BN

ପ୍ରକୃତ ଶିଷ୍ୟତ୍ଵ

 ପ୍ରକୃତ ଶିଷ୍ୟତ୍ଵ

ଆଜିର ଚିନ୍ତା

ଲୁକ ୯: ୧୮-୨୭

ଯୀଶୁଙ୍କ ବାସ୍ତବତା, ମୁଁ ଜୀବନରେ ଉପଲବ୍ଧି କରିଛି କି ? 


ଥରେ ଯୀଶୁ ଶିଷ୍ୟମାନଙ୍କ ସହିତ ନିରୋଳାରେ ପ୍ରାର୍ଥନା କରୁଥିବା ସମୟରେ ସେମାନଙ୍କୁ ପଚାରିଲେ "ଲୋକେ ମୋ ବିଷୟରେ କ'ଣ କହନ୍ତି ?" ସତରେ, ଏହି ଜଟିଳ ପ୍ରଶ୍ନର ଉତ୍ତର କେବଳ ପ୍ରାର୍ଥନା ଦ୍ଵାରା ହିଁ ମିଳିଥାଏ । ଜଣକ ବିଷୟରେ ଜାଣିବା ଏବଂ ବ୍ୟକ୍ତିଗତ ରୂପେ ଜଣକୁ ଜାଣିବା ମଧ୍ୟରେ ଅନେକ ଭିନ୍ନତା ରହିଛି । ଜଣଙ୍କୁ ଜାଣିବା ପାଇଁ ଏକ ବାସ୍ତବ ଅନ୍ତରଙ୍ଗ ସମ୍ପର୍କ ଆବଶ୍ୟକ । ଯେଉଁମାନେ ତାହାଙ୍କ ସହିତ ନିବିଡ଼ ସମ୍ପର୍କ ରଖିଛନ୍ତି, ସେମାନେ ତାହାଙ୍କୁ ବ୍ୟକ୍ତିଗତ ରୂପେ, ସେ ଯେ ଈଶ୍ୱରଙ୍କ ପୁତ୍ର ଓ ଜଗତର ଏକମାତ୍ର ପରିତ୍ରାଣକର୍ତ୍ତା ତାହା ଜାଣିପାରନ୍ତି । 


ଶିଷ୍ୟ ହେବାର ଯୋଗ୍ୟତା : ଆଜିର ଶାସ୍ତ୍ରାଂଶରେ, ଯୀଶୁ ନିଜର ବାସ୍ତବତାକୁ ଶିଷ୍ୟମାନଙ୍କ ମଧ୍ୟରେ ପ୍ରକାଶ କରୁଛନ୍ତି, ଯେପରି ସେମାନେ ତାହା ନିଜ ଜୀବନରେ ଉପଲବ୍ଧି କରିବେ । ଯୀଶୁଙ୍କ ଶିଷ୍ୟ ହେବାର ଯୋଗ୍ୟତା ହେଉଛି, ନିଜକୁ ଅସ୍ବୀକାର କରି, ଈଶ୍ୱରଙ୍କ ବାଧ୍ୟ ହେବା ନିମନ୍ତେ ନିଜକୁ ତାହାଙ୍କଠାରେ ସମ୍ପର୍ଣ୍ଣ ରୂପେ ସମର୍ପଣ କରିବା । ତେବେ ଈଶ୍ୱର ଗୌରବାନ୍ଵିତ ହେବେ ଏବଂ ସେହି ଜୀବନ ଅନନ୍ତକାଳ ଈଶ୍ୱରଙ୍କ ସହିତ ବସବାସ କରିବ । ଖ୍ରୀଷ୍ଟିୟାନ ଜୀବନରେ ସର୍ବଦା ରହିଛି ଅନେକ ଦୁଃଖ, ସମସ୍ୟା ଓ ମୃତ୍ୟୁର ଭୟ । ଯୀଶୁ ହିଁ ଆମର ଆଦର୍ଶ, ତେଣୁ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ଜୀବନରେ ଆମେ ଆଗେଇବା ଉଚିତ । 


ଶିଷ୍ୟ ନିମନ୍ତେ ଚେତନାବାଣୀ : ଯଦି ଏ ଜଗତରେ ଖ୍ରୀଷ୍ଟଙ୍କ ସମ୍ବାଦ ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ ଲଜ୍ଜାବୋଧ କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କ ବିଷୟରେ ଲଜ୍ଜାବୋଧ କରିବେ । ତେଣୁ ଖ୍ରୀଷ୍ଟଙ୍କ ସୁସମାଚାର ଅନ୍ୟ ନିକଟରେ ପ୍ରଚାର କରିବାର ଗୁରୁଦାୟିତ୍ୱ ଆମ୍ଭମାନଙ୍କୁ ଦିଆଯାଇଛି, ଏହାକୁ ଆମେ କେତେ ଗୁରୁତ୍ବ ଦେଉଛୁ ? ନା ହେଳା ଭାବରେ ଆମେ ଏହାକୁ ନିର୍ବାହ କରୁଛୁ ? ପ୍ରଭୁ ଯେ ଏକମାତ୍ର ପଥ, ସତ୍ୟ ଓ ଜୀବନ ଏହି ସତ୍ୟତାକୁ ସର୍ବଜଗତ ସମ୍ମୁଖରେ ପ୍ରକାଶ କରିବା ଆମର ପ୍ରଧାନ କର୍ତ୍ତବ୍ୟ । 


ଯୀଶୁଙ୍କୁ ନିଜ ଜ୍ଞାନ ମଧ୍ୟରେ ସୀମିତ ନ ରଖି, ବାସ୍ତବ ଜୀବନରେ ତାହାଙ୍କ ସହିତ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇ, ପ୍ରଭୁଙ୍କର ପ୍ରକୃତ ପରିଚୟ ନିଜ ପରିବାର ମଧ୍ୟରେ, ସମାଜ ମଧ୍ୟରେ ପୁଣି ଜଗତବାସୀ ସମ୍ମୁଖରେ ପ୍ରକାଶ କରିବା । 

No comments:

Post a Comment

Kindly give your suggestions or appreciation!!!