ଅନ୍ତିମ କାଳର ଚିନ୍ତା
ଆଜିର ଚିନ୍ତା
ଗୀତ ୩୯:୧-୧୩
ମୋର ଭରସା କାହା ଉପରେ ନ୍ୟସ୍ତ?
ଜ୍ଞାନୀ ଶଲୋମନ ଲେଖନ୍ତି, "ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ" (ହିତୋପଦେଶ ୩:୭) । ଏଠାରେ ଦାଉଦ ଲେଖନ୍ତି, ମନୁଷ୍ୟ ଆତ୍ମ ନିର୍ଭରଶୀଳ ହୋଇ ପାପ ନ କରିବା ପାଇଁ ନିଜେ ଚେଷ୍ଟା କଲେ, ମୁଖରେ ଲଗାମ ଦେଲେ, ମୌନବ୍ରତ ଅବଲମ୍ବନ କଲେ ମଧ୍ଯ ପରିମାଣ ହେଲା ପ୍ରବଳ ଦୁଃଖ, ହୃଦୟ ଉତ୍ତପ୍ତ ଓ ଅଗ୍ନି ପ୍ରଜ୍ବଳିତ (୨:୩) । ଏହାର ଅର୍ଥ ସୂର୍ଯ୍ୟ ତଳେ ସମସ୍ତ ବିଷୟ ଅସାର ଏହିଭଳି ପରିସ୍ଥିତରେ ଆମକୁ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କ ଶରଣାଗତ ହେବା ଉତ୍ତମ ।
ଅନୁଶୋଚନା: ଯେତେବେଳେ ମନୁଷ୍ୟର ସମସ୍ତ ପ୍ରଚେଷ୍ଟା, ବିଫଳତା, ମନସ୍ତାପ ଓ ଶୀରପୀଡାରେ ପରିଣତ ହୁଏ ଓ ସେ ବୁଝିନିଏ, ମୋହର ଆୟୁ ଅବସ୍ତୁ ତୁଲ୍ୟ ମନୁଷ୍ୟର ସର୍ବୋତ୍ତମ ଅବସ୍ଥା ନିତାନ୍ତ ଅସାର । ତାହାର ଜୀବନ କ୍ଷଣକାଳସ୍ଥାୟୀ ଓ ସେ ଅସାରରେ ବ୍ୟସ୍ତ । ସେ ଧନଗଦା କରେ, କିନ୍ତୁ କିଏ ଭୋଗ କରିବ, ସେ ଜାଣେ ନାହିଁ । ତାହାର ଅପରାଧ ଓ ଅଧର୍ମ ନିମନ୍ତେ ଅନୁଯୋଗ କଲେ, ସେ ଦୁଃଖୀ ହୁଏ । ଏହା ଏକ ଚିନ୍ତାର ବିଷୟ ନୁହେଁ କି, ଏହିପରି ସମୟରେ ଆମେ କ'ଣ କରିବା ଦରକାର ତାହା ପରବର୍ତ୍ତୀ ପଦ ଦୁଇଟିରେ ଆଲୋଚନା କରିବା ।
ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ : ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର, ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ (ହିତୋ ୩:୬) । ଆପଣାର ସକଳ ଗତିରେ ଈଶ୍ୱରଙ୍କୁ ସ୍ଵୀକାର କଲେ, ସେ ଆମକୁ ନିଶ୍ଚୟ ଅନନ୍ତକାଳୀନ ଭରସାରେ ଆଶାନ୍ଵିତ କରି ପ୍ରଫୁଲ୍ଲିତ ହେବାକୁ ଦେବେ ।
ଆଜି ମୁଁ ମୋର ଅନ୍ତିମକାଳର ଚିନ୍ତାରେ ବ୍ୟାକୁଳିତ ନା ଭରସାଯୁକ୍ତ? ଆତ୍ମ ନିର୍ଭରଶୀଳତା, ଆତ୍ମ ପ୍ରଚେଷ୍ଟାର ପରିଣତି ଅସୁରକ୍ଷିତ ଓ ଅନ୍ଧକାରମୟ, ଏହା ମୁଁ ବୁଝିଛି କି ? ଯାକୁବ ଲେଖନ୍ତି, ମନୁଷ୍ୟ ଜୀବନ ପାଣି ଫୋଟକା (ବାଷ୍ପ) ଭଳି (ଯାକୁବ ୪:୧୪)।ଏହା ଅତ୍ୟନ୍ତ କ୍ଷଣ ଭଙ୍ଗୁର ଅଟେ, ତଥାପି ମନୁଷ୍ୟ ସବୁ ଜାଣି ସୁଦ୍ଧା ନିଜର ଅନ୍ତିମ କାଳ ବିଷୟରେ ଜାଗ୍ରତ ହେଉ ନାହିଁ, ଆଜିର ଶାସ୍ତ୍ରାଂଶ ଆମକୁ ସଦା ପ୍ରସ୍ତୁତ ରହିବାକୁ ଆହ୍ବାନ ଦିଏ ।