BN

ବିଶ୍ୱାସୀର ଉଦ୍ଧାର

 ବିଶ୍ୱାସୀର ଉଦ୍ଧାର

ଆଜିର ଚିନ୍ତା

ଗୀତ ୩୪:୧-୨୨


ଅନିଶ୍ଚିତ, ଅଶାନ୍ତ ପୃଥିବୀରେ ମତେ କିଏ ଉଦ୍ଧାର କରିବ?


ଶାଉଲ ରାଜାଙ୍କର ଆକ୍ରମଣରୁ, ଦାଉଦ ଓ ତାଙ୍କର ଅନୁଗାମୀ ମାନେ ରକ୍ଷା ପାଇବା ପାଇଁ ଲୁଚି ଲୁଚି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। ଭୟାତୁର, ପ୍ରାଣହାନି ଆଶଙ୍କା ମଧ୍ୟରେ, ଗତି କରୁଥିବା ମଣିଷ ପରି ଦାଉଦ ତାଙ୍କର ଦୁଃଖଦ ଅନୁଭୁତିକୁ ଏହି ଗୀତରେ ବର୍ଣ୍ଣନା କରିଛନ୍ତି। ଏତଦ୍ ବ୍ୟତୀତ ଈଶ୍ବର ଯେ କେବଳ ଏ ସମସ୍ତ ବିପଦ ମଧ୍ୟରୁ ରକ୍ଷା ପାଇପାରିବେ ଏ ବିଷୟରେ ଜନ୍ମିଥିବା ତାଙ୍କର ଦୃଢ଼ ଧାରଣାକୁ ଉପସ୍ଥାପନ କରିଛନ୍ତି ।

ସଦାପ୍ରଭୁଙ୍କ ଉଦ୍ଧାର (୧-୭): ଜଣେ କ୍ଷମତାଶାଳୀ ରାଜା ଜଣେ ସାଧାରଣ ମଣିଷର ଜୀବନ ଶିକାରରେ ଲିପ୍ତ ରହିଛି। ଅନପେକ୍ଷିତ ଭାବେ ମୃତ୍ୟୁ ଭୟ ତା'ର ସମ୍ପୁର୍ଣ୍ଣ ଜୀବନକୁ ଆଶାଶୂନ୍ୟ ଓ ଭୟଗ୍ରସ୍ତ କରି ଧ୍ଵଂସାଭିମୁଖୀ କରାଇଛି ଦାଉଦ ଜୀବନରେ ଘଟିଯାଇଥିବା ଏହି ପ୍ରକାର ଏକ ବାସ୍ତବ ଅନୁଭୂତିକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସଦାପ୍ରଭୁଙ୍କ ଅଲୌକିକ ଉଦ୍ଧାରର କାର୍ଯ୍ୟକୁ ଭୁରି ଭୁରି  ପ୍ରଶଂସା କରି ତାଙ୍କର ନାମକୁ ପ୍ରତିଷ୍ଠା କରିବା ପାଇଁ ଆହ୍ବାନ କରିଛନ୍ତି । ତାଙ୍କର ଉକ୍ତି ଯେ ମୋହର ସବୁ ଭୟରୁ ଈଶ୍ୱର ହିଁ ଉଦ୍ଧାର କଲେ(୪ପଦ)। ସବୁ ସଙ୍କଟରୁ ସେ ଉଦ୍ଧାର କଲେ (୬,୭,୧୭)। ଦାଉଦଙ୍କ ପ୍ରଶଂସା ଆମ୍ଭମାନଙ୍କୁ କହେ ଆମର ପ୍ରଭୁ କେତେ ଶକ୍ତିମାନ ପୁଣି ସେ ତାଙ୍କ ଭୟକାରୀଙ୍କ  ନିମନ୍ତେ ଆପଣା ଦୂତମାନଙ୍କୁ ଉଦ୍ଧାର ପାଇଁ ଆଦେଶ ଦେଇପାରନ୍ତି।

 

ସଦାପ୍ରଭୁଙ୍କ ପ୍ରତି ଭୟ (୮-୧୧,୧୬-୨୨): ଦୁଷ୍ଟ, ଆତଙ୍କବାଦୀ, କ୍ଷମତସମ୍ପନ ବିପକ୍ଷ ବଳବାନମାନଙ୍କୁ ଜଣେ ମଣିଷ ସ୍ଵାଭାବିକ ଭାବେ ଭୟ କରିଥାଏ। ଏପରି ପରିସ୍ଥିତିରେ ଜଣେ ବଳବାନ ଈଶ୍ବର ଅଛନ୍ତି, ଏହା ଭାବି ଆମେ ବିସ୍ମିତ ହୋଇଯାଉ। ନିଜର ସମର୍ଥ, ବଳ, ଜ୍ଞାନ ଉପରେ ଅତ୍ୟଧିକ ନିର୍ଭର କରି ଶେଷରେ ବିଫଳ ହୋଇଯାଉ। ମାତ୍ର ସଦାପ୍ରଭଙ୍କ ଭୟ ସମସ୍ତ ଅଭାବ ଦୂର କରିଦେବା ସଙ୍ଗେ ସଙ୍ଗେ ମଙ୍ଗଳ ବିଷୟରେ ଭରପୁର କରିଦେବ। ବିପଦଗ୍ରସ୍ତ ଧାର୍ମିକମାନଙ୍କୁ ସେ ଉଦ୍ଧାର କରିବେ (୧୯) ଓ ଖଣ୍ଡେ ହେଲେ ଅସ୍ଥି ଭଗ୍ନ ହେବାକୁ ଦେବେ ନାହିଁ (୨୦ ପଦ)। ଧାର୍ମିକର ଘୃଣାକାରୀକୁ ଦୋଷୀକୃତ କରିବେ। ମାତ୍ର ତାଙ୍କର ଭୟକାରୀ ଶରଣାଗତ ଆଦୌ ଦୋଷୀକୃତ ହେବେ ନାହିଁ। ବିଶ୍ଵାସ କରୁଥିବା ତାଙ୍କର ଭୟକାରୀମାନଙ୍କ ଉପରେ ତାଙ୍କର ଯେ ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପାଇଁ ସେ କର୍ଣ୍ଣ ଡେରିଥାନ୍ତି (୧୫,୧୭) ଏହା ସର୍ବଦା ସ୍ମରଣ ରଖିବା ।


ମହାପରକ୍ରମୀ ଈଶ୍ଵରଙ୍କ ସ୍ତୁତି

 ମହାପରକ୍ରମୀ ଈଶ୍ଵରଙ୍କ ସ୍ତୁତି

ଆଜିର ଚିନ୍ତା

ଗୀତ ୩୩:୧-୨୨

ମୋର ଓଷ୍ଠାଧର ଓ ହୃଦୟର ପ୍ରଶଂସା କ'ଣ ଯୁକ୍ତିଯୁକ୍ତ?


 ଈଶ୍ୱରଙ୍କ ପ୍ରଶଂସା ଓ ସ୍ତୁତି କଲାବେଳେ ଈଶ୍ୱରଙ୍କ ପ୍ରକୃତ ପରିଚୟ ଓ ତାଙ୍କର କାର୍ଯ୍ୟ ଯଦି ହୃଦୟରୁ ବର୍ଣ୍ଣନା କରାଯାଏ ତାହାହେଲେ ତାହା ପ୍ରକୃତ ସ୍ତୁତି ଭଳି ଈଶ୍ଵରଙ୍କ ସମ୍ମୁଖରେ ଗୃହୀତ ହୁଏ। ଏହି ଗୀତରେ ଈଶ୍ଵର ଯେ, ସୃଷ୍ଟିକର୍ତ୍ତା, ସର୍ବଭୌମକର୍ତ୍ତା, ବିଚାରପତି, ପରିତ୍ରାଣକର୍ତ୍ତା ତାହାର ଆକାଟ୍ୟ ପ୍ରମାଣ ରହିଛି।


ପ୍ରଭୂରେ ଉଲ୍ଲାସ (୧-୩): ଖ୍ରୀଷ୍ଟ ବିଶ୍ୱାସୀ ସରଳାନ୍ତଃକରଣରେ ଆନନ୍ଦିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରିବା ଶୋଭନୀୟ ଅଟେ, ଏହାର ପ୍ରକାଶ ବାଦ୍ୟଯନ୍ତ୍ର ସହ ଉଚ୍ଚଧ୍ଵନିରେ ହେବା ବିଧେୟ । ଯାଜକମାନଙ୍କର ତୂରୀଧ୍ଵନି ଶୁଣିବାମାତ୍ରେ ଇସ୍ରାଏଲୀୟମାନେ ଉଚ୍ଚଧ୍ଵନୀ କଲେ ଓ ଯିରୀହୋର ବଲିଷ୍ଠ ପ୍ରାଚୀର ଧୂଳିସାତ ହେଲା (ଯିହୋଶୂୟ ୬:୨୦)। ଏହି ଉଚ୍ଚଧ୍ଵନୀ ସାକ୍ଷ୍ୟ ବହନ କରେ ଯେ ସଦାପ୍ରଭୁ ରାଜାମାନଙ୍କର ରାଜା, ପ୍ରଶଂସା ପାଇବାର ଯୋଗ୍ୟ ପରମେଶ୍ଵର (୧ମ ତୀମଥି ୬:୧୫)। ଆମର ପ୍ରଶଂସା ସ୍ତୁତି କ'ଣ ଚିରାଚରିତ?


ସୃଜନକାରୀ ବାକ୍ୟ (୪-୯):ଈଶ୍ୱରଙ୍କ ଉଚ୍ଚାରିତ ବାକ୍ୟ ଓ ତାହାଙ୍କର କାର୍ଯ୍ୟକୁ ପୃଥକ କରାଯାଇ ପାରେ ନାହିଁ। ସାରା ବିଶ୍ବ ତାଙ୍କର ବାକ୍ୟ ପ୍ରମାଣେ ରୂପ ପାଇଛି। ସେ ବାକ୍ୟରୂପୀ ପରମେଶ୍ଵର। ତାଙ୍କର ସମସ୍ତ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ (ଏବ୍ରୀ ୪:୧୨)। ଗଗନମଣ୍ଡଳ, ପ୍ରକାଣ୍ଡ ବରିଧି ଉଚ୍ଚାରିତ ବାକ୍ୟ ଦ୍ଵାରା ସୃଷ୍ଟ (କଲସୀ ୧:୧୬,୧୭)। ସେହି ବଳିଷ୍ଠ ବାକ୍ୟ ଅନ୍ତରରେ  ସାଇତି ରଖୁ। ଜୀବନର ପ୍ରତ୍ୟକ ପରିସ୍ଥିତିରେ ତାଙ୍କୁ ବ୍ୟବହାର କରି ତାଙ୍କର ଉପସ୍ଥିତି ଓ ଶକ୍ତିକୁ ଅନୁଭବ କରୁ।


ରକ୍ଷାକାରୀ ଶକ୍ତି (୧୦-୨୨): ଈଶ୍ୱରଙ୍କ ମନ୍ତ୍ରଣା ନିତ୍ୟସ୍ଥାୟୀ । ସବୁ ପରକ୍ରମୀଙ୍କର ମନ୍ତ୍ରଣା ସେ ବ୍ୟର୍ଥ କରିଦିଅନ୍ତି (ଯାତ୍ରା ୧୫:୪-୧୦)। ଈଶ୍ୱରଙ୍କ ସର୍ବଭୌମ ଇଚ୍ଛାକୁ କେହି ପରାଜିତ କରିପାରେ ନାହିଁ।ନିଜର ସୁବିବେଚନାରୁ ବାହାରି ଆସୁ। ତାଙ୍କର ଅଦମ୍ୟ, ଅବିଚଳିତ ଇଚ୍ଛା ନିକଟରେ ସମର୍ପିତ ହେଲେ ଆମେ ବିଜୟୀ ଜୀବନ କାଟିପରିବା। ବହୁ ପରକ୍ରମୀ ନିଜକୁ ରକ୍ଷା କରିପାରି ନାହାନ୍ତି। ସେମାନଙ୍କର ସାମର୍ଥ ଗୌଣ ଦେଖାଯାଇଛି। ଏପରିକି ସେମାନେ ମଧ୍ଯ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇଛନ୍ତି। ସଦାପ୍ରଭୁଙ୍କ ଭୟକାରୀ ମାନଙ୍କର ପ୍ରାଣକୁ ରକ୍ଷା କରିବା ପାଇଁ ସେ କେବଳ ସମର୍ଥ। ସେଇ ଈଶ୍ୱର ଆମର ଅନନ୍ତ ରକ୍ଷାକାରୀ।


ପାପ ସ୍ଵୀକାରର ଅଫୁରନ୍ତ ଆନନ୍ଦ

ଗୀତ ୩୨:୧-୧୧


ଆଜିର ଚିନ୍ତା


ଆମର ପାପକୁ ଗୁପ୍ତ ରଖି ଆମେ ନିଜକୁ ନଷ୍ଟ କରିବାକୁ ଚେଷ୍ଟା କରୁଛୁ କି?


     ଈଶ୍ଵରଙ୍କ ସଦୃଶ୍ୟରେ ସୃଷ୍ଟ ହୋଇଥିବା ସର୍ବୋତ୍ତମ ସୃଷ୍ଟି - ଆଦମ ଓ ହବା କେବଳ ନିଜର ପାପ ଯୋଗୁ ପ୍ରଭୁଦତ୍ତ ସୁଖ, ଶାନ୍ତି, ପ୍ରାଚୁର୍ଯ୍ୟ, ସୁରକ୍ଷା ହରାଇ ବସିଲେ । ଏଦନ ପରି ଉଦ୍ୟାନରୁ ବିତାଡିତ ହେଲେ। ପାପର ପରିଣତି ଓ କଷାଘାତ ସବୁ ଧ୍ଵଂସ କରିଦିଏ । ସବୁ ସରଳତାକୁ ଜଟିଳତାରେ ପରିବର୍ତ୍ତିତ କରିଦିଏ । ମଙ୍ଗଳମୟ, କୃପାବନ୍ ସୃଷ୍ଟିକର୍ତ୍ତା ତାଙ୍କର ହାତଗଢା ମଣିଷକୁ କେବେ ନଷ୍ଟଭ୍ରଷ୍ଟ ହେବାକୁ ଦେବେ ନାହିଁ । ସେଥିପାଇଁ ସେ ପଥ ମଧ୍ୟ ସ୍ଥିର କରିଛନ୍ତି। ଅବୁଝା ପାପୀ ଯଦି ତା'ର ପାପ ସ୍ଵୀକାର କରେ, ସେ ତା'ର ଅମାପ ପାପ କ୍ଷମା ଦେଇ ତାଙ୍କର ନିଜର ସନ୍ତାନର ଅଧିକାର ଦେଇଥାନ୍ତି। ତେଣୁ ସତର୍କ ହେବା ଯେପରି ପାପକ୍ଷମା ପରେ ଆଉ ପାପ ନ କରୁ।

ପାପ ସ୍ଵୀକାର (୧-୫): ଈଶ୍ଵରଙ୍କ ମନର ମତ ବ୍ୟକ୍ତି ରାଜା ଦାଉଦ ସାମାନ୍ୟ ସୁଖ ଉପଭୋଗ ଓ  ମାନସିକ ଅଭିଳାଷକୁ ଏଡାଇ ନ ପାରି ପାପର ଯନ୍ତା ମଧ୍ୟରେ ପଡିଗଲେ। କିନ୍ତୁ ଯେତେବେଳେ ସେ ପାପ ବୋଧ ପାଇ, ଅନୁତାପ କରି ପାପକୁ ସ୍ଵୀକାର କଲେ, ସେତେବେଳେ ସବୁ ହରାଇଥିବା ବିଷୟକୁ ଫେରାଇ ଦେଇ ପ୍ରଭୁ ପୁନଃ ପ୍ରତିଷ୍ଠିତ କରିଦେଲେ। ଆମେ କ'ଣ ପାପର ଭୟଙ୍କରତାରୁ ମୁକ୍ତ ହେବାକୁ ଇଛା କରୁଛୁ? ନମ୍ର ଓ ଖେଦିତ ମନରେ ପାପକୁ ସ୍ଵୀକାର କରୁ। ସବୁ ଅଧର୍ମର ଆରୋପରୁ ସବୁଦିନ ପାଇଁ ସେ ମୁକ୍ତ କରିଦେବେ ଖ୍ରୀଷ୍ଟ ପାପର ଦଣ୍ଡ ସମସ୍ତଙ୍କ ପାଇଁ ଭୋଗ କରି ପାପର ଅଧିନତାରୁ ଆମ୍ଭମାନଙ୍କୁ ସ୍ଵାଧୀନତା ଦେଇଛନ୍ତି। ପାପକ୍ଷମାର ଆନନ୍ଦ ଅନୁଭବ କରି ଅନ୍ୟମାନଙ୍କୁ ମଧ୍ୟ ତାହା ଉପଲବ୍ଧ କରାଉ।


କ୍ଷମାକାରୀ ଈଶ୍ଵର (୬-୧୧): ଈଶ୍ଵର ତାଙ୍କ ନିକଟରେ ପ୍ରାର୍ଥନାକାରୀ ସଦ୍ ଭକ୍ତମାନଙ୍କୁ ଉଛୁଳା ମହା ଜଳରାଶିକୁ ସ୍ପର୍ଶ କରିବାକୁ ଦେବେ ନାହିଁ। ସମସ୍ତ ସଙ୍କଟରୁ ଅନ୍ତର କରି ତାଙ୍କ ଗୁପ୍ତ ସ୍ଥାନରେ ଆମକୁ ସୁରକ୍ଷା କରିବେ। ସେ ଆମକୁ ପରାମର୍ଶ ଦେବେ - ଆମର ଗନ୍ତବ୍ୟ ମାର୍ଗ ଶିଖାଇବେ। ସର୍ବଦା ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଉର୍ଦ୍ଧ୍ବରୁ ଆମ ଉପରେ ରଖିବେ। ମହାନ ସୁରକ୍ଷାକାରୀଙ୍କ ଦ୍ଵାରା ରକ୍ଷାପ୍ରାପ୍ତ  ଲୋକମାନଙ୍କର ସତ୍ୟ ଜୀବନ୍ତ କାହାଣୀ ଈଶ୍ଵରଙ୍କ ବାକ୍ୟରୁ ଜାଣିଲା ପରେ ଆମେ କ'ଣ ଦ୍ଵନ୍ଦରେ ପଡ଼ିବା? ସଦାପ୍ରଭୁଙ୍କ ଦତ୍ତ ଆନନ୍ଦ ଉଲ୍ଲାସକୁ ପ୍ରତ୍ୟାଖାନ ନ କରୁ।


Source: Dainik Aahar

ସମର୍ପିତ ଜୀବନ

 ସମର୍ପିତ ଜୀବନ

ପଠନ: ଗୀତ ୩୧:୧-୨୪

ଆଜିର ଚିନ୍ତା

 କ୍ଳେଶ ଓ ଦୁଃଖରେ ଆମେ ଆତଙ୍କିତ ହୋଇ ପଡୁ କି? 

        

        ସମଗ୍ର ବିଶ୍ବ ୨୦୧୯ ଡିସେମ୍ବର ଠାରୁ ଅଦ୍ୟାବଧି କୋଭିଡ ୧୯ ପରି ମହାମାରୀ ଦ୍ଵାରା ଆକ୍ରାନ୍ତ ହୋଇ ଅକଥନୀୟ ଦୁଃଖ ଯନ୍ତ୍ରଣା ମଧ୍ୟରେ ଗତି କରି ଆସିଛି ।ଆମେ କେତେ ପ୍ରିୟଜନଙ୍କୁ ହରେଇଛୁ ଅକାଳରେ ।ଏସବୁ ସମ୍ପୂର୍ଣ୍ଣ ଭାବରେ ଆମର ମାନସିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଛି । କିନ୍ତୁ ଧନ୍ୟ ସେ ଈଶ୍ୱର ସମୟର କର୍ତ୍ତା, ଅନୁଗ୍ରହରେ ଆମ୍ଭମାନଙ୍କୁ ଏକ ନୂତନ ବର୍ଷର ପ୍ରଥମ ଦିନରେ ପଦାର୍ପଣ କରାଇଅଛନ୍ତି ।

  

ଯନ୍ତ୍ରଣାଗ୍ରସ୍ତର ଅନ୍ତରର କଥା (୧-୮): ରଚକ ଦାଉଦ ତାଙ୍କ ଜୀବନରେ ଅଙ୍ଗେ ନିଭାଇଥିବା ଦୁର୍ଦ୍ଦଶା,ଦୁଃଖ,ପରୀକ୍ଷା, ଆକ୍ରମଣର ନିଚ୍ଛକ ସତ ଅନୁଭୂତିର ପୃଷ୍ଠ ଭୂମିରୁ ଆଜିକାର ଗୀତକୁ ରୂପ ଦେଇଛନ୍ତି ।ସେ ନିଜେ ଭାଙ୍ଗି ପଡିନାହାନ୍ତି କି ଆମକୁ ଭୟାତୁର କରିନାହାନ୍ତି । ସେ ନିଜର ଆତ୍ମାକୁ ଅଟଳ ବିଶ୍ଵାସରେ ମହସୁରକ୍ଷା ଦାତାଙ୍କ ନିକଟରେ ସମ୍ପୂର୍ଣ୍ଣ ସର୍ମପଣ କରି ଦେଇଅଛନ୍ତି (୫ପଦ) । ଖ୍ରୀଷ୍ଟ ମଧ୍ଯ କ୍ରୁଶର ଅସହ୍ୟ ଯନ୍ତ୍ରଣାକୁ ଅତିକ୍ରମ କରି ପିତାଙ୍କ ହସ୍ତରେ ନିଜକୁ ସମର୍ପଣ କରିଦେଲେ (ଲୁକ ୨୩:୪୬) ।ତାଙ୍କ ହାତଧରି ଯାତ୍ରା ଆରମ୍ଭ କରୁ ।ସେ ଆମ ପ୍ରାଣର ତତ୍ତ୍ୱ ନେବେ - ପ୍ରଶସ୍ତ ସ୍ଥାନରେ ଚରଣ ସ୍ଥାପନ କରିବେ । ସମ୍ପୂର୍ଣ୍ଣ ସମର୍ପଣ,ଆମକୁ ଗୌରବମଣ୍ଡିତ ଆନନ୍ଦଭରା ଜୀବନ ଦେବ ।   

  

ସମସ୍ତ ସମୟ ଈଶ୍ୱରଙ୍କ ହାତରେ (୯-୧୮): ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ରୂପ ଦେବର ଏକମାତ୍ର ପରମେଶ୍ଵର।  ଅତୀତରେ ଘଟିଯାଇଥିବା ବିପଦ,ରୋଗ ଦୁର୍ବଳତା, ନିନ୍ଦା ସମସ୍ତ ସେ ଜାଣିଛନ୍ତି। କାରଣ ସେ ସର୍ବଜ୍ଞତା।ଆମର ଦାୟିତ୍ବ କାତୋରୋକ୍ତି  କରି ତାଙ୍କ ଉପରେ ନିର୍ଭର କରିବା । ସ୍ନେହପୂର୍ଣ୍ଣ କରୁଣାରେ ତାଙ୍କ ହସ୍ତଗତ ସମୟକୁ ଅପେକ୍ଷା କରିବା। ଶତ୍ରୁ ଶୟତାନର ତାଡନା, ଫାନ୍ଦ ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ସେ ସମର୍ଥ ଈଶ୍ୱର।ସେ ଆମ ପ୍ରତି ଅହରହ ଦୃଷ୍ଟି ରଖି ଆମ୍ଭମାନଙ୍କୁ ପ୍ରତିଷ୍ଠିତ କରିବେ।


ସମର୍ପିତକାରୀର ପୁରସ୍କାର (୧୯-୨୪): ଶରଣାଗତଙ୍କ ପାଇଁ ସେ ମଙ୍ଗଳ ସଞ୍ଚୟ କରିଛନ୍ତି। ନିଜର ଆବାସରେ, ଶ୍ରୀ  ଛାମୁରେ ଆମକୁ ଗୋପନ କରି ରଖିବେ। ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରି ସମର୍ପିତକାରୀର ନିବେଦନ ଶୁଣିବେ। ବିଳମ୍ବ ନକରି ତାଙ୍କ ନିକଟରେ ଆମେ ନିଜକୁ ସମର୍ପଣ କରିଦେବା। ନୂତନ ବର୍ଷର ପ୍ରତ୍ୟେକ ମୁହୂର୍ତ୍ତ ସେ ଆମକୁ ବଳବାନ କରିବେ ଓ ସାହସିକ ଅନ୍ତଃକରଣ ଦେବେ ପୁଣି ଏହି ନୂତନ ବର୍ଷର ଯାତ୍ରାରେ ସେ ସହବର୍ତ୍ତି ହେବେ।

ଅଭିଯୋଗ ନାହିଁ

 ଅଭିଯୋଗ ନାହିଁ 

ଗଣନା ୧୪:୧-୧୨


ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର । (ଫିଲୀପ୍ପୀୟ ୧:୧୪)


ଯଦି ଆମେ ଗୋଟିଏ ଦିନ ପାଇଁ ଆମ କଥାବାର୍ତ୍ତାର ଏକ ରେକର୍ଡିଂ ଶୁଣିବା, ତେବେ ଆମେ ଯେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା, ଏଥିରେ ସନ୍ଦେହ ନାହିଁ । ଆମେ କେତେ ବିରକ୍ତ ହୋଇଛୁ ଓ କେତେ ଅଭିଯୋଗ କରିଛୁ ତାହା ଶୁଣି ଆମେ ଆଚମ୍ବିତ ହେବା । 


ପିଲାମାନେ ଗୃହ କାର୍ଯ୍ୟ କିମ୍ବା ବାସନ ଧୋଇବା ବିଷୟରେ ଅଭିଯୋଗ କରନ୍ତି । ପରିବାରର ପ୍ରତ୍ୟେକ ଜଣଙ୍କ ପଛରେ ଏତେ ଅଧିକ ସମୟ କାଟୁଥିବାରୁ ମା' ଅଭିଯୋଗ କରନ୍ତି । ପିତା ଗୃହକୁ ଫେରି ନିଜର କର୍ତ୍ତା ଓ କାର୍ଯ୍ୟ ବିଷୟରେ କଟୁ ମନ୍ତବ୍ୟ ଦିଅନ୍ତି । ଆଉ ଏହିପରି ଦିନସାରା ଲାଗିରହେ ।


 ଆଜିର ବାଇବଲ ପାଠରେ, ଆମେ ମିଶରରୁ ବାହାରି ଆସିଥିବା ଇସ୍ରାଏଲ ସନ୍ତାନଗଣର ଅଭିଯୋଗ ଶୁଣୁ (ଗଣନା ୧୪:୨-୩) । ସେମାନଙ୍କ ନିମନ୍ତେ ଈଶ୍ଵର କରି ସାରିଥିବା ସମସ୍ତ କାର୍ଯ୍ୟପରେ ସେମାନେ କୃତଜ୍ଞ ରହିବା ଓ ତାଙ୍କର ଆଜ୍ଞପାଳନ କରିବା ଉଚିତ୍ ଥିଲା । ମାତ୍ର ସେମାନଙ୍କର ଅବିଶ୍ବାସ ଓ ଅବଧ୍ୟତା ଯୋଗୁ, ଗୋଟିଏ ସମଗ୍ର ପିଢ଼ୀ ପ୍ରତିଜ୍ଞାତ ଦେଶରେ  ପହଞ୍ଚି ପାରି ନ ଥିଲେ (୨୩ପଦ)


ଆଜି ମଧ୍ୟ, ଅଭିଯୋଗକାରୀମାନେ ଈଶ୍ଵରଙ୍କର ଆଶୀର୍ବାଦ ହରାଇ ସେମାନଙ୍କ ଚତୁଃପାଶ୍ୱସ୍ଥ ଲୋକମାନଙ୍କ ମଧ୍ୟରେ ନିରୁତ୍ସାହ ପ୍ରସାରଣ କରୁଛନ୍ତି । ସେହି ପ୍ରକାର ମନୋଭାବ ଜଣେ ଖ୍ରୀଷ୍ଟ ଅନୁଗାମୀ ପାଇଁ ଅନୁପଯୁକ୍ତ ଅଟେ । ଅଗ୍ରଣୀ ମିଶନାରୀ ହଡ୍ ସନ୍ ଟେଲର୍ କହିଥିଲେ, "ତୁମେ ଜଣେ ଖ୍ରୀଷ୍ଟିୟାନ ହେଲେ ମଧ୍ୟ ତୁମର ପିତା ଓ ମାତା, ତୁମର ଭଉଣୀ ଓ ଭାଇ, ହଁ ଏପରିକି ତୁମ ଗୃହରେ ଥିବା ବିଲେଇ ଓ କୁକୁର ସୁଦ୍ଧା ଯଦି ସୁଖୀ ନୁହଁନ୍ତି, ତେବେ ତୁମେ ବାସ୍ତବରେ ଖ୍ରୀଷ୍ଟିୟାନ ଅଟ କିମ୍ବା ନୁହଁ, ଏହା ଏକ ପ୍ରଶ୍ନ ଅଟେ।"


ଆମର ବାକ୍ୟ ପ୍ରଭୁଙ୍କୁ ଗୌରବ ଦିଏ କି ? ତାଙ୍କୁ ବିଶ୍ଵାସ କରି ତାଙ୍କର ବାଧ୍ୟ ହେବା ପାଇଁ ଆମେ ଆନନ୍ଦ ଓ  ଉତ୍ସାହ ପ୍ରସାରଣ କରୁ କି ?