବାକାର୍ଯ୍ଯ

ଆଜିର ଚିନ୍ତା


ଲୁକ ୪:୧୬-୩୦


ଯୀଶୁଙ୍କ ବିଷୟରେ ମୋର ମତ କ'ଣ


ବର୍ତ୍ତମାନ ଆମର ଉପାସନା ଗୃହ ପରି ଯୀଶୁଙ୍କ ସମୟରେ ଯୀହୁଦୀମାନଙ୍କର ଏକ ସମାଜ ଗୃହରେ ସେ ବାକ୍ୟ ପ୍ରଚାର କରିବା ପାଇଁ ସୁଯୋଗ ପାଇଥିଲେ । ଏହା ତାଙ୍କର ପୌତୃକ ନଗର ନାଜରିତର ସ୍ଥାନ ଥିଲା । ପଠିତ ଅଂଶରେ ଲୁକ ଯୀଶୁଙ୍କର ପ୍ରଥମ ପ୍ରଚାରିତ ବାକ୍ୟ ବିଷୟରେ ଲେଖିଛନ୍ତି  (ଯିଶାଇୟ ୬୧:୧) । ସମାଜ ଗୃହ ଯୀହୁଦୀମାନଙ୍କର ଧର୍ମ ଶିକ୍ଷାର ଏକ ପବିତ୍ର ଓ ଗୁରୁତ୍ଵପୁର୍ଣ୍ଣ ସ୍ଥାନ ଥିଲା । ଆଜିର ଖ୍ରୀଷ୍ଟୀୟ ସମାଜ ଉପାସନା ଗୃହର ପବିତ୍ରତାକୁ ରକ୍ଷା କରିପାରୁ ନାହାଁନ୍ତି । 


ବାକ୍ୟ ଶୁଣିବା ଏବଂ ଗ୍ରହଣ କରିବା: ନାଜରିତୀୟ ଯୀଶୁଙ୍କୁ ଈଶ୍ଵର ପବିତ୍ର ଆତ୍ମାଙ୍କ ଶକ୍ତିରେ ଅଭିଷିକ୍ତ କରିଥିଲେ । ବାକ୍ୟ ଶୁଣିବା ସହଜ ବିଷୟ ଅଟେ । ଯୀଶୁଙ୍କର ଶିକ୍ଷାକୁ ଲୋକମାନେ ଆଗ୍ରହର ସହିତ ଶୁଣୁଥିଲେ ଏବଂ ଚମତ୍କୃତ ହେଉଥିଲେ । କାରଣ ସେ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ । କିନ୍ତୁ ବାକ୍ୟକୁ ଗ୍ରହଣ କରିପାରୁ ନ ଥିଲେ । ଯିଶାଇୟ ଭବିଷ୍ୟତବକ୍ତା ତାଙ୍କର ପୁସ୍ତକରେ ଯେଉଁ ବିଷୟ ଲେଖିଥିଲେ ଧର୍ମଶାସ୍ତ୍ରର ସେହି ବାକ୍ୟ ସଫଳ ହେଲା । ଏ ବିଷୟ ଯୀଶୁ ସେଦିନ ପ୍ରଚାର କରିଥିଲେ । ଯୀଶୁ ଯେଉଁ ସମସ୍ତ ବିଷୟ ଘୋଷଣା କରିବା ପାଇଁ ପ୍ରେରିତ ହୋଇଥିଲେ ତାହା ସେ ପ୍ରକାଶ କରିଥିଲେ । ଲୋକମାନଙ୍କ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲେ ସତ କିନ୍ତୁ ତାଙ୍କର କଥିତ ବାକ୍ୟକୁ ହେୟ ଜ୍ଞାନ କରିଥିଲେ । 


ସୁସମାଚାର କାର୍ଯ୍ୟରେ ପ୍ରତିକୂଳ ପରିସ୍ଥିତି: ଯୀଶୁଙ୍କର ଐଶ୍ୱରୀକ ଶକ୍ତି କୁ ଲୋକମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ତାଙ୍କର ବାକ୍ୟ ପଠନର ପ୍ରଣାଳୀ, ସୁସମାଚାର କହିବାର ଶୈଳୀ ସେମାନଙ୍କୁ ଆଚମ୍ବିତ କରୁଥିଲା, ହେଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ନ ଥିଲେ, ପୁଣି ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିଲେ (୨୮ପଦ) । ଅନେକ ସମୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣି ଥାଉ ମାତ୍ର ତାହାକୁ ଗ୍ରହଣ କରି ନ ଥାଉ, ଫଳତଃ ଆତ୍ମିକ ଜୀବନରେ ଆମେ ଆଗେଇ ପାରି ନ ଥାଉ । ନାଜରିତର ଲୋକମାନେ ଯୀଶୁଙ୍କ ଶିକ୍ଷାରେ ପରିତ୍ରାଣର ସମ୍ବାଦକୁ ଗ୍ରହନ ନ କରି ଉପେକ୍ଷା କରିଥିଲେ । ବାକ୍ୟ ଶୁଣି ନିଜର ଜୀବନକୁ ସଜାଡିବାର ସୁଯୋଗକୁ ଆମେ ବିରୋଧ ନ କରୁ । 



ବିଜୟୀ ଜୀବନ

  ବିଜୟୀ ଜୀବନ

ଆଜିର ଚିନ୍ତା


ଲୂକ ୪:୧-୧୫


ମୁଁ ବିଜୟୀ ଜୀବନ କାଟିବା ପାଇଁ ସକ୍ଷମ ହୋଇ ପାରିଛି କି?


 ସମସ୍ତଙ୍କ ଜୀବନରେ ପରୀକ୍ଷା ଆସିଥାଏ । ଆମର ଦୁର୍ବଳ ସମୟରେ ଶୟତାନ ଆମର ନିକଟକୁ ଆସିଥାଏ । ଦୁର୍ବଳ ସମୟରେ ସୁଯୋଗକୁ ଶୟତାନ  ଅପେକ୍ଷା କରିଥାଏ। ଯେତେବେଳେ ଆମେ ଶାରୀରିକ ଓ ଆତ୍ମିକ ଭାବେ ଦୁର୍ବଳ ସେତେବେଳେ ଶୟତାନ ତା'ର ସୁଯୋଗ ନିଏ । ଯୀଶୁ  ପ୍ରାନ୍ତରରେ ୪୦ ଦିନ ଉପବାସରେ କଟାଇବା ପରେ ଶୟତାନ ଦ୍ଵାରା ପରୀକ୍ଷିତ ହୋଇଥିଲେ ।


ବାକ୍ୟର ଶକ୍ତି: ଶୟତାନ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ଥିଲେ । ୩ଥର ଶୟତାନ ଯୀଶୁଙ୍କୁ ପରୀକ୍ଷା କରିଥିଲା, ପ୍ରତ୍ୟେକ ଥର ସେ ପ୍ରକାଶ କରିଥିଲେ" ବାକ୍ୟରେ ଏହା ଲେଖାଅଛି" । ବାକ୍ୟକୁ  ମୁଖରେ ପ୍ରକାଶ କରିବ ପାଇଁ ପ୍ରତ୍ୟେକ ଦିନ ବାକ୍ୟକୁ  ଅଧ୍ୟୟନ ଏବଂ ଧ୍ୟାନ କରି ସ୍ମରଣରେ ରଖିବାକୁ ପଡିବ।ତେବେ ଆବଶ୍ୟକ ସମୟରେ ବାକ୍ୟକୁ ବ୍ୟବହାର କରିପାରିବା ଆତ୍ମାଙ୍କର ଖଡ୍ଗ ବାକ୍ୟ ଅଟେ । (ଏଫୀସୀୟ ୬:୧୭) । ଖଡ୍ଗ ପରି ଏହା କାର୍ଯ୍ଯ କରିଥାଏ ବାକ୍ୟ ଦ୍ଵାରା ଯୀଶୁ ଶୟତାନକୁ ପରାଜିତ କରିବା ପାଇଁ ସକ୍ଷମ ହୋଇଥିଲେ । ଆଦମ ଏବଂ ହବାଙ୍କୁ ପରୀକ୍ଷା କରି ଶୟତାନ ଜୟଯୁକ୍ତ ହୋଇଥିଲା । କିନ୍ତୁ ଯୀଶୁଙ୍କୁ ପରୀକ୍ଷା କରି ସେ ପରାଜିତ ହୋଇଥିଲା ।


ଜୀବନର ଅଭିଳାଷ: ମନୁଷ୍ୟ ଶରୀର ପାଇଁ ଅନ୍ନ, ବସ୍ତ୍ର ଏବଂ ବାସଗୃହ ଆବଶ୍ୟକ । ଧୂଳିରୁ ଶରୀରକୁ ଈଶ୍ଵର ତିଆରି କରିଥିଲେ ଏବଂ ଏହି ଶରୀର ଧୂଳିରେ ଲୀନ ହୋଇଯିବ । ଖାଦ୍ୟ ମନୁଷ୍ୟର ପ୍ରାଥମିକ ଆବଶ୍ୟତା ଅଟେ । ଯୀଶୁ କ୍ଷୁଧିତ ଥିବା ସମୟରେ ତାଙ୍କ ନିକଟକୁ ଶୟତାନ ଆସିଥିଲା। ମନୁଷ୍ୟ ଆଜି ଜୀବନର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ । ସେ କିପରି ଉତ୍ତମ ଖାଦ୍ୟ ଖାଇବ, ଉତ୍ତମ ବସ୍ତ୍ର ପିନ୍ଧିବ,ଉତ୍ତମ ଗୃହ ନିର୍ମାଣ କରିବ ଏହାହିଁ ତା'ର ଜୀବନର ଲକ୍ଷ୍ୟ ହୋଇଯାଇଛି । ଶରୀରର ବିଭିନ୍ନ ଅଙ୍ଗ ଗୁଡ଼ିକର ମଧ୍ୟ ଅଭିଳାଷ ରହିଛି । ଚକ୍ଷୁର ଅଭିଳାଷ ଦ୍ଵାରା ଆଦମ ହବା ପାପ କଲେ । ପରୀକ୍ଷାରେ ଜୟଲାଭ କରିବା ପାଇଁ ପବିତ୍ର ଆତ୍ମାଙ୍କର  ସହାୟତା ଓ ଈଶ୍ଵରଙ୍କ ବାକ୍ୟକୁ ଜାଣିବାର ଆବଶ୍ୟକତା ରହିଛି । ଯୀଶୁ ପରୀକ୍ଷିତ ହୋଇଥିବାରୁ ଆମର ଜୀବନରେ ପରୀକ୍ଷା ଆସିଲେ ସେ ଆମକୁ ପରୀକ୍ଷାରୁ ରକ୍ଷା କରିବାକୁ ସାହାଯ୍ୟ କରିଥାନ୍ତି ।


ନୂତନ ସ୍ଵଭାବ ପାଇଁ ଆହ୍ଵାନ

 ନୂତନ ସ୍ଵଭାବ ପାଇଁ ଆହ୍ଵାନ 

ଲୂକ ୩:୧୦-୨୨

ଆଜିର ଚିନ୍ତା 

ମୁଁ ନୂତନ ସ୍ଵଭାବ ଧାରଣ କରିବା ପାଇଁ ସକ୍ଷମ ହୋଇ ପାରିଛି କି?


ଡୁବକ ଯୋହନ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଥିଲେ । ସେ ଯୀଶୁଙ୍କଠାରୁ ବୟସରେ ବଡ ଥିଲେ । ସେ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିଲେ । କିନ୍ତୁ ନିଜକୁ ନାମର କରି ଯୀଶୁଙ୍କ ଅଗମନର ସ୍ପଷ୍ଠ ପରିଚୟ ପ୍ରଦାନ କରିଥିଲେ । ବହୁ ବର୍ଷ ଧରି ଲୋକମାନେ ମସୀହଙ୍କ ଆଗମନର ଅପେକ୍ଷାରେ ଥିଲେ । ଲୋକମାନେ ଯୋହନ ଡୁବକଙ୍କୁ ଖ୍ରୀଷ୍ଟ ଭାବି, ତାଙ୍କ ସମ୍ବନ୍ଧରେ ତର୍କବିତର୍କ କରୁଥିଲେ । ଯୀଶୁଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ମୁଁ ଖ୍ରୀଷ୍ଟ ନୁହେଁ ବୋଲି ଯୋହନ ପ୍ରକାଶ କରିଥିଲେ । 


ପରିତ୍ରାଣ ଏବଂ ନୂତନ ଜୀବନ:ଯୋହନଙ୍କ ଶିକ୍ଷା ଥିଲା ଜଗତର ବିଚାର ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣା କଲେ। ପାପ ସ୍ୱୀକାର କରି ପରିତ୍ରାଣ ପାଇବା ପାଇଁ ସୁଯୋଗ ଆସିଛି।  ଏହାକୁ ହାତ ଛଡା କରିବା ଉଚିତ୍ ନୁହେଁ। ଲେଖାଯାଏ ସୁଯୋଗର ସଦ୍ ବ୍ୟବହାର କର (ଏଫିସୀୟ ୫:୧୨)। ଯୀଶୁ ଆମର ପାପ ନିଜର ଶାରୀରରେ ବହନ କରିବା ପାଇଁ ଜଗତକୁ ଆସିଥିଲେ । ସେଥିପାଇଁ ବାକ୍ୟରେ ଲେଖାଯାଏ "ଏହି ଦେଖ ଈଶ୍ବରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି" (ଯୋହନ ୧:୨୯)। ପାପରୁ ଉଦ୍ଧାର ପାଇବା ପାଇଁ ଯୋହନଙ୍କର ପ୍ରଚାର ଅନେକ ଲୋକମାନଙ୍କୁ ପରିବର୍ତ୍ତନ ଏବଂ ପ୍ରଭାବିତ କରିଥିଲା। ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ମନଯୋଗୀ ହେବା ପାଇଁ ସେ ଉତ୍ତମ ପରମର୍ଶ ଦେଇଥିଲେ।  ଅନ୍ୟାୟ କରିବ ନାହିଁ ଅନ୍ୟମାନଙ୍କୁ ସାହାଯ୍ୟ କରିବ ଏବଂ ନିଜର ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା ସେ ଏହିପରି ଅନେକ ଉପଦେଶ ଦେଇ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଥିଲେ।  


ପାପର ଜୀବନ ଦଣ୍ଡ ଆଣିଥାଏ: ପାପମୟ ଜୀବନ କୁ ଅଗାଡି ସହ ତୁଳନା କରାଯାଇଛି। ଲୋକମାନଙ୍କ ଜୀବନରେ ଥିବା ପାପକୁ ସେ ପ୍ରକାଶ କରିବା ପାଇଁ ଭୟ କରୁ ନଥିଲେ।  ଯୋହନ ହେରୋଦଙ୍କୁ ତାଙ୍କର ଦୁଷ୍କର୍ମ ବିଷୟରେ ଅନୁଯୋଗ କରିଥିଲେ।  ସେଥିପାଇଁ ତାଙ୍କୁ କାରାବରଣ କରି ମୃତ୍ୟୁଭୋଗ କରିବାକୁ ପଡିଥିଲା।  ଯୀଶୁ ଧାର୍ମିକ ଓ ନ୍ୟାୟ ବିଚାର କର୍ତ୍ତା ଅଟନ୍ତି।  ପାପକୁ ସ୍ୱୀକାର କରି ଛାଡିଲେ ଆମେ ଈଶ୍ବରଙ୍କ ଦଣ୍ଡରୁ ରକ୍ଷା ପାଇ ପାରିବା ପୁଣି ନୂତନ ସ୍ଵଭାବ ଧାରଣ କରି ପାରିବା।  


Source: ଦୈନିକ ଆହାର