BN

ଇତିହାସରେ ବିଶ୍ଵାସର ଚେର

 ଇତିହାସରେ ବିଶ୍ଵାସର ଚେର

ଯୋହନ ୨୦:୧୯-୨୯

ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମର ବିଶ୍ଵାସ ନିଷ୍ଫଳ।

(୧ କର ୧୫:୧୭)


ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ ଜନ୍ ଏଫ୍ କେନ୍ନେଡିଙ୍କ ଜୀବନୀ ଉପରେ ଆଲିଭର ଷ୍ଟୋନ ଏକ ଚଳଚ୍ଚିତ୍ର ନିର୍ମାଣ କଲେ। ସେଥିରେ ସେ ଏନେକ ତଥ୍ୟକୁ ଅତିରଞ୍ଜିତ କଲେ, ଆଉ ଏହାକୁ ସଠିକ୍ ପ୍ରମାଣିତ କରିବା ନିମନ୍ତେ ସେ ସେ ଐତିହାସିକ ତଥ୍ୟଗୁଡ଼ିକୁ ଯେଉଁ ଦୃଷ୍ଟିକୋଣରୁ ତର୍ଜ୍ଜମା କରିଛନ୍ତି ସେଥିରେ ଥିବା ଐତିହାସିକ ସଠିକତାର କୌଣସି ଗୁରୁତ୍ଵ ନାହିଁ ବୋଲି କହିଲେ।

ପ୍ରଥମ ଶତାବ୍ଦୀରେ କେତେକ ଧାର୍ମିକ ନେତା ଯୀଶୁଙ୍କ ପୁନରୁତ୍ଥାନର ଅବତାରଣା କରିବା ନିମନ୍ତେ ଠିକ୍ ଏହି ପ୍ରକାରର ପଦ୍ଧତି ଅବଲମ୍ବନ କରିଥିଲେ। ଯେଉଁ ଅନ୍ୟ ଧର୍ମଗୁଡ଼ିକ ଶାରିରୀକ ବାସ୍ତବତାକୁ ସଙ୍କୁଚିତ କରୁଥିଲେ,ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ସେମାନେ ଦାବୀ କଲେ ଯେ, ଯୀଶୁ ଶାରିରୀକ ରୂପେ ଉତ୍ଥିତ ନ ହୋଇ ବରଂ ଆତ୍ମିକ ରୂପେ ଉତ୍ଥିତ ହୋଇଥିଲେ।


ପ୍ରେରିତ ପାଉଲ ଏହାକୁ ମନଗଢା କାହାଣୀ କହିଲେ। ସେ କରିନ୍ତୀୟମାନଙ୍କ ନିକଟକୁ ସଠିକ୍ ଐତିହାସିକ ପ୍ରମାଣର ଗୁରୁତ୍ବ ବିଷୟରେ ଲେଖିଲେ। ସେ ସେମାନଙ୍କୁ ସ୍ମରଣ କରାଇଦେଲେ ଯେ, ଯୀଶୁ ପିତର, ଅନ୍ୟ ପ୍ରେରିତ, ଯାକୁବ ଏବଂ ୫୦୦ରୁ ଉର୍ଦ୍ଧ୍ବ ଅନ୍ୟ ଲୋକମାନଙ୍କୁ ଏକ ସମୟରେ ଦେଖା ଦେଇଥିଲେ (୧ କର ୧୫:୫-୮)। ଏହି ପ୍ରତ୍ୟକ୍ଷଦର୍ଶୀମାନଙ୍କ ମଧ୍ୟରୁ ଅଧିକାଂଶ ସେ ପର୍ଯ୍ୟନ୍ତ ଜୀବିତ ଥିଲେ। ଏଣୁ ଯୀଶୁଙ୍କ ପୁନଉତ୍ଥିତ ଶରୀର ଯେ ତାଙ୍କର ମୃତ୍ୟୁ ପୂର୍ବ ଶରୀର ସଦୃଶ୍ୟ ଥିଲା, ଏବଂ ଏହା ନୂତନ ଶକ୍ତି ଗୁଡ଼ିକରେ ପରିପୂର୍ଣ୍ଣ ଥିଲା, ଏହି ବିଷୟରେ ସେମାନେ ସେତେବେଳେ ସେମାନଙ୍କୁ ସାକ୍ଷ୍ୟ ଦେଇଥିଲେ।

ଖ୍ରୀଷ୍ଟିୟ ବିଶ୍ୱାସର ସତ୍ୟତା ନିମନ୍ତେ ଐତିହାସିକ ସଠିକତା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପପୁନଉତ୍ଥାନ ଯୀଶୁଙ୍କ ଇଶ୍ୱରତ୍ଵ, ତାଙ୍କର ମୁକ୍ତି ପ୍ରଦାନକାରୀ  ମୃତ୍ୟୁର ପୂର୍ଣ୍ଣତା, ଆଉ ଅନନ୍ତ ଜୀବନର ଆଶା ବିଷୟ ପ୍ରମାଣ ସିଦ୍ଧ କରେ। ଯୀଶୁ ଙ୍କ ଠାରେ ବିଶ୍ଵାସ ରଖିବା ଅର୍ଥ ସତ୍ୟକୁ ବିଶ୍ଵାସ କରିବା। କାରଣ ଏହି ସତ୍ୟ ଐତିହାସିକ।

ନେତୃତ୍ଵ ଶିକ୍ଷା

 ନେତୃତ୍ଵ ଶିକ୍ଷା

ଯିହୋଶୂୟ ୧:୧-୯

…...ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ବାସୀମାନଙ୍କର ଆଦର୍ଶସ୍ୱରୂପ ହୁଅ। 

(୧ ତିମଥି ୪:୧୨)

ଆପଣ ଜଣେ ନେତା ଅଟନ୍ତି । ହଁ, ଆପଣ ! ଆପଣ ହୁଏତ ରାଷ୍ଟ୍ରପତି କିମ୍ବା ଗୋଟିଏ  ଅନୁଷ୍ଠାନର ପରିଚାଳକ ହୋଇ ନ ପାରନ୍ତି।  ମାତ୍ର ଅନ୍ୟମାନଙ୍କର ନେତୃତ୍ଵ ନେବା ପାଇଁ ଅପଣଙ୍କୁ ଆହ୍ୱାନ କରାଯିବ। 


       ଆପଣ ବିଦ୍ୟାଳୟରେ ଶିକ୍ଷା ଦେଉଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଜଣେ ପିତା କିମ୍ବା ମାତା ଅଟନ୍ତି କି? ତେବେ ଆପଣ ଜଣେ ନେତା । ଚାକିରୀ କରନ୍ତି କି? ଆପଣ ଜଣେ ନେତା । ଆପଣଙ୍କ ବନ୍ଧୁମାନେ ଅଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଯାହା ହୋଇଥାନ୍ତୁ, ଅନ୍ୟମାନେ ଆପଣଙ୍କୁ ଦେଖୁଛନ୍ତି ଓ ଆପଣଙ୍କ ଦୃଷ୍ଟାନ୍ତ ଦ୍ଵାରା ପ୍ରଭାବିତ ହେଉଛନ୍ତି । କେହି ଜଣେ କହିଛନ୍ତି, "ଜଣେ ଉତ୍ତମ ନେତା ସେ ଅଟନ୍ତି, ଯିଏ ପଥ ଜାଣନ୍ତି, ସେହି ପଥରେ ଯାଆନ୍ତି ଓ ସେହି ପଥ ଦେଖାନ୍ତି ।"

ଯିହୋଶୂୟ ସେହିପରି ଥିଲେ। ସେ ପଥ ଜାଣିଥିଲେ ଓ ସଦାପ୍ରଭୁଙ୍କର ଆଜ୍ଞାବହ ହୋଇ ସେହି ପଥରେ ଯାଇଥିଲେ ଓ ଦାସ- ନେତୃତ୍ଵ ଯୋଗାଇବା ଦ୍ଵାରା ସେ ପଥ ପ୍ରଦର୍ଶନ କରିଥିଲେ । 

ଯିହୋଶୂୟଙ୍କୁ ଈଶ୍ଵର ଯାହା କହିଥିଲେ, ତା' ପ୍ରତି ଦୃଷ୍ଟିପାତ କରନ୍ତୁ-

  • ବଳବାନ୍ ଓ ସାହସିକ ହୁଅ (୬ପଦ) ।

  • ଜୀବନ ଯାପନ ପାଇଁ ଈଶ୍ଵରଙ୍କ ସମସ୍ତ ବ୍ୟବସ୍ଥା ପାଳନ କର (୭ପଦ)

  • ଈଶ୍ୱର ଯାହା କହିଛନ୍ତି, ସେ ବିଷୟରେ ପ୍ରାୟ ଚିନ୍ତା କର (୮ପଦ)

  • ଈଶ୍ୱର ତୁମର ସହବର୍ତ୍ତୀ ବୋଲି ମନେରଖ (୯ପଦ)


     ଆମେ ନେତୃତ୍ୱର ଏହି ସମସ୍ତ ଶିକ୍ଷାକୁ ମନ ମଧ୍ୟରେ ରଖିବା ଆବଶ୍ୟକ, କାରଣ ଲୋକମାନେ ଆମର ଦୃଷ୍ଟାନ୍ତ ଅନୁସରଣ କରୁଛନ୍ତି।ଯଦି ଆମେ ସେଗୁଡିକୁ ଉତ୍ତମ ଭାବେ ଶିକ୍ଷା କରିବା, ତେବେ ଆମେ ସେହି ମାର୍ଗ ଜାଣିବା, ସେଥିରେ ଗମନ କରିବା ଓ ଅନ୍ୟମାନଙ୍କୁ ଦେଖାଇବା, ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ - ପୁଣି ଆମେ ଉତ୍ତମ ନେତା ହୋଇପାରିବା ।

ଆପଣ କାର୍ଯ୍ୟ କରୁଅଛନ୍ତି କି?

 ଆପଣ କାର୍ଯ୍ୟ କରୁଅଛନ୍ତି କି ? 

ଏଫିସୀୟ ୪:୭-୧୬

……. ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ……(ଶରୀର) ନିଜର ବୃଦ୍ଧିସାଧନ କରୁଅଛି। (ଏଫିସୀୟ୪:୧୬)


ମୁଁ ଏପରି ଗୋଟିଏ ରାସ୍ତାରେ ଗାଡ଼ି ଚଳାଉଥିଲି, ଯେଉଁ ରାସ୍ତାରେ ପ୍ରାୟ କେହି ଯାତ୍ରା କରନ୍ତି ନାହିଁ । ହଠାତ୍, ମୋର ଗାଡ଼ି ଧୀର ହୋଇଗଲା, ଓ ଗୋଟିଏ ମୁହୂର୍ତ୍ତ ପାଇଁ ଫଟ୍ ଫଟ୍ ଶବ୍ଦ କରି ଗୋଟିଏ ଶେଷ ଝଟକା ସହିତ ବନ୍ଦ ହୋଇଗଲା। ସେଠାରେ ମୋ' ପାଖରେ କେବଳ ଗୋଟିଏ ପେଚକଷ ଓ ଗୋଟିଏ ପ୍ଲାସ ଥିଲା ଓ ଗୋଟିଏ ମରାମତି ମିସ୍ତ୍ରୀଠାରୁ ମୁଁ ମାଇଲ୍ ମାଇଲ୍ ଦୂରରେ ଥିଲି । ପୁଣି ମୁଁ କାର୍ ଇଞ୍ଜିନ୍ ବିଷୟରେ କିଛି ଜାଣି ନ ଥିଲି । 


ମୁଁ କାରର ହୁଡ ଟେକି ଚାରିଆଡ଼କୁ ଚାହିଁଲି, ମାତ୍ର ସବୁ କିଛି ଠିକ୍ ଥିଲା ଭଳି ଲାଗିଲା। ସେତେବେଳେ ସେହି ବାଟ ଦେଇ ମୋର ଜଣେ ବନ୍ଧୁ ଆସୁଥିଲେ । ସେ କାରର କାରବ୍ୟୁରେଟର ଖୋଲି କହିଲେ, "ଯଥେଷ୍ଟ ତେଲ ଅଛି ।" ଏହାପରେ ସେ ପେଚକଷକୁ କିଛି ବିଦ୍ୟୁତ୍ ଯୋଗାଯୋଗ ମଧ୍ୟରେ ରଖିଲେ ଓ କହିଲେ, "ଆହା - ବିଦ୍ୟୁତ୍ ପ୍ରବାହ ବିଚ୍ଛିନ୍ନ ହୋଇଛି । "ଅତି ଶୀଘ୍ର ସେ ଏପରି ଗୋଟିଏ ହୁଗୁଳା ତାର ଆବିଷ୍କାର  କଲେ, ଯାହା ମୋଟରର ଗତିକୁ ବନ୍ଦ କରି ଦେଇଥିଲା । 


ଠିକ୍ ଯେପରି ଇଞ୍ଜିନ୍ନର କ୍ଷୁୁଦ୍ର ଅଂଶଗୁଡିକ ଏହାକୁ  ଗତିଶୀଳ ରଖିବାରେ ଅପରିହାର୍ଯ୍ୟ ଅଟନ୍ତି, ସେହିପରି ଖ୍ରୀଷ୍ଟଙ୍କ ଶରୀରରର ଅର୍ଥାତ୍ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆପଣଙ୍କ କାର୍ଯ୍ୟ ସମ୍ପନ୍ନ କରିବାରେ ବିଫଳତା ହୁଏତ ସମଗ୍ର ଶରୀରକୁ ଯଥାର୍ଥଭାବେରେ କାର୍ଯ୍ୟକ୍ଷମ ହେବାରେ ବାଧା ଦେଇପାରେ ।ପ୍ରାର୍ଥନା କରିବାରେ ଆପଣଙ୍କ ବିଫଳତା  ହୁଏତ ଶକ୍ତି ହ୍ରାସର କାରଣ ହୋଇପାରେ । ସାକ୍ଷ୍ୟ ଦେବାରେ ଆପଣଙ୍କ ବିଫଳତା ଯୋଗୁ ହୁଏତ କେହି ଜଣେ ସୁସମାଚାର ଶୁଣେ ନାହିଁ । ମଣ୍ଡଳୀକୁ ଆପଣଙ୍କ ଅର୍ଥ ସହାୟତାରେ ବିଫଳତା ହୁଏତ ପ୍ରଚାର କାର୍ଯ୍ୟ କିମ୍ବା ସେବାକାର୍ଯ୍ୟକୁ ହ୍ରାସ କରିପାରେ । ଆପଣଙ୍କ କ୍ଷୁଦ୍ର ଭୂମିକାକୁ ଯଦି ଅବହେଳା କରାଯାଏ, ତେବେ ଏହା ବଡ଼ ବଡ଼  ସମସ୍ୟା ସୃଷ୍ଟି କରିପାରେ । ଆପଣ ନିଜର କାର୍ଯ୍ୟ କରୁଅଛନ୍ତି କି !

ଭୁଲ ନାମର ବ୍ଯବହାର

 ଭୁଲ ନାମର ବ୍ଯବହାର

ଯିଶାଇୟ ୫ : ୧୮-୨୫

ଯେଉଁମାନେ ମନ୍ଦ କୁ ଭଲ ଓ ଭଲ କୁ ମନ୍ଦ କହନ୍ତି…. ସେମାନେ ସନ୍ତାପର ପାତ୍ର।      (ଯିଶାଇୟ୫:୨୦)


ଗୋଟିଏ ସମ୍ବାଦ ପତ୍ରର ଲେଖକ ବିଜ୍ଞାପନରେ ସତ୍ୟକୁ ଯେପରି ଭାବରେ ସଂପ୍ରସାରଣ କରାଯାଏ, ସେଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବୋଷ୍ଟାନର ଗୋଟିଏ ଭୋଜନାଳୟରେ ଖାଦ୍ୟ ତାଲିକା ଦେଖି ସେ 'ସତେଜ ଫଳର ସାଲାଡ୍ ମାଗାଇଥିଲେ ବୋଲି ସ୍ମରଣ କରିଥଲେ। ମାତ୍ର ଯେତେବେଳେ ସେହି ଖାଦ୍ୟ ପରଷା ଗଲା, ସେତେବେଳେ ସେଥିରେ ସତେଜ ଫଳର ଚିହ୍ନବର୍ଣ୍ଣ ନ ଥିଲା । ଅଙ୍ଗୁର, ସପୁରୀ, ଚେରୀ ଇତ୍ୟାଦି ଫଳ ଗୁଡ଼ିକ ଟିଣ ଡ଼ବାରେ ଅନେକ ମାସ ବିତାଇ ନିଜ ନିଜର ରସ ସବୁ ନିଗାଡି ଦେଇଥିଲେ।' ସତେଜ' ଫଳ ସାଲାଡ୍ ର ଏପରି ଅବସ୍ଥା ବିଷୟରେ ଯେତେବେଳେ ପରିବେଷଣକାରୀ ମହିଳାଙ୍କୁ ପଚରା ଗଲା, ସେତେବେଳେ ସେ ଖୁସିରେ ଉତ୍ତର ଦେଇଥିଲେ, "ଓଃ, ପ୍ରିୟ ବନ୍ଧୁ, ସେମାନେ ଏହାକୁ ଏହିପରି ନାମ ଦେଇଛନ୍ତି ।" 

ଏହିପ୍ରକାର ପ୍ରତାରଣା କେବଳ ବିଜ୍ଞାପନରେ ଦେଖିବାକୁ ମିଳେ ନାହିଁ, ଏହା ସେତେବେଳେ ମଧ୍ୟ ଘଟେ, ଯେତେବେଳେ ଲୋକମାନେ ଈଶ୍ୱରଙ୍କ ସତ୍ୟ ଓ ଉତ୍ତମତାର ନିୟମରୁ ଦୂରେଇ ଯାଆନ୍ତି। ପ୍ରତାରଣା, ଭୁଲ୍ ନାମର ବ୍ଯବହାର ଓ ପ୍ରକାଶ୍ୟ ମିଥ୍ୟା ଗୋଟିଏ ଅନୈତିକ ବ୍ୟକ୍ତିର ବ୍ୟବସାୟିକ ଉପକରଣ ଅଟେ। ସ୍ୱାର୍ଥପର ଓ ଦୁଷ୍ଟ ଲୋକମାନେ ନିଜ ନିଜକୁ ଉଦାର ଓ ଉତ୍ତମ ବୋଲି କହନ୍ତି, ପାପର ଦାସମାନେ ନିଜ ନିଜକୁ ମୁକ୍ତ ବୋଲି କହନ୍ତି। ମୂର୍ଖମାନେ ନିଜ ନିଜକୁ ଜ୍ଞାନୀ ବୋଲି କହନ୍ତି। ପୁଣି ଲାଳସାରେପୂର୍ଣ୍ଣ  ଲୋକମାନେ ସେମାନଙ୍କର କାର୍ଯ୍ୟକୁ ପ୍ରେମ ବ୍ୟାପର ଭାବନାରେ ବର୍ଣ୍ଣନା କରନ୍ତି ଈଶ୍ୱର ଏପରି ଭୁଲ୍ ସଂଜ୍ଞା ଦ୍ଵାରା ପ୍ରତାରିତ ହୁଅନ୍ତି ନାହିଁ । ଯିଶାଇୟ ୫:୨୦ ରେ ସେ ସେହି ଲୋକମାନଙ୍କ ବିଷୟରେ ସତର୍କ କରିଦେଇଥିଲେ, ଯେଉଁମାନେ 'ମନ୍ଦକୁ ଭଲ, ଓ ଭଲ କୁ ମନ୍ଦ' ବୋଲି କହନ୍ତି। ଆମେ ସମସ୍ତ ସତ୍ୟ ସମ୍ବନ୍ଧରେ ଈଶ୍ୱରଙ୍କଠାରୁ ଆମର ସଂଜ୍ଞା ଗ୍ରହଣ କରିବା। ତାଙ୍କ ନିକଟରେ କୌଣସି ଭୂଲ୍ ନାମ କିମ୍ବା ସଂଜ୍ଞା ନାହିଁ।

ଚିକଣ କୁହା

 ଚିକଣ  କୁହା

ତିତସ୍ ୧:୫-୧୬

କିନ୍ତୁ ତୁମ୍ଭେ ହିତାଜନକ ଶିକ୍ଷାରେ  ଉପଯକ୍ତ କଥା କୁହ

(ତିତସ୍ ୨:୧)

 'ବାଗ୍ମୀତା,' ଅର୍ଥାତ୍ ବକୃତା ଦେବାର ଦକ୍ଷତା କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ବ୍ୟଙ୍ଗସୂଚକ ମନ୍ତବ୍ୟ ଦେଇ କହିଥିଲେ , "ଯଦି ଆପଣ କଳା କୁ ଧଳା କହନ୍ତି, ତେବେ ତାହା ମୂର୍ଖତା ଅଟେ । ମାତ୍ର ଯଦି ଆପଣ କଳା କୁ ଧଳା କହିବା ସମୟରେ ଗୋଟିଏ ବଳଦ ଭଳି ଗର୍ଜନ କରନ୍ତି, ଉଭୟ ହାତକୁ ମୁଠା କରି ମେଜ କୁ ଆଘାତ କରନ୍ତି, ଓ ମଞ୍ଚର ଗୋଟାଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବା ଆସିବା କରୁଥାନ୍ତି, ତେବେ ତାହା ବାଗ୍ମୀତା ଅଟେ। 

ଲୋକମାନେ ନିଜ ନିଜକୁ ଯେପରି ଭାବରେ ପ୍ରକାଶ କରନ୍ତି, ତଦ୍ୱାରା ଆମେ ଅତିଶୀଘ୍ର ଅଭିଭୂତ ହୋଇଯାଇପାରୁ, ଯଦିଓ ସେମାନଙ୍କ ବାର୍ତ୍ତା  ବିଷୟରେ ଆମ ମନରେ କିଛି ସନ୍ଦେହ ରହିଥାଏ। ଯିହୁଦା ସେହି  ଲୋକମାନଙ୍କ ବିଷୟରେ ଆମକୁ ସତର୍କ କରି ଦେଇଛନ୍ତି, ଯେଉଁମାନଙ୍କର 'ମୁଖ ବଡ଼ ବଡ଼ କଥା କୁହେ' (୧୬) ପଦ ଲୋକମାନେ, ପ୍ରାୟତଃ  ବିଷୟବସ୍ତୁ ଅପେକ୍ଷା ଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। 

ପାଉଲଙ୍କ ଅନୁସାରେ, ଏପରି ସମୟ ଆସିବ, ଯେତେବେଳେ ଲୋକମାନେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କେବଳ ସେହି ଲୋକମାନଙ୍କୁ ସହ୍ୟ କରିବେ, ଯେଉଁ ମାନେ ମଜାଳିଆ କଥା କହି ଲୋକମାନଙ୍କୁ ସନ୍ତୁଷ୍ଟ କରନ୍ତି (୨ ତିମଥି ୪:୩-୪)


ସେଥିପାଇଁ ଆମେ ଶୁଣୁଥିବା ପ୍ରତ୍ୟେକଟି  କଥା କୁ ଧର୍ମଶାସ୍ତ୍ରର

ଆଲୋକରେ ସାବଧାନତାର ସହିତ ବିଶ୍ଳେଷଣ ଓ ମୂଲ୍ୟାଙ୍କନ କରିବାକୁ ହେବ ଏପରିକି ଅତି ଦକ୍ଷ ବକ୍ତାମାନଙ୍କ ଶିକ୍ଷା କୁ ମଧ୍ୟ ପରୀକ୍ଷା କରିବାକୁ ହେବ । ସାଧାରଣ ବାଗ୍ମୀତା ଦ୍ଵାରା, ବିଶେଷ ଭାବରେ, ମଣ୍ଡଳୀ ଗୁଡ଼ିକରେ ପ୍ରଦତ୍ତ ଆଡମ୍ବର  ପୂର୍ଣ୍ଣ ବକୃତା ଦ୍ଵାରା ନିଜ ନିଜକୁ ଭସାଇ ନେବା ପାଇଁ ଆମେ ଅନୁମତି ଦେବା ନାହିଁ।

ଆପଣଙ୍କୁ ଦ୍ଵନ୍ଦଗ୍ରସ୍ତ କରିବା ପାଇଁ 'ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକମାନଙ୍କୁ  ଅନୁମତି ଦିଅନ୍ତୁନାଇ । ବାଗ୍ମୀତା ଆଦୌ ସତ୍ୟର ଏକ ପ୍ରତିବଦଳ ନୁହେଁ।