BN

ଚିକଣ କୁହା

 ଚିକଣ  କୁହା

ତିତସ୍ ୧:୫-୧୬

କିନ୍ତୁ ତୁମ୍ଭେ ହିତାଜନକ ଶିକ୍ଷାରେ  ଉପଯକ୍ତ କଥା କୁହ

(ତିତସ୍ ୨:୧)

 'ବାଗ୍ମୀତା,' ଅର୍ଥାତ୍ ବକୃତା ଦେବାର ଦକ୍ଷତା କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ବ୍ୟଙ୍ଗସୂଚକ ମନ୍ତବ୍ୟ ଦେଇ କହିଥିଲେ , "ଯଦି ଆପଣ କଳା କୁ ଧଳା କହନ୍ତି, ତେବେ ତାହା ମୂର୍ଖତା ଅଟେ । ମାତ୍ର ଯଦି ଆପଣ କଳା କୁ ଧଳା କହିବା ସମୟରେ ଗୋଟିଏ ବଳଦ ଭଳି ଗର୍ଜନ କରନ୍ତି, ଉଭୟ ହାତକୁ ମୁଠା କରି ମେଜ କୁ ଆଘାତ କରନ୍ତି, ଓ ମଞ୍ଚର ଗୋଟାଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବା ଆସିବା କରୁଥାନ୍ତି, ତେବେ ତାହା ବାଗ୍ମୀତା ଅଟେ। 

ଲୋକମାନେ ନିଜ ନିଜକୁ ଯେପରି ଭାବରେ ପ୍ରକାଶ କରନ୍ତି, ତଦ୍ୱାରା ଆମେ ଅତିଶୀଘ୍ର ଅଭିଭୂତ ହୋଇଯାଇପାରୁ, ଯଦିଓ ସେମାନଙ୍କ ବାର୍ତ୍ତା  ବିଷୟରେ ଆମ ମନରେ କିଛି ସନ୍ଦେହ ରହିଥାଏ। ଯିହୁଦା ସେହି  ଲୋକମାନଙ୍କ ବିଷୟରେ ଆମକୁ ସତର୍କ କରି ଦେଇଛନ୍ତି, ଯେଉଁମାନଙ୍କର 'ମୁଖ ବଡ଼ ବଡ଼ କଥା କୁହେ' (୧୬) ପଦ ଲୋକମାନେ, ପ୍ରାୟତଃ  ବିଷୟବସ୍ତୁ ଅପେକ୍ଷା ଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। 

ପାଉଲଙ୍କ ଅନୁସାରେ, ଏପରି ସମୟ ଆସିବ, ଯେତେବେଳେ ଲୋକମାନେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କେବଳ ସେହି ଲୋକମାନଙ୍କୁ ସହ୍ୟ କରିବେ, ଯେଉଁ ମାନେ ମଜାଳିଆ କଥା କହି ଲୋକମାନଙ୍କୁ ସନ୍ତୁଷ୍ଟ କରନ୍ତି (୨ ତିମଥି ୪:୩-୪)


ସେଥିପାଇଁ ଆମେ ଶୁଣୁଥିବା ପ୍ରତ୍ୟେକଟି  କଥା କୁ ଧର୍ମଶାସ୍ତ୍ରର

ଆଲୋକରେ ସାବଧାନତାର ସହିତ ବିଶ୍ଳେଷଣ ଓ ମୂଲ୍ୟାଙ୍କନ କରିବାକୁ ହେବ ଏପରିକି ଅତି ଦକ୍ଷ ବକ୍ତାମାନଙ୍କ ଶିକ୍ଷା କୁ ମଧ୍ୟ ପରୀକ୍ଷା କରିବାକୁ ହେବ । ସାଧାରଣ ବାଗ୍ମୀତା ଦ୍ଵାରା, ବିଶେଷ ଭାବରେ, ମଣ୍ଡଳୀ ଗୁଡ଼ିକରେ ପ୍ରଦତ୍ତ ଆଡମ୍ବର  ପୂର୍ଣ୍ଣ ବକୃତା ଦ୍ଵାରା ନିଜ ନିଜକୁ ଭସାଇ ନେବା ପାଇଁ ଆମେ ଅନୁମତି ଦେବା ନାହିଁ।

ଆପଣଙ୍କୁ ଦ୍ଵନ୍ଦଗ୍ରସ୍ତ କରିବା ପାଇଁ 'ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକମାନଙ୍କୁ  ଅନୁମତି ଦିଅନ୍ତୁନାଇ । ବାଗ୍ମୀତା ଆଦୌ ସତ୍ୟର ଏକ ପ୍ରତିବଦଳ ନୁହେଁ।



ସ୍ୱର୍ଗୀୟ ଗୃହ

 ସ୍ୱର୍ଗୀୟ ଗୃହ

କଲସୀୟ ୩:୧-୬

ପାର୍ଥିବ ବିଷୟରେ ଆସକ୍ତ ବା ନ ହୋଇ ଉର୍ଦ୍ଧ୍ବସ୍ଥ ବିଷୟରେ ଆସକ୍ତ ହୁଅ।   (କଲସୀୟ ୩:୨)


ଯୀଶୁଙ୍କର ଶିଷ୍ୟଭାବେ ମୋର ସ୍ୱର୍ଗୀୟ ଗୃହ ସହ ସଂଯୋଗ ରହିବା ଉଚିତ୍ ପାଉଲ କହନ୍ତି, "ଉର୍ଦ୍ଧ୍ବସ୍ଥ ବିଷୟ ପ୍ରତି ଆସକ୍ତ ହୁଅ" (କଲସୀୟ ୩:୧-୨) ଆମର ମାଣ୍ଡଳୀକ ସାମାଜିକ ଜୀବନର ନିୟନ୍ତ୍ରଣ କକ୍ଷ ସ୍ୱର୍ଗ ଅଟେ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଯେପରି ସେନାଧ୍ୟକ୍ଷର ଆଦେଶ ପ୍ରତି ମନୋଯୋଗ କରେ, ଆମକୁ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଆଦେଶ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ। ଜଣେ ଯୋଦ୍ଧା ସ୍ଵାଧୀନ ଚିନ୍ତାଧାରା ସମ୍ବଳିତ କାର୍ଯ୍ୟ ବା ନିଜ ପରିକଳ୍ପିତ  ଯୋଜନା କରି ନ ଥାଏ।

ସେ ଆପଣା ଉପରିସ୍ଥଙ୍କ ନିର୍ଦ୍ଦେଶ ପ୍ରତି ଅପେକ୍ଷା କରେ ଓ ତାଙ୍କ ନିର୍ଦ୍ଦେଶରେ ଅଗ୍ରସର ହୁଏ। ଯେହେତୁ ସେ ଜାଣେ ଯେ, ତାଙ୍କ ଆଦେଶ ବିନା ଅଗ୍ରସର ହେଲେ ସେ ଭୟଙ୍କର ବିପଦର ସମ୍ମୁଖୀନ ହେବ।

ଆମ ଜୀବନର ବିଫଳତା ପାଇଁ ଆମେ ଦାୟୀ। ଆମେ ନିଜର ଶାରୀରିକ ଅଭିଳାଷ ଓ ଚକ୍ଷୁର ଅଭିଳାଷ ଚରିତାର୍ଥ କରିବା ପାଇଁ ପ୍ରଭୁଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁ। ସମୟେ ସମୟେ ଆମେ ସଠିକ୍ ପଥ ଜାଣିଲେ ମଧ୍ୟ ଲୋକଭୟ ବା ଅନ୍ୟମାନଙ୍କର  ହସ୍ତକ୍ଷେପ ହେତୁ ସେହି ପଥରେ ଯାଇ ନ ଥାଉ। ତେବେ ସ୍ୱର୍ଗୀୟ ବିଷୟ ସକଳ ପ୍ରତି ଧ୍ୟାନ ଦେଲେ ଆମର ଆଚରଣରେ ଘୋର ପରିବର୍ତ୍ତନ ଆସିବ। ତେବେ ସ୍ୱର୍ଗରେ କେଉଁ ବିଷୟକୁ ପ୍ରାଧାନ୍ୟ ଦିଆଯାଏ ବା ସେଥିପାଇଁ ଆବଶ୍ୟକୀୟ ବିଷୟଗୁଡ଼ିକ କ'ଣ ତାହା ଆମେ ଜାଣିବା ଆବଶ୍ୟକ। ଆମେ ଜଗତରେ ଯେ ସକଳ କାର୍ଯ୍ୟରେ ବ୍ୟସ୍ତ ଓ ଚିନ୍ତାଗ୍ରସ୍ତ, ସ୍ବର୍ଗରେ ତାହାର କି ମୂଲ୍ୟ ଅଛି? ଯଦି ଆମେ ଆମର ନିୟନ୍ତ୍ରଣ କକ୍ଷ, ସ୍ୱର୍ଗର ଅଧିକାରୀ  ଯୀଶୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ଓ ତାହାଙ୍କ ବାକ୍ୟ ଦିବାରାତ୍ର ଧ୍ୟାନ କରିବା, ତା' ହେଲେ ଆମ ଜୀବନରେ କାହାକୁ ଅଗ୍ରାଧିକାର ଦେବା, ତାହା ଜାଣିପାରିବା। ତାଙ୍କ କର୍ତ୍ତୃତ୍ୱାଧୀନ ହେଲେ ଆମ ଜୀବନ ଆଶୀର୍ବାଦ ପାଇବ, ସେ ସେଥିରେ ଦୁଃଖ ଯୋଗ କରିବେ ନାହିଁ।

ଏକ ହତ୍ୟାର ଇତିହାସ

 ଏକ ହତ୍ୟାର ଇତିହାସ

ମାଥିଉ ୫:୨୧-୨୬

କଳିର ଆରମ୍ଭ ହେଉଛି (ବନ୍ଧ କାଟି) ଜଳ ଛାଡ଼ି ଦେବା ପରି, ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼ । (ହିତ ୧୭:୧୪)


ସମ୍ବାଦପତ୍ରରେ ଗୋଟିଏ ଦକ୍ଷିଣ ଆଫ୍ରିକୀୟ ଦେଶରେ ଘଟିଥିବା ହିଂସାତ୍ମକ ଦୁଃଖଦ ଘଟଣାର ସମ୍ବାଦ ଦେଇଥିଲା । ଗୋଟିଏ କୃଷକ ନିଜର ସର୍ବୋତ୍ତମ ବନ୍ଧୁଙ୍କ ସହିତ ରାଜନୈତିକ ମତଭେଦ ବିଷୟରେ ଯୁକ୍ତି ତର୍କ କରୁ କରୁ ତାଙ୍କୁ ହତ୍ୟା କରିଥିଲେ । ସେ ଏପରି କାହିଁକି କଲେ ବୋଲି ପ୍ରଶ୍ନ କରାଯିବାରୁ ସେ ପ୍ରୀତିଭଦ ବାକ୍ୟରେ ଉତ୍ତର ଦେଇଥିଲେ, "ଆମେ ଶାନ୍ତିରେ କଥାବାର୍ତ୍ତା ଆରମ୍ଭ କରିଥିଲୁ, ଓ ଏହାପରେ ଯୁକ୍ତିତର୍କ କରିଥିଲୁ। ଯେତେବେଳେ ସେ କଥା କହିବାର ସୀମା ଟପିଗଲା, ସେତେବେଳେ ମୁଁ ତାକୁ ହତ୍ୟା କଲି ।" 


ଏହି ଦୁଃଖଦ ଘଟଣା କ୍ରୋଧ ଓ ନରହତ୍ୟା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ସମ୍ବନ୍ଧରେ ମାଥିଉ ୫ ପର୍ବ ରେ ଯୀଶୁଙ୍କ ଶିକ୍ଷା କୁ ମନେ ପକାଇଦିଏ । ପ୍ରଥମେ ସେ କ୍ରୋଧର ଗାମ୍ଭୀର୍ଯ୍ୟ ଉପରେ ଗୁରୁତ୍ବ ଦେଇଥିଲେ (୨୧-୨୨ପଦ) ନରହତ୍ୟା ସଦୃଶ୍ୟ, ଈର୍ଷାଜନିତ କ୍ରୋଧକୁ ଈଶ୍ଵର ଦଣ୍ଡ ଦେବେ ବୋଲି ସେ ସତର୍କ କରିଦେଇଥିଲେ । ଏହାପରେ ସେ ଜଣେ ବ୍ୟକ୍ତିର ଅନ୍ୟପ୍ରତି ଥିବା କ୍ରୋଧ ଭାବକୁ ଦୂର କରିବା ପାଇଁ ବ୍ୟବହାରିକ ଉପଦେଶ ଦେଇଥିଲେ (୨୩-୨୬ପଦ)


 ଆମେ ଆମର ଆଭ୍ୟନ୍ତରୀଣ କ୍ରୋଧ ପ୍ରତି ନିକଟରୁ ଦୃଷ୍ଟିପାତ କରିବା ଉଚିତ୍ । ଆମେ ଏହାକୁ ନିୟନ୍ତ୍ରଣ କରିପାରିବୁ ବୋଲି ଭାବିପାରୁ । ଦୂର୍ଭାଗ୍ୟବଶତଃ, ଆମର ଶତ୍ରୁତାଭାବ ଆମକୁ ପ୍ରାୟ ନିୟନ୍ତ୍ରଣ କରେ ଓ ଏପରି ବିଷୟ କରିବାକୁ ଆମକୁ ପ୍ରରୋଚିତ କରେ, ଯାହା ଆମେ ସ୍ପଷ୍ଟଭାବରେ ଚିନ୍ତା କରିବା ସମୟରେ ଆଦୌ କରି ନ ଥାନ୍ତୁ । ସେଥିପାଇଁ ଶାନ୍ତ ହୋଇ ନ ଥିବା କ୍ରୋଧକୁ ଏପରି ଏକ ସମୟ ବୋମା ଭାବରେ ଦେଖାଯିବା ଆବଶ୍ୟକ, ଯାହାର ବିସ୍ଫୋରଣ ଘଟିପାରେ ଓ ଆମକୁ ଧ୍ଵଂସ କରିବା ସଙ୍ଗେ ସଙ୍ଗେ ଏହା ଅନ୍ୟ ମାନଙ୍କର ଅପୂରଣୀୟ କ୍ଷତି କରିପାରେ । ଅବଶ୍ୟ, ସମସ୍ତ କ୍ରୋଧ ଭୁଲ୍ ନୁହେଁ । ମାତ୍ର ସମସ୍ତ ଭୁଲ୍ କ୍ରୋଧକୁ ସ୍ଵୀକାର କରାଯିବା ଓ ଏହା 'ହତ୍ୟା' ଦିଗକୁ କଢ଼ାଏ ନେବା ପୂର୍ବରୁ ଏହାକୁ ଦୂର କରିବା ଆବଶ୍ୟକ ଅଟେ । 

ଯଥାର୍ଥ କାର୍ଯ୍ୟର ଶେଷ ଫଳ

ଯଥାର୍ଥ କାର୍ଯ୍ୟର ଶେଷ ଫଳ

୨ କର ୪:୭-୧୮

ଆମ୍ଭେମାନେ ସର୍ବପ୍ରକାର କ୍ଲେଶ ଭୋଗ କରୁଅଛୁ, ତଥାପି ଅବରୋଧ ନୋହୁ, ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁ । ( ୨ କର ୪:୮)

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ବିଚରା ଲୋକଟି ନିଜେ ବଡ଼ ଅସୁବିଧାରେ ପଡ଼ିଗଲା । ଲୋକଟି ଗୋଟିଏ ଗ୍ରାମରେ ବଢ଼ି ଉଠିଥିଲା ଏବଂ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଓ ଗାଡ଼ି ଚାଲକମାନଙ୍କୁ ସାହାଯ୍ୟ କରିବା ଥିଲା ତା'ର ଏକ ନୈତିକ ଦାୟିତ୍ୱ ଓ ଅଭ୍ୟାସ । ଥରେ ସେ ଏକ ମହାନଗରୀକୁ ଆସିଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଟକି ରହିଥିବା ଦେଖି, ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ପହଞ୍ଚିଲେ । କିନ୍ତୁ ସେ ଜାଣି ନ ଥିଲେ, ଯେ ସେହି ବ୍ୟକ୍ତି ଜଣକ ଥିଲେ ଜଣେ ଡକାୟତ । ଉକ୍ତ ବ୍ୟକ୍ତି ତାକୁ କ୍ଷତବିକ୍ଷତ କରି ତା' ଠାରୁ ସମସ୍ତ ଟଙ୍କା ପଇସା ଛଡେଇ ନେଇ ଚାଲିଗଲା। ସୌଭାଗ୍ୟକ୍ରମେ ଲୋକଟି ବଞ୍ଚିଗଲା ଏବଂ ସେ ସୁସ୍ଥ ହେବା ପରେ ଏହିପ୍ରକାର ମନ୍ତବ୍ୟ ଦେଇଥିଲା 'ଈଶ୍ୱରଙ୍କ ଉପରେ ମୋ' ର ବିଶ୍ଵାସ ଓ ଭରସା ଆହୁରି ଗଭୀର ହୋଇଛି ଏବଂ ମୁଁ ତ ତଥାପି ବିଶ୍ଵାସ କରେ, ଅନ୍ୟକୁ ସାହାଯ୍ୟ କରିବା ଏକ ଯଥାର୍ଥ କାର୍ଯ୍ୟ ।' 

ଏହି ଉଦାହରଣ ଦେବା ଦ୍ବାରା ମୁଁ ଯେ ଆପଣମାନଙ୍କୁ  ଅସୁବିଧାରେ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଉଛି, ତାହା ନୁହେଁ । ସତର୍କତାର ସହିତ କାର୍ଯ୍ୟ କରିବା ନିଶ୍ଚିୟ ବୁଦ୍ଧିମାନର କାର୍ଯ୍ୟ। କିନ୍ତୁ ନୂତନ ନିୟମ ଆମ୍ଭମାନଙ୍କୁ ଦର୍ଶାଏ ଯେ, ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆମେ ନିଜେ ଅସୁବିଧାର ସମ୍ମୁଖୀନ ହେଉ। ସୁସମାଚାରର ସେବା ପାଇଁ କିମ୍ବା ଆମର ଉତ୍ତମ କାର୍ଯ୍ୟ ପାଇଁ, ଶ୍ରୀଘ୍ର ହେଉ ବା ବିଳମ୍ବରେ ହେଉ, ଆମ୍ଭେମାନେ ନିଶ୍ଚିୟ ବିରୋଧରେ ସମ୍ମୁଖୀନ ହେବୁ। ତଥାପି, ଏହି ବିରୋଧର ଶେଷଫଳ ଆନନ୍ଦଜନକ ହେବ ।

ଉଦାହରଣସ୍ୱରୂପ, ସାଧୁ ପାଉଲ ସୁସମାଚାର ସକାଶେ ନିର୍ଯ୍ୟାତିତ ହେଲେ, ଘୃଣିତ ହେଲେ, କ୍ଷତବିକ୍ଷତ  ହେଲେ ଏବଂ ନୌରାଶ୍ୟ ଜର୍ଜ୍ଜରିତ ହେଲେ। କିନ୍ତୁ ସେ ଏ ବିଷୟରେ ନିଃସନ୍ଦେହ ଥିଲେ ଯେ, ସେ ଯାହା କରୁଥିଲେ, ତାହା ଥିଲା ଯଥାର୍ଥ କାର୍ଯ୍ୟ । ଏହା ମଧ୍ୟ ସେ ଜାଣିଥିଲେ ଯେ, ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି ଶେଷ ଦିନ ପ୍ରଭୁ ନିଜେ ତାହାର ଅନନ୍ତ ମୂଲ୍ୟ ନିରୂପଣ କରିବେ  ଏବଂ ଅନ୍ୟମାନଙ୍କର ଆତ୍ମାଲାଭ ପାଇଁ ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ଯେତେ କଷ୍ଟକର ହେଲେ ମଧ୍ୟ ଅନନ୍ତକାଳ ନିମନ୍ତେ ଲାଭଦାୟକ । 

ଆପଣ କିପରି ଶୁଣନ୍ତି ?

 ଆପଣ କିପରି ଶୁଣନ୍ତି ?

ଲୁକ ୮:୧୬-୧୮

…..କିପରି ଶୁଣୁଅଛ, ସେ ବିଷୟରେ ସାବଧାନ ହୁଅ । 

(ଲୁକ ୮:୧୮)


ଗୋଟିଏ ଛୋଟ ବାଳକ ଗୋଟିଏ ପ୍ରହେଳିକା ସମାଧାନ କରିବା ପାଇଁ ନିଜର ବାପାଙ୍କୁ କହିଲା । ସେ ପଚାରିଲା, "ଗୋଟିଏ କାଠ ଉପରେ ତିନୋଟି ବେଙ୍ଗ ବସିଥିଲେ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ତଳକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲା । ତେବେ ଆଉ କେତୋଟି ବେଙ୍ଗ ରହିଲେ ? "ବାପା ଉତ୍ତର ଦେଲେ, "ଅବଶ୍ୟ, ଦୁଇଟି" । ପିଲାଟି ଖୁସିରେ କହିଲା, "ତୁମେ ଭୁଲ୍ କହିଲ । ସେହି ତିନୋଟି ଯାକ ବେଙ୍ଗ ରହିଲେ । କାରଣ ଗୋଟିଏ ବେଙ୍ଗ ଡେଇଁବା ପାଇଁ କେବଳ 'ନିଷ୍ପତ୍ତି' ନେଇଥିଲେ, ମାତ୍ର ଡେଇଁ ନ ଥିଲା !" 


ଆପଣା କିପରି ଶୁଣୁଛନ୍ତି, ସେ ବିଷୟରେ ସାବଧାନ ହୁଅନ୍ତୁ । ଅନ୍ୟ ଜଣଙ୍କର  ମନ୍ତବ୍ୟକୁ  ବିଚାର କରିବା ପୂର୍ବରୁ, ସେ କ'ଣ କହିଥିଲା ଓ କ'ଣ କହିବାକୁ ଚାହୁଁଥିଲା, ଠିକ୍ ତାହା ଜାଣିବାକୁ ଚେଷ୍ଟା କରନ୍ତୁ । 


'ମୁଁ କାହିଁକି ଏହିବର୍ଷ ଯୀଶୁଙ୍କର ଦ୍ଵିତୀୟ ଆଗମନକୁ ଅପେକ୍ଷା କରୁଅଛି' ନାମକ ଗୋଟିଏ ରେଡ଼ିଓ ବାର୍ତ୍ତା ପ୍ରଚାର କରିଥିଲି । ମୁଁ ଅନ୍ୟାନ୍ୟ ଚିଠି ସହିତ ଜଣେ ଶ୍ରୋତାଙ୍କଠାରୁ ଏକ ତୀକ୍ଷ୍ମ ପତ୍ର ପାଇଲି । ଖ୍ରୀଷ୍ଟଙ୍କ ପ୍ରତ୍ୟାଗମନର ସମୟ ନିରୂପଣ କରି ଏହାକୁ ପୂର୍ବରୁ ଜଣାଇଥିବାରୁ ସେ ମୋତେ ନିନ୍ଦା କରିଥିଲେ । ମାତ୍ର ମୁଁ ସେହିପ୍ରକାର କିଛି କହି ନ ଥିଲି । ମୁଁ ଆସନ୍ତା ବର୍ଷ ଖ୍ରୀଷ୍ଟଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁଅଛି ବୋଲି କେବଳ କହିଥିଲି । ସେ ସେହିବର୍ଷ ଆସିବେ ବୋଲି ମୁଁ କହି ନ ଥିଲି, ମାତ୍ର ତାଙ୍କ ଆଗମନକୁ ମୁ ଅପେକ୍ଷା କରୁଅଛି ବୋଲି କହିଥିଲି । ପୁଣି ଯଦି ସେ ଏହିବର୍ଷ ଆସିବେ ନାହିଁ, ତେବେ ମୁଁ ଆସନ୍ତା ବର୍ଷ ତାଙ୍କ ଆଗମନକୁ ଅପେକ୍ଷା କରିବି । 


ଦାୟିତ୍ୱହୀନ ଭାବରେ ଶୁଣିବାର ପରିଣତି ଗୁରୁତର ଭୁଲ୍ ଅଟେ । ଏହା ବାଇବେଲ ସହିତ ସଂପୃକ୍ତିରେ, ବିଶେଷ ଭାବରେ ସତ୍ୟ ଅଟେ । କାରଣ ଗୋଟିଏ ଶବ୍ଦ ସମ୍ବନ୍ଧୀୟ ଭୁଲ୍ ବୁଝାମଣା ଗୋଟିଏ ଭୁଲ୍ ଅର୍ଥ ଉତ୍ପନ୍ନ କରିପାରେ ଓ ଆମେ ଯାହା କରୁ ବୋଲି ଈଶ୍ଵର ଚାହାନ୍ତି, ତାହା କରିବାଠାରୁ ଆମକୁ ଦୂରରେ ରଖିପାରେ ।